ଇଣ୍ଡିଆନ ଆଇଡଲ ଜିତିଲେ ଓଡ଼ିଶାର ଜ୍ୟୋତିର୍ମୟୀ
ଭୁବନେଶ୍ୱର, ୨୭/୭ : ଜାତୀୟ ସ୍ତରରେ ଓଡ଼ିଶାକୁ ଗୌରବାନ୍ୱିତ କରିଥିବା ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି । ଜ୍ୟୋତିର୍ମୟୀ ଯୁବ ପ୍ରତିଭାଙ୍କ ପାଇଁ ପ୍ରେରଣା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ୍ ମିଡ଼ିଆ ହ୍ୟାଣ୍ଡଲ୍ ଏକ୍ସରେ କହିଛନ୍ତି ଯେ ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହୋଇ ଆମ ମାଟିର ନାଁ ସାରା ଦେଶରେ ଉଜ୍ଜ୍ୱଳ କରିଥିବା ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକଙ୍କୁ ମୋର ଅଶେଷ ସ୍ନେହ, ଶୁଭେଚ୍ଛା ଓ ଅଭିନନ୍ଦନ।
ତାଙ୍କର ଏହି ସଫଳତା ଓଡ଼ିଶାର ଅଗଣିତ ଯୁବ ପ୍ରତିଭା ଓ ଉଦୀୟମାନ କଳାକାରଙ୍କ ପାଇଁ ଏକ ବଡ଼ ପ୍ରେରଣା। ଜ୍ୟୋତିର୍ମୟୀଙ୍କ ଉଜ୍ଜ୍ୱଳ ଓ ସମୃଦ୍ଧ ଭବିଷ୍ୟତ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଜ୍ୟୋତିର୍ମୟୀ ଦେଶର ଲୋକପ୍ରିୟ ସଙ୍ଗୀତ ରିଆଲିଟି ଶୋ\’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ର ଟ୍ରଫି ଜିତି ନୂଆ ଇତିହାସ ରଚିଛନ୍ତି ।
ସେ ଗ୍ରାଣ୍ଡ ଫାଇନାଲ୍ରେ ୫ ଜଣ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ସଫଳତା ହାସଲ କରିଛନ୍ତି। ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ଜିତିବାରେ ଜ୍ୟୋତିର୍ମୟୀ ହେଉଛନ୍ତି ପ୍ରଥମ ଓଡ଼ିଆ । ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ମଞ୍ଚରେ ନିଜର ପ୍ରଥମ ଅଡିସନ୍ରୁ ହିଁ ବିଚାରକ ଶ୍ରେୟା ଘୋଷାଲ, ବିଶାଳ ଦାଦଲାନି ଏବଂ ବାଦଶାହଙ୍କୁ ମୁଗ୍ଧ କରିଥିଲେ।
ଜ୍ୟୋତିର୍ମୟୀ ନାୟକ ଓଡ଼ିଶାର ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍ ଅନ୍ତର୍ଗତ ବାଉଁଶନାଳ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସଙ୍ଗୀତ ମାଧ୍ୟମରେ କ୍ୟାନ୍ସର ରୋଗୀ ଓ ଗର୍ଭବତୀ ମହିଳାମାନଙ୍କୁ ଚିକିତ୍ସା ଓ ସେବା ଯୋଗାଇବାରେ ସେ ଜଣେ ସଫଳ ମ୍ୟୁଜିକ୍ ଥେରାପିଷ୍ଟ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।






