Indus Valley Times

ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଆଦିବାସୀ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ଭାଷା ସଂପାନ

 Breaking News

ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଆଦିବାସୀ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ଭାଷା ସଂପାନ

November 06
21:47 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା,୬/୧୧ : ଓଡ଼ିଆ ଭାଷା ପ୍ରତିଷ୍ଠାନ ଆନୁକୂଲ୍ୟରେ ଆଦିବାସୀ ମହାବିଦ୍ୟାଳୟ ଓଡ଼ିଆ ବିଭାଗ ସହଯୋଗିତାରେ ବୁଧବାର ‘ରାଜ୍ୟସ୍ତରୀୟ ଭାଷା ସଂପାନ’ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
ପ୍ରାରମ୍ଭରେ ବୈଦିକ ମନ୍ତ୍ରୋଚ୍ଚାରଣ ମଧ୍ୟରେ ଆମନ୍ତ୍ରିତ ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଭାଷା ସଂପାନର ଶୁଭାରମ୍ଭ କରିଥିଲେ ।
ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର୍ କାର୍ତ୍ତିକ ଚନ୍ଦ୍ର ସି ଯୋଗଦେଇ ଆନୁଷ୍ଠାନିକ ଭାବେ ଏହି ସଂପାନର ଉଦଘାଟନ କରିବା ସଂଗେ ସଂଗେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।
ମହାବିଦ୍ୟାଳୟ ପରିଚାଳନା ସମିତି ସଭାପତି ପ୍ରଫେସର୍ ପ୍ରତ୍ୟୁଷ ରଞ୍ଜନ ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଂପାନରେ ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରକଳ୍ପ ପରାମର୍ଶଦାତା ପ୍ରଫେସର୍ ଡ. ପ୍ରେମାନନ୍ଦ ମହାପାତ୍ର ମୁଖ୍ୟଅତିଥି ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଦକ୍ଷିଣାଞ୍ଚଳ ଉପସଚିବ ଡ. କୁଳମଣି ଓଝା ମୁଖ୍ୟବକ୍ତା ରୂପେ ଓଡ଼ିଆ ଭାଷାର ମୌଳିକ ଭିତ୍ତି, ଉନ୍ମେଷ ଓ ଉତ୍ତରଣ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ।
ଏହି ଭାଷା ସଂପାନରେ ଆଲୋଚକ ରୂପେ ବର୍ଷୀୟାନ୍ ସଂସ୍କୃତବିଦ୍ ପଣ୍ଡିତ ଅନନ୍ତ ଚରଣ ମିଶ୍ର ‘ଓଡ଼ିଆ ଭାଷାର ବିକାଶ ଓ ସୁରକ୍ଷା’, ଓଡ଼ିଆ ବିଭାଗର ପ୍ରାକ୍ତନ ପ୍ରାଧ୍ୟାପକ ତଥା ପ୍ରାକ୍ତନ ଅଧ୍ୟକ୍ଷ ଡ. ମଧୁସୂଦନ ମହାପାତ୍ର ‘ସଚ୍ଚି ରାଉତରାୟଙ୍କ କ୍ଷୁଦ୍ରଗଳ୍ପର ଭାଷା’ ଓ କଳିଙ୍ଗ ମହାବିଦ୍ୟାଳୟ ଓଡ଼ିଆ ବିଭାଗର ବରିଷ୍ଠ ଅଧ୍ୟାପକ ଡ. ନଳିନୀ କୁମାର ପାଣିଗ୍ରାହୀ ‘କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟଭାଷା’ ସଂପର୍କରେ ତଥ୍ୟ ଓ ତତ୍ତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ ।
ମୁଖ୍ୟଅତିଥି ପ୍ରଫେସର୍ ପ୍ରେମାନନ୍ଦ ମହାପାତ୍ର ତାଙ୍କ ବକ୍ତବ୍ୟରେ ଓଡ଼ିଆ ଭାଷା ପ୍ରତିଷ୍ଠାନର ବିଭିନ୍ନ ପ୍ରକଳ୍ପ ଓ ଯୋଜନା ସଂପର୍କରେ ସୂଚନା ପ୍ରଦାନ କରିଥିଲେ ।
ଓଡ଼ିଆ ବିଭାଗ ମୁଖ୍ୟ ଡ. ବିଭୂତି ଭୂଷଣ ଆଚାର୍ଯ୍ୟ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିବା ସଂଗେ ସଂଗେ ସମସ୍ତ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ । ଏହି ଅବସରରେ +୨ ଓ +୩ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୂର୍ବରୁ ଅନୁଷ୍ଠିତ ପ୍ରବନ୍ଧ, ବକ୍ତୃତା ଓ ଶୁଦ୍ଧ ଲିଖନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ଭାଷା ପ୍ରତିଷ୍ଠାନ ଦ୍ୱାରା ପ୍ରକାଶିତ ପୁସ୍ତକ ପୁରସ୍କାର ରୂପେ ବିତରଣ କରାଯାଇଥିଲା ।
ଏହି ସଂପାନରେ ସାହିତ୍ୟିକ ରବୀନ୍ଦ୍ର କୁମାର ରଥ, ବିଭାଗୀୟ ଅଧ୍ୟାପିକା ସ୍ନେହଲତା ମାଝୀ, ଡ. ବିଶ୍ୱେଶ୍ଵର ଆଚାର୍ଯ୍ୟ, ଡ. ବନୀତା ପଟ୍ଟନାୟକ, ସାଗରିକା ସାହୁ, ସ୍ଵାଗତିକା ପରବିନ୍, ଶାଳବଣ ସାହିତ୍ୟ ସଂସଦର କାର୍ଯ୍ୟକର୍ତ୍ତା, ବିଭାଗୀୟ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ଅଣ-ଶିକ୍ଷକ କର୍ମଚାରୀମାନେ ଉପସ୍ଥିତ ଥିଲେ । ଶେଷରେ ଅଧ୍ୟାପିକା ସୁଲୋଚନା କଅଁର ଧନ୍ୟବାଦ ଅର୍ପଣ କରିଥିଲେ ।
ମଦ୍ୟପାନ କରି ବିଦ୍ୟାଳୟକୁ ଆସୁଥିଲେ ଶିକ୍ଷକ: ଶିକ୍ଷା ବିଭାଗ କଲା ନିଲମ୍ବିତ
ବାଲିଗୁଡା,୬/୧୧ : ମଦ୍ୟପାନ କରି ଶିକ୍ଷକ ନିଲମ୍ବିତ। ଜଣେ କାର୍ଯ୍ୟରତ ଶିକ୍ଷକ ବିଦ୍ୟାଳୟ ସମୟରେ ମଦ୍ୟପାନ କରି ବିଦ୍ୟାଳୟକୁ ଆସି ନିଲମ୍ବିତ ହୋଇଥିବା ଜଣାପଡିଛି।
ସୂଚନାରୁ ପ୍ରକାଶ ଯେ ଦୀର୍ଘ ଦିନ ହେବ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ନିଆଜି ପରାସେଟ ବିଦ୍ୟାଳୟ ସମୟରେ ମଦ୍ୟପାନ କରି ବିଦ୍ୟାଳୟକୁ ଆସୁଥିଲେ। ବିଦ୍ୟାଳୟରେ ଅଧ୍ୟୟନରତ କୋମଳମତି ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ବାହାନାରେ ବହିର ଅନ୍ୟ ବିଷୟ ଉପରେ ପାଠ ପଢ଼ାଇ ଆସୁଥିଲେ।
ପ୍ରଧାନ ଶିକ୍ଷକ ବିବରାମ ଉଠାଣ ସିଂ ବିଦ୍ୟାଳୟ ସମୟରେ ମଦ୍ୟପାନକୁ ବାରଣ କରିଥିଲେ ମଧ୍ୟ ଶିକ୍ଷକ ଶ୍ରୀ ପରାସେଟ ପ୍ରଧାନ ଶିକ୍ଷକଙ୍କ କଥାକୁ ମାନି ନଥିଲେ।
ଶେଷରେ ପ୍ରଧାନ ଶିକ୍ଷକ ଏନେଇ ତୁମୁଡିବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ପବିତ୍ର ଗଡତ୍ୟାଙ୍କୁ ଲିଖିତ ଭାବେ ଅବଗତ କରାଇଥିଲେ।
ତୁମୁଡିବନ୍ଧ ବି.ଇ.ଓ ଶ୍ରୀ ଗଡତ୍ୟା ଶିକ୍ଷକ ନିଆଜି ପରାସେଟଙ୍କୁ ନିଲମ୍ବିତ କରିଥିବା ଜଣାପଡ଼ିଛି। ଏନେଇ ସ୍ଥାନୀୟ ସିଆରସିସି ସିପାନା ମାଝୀ ନିଲମ୍ବିତ ଚିଠିକୁ ସଂପୃକ୍ତ ଶିକ୍ଷକଙ୍କୁ ପ୍ରଦାନ କରିଥିବା ପ୍ରକାଶ କରିଛନ୍ତି। ଏହି ଖବର ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31