Indus Valley Times

ଓଡ଼ିଶା ଆସିବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ : ସୁରକ୍ଷା, ପ୍ରସ୍ତୁତିର ଉଚ୍ଚସ୍ତରୀୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

 Breaking News

ଓଡ଼ିଶା ଆସିବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ : ସୁରକ୍ଷା, ପ୍ରସ୍ତୁତିର ଉଚ୍ଚସ୍ତରୀୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଆସିବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ : ସୁରକ୍ଷା, ପ୍ରସ୍ତୁତିର ଉଚ୍ଚସ୍ତରୀୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
June 16
21:39 2026

ଭୁବନେଶ୍ୱର, ୧୬/୬ : ରାଜ୍ୟ ସରକାରଙ୍କ ସଫଳ ୨ ବର୍ଷ ଏବଂ କେନ୍ଦ୍ର ସରକାରଙ୍କ ୧୨ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ଜୁନ୍ ୧୯ ଓ ୨୦ ତାରିଖରେ ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ଏହି ସମାରୋହକୁ ତ୍ରୁଟି ଶୂନ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଆଭାସୀ ମାଧ୍ୟମରେ ସୁରକ୍ଷା ଓ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।
ଆୟୋଜିତ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟର ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ (DGP), ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ (ACS) ଏବଂ ଅନ୍ୟାନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ବ୍ଲୁ-ପ୍ରିଣ୍ଟ ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି।
ବିଶେଷ କରି ମେଗା ସାଧାରଣ ସଭା ଏବଂ ଭିଭିଆଇପି (VVIP) ମାନଙ୍କ ଗମନାଗମନ ସମୟରେ ଯେପରି କୌଣସି ତ୍ରୁଟି ନରହେ, ସେଥିପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ବିଭାଗକୁ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଆସନ୍ତା ଜୁନ୍ ୧୯ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସିବେ । ଆସନ୍ତା ଜୁନ୍ ୨୦ ତାରିଖରେ ରାଷ୍ଟ୍ରପତିଙ୍କ ଶୁଭ ଜନ୍ମଦିନ।
ରାଷ୍ଟ୍ରପତି ନିଜ ଜନ୍ମଦିନ ଅବସରରେ ନିଜ ଜନ୍ମଭୂମିରେ ପାଳନ କରିବେ । ଜନ୍ମମାଟିରେ ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ବୈଠକରୁ ସୂଚନା ମିଳିଛି।
ଏହି କ୍ରମରେ ଜୁନ୍ ୨୦ ତାରିଖରେ ପ୍ରଧାନମନ୍ତ୍ରୀ ରାଇରଙ୍ଗପୁରରେ ପହଞ୍ଚି ରାଷ୍ଟ୍ରପତିଙ୍କ ସହ ଏହି ଐତିହାସିକ ରାଜ୍ୟ ସ୍ତରୀୟ ମେଗା ଉତ୍ସବରେ ସାମିଲ ହେବେ। ରାଇରଙ୍ଗପୁରଠାରେ ଆୟୋଜିତ ଏକ ବିଶାଳ ସାଧାରଣ ସଭାକୁ ସମ୍ବୋଧିତ କରିବେ।
ଏହି ମଞ୍ଚରୁ ଉଭୟ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ମିଳିତ ଭାବେ ଓଡ଼ିଶା ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ହଜାର ହଜାର କୋଟି ଟଙ୍କାର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ। ଏଥିମଧ୍ୟରେ ବହୁ ପ୍ରତୀକ୍ଷିତ ରେଳବାଇ ପ୍ରକଳ୍ପ, ମେଗା କୋଲ୍ ଗ୍ୟାସିଫିକେସନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ହେବା ନେଇ ବୈଠକର ଆଲୋଚନାରୁ ଜଣାପଡିଛି।
ସୂଚନାଯୋଗ୍ୟ ଯେ, ୧୯ ତାରିଖ ଦିନ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଠାରେ ସ୍ବାସ୍ଥ୍ୟ ବିଭାଗୀୟ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଉଦଘାଟନ କରିବେ। ଏହି ମିଳିତ ଗସ୍ତ ରାଜ୍ୟର ବିକାଶର ଗତିକୁ ଆହୁରି ତ୍ୱରାନ୍ୱିତ କରିବ ବୋଲି ମୁଖ୍ୟମନ୍ତ୍ରୀ ବୈଠକରେ ଆଶା ବ୍ୟକ୍ତ କରିଛନ୍ତି।
ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ପୋଲିସ୍ ମହାନିର୍ଦ୍ଦେଶକ ୱାବି ଖୁରାନିଆ, ଉନ୍ନୟନ କମିଶନର ଡିକେ ସିଂ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ବତ ମିଶ୍ର, ଗୃହ ବିଭାଗ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଗୁଇନ୍ଦା ଡିଜି ବିନୟତୋଷ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930