Indus Valley Times

ଓଡ଼ିଶା ବନ୍ଦ ଡାକରା ବାଲିଗୁଡ଼ାରେ ବିଫଳ : ସ୍ୱାଭାବିକ ଜୀବନଯାତ୍ରା ଅବ୍ୟାହତ, ଖୋଲା ରହିଲା ଦୋକାନ ବଜାର ଓ ଯାନବାହନ ଚଳାଚଳ

 Breaking News

ଓଡ଼ିଶା ବନ୍ଦ ଡାକରା ବାଲିଗୁଡ଼ାରେ ବିଫଳ : ସ୍ୱାଭାବିକ ଜୀବନଯାତ୍ରା ଅବ୍ୟାହତ, ଖୋଲା ରହିଲା ଦୋକାନ ବଜାର ଓ ଯାନବାହନ ଚଳାଚଳ

ଓଡ଼ିଶା ବନ୍ଦ ଡାକରା ବାଲିଗୁଡ଼ାରେ ବିଫଳ : ସ୍ୱାଭାବିକ ଜୀବନଯାତ୍ରା ଅବ୍ୟାହତ, ଖୋଲା ରହିଲା ଦୋକାନ ବଜାର ଓ ଯାନବାହନ ଚଳାଚଳ
September 30
22:07 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୩୦/୯ : ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ବାଲିଗୁଡ଼ାରେ ପରିଲକ୍ଷିତ ହୋଇନାହିଁ। ବନ୍ଦ ସତ୍ତ୍ୱେ ସହରରେ ସ୍ୱାଭାବିକ ଭାବେ ଜନଜୀବନ ଚାଲିଥିବା ବେଳେ ଦୋକାନ, ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ଖୋଲା ରହିଥିଲା।
ଏଥିସହ ବସ୍‌, ଅଟୋ ଓ ଅନ୍ୟାନ୍ୟ ଯାନବାହନ ଚଳାଚଳ ମଧ୍ୟ ସ୍ୱାଭାବିକ ରହିଥିଲା। ବାଲିଗୁଡ଼ା ସହରର ପ୍ରମୁଖ ଛକ ଓ ବଜାର ଅଞ୍ଚଳରେ ଲୋକଙ୍କ ଚଳପ୍ରଚଳ ସାଧାରଣ ଦିନ ଭଳି ଦେଖିବାକୁ ମିଳିଥିଲା। ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସମେତ ବିଭିନ୍ନ ପ୍ରତିଷ୍ଠାନରେ ମଧ୍ୟ କାର୍ଯ୍ୟକଳାପ ଜାରି ରହିଥିଲା।
ବନ୍ଦ ପାଳନ ପାଇଁ ସଂଗଠନ ପକ୍ଷରୁ ଆହ୍ବାନ ଦିଆଯାଇଥିଲେ ମଧ୍ୟ ସ୍ଥାନୀୟ ଭାବେ ଏହାକୁ ବ୍ୟାପକ ସମର୍ଥନ ମିଳିନଥିବା ଦେଖାଯାଇଥିଲା। ଫଳରେ ନବ ନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦ ଡାକ ବାଲିଗୁଡ଼ା ରେ ପ୍ରାୟତଃ ପ୍ରଭାବହୀନ ରହିଥିବା କୁହାଯାଉଛି।

ଦୀର୍ଘଦିନ ଧରି ମାଟି ରାସ୍ତାରେ ଦୁର୍ଦ୍ଦଶା : କଂକ୍ରିଟ ରାସ୍ତା ସହ ପୋଲ ଉଚ୍ଚୀକରଣ ଦାବି, ଜିଲ୍ଲାପାଳଙ୍କୁ ଦାବିପତ୍ର
ବାଲିଗୁଡ଼ା, ୩୦/୯ : ଦୀର୍ଘଦିନ ଧରି ମାଟି ରାସ୍ତାରେ ଯାତାୟାତ କରି ଦୁର୍ଦ୍ଦଶା ଭୋଗୁଛନ୍ତି ପ୍ରାୟ ୨୦୦ ପରିବାର। ବର୍ଷା ହେଲେ ରାସ୍ତାର ଅବସ୍ଥା ଆହୁରି ସଙ୍ଗିନ ହୋଇପଡୁଥିବାରୁ ତୁରନ୍ତ ରାସ୍ତା ନିର୍ମାଣ ଦାବିରେ କନ୍ଧମାଳ ଜିଲ୍ଲାପାଳଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି ଟିକାବାଲି ବ୍ଲକ କଟିମାହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦାସାଗୁଡ଼ା ଗ୍ରାମବାସୀ।
ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଆର୍‌ଡି ରାସ୍ତାଠାରୁ ଦାସାଗୁଡ଼ା ଗ୍ରାମ ପର‌୍ୟ୍ୟନ୍ତ ରାସ୍ତା ଦୀର୍ଘଦିନ ଧରି ଅବହେଳିତ ଅବସ୍ଥାରେ ପଡ଼ିରହିଛି। କିଛି ବର୍ଷ ପୂର୍ବେ ରାସ୍ତାରେ ମାଟି ପକାଯାଇଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ହୋଇନାହିଁ।
ଫଳରେ ବର୍ଷା ଦିନେ ରାସ୍ତା କାଦୁଅ ଓ ଖାଲଖମାରେ ପରିଣତ ହୋଇ ଯାତାୟାତ କଷ୍ଟକର ହେଉଛି। ବିଶେଷ କରି ଆର୍‌ଡି ରାସ୍ତାରୁ ଗ୍ରାମକୁ ଯିବା ବେଳେ ଏକ ଛୋଟ ନଦୀ ଉପରେ ଥିବା ପୋଲ ଯାତାୟାତରେ ସମସ୍ୟା ସୃଷ୍ଟି କରୁଛି।
ବର୍ଷା ସମୟରେ ପାଣି ବଢ଼ିଲେ ଗ୍ରାମବାସୀଙ୍କ ଯାତାୟାତ ଆହୁରି ବିପଦପୂର୍ଣ୍ଣ ହୋଇପଡୁଛି। ତେଣୁ ପୋଲକୁ ଉଚ୍ଚ କରିବା ସହ ଘାଟି ରାସ୍ତାକୁ ସୁଦୃଢ଼ କରିବାକୁ ମଧ୍ୟ ଦାବି ହୋଇଛି।
ଦାସାଗୁଡ଼ା ଗ୍ରାମର ଛାତ୍ରଛାତ୍ରୀଙ୍କ ସ୍କୁଲ-କଲେଜ ଯାତାୟାତ, ରୋଗୀଙ୍କୁ ଚିକିତ୍ସାଳୟ ନେବା, ତଥା ବ୍ଲକ କାର‌୍ୟ୍ୟାଳୟ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଯିବାରେ ଏହି ରାସ୍ତାର ଦୁରବସ୍ଥା ବଡ଼ ସମସ୍ୟା ସୃଷ୍ଟି କରୁଛି।
ଏନେଇ ଗ୍ରାମବାସୀ ପୂର୍ବରୁ ବ୍ଲକ ପ୍ରଶାସନ ଓ ଲୋକପ୍ରତିନିଧିଙ୍କ ନିକଟରେ ଦାବି ଜଣାଇ ଥିଲେ ମଧ୍ୟ ସ୍ଥାୟୀ ସମାଧାନ ହୋଇନଥିବା ଅଭିଯୋଗ କରିଛନ୍ତି। ଆର୍‌ଡି ରାସ୍ତାଠାରୁ ଦାସାଗୁଡ଼ା ପର୍ଯ୍ୟନ୍ତ ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ସାମିଲ କରି ନୂତନ ରାସ୍ତା ନିର୍ମାଣ, ପୋଲ ଉଚ୍ଚୀକରଣ ଓ ଘାଟି ରାସ୍ତାର ସୁଦୃଢ଼ୀକରଣ କରାଗଲେ ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟା ଦୂର ହୋଇପାରିବ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି।
ଦିଲ୍ଲୀପ କହଁର, ବାସୁଦେବ କହଁର, ସୁଗ୍ରୀ କହଁର, ଶଶାଙ୍କ ଶେଖର କହଁର, ଲମ୍ବୋଦର କହଁର, ରମାନନ୍ଦ କହଁର, ଚନ୍ଦ୍ରଶେଖର କହଁର, ଜଳେଶ୍ୱର କହଁର, ଶିବଶଙ୍କର କହଁର, ସଞ୍ଜୟ କହଁର, ନୀଳକଣ୍ଠ କହଁର, କୁଞ୍ଜବିହାରୀ କହଁର, ସ୍ନେହଲତା କହଁର, ଜାନକୀ କହଁର, ସାରଙ୍ଗଧର କହଁର, ମିଶ୍ର କହଁର, ମୀନକେତନ କହଁର, ଅଶୋକ କହଁର ଓ କଂସ କହଁରଙ୍କ ସମେତ ବହୁ ଗ୍ରାମବାସୀ ଏହି ଦାବି ଜଣାଇଛନ୍ତି।

ବାଲିଗୁଡ଼ା ବିଡିଓଙ୍କ ବିରୋଧରେ ସମିତି ସଭ୍ୟଙ୍କ ଅଭିଯୋଗ : ୭ ଦିନରେ ସମାଧାନ ନହେଲେ ଧାରଣା ଚେତାବନୀ
ବାଲିଗୁଡ଼ା, ୩୦/୯ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପଞ୍ଚାୟତ ସମିତିର ନିର୍ବାଚିତ ସମିତି ସଭ୍ୟ, ସଭ୍ୟାଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ଅଣଦେଖା କରାଯାଉଥିବା ଅଭିଯୋଗ ଉଠିଛି।
ଏନେଇ ବାଲିଗୁଡ଼ା ବ୍ଲକ ସମିତି ସଭ୍ୟ ସଂଘ ପକ୍ଷରୁ କନ୍ଧମାଳ ଜିଲ୍ଲାପାଳଙ୍କ ନିକଟ ରେ ଲିଖିତ ଅଭିଯୋଗ କରାଯାଇଛି। ସଂଘର ଅଭିଯୋଗ ଅନୁଯାୟୀ, ବ୍ଲକ ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ହାତକୁ ନିଆଯିବା ଏବଂ କାର୍ଯ୍ୟାନ୍ୱୟନ ସମୟରେ ସମିତି ସଭ୍ୟ, ସଭ୍ୟାଙ୍କୁ ଆବଶ୍ୟକ ସୂଚନା ଦିଆଯାଉନାହିଁ।
କୌଣସି ପ୍ରକଳ୍ପର ସ୍ଥିତି ସମ୍ପର୍କରେ ଜାଣିବାକୁ ଚାହିଁଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ ଏଡ଼ାଇ ଦିଆଯାଉଥିବା ସଂଘ ଅଭିଯୋଗ କରିଛି। ଏପରିକି ବିଭିନ୍ନ ସମୟରେ ସମିତି ସଭ୍ୟମାନେ ସାମୂହିକ ଭାବେ ଆଲୋଚନା ପାଇଁ ସମୟ ମାଗିଥିଲେ ମଧ୍ୟ ସମୟ ନଥିବା ଦର୍ଶାଇ କଥା ଏଡ଼ାଇ ଦିଆଯାଉଥିବା ଅଭିଯୋଗ ହୋଇଛି।
ଉନ୍ନୟନ କାର‌୍ୟ୍ୟରେ ନିର୍ବାଚିତ ଜନପ୍ରତିନିଧିଙ୍କୁ ସାମିଲ ନକରି ସେମାନଙ୍କ ଅଜାଣତରେ ପ୍ରକଳ୍ପ କାର୍ଯ୍ୟ ସମ୍ପାଦନ କରାଯାଉଥିବା ସଂଘ ପକ୍ଷରୁ କୁହାଯାଇଛି। ଅଭିଯୋଗରେ ଆହୁରି ଦର୍ଶାଯାଇଛି ଯେ, ସମିତି ସଭ୍ୟମାନେ ପ୍ରକଳ୍ପ ସମ୍ପର୍କରେ ପଚାରିଲେ ଅନ୍ୟମାନଙ୍କ ସହ ଆଲୋଚନା କରିବାକୁ କୁହାଯାଉଛି।
ଏଭଳି ଆଚରଣ ନିର୍ବାଚିତ ଜନପ୍ରତିନିଧିଙ୍କ ଭୂମିକାକୁ ଗୁରୁତ୍ୱହୀନ କରୁଥିବା ସଂଘ ଅଭିଯୋଗ କରିଛି।
ଏହି ଘଟଣାରେ ଜିଲ୍ଲାପାଳ ହସ୍ତକ୍ଷେପ କରି ଅଭିଯୋଗର ବିହିତ ତଦନ୍ତ ସହ ୭ ଦିନ ମଧ୍ୟରେ ସମାଧାନ କରିବାକୁ ସଂଘ ଦାବି କରିଛି। ଦାବି ପୂରଣ ନହେଲେ ବାଲିଗୁଡ଼ା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟକାଳ ପାଇଁ ଧାରଣାରେ ବସିବାକୁ ସଂଘ ଚେତାବନୀ ଦେଇଛି।
ଏହାକୁ ନେଇ ବ୍ଲକ ପ୍ରଶାସନ ଓ ନିର୍ବାଚିତ ଜନପ୍ରତିନିଧିଙ୍କ ମଧ୍ୟରେ ସମନ୍ୱୟ ନେଇ ପ୍ରଶ୍ନ ଉଠିଛି।
ଦୁର୍ଗାପୂଜା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି :ମା’ଙ୍କ ମୂର୍ତ୍ତି ନିର୍ମାଣରେ ଦିନରାତି ନିମଗ୍ନ କାରିଗର
ବାଲିଗୁଡ଼ା, ୩୦/୯ : ଆସୁଛି ଦୁର୍ଗାପୂଜା। ମା’ଙ୍କ ଆଗମନକୁ ନେଇ ଚଳଚଞ୍ଚଳ ହୋଇଉଠିଛି ବାଲିଗୁଡ଼ା ସହର। ବାଲିଗୁଡା ର ମା ‘ ପାଟଖଣ୍ଡା ଦୁର୍ଗାପୂଜା ସମିତି ଓ ବିଦ୍ୟୁତ ବିଭାଗ ଦୁର୍ଗାପୂଜା କମିଟି ସମେତ ଆଖପାଖ ବିଭିନ୍ନ ପୂଜା ମଣ୍ଡପରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ ହୋଇପଡ଼ିଛନ୍ତି କାରିଗର ମାନେ। ମାଟି, କୁଶ ଓ ବାଉଁଶରେ ମା’ ଦୁର୍ଗାଙ୍କ ରୂପକୁ ଜୀବନ୍ତ କରିବା ପାଇଁ ଦିନରାତି ଏକ କରି ଦେଉଛନ୍ତି ଶିଳ୍ପୀ।
ପ୍ରଥମେ ମୂର୍ତ୍ତିର ଢାଞ୍ଚା ପ୍ରସ୍ତୁତି ପରେ ମାଟିର ପରସ୍ତ ପରସ୍ତ ଲେପ ଦେଇ ଦେବୀଙ୍କ ଆକୃତି ଗଢ଼ାଯାଉଛି। ଏହାପରେ ରଙ୍ଗ ଓ ଅଳଙ୍କାରରେ ମା’ଙ୍କୁ ସଜାଇବା ପାଇଁ ଚାଲିଛି ଶେଷ ପର୍ଯ୍ୟାୟର କାମ। ମୂର୍ତ୍ତିର ଆକାର, ଚକ୍ଷୁ, ମୁଖାଭିନୟ ଓ ଅଳଙ୍କାରରେ ନିଜ କଳାନୈପୁଣ୍ୟର ଛାପ ଛାଡ଼ିବାକୁ ଚେଷ୍ଟା କରୁଛନ୍ତି କାରିଗର। ଦୁର୍ଗାପୂଜା କେବଳ ଧାର୍ମିକ ଆୟୋଜନ ନୁହେଁ, ଏହା ସହ ଜଡ଼ିତ ରହିଛି ଅନେକ କାରିଗରଙ୍କ ଜୀବିକା।
ପୂଜା ଯେତିକି ପାଖେଇ ଆସୁଛି, ମୂର୍ତ୍ତି ନିର୍ମାଣ କାମରେ ସେତିକି ବଢ଼ୁଛି ବ୍ୟସ୍ତତା। ମା’ଙ୍କ ମୂର୍ତ୍ତିକୁ ଶେଷ ସ୍ପର୍ଶ ଦେଇ ଭକ୍ତଙ୍କ ଆଗରେ ଆକର୍ଷଣୀୟ ରୂପରେ ଉପସ୍ଥାପନ କରିବାକୁ କାରିଗରମାନେ ଏବେ ପୂରା ତତ୍ପର।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031