କନ୍ଧମାଳର ଉପାନ୍ତ ଅଞ୍ଚଳରେ କେରଳ ମଡେଲରେ ପାଠ ପଢ଼ା : ଆବଶ୍ୟକ ଅନୁଯାୟୀ ନାହାନ୍ତି ଶିକ୍ଷକ, ଶିକ୍ଷୟତ୍ରୀ
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୧୮/୩ : ସୁନ୍ଦର ପରିବେଶ ବିଦ୍ୟାଳୟ ପରିସର । ଉପାନ୍ତ ଅଞ୍ଚଳରେ ସ୍ମାର୍ଟ କ୍ଲାସ୍ ରୁମ୍ ରେ କେରଳ ମୋଡେଲ୍ ରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ । କିନ୍ତୁ ଆବଶ୍ୟକ ଅନୁଯାୟୀ ଶିକ୍ଷକ,ଶିକ୍ଷୟତ୍ରୀ ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ ।
ଏ କେଉଁ ସହରାଞ୍ଚଳର ଖବର ନୁହେଁ । ଏ ହେଉଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ଉପାନ୍ତ ଅଞ୍ଚଳ ଭାବେ ପରିଚିତ ସୁଡ୍ରା ପଞ୍ଚାୟତର ଗଟାଙ୍ଗି ସରକାରୀ ଆଶ୍ରମ ବିଦ୍ୟାଳୟର ଖବର ।
ବିଦ୍ୟାଳୟଟି ପାହାଡ଼ ପାଦ ଦେଶରେ ରହିଥିଲେ ମଧ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତୀର୍ଥବାସୀ ଘଡ଼ାଇଙ୍କ ନିଜସ୍ବ ଉଦ୍ୟମରେ ବିଦ୍ୟାଳୟ ପରିବେଶକୁ ଅତି ସୁନ୍ଦର ଭାବେ ସୁସଜ୍ଜିତ କରାଯାଇଥିବା ଦେଖିବାକୁ ମିଳିଛି । ସେପଟେ ବିଦ୍ୟାଳୟର ଶୈକ୍ଷିକ ବାତାବରଣ ମଧ୍ୟ ଉଚ୍ଚକୋଟୀର ।
ଅନ୍ୟପଟେ କେରଳ ମଡେଲରେ ପାଠ ପଢ଼ାଯାଉଥିବା ଏହି ବିଦ୍ୟାଳୟ ଜିଲ୍ଲାର ପ୍ରଥମ ବିଦ୍ୟାଳୟ ଅଟେ। ଫଳରେ ସମସ୍ତ ଛାତ୍ରଛାତ୍ରୀ ୟୁ. ସେଫ୍ ରେ ବସି ବେସ୍ ଖୁସିରେ ପାଠ ପଢିପାରୁଛନ୍ତି ।
ଏହି ବିଦ୍ୟାଳୟରେ ଶିଶୁ ବାଟିକା ଠାରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ସମୁଦାୟ ୧୭୦ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ଛାତ୍ରୀ ନିବାସରେ ରହୁଛନ୍ତି ୧୪୦ ଜଣ ଛାତ୍ରଛାତ୍ରୀ ।
ମାତ୍ର ଦୁଇ ଜଣ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ଦ୍ବାରା ବିଦ୍ୟାଳୟରେ ଚାଲିଛି ପାଠପଢ଼ା । ତଥାପି ପ୍ରଧାନ ଶିକ୍ଷକଙ୍କ ଶୈକ୍ଷିକ ପଦ୍ଧତି ଯୋଗୁଁ ପ୍ରତିବର୍ଷ ବିଦ୍ୟାଳୟର ଅନେକ ଛାତ୍ରୀ ବିଭିନ୍ନ ପରୀକ୍ଷା ଓ ପ୍ରତିଯୋଗିତାରେ ଭାଗନେଇ କୃତିତ୍ୱ ଅର୍ଜନ କରିଛନ୍ତି ।
କିନ୍ତୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅନୁଯାୟୀ ଆବଶ୍ୟକ ଶିକ୍ଷକ, ଶିକ୍ଷୟତ୍ରୀ ନଥିବାରୁ ପାଠ ପଢ଼ିବାରେ ସମସ୍ୟା ହେଉଥିବା ଅଭିଯୋଗ ହୋଇଛି । ଏଣୁ ଆବଶ୍ୟକ ଅନୁଯାୟୀ ଶିକ୍ଷକ,ଶିକ୍ଷୟତ୍ରୀ ନିଯୁକ୍ତି ଦେଲେ ଏହି ବିଦ୍ୟାଳୟ ଆହୁରି ଉନ୍ନତି କରିବ ବୋଲି କହିଛନ୍ତି ଅନ୍ତେବାସୀ ଓ ପ୍ରଧାନ ଶିକ୍ଷକ । ତେବେ ପ୍ରଶାସନର ଏହି ବିଦ୍ୟାଳୟ ପ୍ରତି କେବେ ଦୃଷ୍ଟି ପଡୁଛି ତାହାକୁ ଅପେକ୍ଷା ।
ବାଘ ଗର୍ଜନରେ ଅଞ୍ଚଳ ବାସୀ ଭୟଭୀତ: ବନ ବିଭାଗ ଲଗାଇଲା ସ୍ୱତନ୍ତ୍ର କ୍ୟାମେରା , ତନାଘନା ଆରମ୍ଭ
ବାଲିଗୁଡା, ୧୮/୩ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକର କଲୋନୀ ସାହି ନିକଟରେ ବାଘର ଗର୍ଜନ ଶୁଣିବା ସହିତ ସକାଳେ ପାଦ ଚି଼ହ୍ନ ପଡ଼ିଥିବା ଲୋକେ ଦେଖିବାକୁ ପାଇଛନ୍ତି ।
ନିକଟରେ ଥିବା ନବଜ୍ୟୋତି ହଷ୍ଟେଲରେ ରହୁଥିବା ଛାତ୍ର ମାନେ ମଧ୍ୟ ମଙ୍ଗଳବାର ରାତ୍ର ସମୟରେ ବାଘର ଗର୍ଜନ ଶବ୍ଦ ଶୁଣି ଭୟଭିତ ହୋଇଥିବା ଜଣାପଡିଛି।
ବାଘ ଟି ହଷ୍ଟେଲ ଆଡୁ ଆସି ପାଚେରୀ ଉପରେ ଲମ୍ଫ ଦେଇ ଭିତରକୁ ଯାଇଛି ବୋଲି ଛାତ୍ର ଏବଂ ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି। ହଷ୍ଟେଲ ପଛପଟୁ ବାଘ ର ପାଦ ଚି଼ହ୍ନ ସବୁ ରହିଛି।ଗ୍ରାମବାସୀ ଓ ଛାତ୍ର କହିବା ପ୍ରକାରେ ରାତ୍ର ପ୍ରାୟ ୧୦ ଘଣ୍ଟ ସମୟରେ ମାଙ୍କଡ଼ ମାନେ ଚିଲେଇବା ଓ କୁକୁର ମଧ୍ୟ ବହୁ ପରିମାଣରେ ଭୋକିଛନ୍ତି।
ବାଘର ଶବ୍ଦ ମଧ୍ୟ ଲୋକେ ଶୁଣି ଥିବା କହିଛନ୍ତି । ଯାହା ଫଳରେ ଗ୍ରାମବାସୀ ମାନେ ଭୟଭିତ ହୋଇଛନ୍ତି ଏବଂ ହଷ୍ଟେଲ ପାଚେରୀ ସେପଟେ ନାଳ କୁ ଲୋକେ ଗାଧୋଇବା ପାଇଁ ଯିବା ବେଳେ ବାଘର ପାଦ ଚି଼ହ୍ନ ଦେଖି ଲୋକେ ବହୁତ ଭୟଭିତ ହେଇଛନ୍ତି।
କୋଟଗଡ ରେଞ୍ଜର ଵାଳଗୋପାଳ ବେହେରା ଙ୍କୁ ଲୋକେ ଖବର ଦେବା ପରେ ସଙ୍ଗେ ସଙ୍ଗେ ବନ ବିଭାଗର ଫରେଷ୍ଟର ଓ ତାଙ୍କର ସ୍ୱତନ୍ତ୍ର ଟିମ କୁ ଡାକି ଘଟଣା ସ୍ଥଳରେ ପହଞ୍ଚି ବାଘର ଗତିବିଧି ଓ ପାଦ ଚି଼ହ୍ନ ଦେଖି ସ୍ୱତନ୍ତ୍ର କ୍ୟାମେରା ଲଗାଇବାକୁ ନିର୍ଦେଶ ଦେଇଥିଲେ।
ଏବଂ କଲୋନୀ ସାହି, ହୋତା କଲୋନୀ , ଆମ୍ବେଦକର କଲୋନୀ , ନବଜ୍ୟୋତି ହଷ୍ଟେଲ ର ସମସ୍ତ ଲୋକଙ୍କୁ ସଚେତନତା କରିଥିଲେ ଯେ, ଏଣିକି ରାତ୍ର ସମୟରେ ଘରୁ ଏକା ହୋଇ ନ ବାହାରି ଗ୍ରୁପ ହୋଇ ବାହାରିବା ଏବଂ ସନ୍ଧ୍ୟା ସମୟରେ ବାହାରେ ବୁଲା ବୁଲି ପାଇଁ ବାରଣ କରାଯାଇଛି । ଆମେ କ୍ୟାମେରା ଲଗାଇଛୁ ବାଘର ଗତିବିଧି ଉପରେ ନଜର ରଖାଯାଉଛି ।
ପ୍ରକୃତ ରେ ଯେଉଁ ପଶୁ ଗର୍ଜନ କରୁଛି ତାହା ବାଘ କିମ୍ବା ଅନ୍ୟ କୌଣସି ପଶୁ ଜନ୍ତୁ ତାହା ଜଣା ପଡିବ ଏବଂ ଯଦି ବାଘ ହୋଇ ଥାଏ ତାହେଲେ ଯଥା ଶୀଘ୍ର ବାଘକୁ ଧରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।
ଶ୍ରୀମଦ ଭାଗବତ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ ଉଦଯାପିତ
ବାଲିଗୁଡା, ୧୮/୩: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ରାଧାକୃଷ୍ଣ ମନ୍ଦିର ପରିସରରେ ଏକ ସପ୍ତାହ ବ୍ୟାପୀ ଆୟୋଜିତ ଶ୍ରୀମଦ ଭାଗବତ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ ଉଦଯାପିତ ହୋଇଯାଇଛି ।
ଏହିଅବସରରେ କଥା ବ୍ୟାସ ଭାବେ ଶ୍ରୀପାଦ ଭକ୍ତି ବେଦାନ୍ତ ର ଶ୍ରୀଧର ମହାରାଜ, ବେଧାୟନ ମହାରାଜ ଓ ଶ୍ରୀଧର ଗୋସ୍ୱାମୀ ମହାରାଜ ଙ୍କ ସମେତ ସମସ୍ତ ସହକର୍ମୀ ମାନେ ଯୋଗ ଦେଇ ପ୍ରତିଦିନ ସନ୍ଧ୍ୟା ୬ଟା ରୁ ରାତି ୧୦ଘଣ୍ଟ ପର୍ଯ୍ୟନ୍ତ ଶ୍ରୀମଦ ଭାଗବତର ଦିବ୍ୟ ଶ୍ରବଣ କରାଇଥିଲେ । ପ୍ରତିଦିନ ସନ୍ଧ୍ୟା ରେ ଅଞ୍ଚଳ ର ଶତାଧିକ ଭାଗବତ ପ୍ରେମୀ ଙ୍କ ସପରିବାର ଉପସ୍ଥିତ ରହି ଭଗବାନ ଶ୍ରୀ କୃଷ୍ଣ ଙ୍କ ଦିବ୍ୟ କଥା ଶ୍ରବଣ କରି ନିଜକୁ ଧନ୍ୟ ମନେ କରିଥିବା ବିଷୟ ଭକ୍ତ ମାନେ ପ୍ରକାଶ କରିଛନ୍ତି । ସ୍ଥାନୀୟ ରାଧାକୃଷ୍ଣ ମନ୍ଦିର ପରିଚାଳନା କମିଟିର ପଞ୍ଚାନନ ଚୌଧୁରୀ, ସନ୍ତୋଷ କୁମାର ମହାରଣା, ଶ୍ରୀ ପାଦ ସୁନ୍ଦର ଗୋପାଳ ଦାସ, ପ୍ରାଣକୃଷ୍ଣ ଦାସ, ବାବୁ ପାଣିଗ୍ରାହୀ, ଦ୍ୱିତୀକୃଷ୍ଣ ପାଢ଼ୀ, ବୈକୁଣ୍ଠ ସାହୁ, ସାଇବ ଓଝା, ଭଗବାନ ପଣ୍ଡାଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।
ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ
ବାଲିଗୁଡା, ୧୮/୩ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ସ୍ଥିତ ଏ.ଏମ୍.ସି.ଏସ୍. ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି । ।
ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଟିକାବାଲି ବିଡ଼ିଓ ଵିଷ୍ଣୁ ଗୋବିନ୍ଦ ଯୋଗ ଦେଇ ସରକାର ଯେଉଁ ଆଭିମୁଖ୍ୟ ନେଇ ଏହି ତାଲିମ ଶିବିର ଆୟୋଜନ କରିଛନ୍ତି ତାହା ଛାତ୍ରୀ ମାନେ ନିଜକୁ ସୁରକ୍ଷିତ ରଖି ସଶକ୍ତ ହେଲେ ଦେଶ ସଶକ୍ତ ହୋଇପାରିବ ବୋଲି ବକ୍ତବ୍ୟ ରଖିଥିଲେ ।
ସମ୍ମାନିତ ଅତିଥି ଭାବେ ଟିକାବାଲି ଥାନାର ସବ ଇନ୍ସପେକ୍ଟର ଅବନୀ ପ୍ରଧାନ , ଅଧ୍ୟାପକ ଵିଷ୍ଣୁ ପ୍ରସାଦ ରଥ , ବନମାଳୀ ବେହେରା , ନରେନ୍ଦ୍ର ଦିଗାଳ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । କାର୍ୟ୍ୟକ୍ରମର ସଂଯୋଜିକା ଆଧ୍ୟାପିକା ସ୍ମୃତିରେଖା ନାୟକ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ରତନ ଦିଗାଳ ଧନ୍ୟବାଦ ଅର୍ପଣ କରିଥିଲେ ।
କାର୍ଯ୍ୟକ୍ରମରେ ଅଧ୍ୟାପକ ବିରୁପାକ୍ଷ ତ୍ରିପାଠୀ, ତୁଷାରକାନ୍ତ ପଣ୍ଡା , ରାହୁଲ ପ୍ରଧାନ , ବରିଷ୍ଠ କାର୍ଯ୍ୟାଳୟ ଅଧିକାରୀ ମନୋଜ କୁମାର ଭୋଇ ,ଆଧ୍ୟାପିକା ନିବେଦିତା ଭୋଇ , ଚମ୍ପା ସୋରେନ , ସଂଘମିତ୍ରା ଦାସ , ଅଙ୍କିତା ପ୍ରିୟଦର୍ଶିନୀ , ମିସ୍ ମିରମ୍ବିକା ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।






