Indus Valley Times

ଦୀପାବଳି ପାଇଁ ଦୀପ ତିଆରିରେ ବ୍ୟସ୍ତ କୁମ୍ଭକାର : ଚାଇନା ଆଲୋକର ଚାକଚକ୍ୟରେ ହଜିଯିବ କି ମାଟି ଦୀପର ପରମ୍ପରା ?

 Breaking News

ଦୀପାବଳି ପାଇଁ ଦୀପ ତିଆରିରେ ବ୍ୟସ୍ତ କୁମ୍ଭକାର : ଚାଇନା ଆଲୋକର ଚାକଚକ୍ୟରେ ହଜିଯିବ କି ମାଟି ଦୀପର ପରମ୍ପରା ?

ଦୀପାବଳି ପାଇଁ ଦୀପ ତିଆରିରେ ବ୍ୟସ୍ତ କୁମ୍ଭକାର : ଚାଇନା ଆଲୋକର ଚାକଚକ୍ୟରେ ହଜିଯିବ କି ମାଟି ଦୀପର ପରମ୍ପରା ?
November 04
22:18 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା , ୪/୧୧ : ଆଲୋକର ପର୍ବ ଦୀପାବଳି ଆସିଲେ ଚାରିଆଡ଼େ ଦେଖିବାକୁ ମିଳେ ଆଲୋକ ର ରଙ୍ଗୀନ ସମ୍ଭାର। ସହର ଠାରୁ ଗାଁ ବଜାର ପର‌୍ୟ୍ୟନ୍ତ ରଙ୍ଗବେରଙ୍ଗ ଆଲୋକ ମାଳାର ଚାହିଦା ବଢ଼ୁଥିବା ବେଳେ ଅନ୍ୟପଟେ ନିଜ ପୂର୍ବପୁରୁଷଙ୍କ କୌଳିକ ବୃତ୍ତିକୁ ଜାବୁଡ଼ି ଧରି ମାଟିର ଦୀପ ଗଢ଼ିବା ରେ ବ୍ୟସ୍ତ କୁମ୍ଭକାର ପରିବାର।
କୁମ୍ଭାର ଚକର ଘୂର୍ଣ୍ଣନ ସହ ମାଟିରୁ ଜନ୍ମ ନେଉଛି ଶହ ଶହ ଦୀପ। ହେଲେ ଆଧୁନିକ ଆଲୋକର ଚାକଚକ୍ୟ ଭିତରେ ମାଟି ଦୀପର ପାରମ୍ପରିକ ମହକ ଆଜି କେଉଁଠି ହଜିଯିବାକୁ ବସିଛି, ତାହାକୁ ନେଇ ଚିନ୍ତାରେ କୁମ୍ଭକାର ପରିବାର। ଦୀପାବଳିକୁ ଆଖି ଆଗରେ ରଖି ଏହି ପରିବାରର ପୁରୁଷ, ମହିଳା ଓ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ସମସ୍ତେ ଦୀପ ତିଆରି କାମରେ ଲାଗି ପଡ଼ିଛନ୍ତି। କିଏ ମାଟିକୁ ଚକଟି ଦୀପ ପାଇଁ ପ୍ରସ୍ତୁତ କରୁଛି ତ ଆଉ କିଏ କୁମ୍ଭାର ଚକରେ ଦୀପର ଆକାର ଦେଉଛି। ଅନ୍ୟ କେହି ତିଆରି ଦୀପକୁ ଶୁଖାଇବା ସହ ରଙ୍ଗ ଦେଇ ଆକର୍ଷଣୀୟ କରିବାରେ ବ୍ୟସ୍ତ।
ଛୋଟରୁ ବଡ଼, ସାଧାରଣ ଦୀପଠାରୁ ଆରମ୍ଭ କରି ବିଭିନ୍ନ ଡିଜାଇନ୍‌ର ରଙ୍ଗିନ ଦୀପ ପର୍ଯ୍ୟନ୍ତ ୧ ଟଙ୍କାରୁ ୫୦ ଟଙ୍କା ମୂଲ୍ୟରେ ପ୍ରସ୍ତୁତ କରା ଯାଉଛି। ଅଧିକ ଦୀପ ତିଆରି କଲେ ଅଧିକ ରୋଜଗାର ହେବ, ଏହି ଆଶା ନେଇ ଦିନରାତି ପରିଶ୍ରମ କରୁଛନ୍ତି ପରିବାର ସଦସ୍ୟ। ସ୍ଥାନୀୟ ଅଞ୍ଚଳ ସମେତ ଆଖପାଖ ଜିଲ୍ଲାର ବ୍ୟବସାୟୀମାନେ ମଧ୍ୟ ଏଠାକୁ ଆସି ଦୀପ କିଣିବା ସହ ପୂର୍ବରୁ ଅର୍ଡର ଦେଉଛନ୍ତି। ଦୀପାବଳି ସମୟରେ ଏହି ବ୍ୟବସାୟରୁ ଯାହା ଦୁଇ ପଇସା ରୋଜଗାର ହୁଏ, ସେଥିରେ ପରିବାରର ଅନେକ ଆବଶ୍ୟକତା ପୂରଣ ହୋଇଥାଏ।
କିନ୍ତୁ ଏହି ହସ୍ତଶିଳ୍ପ ପଛରେ ରହିଛି ଅନେକ ଅକୁହା ଯନ୍ତ୍ରଣା। ଦିନକୁ ଦିନ କୁମ୍ଭକାରଙ୍କ ପାଇଁ ଆବଶ୍ୟକ ମଟାଳ ମାଟିର ଅଭାବ ଦେଖା ଦେଉଛି। କଞ୍ଚାମାଲ ଯୋଗାଡ଼ କରିବାଠାରୁ ଆରମ୍ଭ କରି ଦୀପ ତିଆରି ଓ ବିକ୍ରି ପର‌୍ୟ୍ୟନ୍ତ ପ୍ରତ୍ୟେକ ସ୍ତରରେ ସମସ୍ୟା ରହିଛି। ଦିନତମାମ କଠିନ ପରିଶ୍ରମ କରି ମଧ୍ୟ ଉଚିତ ପାରିଶ୍ରମିକ ମିଳୁନାହିଁ। ଫଳରେ ଅନେକ କୁମ୍ଭକାର ପରିବାର ପିଢ଼ି ପରେ ପିଢ଼ି ଧରି ଚାଲିଆସୁଥିବା ଏହି ପାରମ୍ପରିକ ବୃତ୍ତିରୁ ମୁହଁ ଫେରାଇ ଅନ୍ୟ ଜୀବିକା ଆପଣାଇବାକୁ ବାଧ୍ୟ ହେଉଛନ୍ତି।
ଏହା ସହିତ ଗତ କିଛି ବର୍ଷ ଧରି ବଜାରରେ ଶସ୍ତା ବିଦ୍ୟୁତ୍ ଆଲୋକ ଓ ଚାଇନା ସାମଗ୍ରୀର ପ୍ରଭାବରେ ପାରମ୍ପରିକ ମାଟି ଦୀପର ବିକ୍ରି ମଧ୍ୟ ପ୍ରଭାବିତ ହୋଇଥିବା କୁମ୍ଭକାର ମାନେ କହୁଛନ୍ତି।
ତେବେ ଚାଇନା ନିର୍ମିତ ଦୀପ ଓ ଆଲୋକ ସାମଗ୍ରୀ ଉପରେ କଟକଣା ଲାଗିଥିବା ଖବର ପରେ ଏବେ ମାଟି ଦୀପର ଚାହିଦା ପୁଣି ବଢ଼ିବ ବୋଲି ସେମାନଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଛି। ଅବଶ୍ୟ ଏହି ଆଶା କେତେଦୂର ବାସ୍ତବ ରୂପ ନେବ, ତାହା ଦୀପାବଳି ବଜାରର ବିକ୍ରି ହିଁ କହିବ। ଅନ୍ୟ ସମୟରେ ଏହି ପରିବାର ଗୁଡ଼ିକ ହାଣ୍ଡି, କୁଡ଼ୁଆ, ମାଠିଆ ଓ ବିଭିନ୍ନ ମାଟି ସାମଗ୍ରୀ ତିଆରି କରି ଜୀବିକା ନିର୍ବାହ କରନ୍ତି। ତେଣୁ ମାଟିର ଦୀପ କେବଳ ଏକ ସାମଗ୍ରୀ ନୁହେଁ, ଏହା ସେମାନଙ୍କ ପରିଚୟ, ପୂର୍ବପୁରୁଷଙ୍କ ପରମ୍ପରା ଓ ଓଡ଼ିଆ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଂଶ।
ଏହି ପାରମ୍ପରିକ କଳାକୁ ବଞ୍ଚାଇ ରଖିବା ପାଇଁ କୁମ୍ଭକାର ପରିବାରଙ୍କୁ ସହଜରେ ମାଟି ଯୋଗାଣ, ଆର୍ଥିକ ସହାୟତା, ଆଧୁନିକ ଯନ୍ତ୍ରପାତି ଓ ବଜାର ସୁବିଧା ଯୋଗାଇ ଦେବାକୁ ସେମାନେ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି। ପ୍ରଶ୍ନ ଉଠୁଛି, ଯେଉଁ ମାଟି ଦୀପର ଆଲୋକ ରେ ଦୀପାବଳିର ପରମ୍ପରା ଆରମ୍ଭ ହୋଇଥିଲା, ଆଜି ସେହି ମାଟି ଦୀପ ଆଧୁନିକ ଆଲୋକ ଭିତରେ ନିଜର ସ୍ଥାନ ହରାଇବ କି? ଚାକଚକ୍ୟପୂର୍ଣ୍ଣ ଆଲୋକ ଭିତରେ ମାଟିର ମହକ ମଳିନ ପଡ଼ିଯିବ ନା ଆମ ପରମ୍ପରା ପୁଣି ନୂଆ ଆଲୋକରେ ଝଲସିବ?
ଏହା କେବଳ କୁମ୍ଭକାରଙ୍କ ଜୀବିକାର ପ୍ରଶ୍ନ ନୁହେଁ, ଆମ ସଂସ୍କୃତି ଓ ପରମ୍ପରାର ସୁରକ୍ଷାର ପ୍ରଶ୍ନ ମଧ୍ୟ। ମାଟି ଦୀପ କିଣିବା ଓ ଏହି କାରିଗରଙ୍କୁ ପ୍ରୋତ୍ସାହନ ଦେବା ରେ ସମାଜର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ମାଟି ଦୀପ ଜଳିଲେ କେବଳ ଘର ଆଲୋକିତ ହୁଏ ନାହିଁ, ଆଲୋକିତ ହୁଏ ଗୋଟିଏ କୁମ୍ଭକାର ପରିବାରର ଜୀବନ ଓ ବଞ୍ଚି ରହେ ଆମ ପରମ୍ପରା।
ବେଆଇନ ଶାଳ କାଠ ଚାଲାଣ ଉପରେ ବନ ବିଭାଗର ଚଢ଼ାଉ : ଶାଳ ପଟା ସହ ଅଟୋ ଜବତ, ଜଣେ ଗିରଫ
ବାଲିଗୁଡ଼ା, ୪/୧୧: କନ୍ଧମାଳ ଜିଲ୍ଲାରେ ବେଆଇନ କାଠ ଚାଲାଣ ଓ ଜଙ୍ଗଲ ସମ୍ପଦ ଲୁଟ୍‌କୁ ରୋକିବା ପାଇଁ ବନ ବିଭାଗର ତୀକ୍ଷ୍ଣ ନଜରଦାରୀ ଜାରି ରହିଛି। ଏହି କ୍ରମରେ ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ବନାଞ୍ଚଳରେ ପେଟ୍ରୋଲିଂ ସମୟରେ ବନ ବିଭାଗକୁ ମିଳିଛି ବଡ଼ ସଫଳତା।
ବେଆଇନ ଭାବେ ଶାଳ କାଠ ଚାଲାଣ ହେଉଥିବା ବେଳେ ଚଢ଼ାଉ କରି ୧୨ ଖଣ୍ଡ ଶାଳ ପଟା ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ କାବୁ କରିଛି ବନ ବିଭାଗ। ସୂଚନା ଅନୁଯାୟୀ, ବେଲଘର ବନାଞ୍ଚଳର ବନ କର୍ମଚାରୀମାନେ ନିୟମିତ ପେଟ୍ରୋଲିଂ କରୁଥିବା ସମୟରେ ଧୂମାମାସ୍କା ଗ୍ରାମ ନିକଟରେ ସନ୍ଦେହଜନକ ଭାବେ ଶାଳ କାଠ ପରିବହନ ହେଉଥିବା ଦେଖି ଚଢ଼ାଉ କରିଥିଲେ।
ଏହି ସମୟରେ ୧୨ ଖଣ୍ଡ ସାଇଜ୍ ଶାଳ ପଟା ଜବତ କରାଯାଇଥିଲା। ଜବତ କାଠର ଆନୁମାନିକ ବଜାର ମୂଲ୍ୟ ୩୨ ହଜାର ୪୫୨ ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ ଜଣାପଡ଼ିଛି। ଏହି ଘଟଣାରେ କାଠ ପରିବହନରେ ବ୍ୟବହୃତ ବଜାଜ୍ ଅଟୋ ରିକ୍ସା ନଂ. ଓଡି-୦୮- କ୍ୟୁ-୯୦୩୩ କୁ ମଧ୍ୟ ଜବତ କରାଯାଇଛି।
ଗିରଫ ଅଭିଯୁକ୍ତ ଜଣକ ହେଲେ ରାୟଗଡ଼ା ଜିଲ୍ଲା ଅମ୍ବାଦୋଳା ଥାନା ଅନ୍ତର୍ଗତ ଶରଧାପୁର ଗ୍ରାମର ବାବୁଲାଲ ବାଗ (୪୩)। ଏନେଇ ବେଲଘର ରେଞ୍ଜ ପକ୍ଷରୁ କେସ୍ ନଂ ୩୩/୨୦୨୬- ୨୭ ରେ ମାମଲା ରୁଜୁ ହୋଇଛି।
ଜବତ କାଠ କେଉଁଠାରୁ ଆସିଥିଲା ଏବଂ ଏହାର ଚାଲାଣ ପଛରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି। ଚଢ଼ାଉରେ ବେଲଘର ଫରେଷ୍ଟର ରାଜେଶ୍ୱର ବଡ଼ମାଝି, ଗୁମ୍ମା ଫରେଷ୍ଟର ଦୀପକ ପ୍ରଧାନ, ଧରାଣୀମାସ୍କା ଫରେଷ୍ଟ ଗାର୍ଡ ସନ୍ଦୀପ ଦାସଙ୍କ ସମେତ ବନ ବିଭାଗ ସୁରକ୍ଷା ଦଳର ବୁଲୁ ବିଜୁଳି ସେଠ୍ ପ୍ରମୁଖ ସାମିଲ ଥିଲେ।
ଜଙ୍ଗଲ ସମ୍ପଦର ସୁରକ୍ଷା ପାଇଁ ବନ ବିଭାଗର ଏଭଳି ନିୟମିତ ଚଢ଼ାଉ ଜାରି ରହିଲେ ବେଆଇନ କାଠ ଚାଲାଣ ଉପରେ ଅଙ୍କୁଶ ଲାଗିପାରିବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି।

About Author

indadmin

indadmin

Related Articles

Archives

Calendar

November 2026
M T W T F S S
 1
2345678
9101112131415
16171819202122
23242526272829
30