Indus Valley Times

ନାବାଳିକାକୁ ଅପହରଣ କରି ଜଙ୍ଗଲରେ ବାନ୍ଧି ଫିଙ୍ଗି ଦିଆଯିବା ଘଟଣାରେ ଜଣେ ଅଟକ: ଜଣେ ଫେରାର

 Breaking News

ନାବାଳିକାକୁ ଅପହରଣ କରି ଜଙ୍ଗଲରେ ବାନ୍ଧି ଫିଙ୍ଗି ଦିଆଯିବା ଘଟଣାରେ ଜଣେ ଅଟକ: ଜଣେ ଫେରାର

ନାବାଳିକାକୁ ଅପହରଣ କରି ଜଙ୍ଗଲରେ ବାନ୍ଧି ଫିଙ୍ଗି ଦିଆଯିବା ଘଟଣାରେ ଜଣେ ଅଟକ: ଜଣେ ଫେରାର
February 03
21:46 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୩/୨: ନାବାଳିକାଙ୍କୁ ଅପହରଣ କରି ହାତ ଗୋଡ ବାନ୍ଧି ଜଙ୍ଗଲରେ ଛାଡି ପଳାଇଲେ। ରାତି ଅନ୍ଧାର ଭିତରେ ଘଞ୍ଚ ଜଙ୍ଗଲରେ ଭୟରେ ଜୀବନ ବଞ୍ଚାଇ କୌଣସି ପ୍ରକାରେ ଉଦ୍ଧାର ହୋଇ ସକାଳେ ଘରକୁ ଫେରିଛନ୍ତି ଜଣେ ୧୪ ବର୍ଷୀୟ ନାବାଳିକା ।
ଏପରି ଏକ ଘଟଣା କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଅଞ୍ଚଳରେ ଘଟିଛି। ସୂଚନା ପ୍ରକାରେ, ନାବାଳିକା ଜଣକ ଗତ ରବିବାର ପୂର୍ବାହ୍ନରେ ଏକୁଟିଆ ଗାଧୋଇବା ପାଇଁ ନଦୀକୁ ଯାଇଥିଲେ। ପୂର୍ବ ଯୋଜନା ପ୍ରକାରେ ସେହି ଅଞ୍ଚଳର ୨ ଜଣ ଯୁବକ ନାବାଳିକାକୁ ଗାଧୋଇବା ତୁଠରୁ ଉଠାଇ ଏକ ଘଞ୍ଚ ଜଙ୍ଗଲକୁ ନେଇଯାଇଥିଲେ ।
ସେଠାରେ ନାବାଳିକାଙ୍କୁ ଶାରୀରିକ ସମ୍ପର୍କ ରଖିବା ପାଇଁ ଜବରଦସ୍ତ କରିଥିଲେ । କିନ୍ତୁ ନାବାଳିକା ରାଜି ନ ହେବାରୁ ସେ ପିନ୍ଧିଥିବା ପୋଷାକ ଚିରି ଦେଇ ଭିଡିଓ କରି ଭାଇରଲ କରିଦେବୁ ବୋଲି ଧମକ ଦେଇଥିଲେ ଯୁବକ। ଏହା ସହିତ ନାବାଳିକାଙ୍କୁ ମାଡମାରି ପାଟିରେ କପଡ଼ା ଓ ହାତ ଗୋଡ ବାନ୍ଧି ସେହି ଘଞ୍ଚ ଜଙ୍ଗଲରେ ଛାଡ଼ି ଦେଇ ପଳାଇଥିଲେ।
ସେଠାରେ ରାତିର କିଟି କିଟି ଅନ୍ଧାର, ହିଂସ୍ରଜନ୍ତୁଙ୍କ ଭୟ ସହିତ ଶୀତ କାକରରେ ରାତି କାଟି ଥିବାବେଳେ ବନ୍ଧା ହାତଗୋଡ କିପରି ଖୋଲିହେବ ସେ ପ୍ରଚେଷ୍ଟା ଜାରି ରଖି ସୋମବାର ସକାଳ ହେବାରୁ କୌଣସି ପ୍ରକାରେ କଷ୍ଟେ ମଷ୍ଟେ ଘରକୁ ଫେରି ପରିବାର ଲୋକଙ୍କୁ ସମସ୍ତ ବିଷୟ କହିଥିଲେ।
ଏନେଇ ପରିବାର ଲୋକେ ବେଲଘର ଥାନାରେ ଏକ ଲିଖିତ ଅଭିଯୋଗ ଦେଲା ପରେ ବେଲଘର ଥାନା କେଶ ନଂ. ୧୦/୨୦୨୬ରେ ଏକ ମାମଲା ରୁଜୁ କରି ସେହି ଗ୍ରାମର ସୁଶୀଳ ନାୟକ ନାମକ ଜଣେ ଯୁବକଙ୍କୁ ଅଟକ ରଖି ପଚାରଉଚରା ଜାରି ରହିଥିବା ବେଳେ ଆଉ ଜଣେ ଫେରାର ଥିବା ବିଷୟ ବେଲଘର ପୋଲିସ ପ୍ରକାଶ କରିଛି।
ଏହି ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ବ୍ୟାପକ ଚିନ୍ତା ସୃଷ୍ଟି କରିଛି, ଏହି ବର୍ବରତାକୁ ନିନ୍ଦା କରିବା ସହିତ ଅପରାଧୀ ମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଗ୍ରାମାଞ୍ଚଳରେ ଯୁବତୀମାନଙ୍କ ସୁରକ୍ଷା ଉପରେ ଅଭିଭାବକ ଏବଂ କର୍ମୀମାନେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି, କର୍ତ୍ତୃପକ୍ଷଙ୍କୁ ଦୃଢ଼ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଅନୁରୋଧ କରିଛନ୍ତି।
ପୋଲିସ ଆଶ୍ୱାସନା ଦେଇଛି ଯେ ଏକ ପୂର୍ଣ୍ଣ ତଦନ୍ତ ଚାଲିଛି ଏବଂ ଦୋଷୀମାନଙ୍କୁ ନ୍ୟାୟ ପ୍ରଦାନ କରାଯିବ।
ବହୁ ଚର୍ଚ୍ଚିତ ବେଲଘର ହାତୀ ମୃତ୍ୟୁ ଘଟଣାରେ ଆଉ ୪ ଗିରଫ : ଦୁଇଟି ୪୦୭ ଗାଡ଼ି ସହ ବିଭିନ୍ନ ମରଣାସ୍ତ୍ର ଜବତ
ବାଲିଗୁଡ଼ା, ୩/୨ : ବହୁ ଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧିନସ୍ଥ ବେଲଘର ବନାଞ୍ଚଳର ମୁଣ୍ଡୁଟି ଜଙ୍ଗଲ ରେ ହାତୀ ମୃତ୍ୟୁ ଘଟଣା ସାମ୍ନାକୁ ଆସିବା ପରେ ପ୍ରଥମେ ବେଲଘର ଡେପୁଟି ରେଞ୍ଜର ବିନୟ କୁମାର ବିଶିଙ୍କୁ ନିଲମ୍ବନ କରାଯିବା ପରେ ତାଙ୍କ ଡ଼୍ରାଇଭର ହୃଷିକେଶ ପଣ୍ଡାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା ଓ ପରେ ତଦନ୍ତରେ ଅବହେଳା ଯୋଗୁଁ ଏସିଏଫ୍ ସୂର୍ଯ୍ୟକାନ୍ତ ବେହେରାଙ୍କୁ ନିଲମ୍ବନ କରିବା ସହ ଘଟଣାରେ ସଂପୃକ୍ତ ଜେସିବି ଡ୍ରାଇଭର ପ୍ରଶାନ୍ତ ସାହୁ ଓ ଝିରିପାଣି ଗ୍ରାମର ଜଣେ ଶିକାରୀ ଜୟମଙ୍ଗଳ ପାତ୍ରକୁ ଗିରଫ କରିଥିଲା ବନ ବିଭାଗ ।
ଘଟଣାରେ ପୂର୍ବ ରୁ ଜଣେ ଶିକାରୀ ସମେତ ୩ ଜଣ ଗିରଫ ହୋଇଥିବା ବେଳେ ମଙ୍ଗଳବାର ବନ ବିଭାଗ ପୁଣି ଝିରିପାଣି ଅଞ୍ଚଳରୁ ଦୁଇ ଶିକାରୀ ଏବଂ କେସିଙ୍ଗା ଅଞ୍ଚଳ ରୁ ଦୁଇ ଜଣ ଶିକାରୀ ସିକସନ ପାତ୍ର, ଥବିର ପାତ୍ର, ଅଲେଖ ନିଆଲ୍ ଓ ଦୁଷ୍ମନ୍ତ ପୋଢ଼ୋ ଙ୍କୁ ଘରୁ ଉଠାଇ ଆଣି ଗିରଫ କରିଛି, ସେମାନଙ୍କ ନିକଟରୁ ୩ଟି ଦେଶୀ ବନ୍ଧୁକ, ବର୍ଚ୍ଚା, ଧନୁ, ତୀର, ତାର ସମେତ ଜଙ୍ଗଲି ଜନ୍ତୁ ହରିଣ ଛାଲ, ସମ୍ବର ସିଙ୍ଗ ଦାନ୍ତ, ନଖ, ଚମଡ଼ା ଜବତ କରିବା ସହ ହାତୀର ଶବ ବେଲଘରରୁ କେସିଙ୍ଗା ନିକଟସ୍ଥ ତହଁସିର ଡ୍ୟାମ୍ ରେ ହାତୀର ଖଣ୍ଡ ବିଖଣ୍ଡିତ ଶବ ପୋତିବା ରେ ସହଯୋଗ କରିଥିବା ଘଟଣାରେ ଦୁଇଟି ୪୦୭ ଗାଡ଼ି କୁ ମଧ୍ୟ ଜବତ କରାଯାଇଛି ।
ଏ ନେଇ ବନ ବିଭାଗ କେଶ ନଂ. ୭୨/୨୬ ପ୍ରକାରେ ଏକ ମକଦ୍ଦମା ରୁଜୁ କରି ଏହି ଘଟଣା ରେ ଆଉ କିଏ କିଏ ସଂଶ୍ଲିଷ୍ଟ ଅଛନ୍ତି, ସେ ନେଇ ତଦନ୍ତ ଅବ୍ୟାହତ ଥିବା ବିଷୟ ବନ ବିଭାଗ ପକ୍ଷରୁ କୁହାଯାଇଛି । ସୂଚନା ଯୋଗ୍ୟ ଯେ, ବେଲଘର ହାତୀ ମୃତ୍ୟୁ ଘଟଣାକୁ ଚପାଇ ଦେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିଲା ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031