ନେପାଳରେ ବାରିପଦା ଝିଅ ନିଖୋଜ ; ୨୫ରୁ ଫୋନ୍ ବନ୍ଦ, ବଢ଼ିଲା ପରିବାରର ଚିନ୍ତା
ନୂଆଦିଲ୍ଲୀ, ୨୭/୮ : ନେପାଳ ବନ୍ୟାରେ ଆଉ ଜଣେ ଓଡ଼ିଆଙ୍କର ନିଖୋଜ ଖବର ସାମ୍ନାକୁ ଆସିଛି । କୁଲସୁମ ନିଗାର ନାମକ ଜଣେ ଯୁବତୀ ନେପାଳରେ ନିଖୋଜ ଥିବା ସରକାରୀ ରିପୋର୍ଟରୁ ଜଣାପଡ଼ିଛି । ସେ ମୟୁରଭଞ୍ଜ ଜିଲ୍ଲା ବାରିପଦାର ମୂଳ ବାସିନ୍ଦା ଅଟନ୍ତି । ନେପାଳ ପୋଖରାରେ ସେ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି ।
ଏହାକୁ ମିଶାଇ ନେପାଳରେ ନିଖୋଜ ଓଡ଼ିଆଙ୍କ ସଂଖ୍ୟା ତିନିକୁ ବୃଦ୍ଧି ପାଇଛି । ପୂର୍ବରୁ ଖୋର୍ଦ୍ଧା ଏକ ଦମ୍ପତି ସନ୍ଦୀପ ମହାପାତ୍ର ଏବଂ ତାଙ୍କ ପତ୍ନୀ ସିଦ୍ଧାର୍ଥୀ ସାହୁ ନିଖୋଜ ଅଛନ୍ତି । କେନ୍ଦ୍ର ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ସହିତ ଓଡ଼ିଶା ସରକାର ନିରନ୍ତର ଯୋଗାଯୋଗରେ ରହିଛନ୍ତି ।
ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ, ପୁରୀର ରାକେଶ କୁମାର ପଣ୍ଡା ଏବଂ ତାଙ୍କର ଦୁଇ ଜଣ ସାଥୀ ସୁରକ୍ଷିତ ଅଛନ୍ତି । ସେମାନେ ରକ୍ସୌଲ ପୋଷ୍ଟ ଦେଇ ଭାରତ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ସେହିପରି ଫୁଟବଲ୍ ମ୍ୟାଚ୍ ଖେଳିବାକୁ ନେପାଳ ଯାଇଥିବା ଓଡ଼ିଶା ଫୁଟବଲ୍ ଖେଳାଳି ମଧ୍ୟ ସୁରକ୍ଷିତ ଅଛନ୍ତି । ଫୁଟବଲ ପ୍ରଶିକ୍ଷକ ହାଲିମଙ୍କ ସହିତ ଏକ ୬ ଜଣିଆ ଦଳ ନେପାଳ ଗସ୍ତ କରିଥିଲେ । ସେମାନେ ପୋଖରାରେ ଏକ ମ୍ୟାଚ୍ ଖେଳିବାକୁ ଯାଇଥିଲେ । ସେମାନେ ସମସ୍ତେ ସୁରକ୍ଷିତ ଥିବା ସରକାର ସ୍ପଷ୍ଟ କରିଛନ୍ତି ।
ଯୋଗାଯୋଗ ନମ୍ବର
ନେପାଳରେ ଫସିରହିଥିବା କିମ୍ବା ନିଖୋଜ ଥିବା ଓଡ଼ିଆ ଲୋକଙ୍କ ସମ୍ପର୍କରେ ତଥ୍ୟ ଆଦାନପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ \’ଓଡ଼ିଶା ପରିବାର\’ ପକ୍ଷରୁ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି । ହେଲ୍ପଲାଇନ୍ ନମ୍ବର: ୦୧୧-୨୩୦୧୨୮୦୭, ୭୪୨୮୧୩୫୦୪୪ ଏବଂ ୮୫୨୭୫୮୦୨୪୫
ନୂଆଦିଲ୍ଲୀସ୍ଥିତ ଓଡ଼ିଶା ନିବାସରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ୟ୍ୟକ୍ଷମ କରାଯାଇଛି ଏବଂ ଓଡ଼ିଆ ସମ୍ପ୍ରଦାୟର ସହାୟତା ପାଇଁ ନୋଡାଲ ଅଧିକାରୀ ଭାବେ ପ୍ରିତିଶ ପଣ୍ଡାଙ୍କୁ ନିଯୁକ୍ତି ଦିଆଯାଇଛି । କେନ୍ଦ୍ରୀୟ ଏଜେନ୍ସି ଓ ନେପାଳ ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ନିଖୋଜ ଦମ୍ପତିଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଛି।






