ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟରେ କନ୍ଧମାଳ ପ୍ରଶାସନର ବ୍ୟାପକ ପ୍ରସ୍ତୁତି : ବାତ୍ୟା ମୁକାବିଲା ପାଇଁ ମନ୍ତ୍ରୀଙ୍କ ସମୀକ୍ଷା, ୧୯୮ ଗର୍ଭବତୀ ମହିଳା ମା’ ଗୃହକୁ ସ୍ଥାନାନ୍ତର
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ, ୨୮/୧୦: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ କନ୍ଧମାଳ ଜିଲ୍ଲାରେ ପ୍ରଶାସନିକ ତତ୍ପରତା ବଢ଼ିଛି।
ଧନଜୀବନର ସୁରକ୍ଷା ସହ ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟ ନେଇ ସମସ୍ତ ବିଭାଗକୁ ସଜାଗ ରଖାଯାଇଛି।
ଏହି ପରିପ୍ରେକ୍ଷୀରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ଦୁଇଦିନିଆ କନ୍ଧମାଳ ଗସ୍ତରେ ଆସି ବାତ୍ୟା ମୁକାବିଲା ପ୍ରସ୍ତୁତି ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି।
ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଆଗୁଆ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ୧୯୮ ଜଣ ଗର୍ଭବତୀ ମହିଳାଙ୍କୁ ମା’ ଗୃହକୁ ସ୍ଥାନାନ୍ତର କରାଯାଇଥିବାବେଳେ ୧୩ଟି ପରିବାରକୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।
ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟସେବା ଓ ଅନ୍ୟାନ୍ୟ ଆବଶ୍ୟକତା ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି। ସମୀକ୍ଷା ବୈଠକରେ ମନ୍ତ୍ରୀ ବାତ୍ୟା ସମୟରେ ଯେପରି କୌଣସି ଜୀବନହାନି ନ ହୁଏ, ସେଥିପାଇଁ ସମସ୍ତ ବିଭାଗକୁ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ବିପଦସଙ୍କୁଳ ଅଞ୍ଚଳରୁ ଲୋକଙ୍କୁ ସମୟୋଚିତ ଭାବେ ସୁରକ୍ଷିତ ସ୍ଥାନକୁ ନେବା, ପାନୀୟ ଜଳ ଯୋଗାଣ ସମେତ ଅତ୍ୟାବଶ୍ୟକ ସେବା ସ୍ୱାଭାବିକ ରଖିବା ଏବଂ ଜରୁରୀ ପରିସ୍ଥିତିରେ ତୁରନ୍ତ ପଦକ୍ଷେପ ନେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।
ପାହାଡ଼ିଆ ଓ ଘଞ୍ଚ ଜଙ୍ଗଲ ପରିବେଷ୍ଟିତ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଗଛ ଉପୁଡ଼ିବା, ରାସ୍ତା ଅବରୋଧ ଓ ଘରଦ୍ୱାର କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି।
ଏହାକୁ ଆଖିଆଗରେ ରଖି ଜିଲ୍ଲାର ଦୁଇଟି ଘାଟି ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ କରାଯାଇଛି। ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ମଧ୍ୟ ସାମୟିକ ଭାବେ ବନ୍ଦ ରଖାଯାଇଛି।
ଅଗ୍ନିଶମ ବାହିନୀକୁ ସଜାଗ ରଖାଯାଇଥିବାବେଳେ ଆବଶ୍ୟକ ପଡ଼ିଲେ ଓଡ୍ରାଫ୍ ଟିମ୍ ମୁତୟନ କରାଯିବ। ବ୍ଲକ୍ସ୍ତରରେ ବିଡିଓଙ୍କଠାରୁ ଆରମ୍ଭ କରି ପଞ୍ଚାୟତସ୍ତରର ପିଇଓଙ୍କ ପର୍ୟ୍ୟନ୍ତ ସମସ୍ତଙ୍କୁ ସତର୍କ ରହିବା ସହ ସ୍ଥିତି ଉପରେ ନିରନ୍ତର ନଜର ରଖିବାକୁ କୁହାଯାଇଛି।
କେବଳ ବାତ୍ୟା ପୂର୍ବ ପ୍ରସ୍ତୁତି ନୁହେଁ, ବିପର୍ଯ୍ୟୟ ପରବର୍ତ୍ତୀ ସ୍ଥିତିର ମୁକାବିଲାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
ବାତ୍ୟାରେ ଘରଦ୍ୱାର କିମ୍ବା ଅନ୍ୟାନ୍ୟ ସମ୍ପତ୍ତି କ୍ଷତିଗ୍ରସ୍ତ ହେଲେ ତୁରନ୍ତ କ୍ଷୟକ୍ଷତି ଆକଳନ କରି ପାଞ୍ଚ ଦିନ ମଧ୍ୟରେ ପ୍ରଭାବିତ ପରିବାରଙ୍କୁ ସହାୟତା ପ୍ରଦାନ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଆବଶ୍ୟକ ପଡ଼ିଲେ ସେ ନିଜେ କ୍ଷତିଗ୍ରସ୍ତ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ ବୋଲି ଜଣାପଡ଼ିଛି। ପରିସ୍ଥିତି ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ ଲୋକଙ୍କ ସମସ୍ୟା ବୁଝିବା ସହ ଆବଶ୍ୟକ ସହାୟତା ଯୋଗାଇଦେବା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।
ଏହି ସମୀକ୍ଷା ବୈଠକରେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ, ଫୁଲବାଣୀ ବିଧାୟକ ତଥା ଜିଲ୍ଲା ଉନ୍ନୟନ ପରିଷଦ ଅଧ୍ୟକ୍ଷ ଉମାଚରଣ ମଲ୍ଲିକ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନଗୋବିନ୍ଦ ପ୍ରଧାନ, ଆରକ୍ଷୀ ଅଧୀକ୍ଷକ ରାମେନ୍ଦ୍ର ପ୍ରସାଦ, ପ୍ରଶିକ୍ଷଣରତ ଆଇଏଏସ୍ ଅଧିକାରୀ ଯଶକରଣ ସିଂଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।
ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଥିବାବେଳେ ଆଗୁଆ ସତର୍କତା, ବିଭାଗୀୟ ସମନ୍ୱୟ ଓ ତ୍ୱରିତ ସହାୟତା ମାଧ୍ୟମରେ କ୍ଷୟକ୍ଷତିକୁ ସର୍ବନିମ୍ନ କରିବା ସହ ଜନଜୀବନର ସୁରକ୍ଷା ନିଶ୍ଚିତ କରିବା ପ୍ରଶାସନର ପ୍ରମୁଖ ଲକ୍ଷ୍ୟ ରହିଛି।
ବାଲିଗୁଡ଼ାରେ ବିଜେଡିର ରଣହୁଙ୍କାର : ବାଲି ଚୋରାଚାଲାଣ ଠାରୁ ଟେଣ୍ଡର ଅନିୟମିତତା ଯାଏଁ ଉଠାଇବ ଦଳ : ଜନ ସମସ୍ୟା କୁ ନେଇ ଆନ୍ଦୋଳନର ଚେତାବନୀ
ବାଲିଗୁଡ଼ା, ୨୮/୧୦: କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଅଞ୍ଚଳରେ ଜନସମସ୍ୟା, ବେଆଇନ ବାଲି କାରବାର ଓ ସରକାରୀ କାର୍ଯ୍ୟରେ ସ୍ୱଚ୍ଛତାକୁ ନେଇ ରାଜନୈତିକ ତତ୍ପରତା ବଢ଼ିଛି।
ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ସ୍ଥିତ ପିଡବ୍ଲ୍ୟୁଡି ବଙ୍ଗଳା ଠାରେ ନୂତନ ସାଙ୍ଗଠନିକ କର୍ମକର୍ତ୍ତା ଗଠନ ପରେ ପ୍ରଥମ ଥର ପାଇଁ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ସ୍ୱର ଉତ୍ତୋଳନ କରିବା ସହ ଆଗାମୀ ଦିନରେ ଦଳର ସାଂଗଠନିକ କାର୍ଯ୍ୟକ୍ରମକୁ ଜୋରଦାର କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ପ୍ରଥମେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଏବଂ କନ୍ଧମାଳ ଜିଲ୍ଲା ସଭାପତି ପଦ୍ମନାଭ ବେହେରା ବାଲିଗୁଡ଼ା ଅଞ୍ଚଳରେ ସାଂଗଠନିକ ଦାୟିତ୍ୱ ଦେଇଥିବାରୁ ଦଳୀୟ ନେତୃତ୍ୱଙ୍କ ପ୍ରତି କୃତଜ୍ଞତା ଜଣାଯାଇଥିଲା ।
ଜନସାଧାରଣଙ୍କ ସମସ୍ୟାକୁ ନେଇ ବିଜେଡି ସବୁବେଳେ ସ୍ୱର ଉଠାଇ ଆସିଛି ଏବଂ ଆଗକୁ ମଧ୍ୟ ଏହି ଧାରା ଜାରି ରହିବ ବୋଲି ଦଳୀୟ ନେତାମାନେ କହିଥିଲେ।
ବାଲିଗୁଡ଼ା ଅଞ୍ଚଳରେ ବାଲିଘାଟ ବନ୍ଦ ରହିଥିବା ସତ୍ତ୍ୱେ ବାଲି ଚୋରାଚାଲାଣ ହେଉଥିବା ନେଇ ଅଭିଯୋଗ ଉଠିଛି। ଏହାକୁ ନେଇ ଟ୍ରାକ୍ଟର ସଂଘ ପକ୍ଷରୁ ଦୁଇ ଦିନ ଧରି ବନ୍ଦ ଡାକରା ଦିଆଯାଇଥିବା କଥା ଉଲ୍ଲେଖ କରି ବାଲି କାରବାରରେ ଅନିୟମିତତା ହେଉଛି କି ନାହିଁ, ତାହାର ନିରପେକ୍ଷ ତଦନ୍ତ ଦାବି କରାଯାଇଥିଲା।
ବେଆଇନ କାରବାରରେ କାହାରି ସମ୍ପୃକ୍ତି ଥିଲେ ତାଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବାକୁ ଦଳ ଦାବି ଉଠାଇବ ବୋଲି କହିଥିଲା। ବାଲିଗୁଡାରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ବିନା ଟେଣ୍ଡରରେ କାର୍ଯ୍ୟ ବଣ୍ଟନ ଓ କାମରେ ଅନିୟମିତତା ହେଉଥିବା ଅଭିଯୋଗର ତଦନ୍ତ ଦାବି କରାଯାଇଥିଲା।
ସରକାରୀ ଅର୍ଥର ସଠିକ୍ ବିନିଯୋଗ, କାର୍ଯ୍ୟର ଗୁଣବତ୍ତା ଏବଂ ନିୟମ ଅନୁଯାୟୀ ଟେଣ୍ଡର ପ୍ରକ୍ରିୟା ପାଳନ ଉପରେ ଦଳ ଗୁରୁତ୍ୱ ଦେଇଥିଲା। ସେହିପରି ବାଲିଗୁଡ଼ା ସହର ଓ ବିଧାନସଭା କ୍ଷେତ୍ରରେ ରାସ୍ତାଘାଟ, ପାନୀୟ ଜଳ, ଡ୍ରେନେଜ୍, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ସମେତ ବିଭିନ୍ନ ଜନକଲ୍ୟାଣ ମୂଳକ କାର୍ଯ୍ୟର ଅଗ୍ରଗତିକୁ ନେଇ ପ୍ରଶ୍ନ ଉଠାଯାଇଥିଲା।
ଅଧାପନ୍ତରିଆ ପ୍ରକଳ୍ପ ଗୁଡ଼ିକୁ ଶୀଘ୍ର ସମ୍ପୂର୍ଣ୍ଣ କରିବା ସହ ନୂତନ ଉନ୍ନୟନ ମୂଳକ କାର୍ଯ୍ୟ ଆରମ୍ଭ କରିବାକୁ ଦାବି ହୋଇଥିଲା।
ଆଗାମୀ ଦିନରେ ବାଲିଗୁଡ଼ା ବ୍ଲକ, ଏନ୍ଏସି ଓ ବିଧାନସଭା କ୍ଷେତ୍ରରେ ବିଜେଡି ସଂଗଠନକୁ ଅଧିକ ସକ୍ରିୟ ଓ ସୁଦୃଢ଼ କରିବା ଉପରେ ଦଳ ଗୁରୁତ୍ୱ ଦେବ।
ଯୁବକ ଓ ମହିଳାଙ୍କୁ ସଂଗଠନ ସହ ଯୋଡ଼ିବା, ଦଳୀୟ କର୍ମୀଙ୍କୁ ଏକଜୁଟ କରିବା ଏବଂ ଜନସାଧାରଣଙ୍କ ସମସ୍ୟାକୁ ନେଇ ଆବଶ୍ୟକ ସ୍ଥଳେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଗ୍ରହଣ କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା।
ସରକାରୀ ଯୋଜନାର ସଠିକ୍ କାର୍ଯ୍ୟକାରିତା ଓ ପ୍ରଶାସନର ଉତ୍ତର ଦାୟିତ୍ୱ ସୁନିଶ୍ଚିତ କରିବାକୁ ଦଳ ଆଗାମୀ ଦିନରେ ନିଜର ଦାବି ଉପସ୍ଥାପନ କରିବ ବୋଲି କୁହାଯାଇଥିଲା।
ଏହି ସାମ୍ବାଦିକ ସମ୍ମିଳନୀ ରେ କୋଟଗଡ଼ ବ୍ଲକ ସଭାପତି ଷ୍ଟିଫେନ ପ୍ରଧାନ ଓ କାର୍ଯ୍ୟକାରୀ ସଭାପତି ସରୋଜ ବଳିଆରସିଂହ, ତୁମୁଡ଼ିବନ୍ଧ ବ୍ଲକ ସଭାପତି କୁନା ଦଣ୍ଡସେନା ଓ କାର୍ଯ୍ୟକାରୀ ସଭାପତି ଜହନ ବାରିକ, ବାଲିଗୁଡ଼ା ବ୍ଲକ ସଭାପତି କ୍ଲେଶ ପ୍ରଧାନ ଓ କାର୍ଯ୍ୟକାରୀ ସଭାପତି କବିରାଜ ରଣା, କ. ନୂଆଗାଁ ବ୍ଲକ ସଭାପତି ମଦନ ମୋହନ ପ୍ରଧାନ ଓ କାର୍ଯ୍ୟକାରୀ ସଭାପତି ମହାଦେବ ପ୍ରଧାନ ଏବଂ ବାଲିଗୁଡ଼ା ଏନ୍ଏସି ସଭାପତି ଅମିତ କୁମାର ନାୟକ ଓ କାର୍ଯ୍ୟକାରୀ ସଭାପତି ମାନସ କୁମାର ଅମାତଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ବାଲିଗୁଡ଼ାରେ ଲଗାଣ ବର୍ଷା ଜନଜୀବନ ଅସ୍ତବ୍ୟସ୍ତ : ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ
ବାଲିଗୁଡ଼ା, ୨୮/୧୦ : ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଉପଖଣ୍ଡରେ ପାଗରେ ବ୍ୟାପକ ପରିବର୍ତ୍ତନ ଦେଖାଦେଇଛି। ଲଗାତାର ବର୍ଷା ସାଙ୍ଗକୁ କୋହଲା ପବନ ଯୋଗୁଁ ଶୀତର ପ୍ରକୋପ ବଢ଼ିଥିବା ବେଳେ ସାଧାରଣ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡ଼ିଛି।
ବର୍ଷା ଓ ପବନ ଯୋଗୁଁ ବଜାରଘାଟ ଖାଁ ଖାଁ ଲାଗୁଥିବା ବେଳେ ଜରୁରୀ କାମ ନଥିଲେ ଲୋକେ ଘରୁ ବାହାରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ସୂଚନା ଅନୁଯାୟୀ, ବିଳମ୍ବିତ ରାତିରୁ ଅଞ୍ଚଳରେ ବର୍ଷା ସହ ପ୍ରବଳ ପବନ ଆରମ୍ଭ ହୋଇଥିଲା।
ସକାଳେ କିଛି ସମୟ ପାଇଁ ବର୍ଷା ଓ ପବନର ତୀବ୍ରତା କମିଥିଲେ ମଧ୍ୟ ପୁଣି ସକାଳ ୧୦ଟାରୁ ପବନର ଝଟକା ସହ ବର୍ଷା ଆରମ୍ଭ ହୋଇଥିଲା। ଏହାର ପ୍ରଭାବରେ ଯାତାୟାତ ସହ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ବର୍ଷା ଓ ପାଗର ଗମ୍ଭୀରତାକୁ ଦୃଷ୍ଟିରେ ରଖି ୫୯ ନମ୍ବର ଜାତୀୟ ରାଜପଥର ଗାଜଲବାଡ଼ି ଘାଟି ରାସ୍ତାକୁ ଦ୍ୱିତୀୟ ଦିନ ପାଇଁ ବନ୍ଦ ରଖାଯାଇଛି।
ଫଳରେ ରାୟପୁରରୁ ଗୋପାଳପୁର ମଧ୍ୟରେ ଏହି ରାସ୍ତା ଦେଇ ଯାନବାହନ ଚଳାଚଳ ଠପ୍ ହୋଇପଡ଼ିଛି। ଏଥିସହ ଦାରିଙ୍ଗବାଡ଼ିରୁ ସୋରଡ଼ା, ଭଞ୍ଜନଗର, ବ୍ରହ୍ମପୁର ଓ ଭୁବନେଶ୍ୱର ଅଭିମୁଖେ ଏହି ରାସ୍ତା ଦେଇ ଯାତାୟାତ ବନ୍ଦ ରହିଛି।
ଘାଟି ରାସ୍ତା ବନ୍ଦ ଓ ଲଗାଣ ବର୍ଷା ଯୋଗୁଁ ବ୍ୟବସାୟିକ କାରବାର ମଧ୍ୟ ପ୍ରଭାବିତ ହୋଇଛି । ଅନ୍ୟ ପକ୍ଷରେ, ସମ୍ଭାବ୍ୟ ବାତ୍ୟା ପରିସ୍ଥିତିରେ ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ବାଲିଗୁଡ଼ା ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି।
ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଏଡିଓମାନେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିବା ସହ ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି।
ଏହି ସମସ୍ତ ବ୍ୟବସ୍ଥାର ତଦାରଖ ବାଲିଗୁଡ଼ା ବିଡିଓ ଅକ୍ଷୟ କୁମାର ମଲ୍ଲିକ ଓ ତହସିଲଦାର ଦୀପ୍ତି ପ୍ରକାଶ ବେହେରା କରୁଛନ୍ତି। ଉଭୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବ୍ଲକ ପ୍ରଶାସନ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ନିମନ୍ତେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।
ପାଗର ସ୍ଥିତି ଉପରେ ନଜର ରଖାଯାଇଥିବାବେଳେ ଲୋକଙ୍କୁ ସତର୍କ ରହିବା ସହ ଅଯଥାରେ ଘରୁ ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଉଛି।
ବାତ୍ୟା ଭୟରେ ସିଲ୍ ହେଲା ଗାଜଲବାଡ଼ି ଘାଟି: ଗଛ ଉପୁଡ଼ି ରାସ୍ତା ଅବରୋଧ, ଦୁଇ ଜିଲ୍ଲା ମଧ୍ୟରେ ଯାତାୟାତ ଠପ୍; ବିକଳ୍ପ ରାସ୍ତା ଉପରେ ନିର୍ଭର ଯାତ୍ରୀ
ବାଲିଗୁଡ଼ା, ୨୮/୧୦: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ଯୋଗୁଁ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି।
ବିଭିନ୍ନ ସ୍ଥାନରେ ଗଛ ଡାଳ ଓ ପତ୍ର ରାସ୍ତା ଉପରେ ପଡ଼ି ଯାତାୟାତ ରେ ବାଧା ସୃଷ୍ଟି କରିଥିବା ବେଳେ ଭୂସ୍ଖଳନ ଆଶଙ୍କାକୁ ଦୃଷ୍ଟିରେ ରଖି କନ୍ଧମାଳ-ଗଞ୍ଜାମକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟିକୁ ଉଭୟ ପଟରୁ ବନ୍ଦ କରିଦିଆଯାଇଛି।
ଫଳରେ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଯାତ୍ରୀ, ପର୍ଯ୍ୟଟକ ଓ ଗାଡ଼ି ଚାଳକମାନେ ଅସୁବିଧାରେ ପଡ଼ିଛନ୍ତି। ବାତ୍ୟାର ସମ୍ଭାବ୍ୟ ବିପଦକୁ ଆଖିଆଗରେ ରଖି କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣଙ୍କ ନିର୍ଦ୍ଦେଶ କ୍ରମେ ଦାରିଙ୍ଗବାଡ଼ି ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।
ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରଜ ପାତ୍ର ଓ ଥାନାଧିକାରୀ ସଂଗ୍ରାମ କେଶରୀ ଜେନାଙ୍କ ଉପସ୍ଥିତିରେ ଗଞ୍ଜାମ-କନ୍ଧମାଳ ସୀମାନ୍ତ ବାଇମାଳା ଚେକ୍ଗେଟ୍ଠାରେ ରାସ୍ତାକୁ ବନ୍ଦ କରାଯାଇଛି। ସେଠାରେ ପୁଲିସ ମୁତୟନ ରହି ଯାନବାହନ ଚଳାଚଳ ଉପରେ ନଜର ରଖିଛି। ଦାରିଙ୍ଗବାଡ଼ି ପଟରୁ ଭଞ୍ଜନଗର , ସୋରଡ଼ା ଓ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଗାଡ଼ି ଗୁଡ଼ିକୁ ଗଞ୍ଜାମ ଜିଲ୍ଲା ଆଡ଼କୁ ଯିବାକୁ ଅନୁମତି ଦିଆଯାଉନାହିଁ।
ସେହିପରି ଗଞ୍ଜାମ ପଟରୁ କନ୍ଧମାଳ ଆସୁଥିବା ଯାନବାହନକୁ ମଧ୍ୟ ଗାଜଲବାଡ଼ି ଘାଟି ଦେଇ ଯିବାକୁ ବାରଣ କରାଯାଇଛି। ସୋରଡ଼ା ଥାନା ଆଇଆଇସି ସୁନୀଲ କୁମାର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଗଞ୍ଜାମ ପଟରେ ମଧ୍ୟ ପୁଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
ଉଲ୍ଲେଖଯୋଗ୍ୟ, ଗାଜଲବାଡ଼ି ଘାଟି ଅଣଓସାରିଆ ଓ ବିପଦପୂର୍ଣ୍ଣ ହୋଇଥିବାରୁ ବର୍ଷା ଋତୁରେ ଏଠାରେ ଭୂସ୍ଖଳନର ଆଶଙ୍କା ରହିଥାଏ। ପୂର୍ବରୁ ମଧ୍ୟ ବାତ୍ୟା ଓ ଲଘୁଚାପଜନିତ ବର୍ଷା ସମୟରେ ଏହି ଘାଟିରେ ଏକାଧିକ ଥର ଭୂସ୍ଖଳନ ଘଟିଥିବା ନଜିର ରହିଛି।
ତେଣୁ ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ପ୍ରଶାସନ ଘାଟିକୁ ବନ୍ଦ କରିଛି। ଅନ୍ୟପକ୍ଷରେ, ରାସ୍ତା ଉପରେ ଗଛ ଭାଙ୍ଗି ପଡ଼ିଥିବାରୁ ସ୍ଥାନୀୟ ଅଞ୍ଚଳରେ ଚଳାଚଳ କରୁଥିବା ମୋ ବସ୍ ସେବା ମଧ୍ୟ ପ୍ରଭାବିତ ହୋଇଛି। ବ୍ରାହ୍ମଣୀଗାଁ, ଗଦାପୁର, ସରାମୁଳୀ, ହାତୀମୁଣ୍ଡା, ତାମାଙ୍ଗି ଓ କାଟିଙ୍ଗିଆ ଅଞ୍ଚଳକୁ ଯାଇଥିବା ବସ୍ଗୁଡ଼ିକ ରାସ୍ତାରେ ଅଟକି ରହିଥିବା ସୂଚନା ମିଳିଛି। ଫଳରେ ଯାତ୍ରୀଙ୍କ ଯାତାୟାତ ସହ ସ୍ଥାନୀୟ ଲୋକଙ୍କ ଦୈନନ୍ଦିନ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଛି।
ଗାଜଲବାଡ଼ି ଘାଟି ବନ୍ଦ ରହିଥିବାରୁ ଦାରିଙ୍ଗବାଡ଼ିରୁ ବ୍ରାହ୍ମଣୀଗାଁ ଦେଇ ଗଜପତି ଜିଲ୍ଲାର ଅଡ଼ବା ଓ ମୋହନା ହୋଇ ବ୍ରହ୍ମପୁର ଯିବା ରାସ୍ତା ଏବେ ବିକଳ୍ପ ମାର୍ଗ ଭାବେ ରହିଛି।
ବାତ୍ୟାଜନିତ ପରିସ୍ଥିତିକୁ ଦେଖି ପ୍ରଶାସନ ପକ୍ଷରୁ ଘାଟି ଅଞ୍ଚଳରେ ନଜର ରଖାଯାଇଥିବା ବେଳେ ଯାତ୍ରୀମାନଙ୍କୁ ବିପଦପୂର୍ଣ୍ଣ ରାସ୍ତାରେ ଯାତାୟାତ ନକରିବାକୁ ପରାମର୍ଶ ଦିଆଯାଇଛି।






