୩୫ ହଜାର ଟଙ୍କା ଲାଞ୍ଚ ନେଇ ରଙ୍ଗେହାତ ଧରାପଡ଼ିଲେ ସିଉଳା ଆର୍ଆଇ ଓ ଏଆର୍ଆଇ
ପିପିଲି/ ପୁରୀ,୭/୯: ଲାଞ୍ଚ କାରବାର ବିରୋଧରେ ଓଡ଼ିଶା ଭିଜିଲାନ୍ସ ଟିମ୍ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୁରୀ ଜିଲା ପିପିଲି ତହସିଲ ଅଧୀନ ସିଉଳା ଆରଆଇ ସର୍କଲର ଦୁଇ ରାଜସ୍ୱ ଅଧିକାରୀଙ୍କୁ ୩୫ ହଜାର ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ଧରିଛି ।
ଭିଜିଲାନ୍ସ ଜାଲରେ ଧରାପଡ଼ିଥିବା ଅଧିକାରୀ ହେଲେ ରେଭେନ୍ୟୁ ଇନ୍ସପେକ୍ଟର କଲ୍ୟାଣୀ ଜେନା ଏବଂ ଏଆରଆଇ ପୂର୍ଣ୍ଣଚନ୍ଦ୍ର ବେହେରା। ଜମିର ମ୍ୟୁଟେସନ୍ ମାମଲାରେ ତଦନ୍ତ ରିପୋର୍ଟ ପ୍ରସ୍ତୁତ ଓ ଫରୱାର୍ଡ ପାଇଁ ଅଭିଯୋଗକାରୀଙ୍କଠାରୁ ଉଭୟେ ୩୫ ହଜାର ଦାବି କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।
ଅଭିଯୋଗକାରୀ ସରକାରୀ ନିୟମ ଅନୁସାରେ ନିଜ କୃଷି ଜମିକୁ ଘରବାଡ଼ି ଜମିରେ ପରିଣତ କରିବା ପାଇଁ ଆବେଦନ କରିଥିଲେ। ମାମଲାର ସ୍ଥିତି ଜାଣିବା ପାଇଁ ସିଉଳା ଆରଆଇ କାର୍ଯ୍ୟାଳୟକୁ ଯାଇଥିବା ବେଳେ ଆରଆଇ ଓ ଏଆରଆଇ ତାଙ୍କୁ ଲାଞ୍ଚ ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଥିଲା। ବାରମ୍ବାର ଅନୁରୋଧ ସତ୍ତ୍ୱେ ଅଧିକାରୀଦ୍ୱୟ ଟଙ୍କା ଦାବିରେ ଅଡ଼ି ରହିଥିବାରୁ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।
ଅଭିଯୋଗ ଆଧାରରେ ଭିଜିଲାନ୍ସ ଟିମ୍ ଯୋଜନାବଦ୍ଧ ଭାବେ ଟ୍ରାପ୍ କରିଥିଲା। ୭ ସେପ୍ଟେମ୍ବରରେ ଉଭୟ ଅଧିକାରୀ ଅଭିଯୋଗକାରୀଙ୍କଠାରୁ ୩୫ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ମାଡିବସିଥିଲା ।
ତେବେ ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଏହାପରେ ଭିଜିଲାନ୍ସ ପକ୍ଷରୁ ଆୟବହିର୍ଭୂତ ସମ୍ପତ୍ତି ଦିଗରୁ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି ।
ପୁରୀ ଜିଲାର ବ୍ରହ୍ମକୁଣ୍ଡି (ଚାରିଛକ), ଅଚ୍ୟୁତପୁର (ଚନ୍ଦନପୁର) ଏବଂ ଭୁବନେଶ୍ୱରର ରସୁଲଗଡ଼ରେ ଥିବା କାର୍ଯ୍ୟାଳୟ ଓ ଘରେ ଏକକାଳୀନ ଚଢ଼ାଉ ଚାଲିଛି । ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଛି ।






