Indus Valley Times

୪୦ ଗ୍ରାମ ବ୍ରାଉନ୍ ସୁଗାର ଜବତ, ୩ ନିଶା ବେପାରୀ ଗିରଫ :ମୋଟରସାଇକେଲରେ ଚାଲିଥିଲା ନିଶା କାରବାର

 Breaking News

୪୦ ଗ୍ରାମ ବ୍ରାଉନ୍ ସୁଗାର ଜବତ, ୩ ନିଶା ବେପାରୀ ଗିରଫ :ମୋଟରସାଇକେଲରେ ଚାଲିଥିଲା ନିଶା କାରବାର

୪୦ ଗ୍ରାମ ବ୍ରାଉନ୍ ସୁଗାର ଜବତ, ୩ ନିଶା ବେପାରୀ ଗିରଫ :ମୋଟରସାଇକେଲରେ ଚାଲିଥିଲା ନିଶା କାରବାର
November 25
22:05 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୨୫/୧୧ :
ଖୋର୍ଦ୍ଧା ସହରରେ ବ୍ରାଉନ ସୁଗାର କାରବାର ବିରୋଧରେ ପୋଲିସର ଅଭିଯାନକୁ ଆଉ ଏକ ସଫଳତା ମିଳିଛି। ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଏକ ଚଢ଼ାଉ କରି ୪୦ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଏହି ବେଆଇନ ନିଶା କାରବାରରେ ସମ୍ପୃକ୍ତ ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରିଛି।
ସେମାନଙ୍କ ନିକଟରୁ ନିଶାଦ୍ରବ୍ୟ ସମେତ ଚାରିଟି ମୋବାଇଲ ଫୋନ, ଗୋଟିଏ ମୋଟରସାଇକେଲ ଓ ନଗଦ ୧୦ ହଜାର ଟଙ୍କା ଜବତ ହୋଇଛି। ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି ।
ପୋଲିସ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଗତ ୨୪ ତାରିଖରେ ଖୋର୍ଦ୍ଧାସ୍ଥିତ ଷଷ୍ଠ ଆଇ.ଆର.ବି ପୋଲିସ ଏକାଡେମୀ ନିକଟ ନାଲିପଡ଼ା-ଅର୍ଜୁନପୁର ଅଞ୍ଚଳରେ ଏକ ମୋଟରସାଇକେଲ ଯୋଗେ ବ୍ରାଉନ ସୁଗାର ବିକ୍ରି ହେଉଥିବା ନେଇ ଆଦର୍ଶ ଥାନା ପୋଲିସକୁ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା।
ଖବରର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଥାନା ଅଧିକାରୀଙ୍କ ନିର୍ଦ୍ଦେଶରେ ସବ-ଇନ୍ସପେକ୍ଟର ବସନ୍ତ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଗଠନ କରାଯାଇଥିଲା। ଦୁଇ ଜଣ ସରକାରୀ ସାକ୍ଷୀଙ୍କୁ ସାଙ୍ଗରେ ନେଇ ପୋଲିସ ଟିମ ସମ୍ପୃକ୍ତ ସ୍ଥାନରେ ଅତର୍କିତ ଚଢ଼ାଉ କରିଥିଲା।
ପୋଲିସକୁ ଦେଖି ଘଟଣାସ୍ଥଳରେ ଥିବା ତିନି ଜଣ ଅଭିଯୁକ୍ତ ଖସି ପଳାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ପୋଲିସ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲା।
ପରେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏବଂ ଏନ.ଡି.ପି.ଏସ. ଆଇନର ନିର୍ଦ୍ଧାରିତ ନିୟମାବଳୀ ଅନୁସାରେ ଅଭିଯୁକ୍ତମାନଙ୍କର ତଲାସି କରାଯାଇଥିଲା।
ଏହି ସମୟରେ ଭୋଳେଶ୍ୱର ପରିଡ଼ା ଏବଂ କୃତ୍ତିବାସ ରଣା ନିକଟରୁ ୨୦ ଗ୍ରାମ ଲେଖାଏଁ, ମୋଟ ୪୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଥିଲା। ଏଥିସହ ଚାରିଟି ମୋବାଇଲ ଫୋନ, ହିରୋ ହୋଣ୍ଡା ମୋଟରସାଇକେଲ ଏବଂ ନଗଦ ୧୦ ହଜାର ଟଙ୍କା ମଧ୍ୟ ପୋଲିସ ଜବତ କରିଛି।
ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ନାଳିପଡ଼ା-ଅର୍ଜୁନପୁରର ୩୮ ବର୍ଷୀୟ ଭୋଳେଶ୍ୱର ପରିଡ଼ା , ଓଳସିଂ ଅନ୍ତର୍ଗତ ପୁବୁସାହିର ୩୬ ବର୍ଷୀୟ କୃତ୍ତିବାସ ରଣା ଓରଫ ଏବଂ ବୋଲଗଡ଼ ଥାନା ଅନ୍ତର୍ଗତ ଆଶୋରଳା ଗ୍ରାମର ୪୫ ବର୍ଷୀୟ ବିକାଶ ଚନ୍ଦ୍ର ପଟ୍ଟଯୋଷୀ ।
ଏହି ଘଟଣାକୁ ନେଇ ଖୋର୍ଦ୍ଧା ଆଦର୍ଶ ଥାନାରେ ମାମଲା ନଂ. ୬୮୬, ତାରିଖ ୨୪.୧୧.୨୦୨୬ରେ ଏନ.ଡି.ପି.ଏସ ଆଇନର ଧାରା ୨୧(ବି)/୨୯ ଅନୁଯାୟୀ ମାମଲା ରୁଜୁ ହୋଇଛି।
ତିନି ଜଣ ଅଭିଯୁକ୍ତଙ୍କୁ ୨୪ ତାରିଖରେ ଗିରଫ କରାଯାଇଥିବାବେଳେ ୨୫ ତାରିଖରେ ସେମାନଙ୍କୁ ଖୋର୍ଦ୍ଧାସ୍ଥିତ ମାନ୍ୟବର ପ୍ରଥମ ଅତିରିକ୍ତ ଦୌରା ଜଜ ତଥା ସ୍ୱତନ୍ତ୍ର ଜଜଙ୍କ ଅଦାଲତରେ ହାଜର କରାଯାଇଛି।
ତେବେ ଏହି ବେଆଇନ ନିଶା କାରବାର ପଛରେ ରହିଥିବା ମୁଖ୍ୟ ଯୋଗାଣକାରୀ ଏବଂ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ଦିଗରେ ପୋଲିସର ତଦନ୍ତ ଜାରି ରହିଛି। ନିଶାଦ୍ରବ୍ୟର ଉତ୍ସ ଓ ଏହାର ଯୋଗାଣ ଶୃଙ୍ଖଳ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ତଦନ୍ତକାରୀ ଟିମ ପ୍ରୟାସ ଜାରି ରଖିଛି।
ଏହି ଅବସରରେ ଖୋର୍ଦ୍ଧା ପୋଲିସ ସାଧାରଣ ଜନତାଙ୍କୁ ନିଶାଦ୍ରବ୍ୟର ବେଆଇନ କାରବାର ସମ୍ପର୍କରେ କୌଣସି ସୂଚନା ମିଳିଲେ ତୁରନ୍ତ ଖୋର୍ଦ୍ଧା ଆଦର୍ଶ ଥାନାକୁ ଜଣାଇବାକୁ ଅନୁରୋଧ କରାଯିବା ସହିତ ସୂଚନା ପ୍ରଦାନକାରୀଙ୍କ ପରିଚୟ ସମ୍ପୂର୍ଣ୍ଣ ଗୋପନ ରଖାଯିବ ବୋଲି ପୋଲିସ ପକ୍ଷରୁ ଆଶ୍ୱାସନା ଦିଆଯାଇଛି।

About Author

indadmin

indadmin

Related Articles

Archives

Calendar

November 2026
M T W T F S S
 1
2345678
9101112131415
16171819202122
23242526272829
30