୪୬ ବର୍ଷ ପରେ ପ୍ରଥମ ନିର୍ବାଚନକୁ ନେଇ ଆଦିବାସୀ ମହାବିଦ୍ୟାଳୟରେ ଉତ୍ସାହ, ସଭାପତି ପଦ ପାଇଁ ୧୦ ଜଣଙ୍କ ନାମାଙ୍କନ
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୯/୧୦ : ଦୀର୍ଘ ୪୬ ବର୍ଷର ଅପେକ୍ଷାର ଅନ୍ତ। ପ୍ରଥମଥର ପାଇଁ ଛାତ୍ର ସଂସଦ ନିର୍ବାଚନକୁ ନେଇ ଚଳଚଞ୍ଚଳ ହୋଇଉଠିଛି କନ୍ଧମାଳ ଜିଲ୍ଲାର ସର୍ବପୁରାତନ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟ ପରିସର। ନିର୍ବାଚନୀ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ନାମାଙ୍କନ ଶେଷ ହୋଇଥିବାବେଳେ ମୋଟ ୮ଟି ପଦବୀ ପାଇଁ ୪୦ ଜଣ ଛାତ୍ରଛାତ୍ରୀ ପ୍ରାର୍ଥୀ ହୋଇଛନ୍ତି।
ଏଥିମଧ୍ୟରେ ସଭାପତି ପଦ ପାଇଁ ସର୍ବାଧିକ ୧୦ ଜଣ ନାମାଙ୍କନ ଦାଖଲ କରିଥିବାରୁ ଏହି ପଦକୁ ନେଇ ନିର୍ବାଚନୀ ଉତ୍କଣ୍ଠା ବଢ଼ିଛି।
ଶୁକ୍ରବାର ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ନାମାଙ୍କନ ପ୍ରକ୍ରିୟା ଦିନ ୧ଟାରେ ଶେଷ ହୋଇଥିଲା।
ପରେ ଅପରାହ୍ନ ୨ଟାରୁ ପ୍ରାର୍ଥିପତ୍ର ଯାଞ୍ଚ କରାଯାଇ ସନ୍ଧ୍ୟା ୫ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିଲା। ପ୍ରାର୍ଥୀମାନେ ନିଜ ସମର୍ଥକଙ୍କ ସହ ଆସି ନିର୍ବାଚନ ଅଧିକାରୀଙ୍କ ନିକଟରେ ନାମାଙ୍କନ ଦାଖଲ କରିଥିଲେ। ଦୀର୍ଘଦିନ ପରେ କଲେଜରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂଆ ଉତ୍ସାହ ଓ ଉଦ୍ଦୀପନା ପରିଲକ୍ଷିତ ହୋଇଛି। ନିର୍ବାଚନ କାର୍ୟ୍ୟକ୍ରମ ଅନୁଯାୟୀ, ଆସନ୍ତାକାଲି ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ୟ୍ୟ ହୋଇଛି।
ଅକ୍ଟୋବର ୧୪ରେ ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ୧୫ ତାରିଖରେ ଭୋଟଗ୍ରହଣ କରାଯିବ। ଅକ୍ଟୋବର ୧୬ରେ ବିଜୟୀ ଛାତ୍ର ପ୍ରତିନିଧିମାନେ ଶପଥ ଗ୍ରହଣ କରିବେ। ଏହି ନିର୍ବାଚନ ଛାତ୍ରଛାତ୍ରୀଙ୍କୁ ନିଜର ମତାମତ ଓ ନେତୃତ୍ୱ ପ୍ରତିଷ୍ଠା କରିବାର ସୁଯୋଗ ଦେବ ବୋଲି ଆଶା କରାଯାଉଛି। ନିର୍ବାଚନକୁ ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ କରିବା ପାଇଁ କଲେଜ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ନାମାଙ୍କନ ସମୟରେ ମାଜିଷ୍ଟ୍ରେଟ୍ ଭାବେ ତହସିଲଦାର ଦୀପ୍ତି ପ୍ରକାଶ ବେହେରା ଉପସ୍ଥିତ ଥିଲେ। ଏଥିସହ ଲିଙ୍ଗଡୋ କମିଶନଙ୍କ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବାକୁ ପ୍ରଶାସନ ଓ ଛାତ୍ର ସଂଗଠନଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଭୂତି ଭୂଷଣ ଆଚାର୍ଯ୍ୟଙ୍କ ସୂଚନା ଅନୁଯାୟୀ, ନିର୍ବାଚନ ଅଧିକାରୀ ଭାବେ ଅଧ୍ୟାପକ ତେଜେଶ୍ୱର ନାୟକ ଦାୟିତ୍ୱ ତୁଲାଉଥିବା ବେଳେ ସହନିର୍ବାଚନ ଅଧିକାରୀ ଭାବେ ଅଧ୍ୟାପକ ସରୋଜ ପାଠୀ ଓ ଅଧ୍ୟାପକ ହିମାଂଶୁ ଶେଖର ସାହୁ ରହିଛନ୍ତି କ୍ଷ ନାମାଙ୍କନ ପର୍ୟ୍ୟାୟ ଶେଷ ହୋଇଥିବାରୁ ଏବେ ସମସ୍ତଙ୍କ ନଜର ପ୍ରାର୍ଥିପତ୍ର ପ୍ରତ୍ୟାହାର ଓ ଆଗାମୀ ଭୋଟଗ୍ରହଣ ଉପରେ। ଦୀର୍ଘ ବର୍ଷର ବ୍ୟବଧାନ ପରେ ହେଉଥିବା ଏହି ନିର୍ବାଚନ କଲେଜରେ ଛାତ୍ର ନେତୃତ୍ୱର ନୂଆ ଅଧ୍ୟାୟ ଆରମ୍ଭ କରିବ ବୋଲି ଆଶା ପ୍ରକାଶ ପାଇଛି।
ବାଲିଗୁଡ଼ାରେ ସିରିଜ୍ ଦୁର୍ଘଟଣା; ଜଣେ ମୃତ, ଗୁରୁତର ୫୯ ନଂ ଜାତୀୟ ରାଜପଥରେ ମୃତ୍ୟୁର ତାଣ୍ଡବ
ବାଲିଗୁଡ଼ା, ୯/୧୦ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ୫୯ ନମ୍ବର ଜାତୀୟ ରାଜପଥ ଏବେ ସଡ଼କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇଛି। ଗୋଟିଏ ପଟେ ଦ୍ରୁତଗାମୀ କାର୍ର ସିରିଜ୍ ଦୁର୍ଘଟଣା, ଅନ୍ୟପଟେ କାର୍-ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ। ଦୁଇଟି ଦୁର୍ଘଟଣା ଘଟଣାକୁ ନେଇ ଅଞ୍ଚଳରେ ଆତଙ୍କ ଓ ଶୋକର ପରିବେଶ ସୃଷ୍ଟି ହୋଇଛି।
ରାଜପଥରେ ଯାନବାହନ ଚଳାଚଳ ସମୟରେ ଅସାବଧାନତା ଓ ବେପରୁଆ ଗାଡ଼ି ଚାଳନା କେତେ ଭୟଙ୍କର ପରିଣାମ ଆଣିପାରେ, ଏହି ଘଟଣା ତାହାର ଏକ ଦୁଃଖଦ ଉଦାହରଣ ପାଲଟିଛି। ସୂଚନା ଅନୁଯାୟୀ, ବାଲିଗୁଡ଼ା ସହର ନିକଟ ଦଣ୍ଡପଦର ଠାରେ ଏକ ଦ୍ରୁତଗାମୀ ହୁଣ୍ଡାଇ କାର୍ ପ୍ରଥମେ ଜଣେ ପଥଚାରୀଙ୍କୁ ଧକ୍କା ଦେଇଥିଲା।
ଏହାପରେ କାର୍ଟି ବାଲିଗୁଡ଼ା ସହର ଆଡ଼କୁ ଆସୁଥିବା ବେଳେ ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ଜଣେ ମୋଟରସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିବା ଜଣାପଡ଼ିଛି। ଦୁର୍ଘଟଣା ଘଟାଇବା ପରେ ଚାଳକ ଗାଡ଼ି ନେଇ ଫେରାର ହେବାକୁ ଉଦ୍ୟମ କରିଥିଲେ।
ଖବର ପାଇ ବାଲିଗୁଡ଼ା ପୁଲିସ ଗାଡ଼ିଟିକୁ ପିଛା କରି ଜକିକିଆ ନିକଟରେ ଅଟକାଇଥିଲା। ପୁଲିସ କାର୍ଟିକୁ ଜବତ କରିବା ସହ ଚାଳକଙ୍କ ସମେତ ଗାଡ଼ିରେ ଥିବା ପାଞ୍ଚ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେମାନେ ବଲାଙ୍ଗୀର ଜିଲ୍ଲାର ବୋଲି ସୂଚନା ମିଳିଛି। ଏହି ଘଟଣାରେ ଆହତ ଦୁଇ ଜଣଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଅନ୍ୟପକ୍ଷରେ, ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଟାଗୁଡ଼ା ନିକଟରେ ମାରୁତି ସ୍ୱିଫ୍ଟ କାର୍ ଓ ପଲସର ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବନେମିଲା ଗ୍ରାମର ପଦ୍ମ ମଲ୍ଲିକଙ୍କ ମୃତ୍ୟୁ ହୋଇଛି।
ବାଇକ୍ରେ ଥିବା ଗୋପାଳ ମଲ୍ଲିକ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଉଭୟଙ୍କୁ ଚିକିତ୍ସା ପାଇଁ ନିଆଯାଇଥିବାବେଳେ ପଦ୍ମଙ୍କ ମୃତ୍ୟୁ ଖବର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ସକାଳେ ଅଞ୍ଚଳରେ ଘନ କୁହୁଡ଼ି ରହିଥିବାରୁ ରାସ୍ତାରେ ଦୃଶ୍ୟମାନତା କମିଯାଇଥିଲା। ତେବେ ବାଟାଗୁଡ଼ା ଦୁର୍ଘଟଣାର ପ୍ରକୃତ କାରଣ ସମ୍ପର୍କରେ ପୁଲିସ ପକ୍ଷରୁ ଆଧିକାରିକ ସ୍ପଷ୍ଟୀକରଣ ମିଳିନାହିଁ।
ସେହିପରି ସିରିଜ୍ ଦୁର୍ଘଟଣା ଘଟାଇଥିବା କାର୍ ଚାଳକ ମଦ୍ୟପାନ କରିଥିବା ଅଭିଯୋଗ ଉଠିଥିଲେ ମଧ୍ୟ ଏହାର ଆଧିକାରିକ ନିଶ୍ଚିତକରଣ ଆବଶ୍ୟକ। ଦ୍ରୁତଗତିରେ ଗାଡ଼ି ଚଳାଇବା, ଯାତାୟାତ ନିୟମ ପ୍ରତି ଅବହେଳା ଓ କୁହୁଡ଼ି ସମୟରେ ସତର୍କତାର ଅଭାବ ରାସ୍ତାରେ ଯାତ୍ରାକୁ ବିପଦପୂର୍ଣ୍ଣ କରୁଛି।
ଏଭଳି ଘଟଣାର ପୁନରାବୃତ୍ତି ରୋକିବାକୁ ପୁଲିସର ନିୟମିତ ଯାଞ୍ଚ, ଦ୍ରୁତଗାମୀ ଗାଡ଼ି ଉପରେ ନଜର ଏବଂ ମଦ୍ୟପାନ କରି ଗାଡ଼ି ଚଳାଉଥିବା ଚାଳକଙ୍କ ବିରୋଧରେ କଠୋର ପଦକ୍ଷେପ ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଆଦିବାସୀ ମହାବିଦ୍ୟାଳୟରେ ‘ବେଟି ବଚାଓ, ବେଟି ପଢ଼ାଓ’ ୟୁଥ୍ କନକ୍ଲେଭ୍ ବାଳିକାଙ୍କ ସୁରକ୍ଷା, ଶିକ୍ଷା ଓ ସଶକ୍ତୀକରଣ ଉପରେ ଗୁରୁତ୍ୱ
ବାଲିଗୁଡ଼ା, ୯/୧୦: ବାଳିକାଙ୍କ ସୁରକ୍ଷା, ଶିକ୍ଷା ଓ ସର୍ବାଙ୍ଗୀନ ବିକାଶ ସହ ମହିଳା ସଶକ୍ତୀକରଣ ସମ୍ପର୍କରେ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ‘ବେଟି ବଚାଓ, ବେଟି ପଢ଼ାଓ’ ୟୁଥ୍ କନକ୍ଲେଭ୍ ଅନୁଷ୍ଠିତ ହୋଇଛି।
ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ୟ୍ୟାଳୟ, ବାଲିଗୁଡ଼ା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ସିଡିପିଓ ଇନ୍ଦିରା ପଣ୍ଡାଙ୍କ ତତ୍ତ୍ୱାବଧାନରେ ସମ୍ପନ୍ନ ହୋଇଥିଲା।
କାର୍ଯ୍ୟକ୍ରମରେ ଆଦିବାସୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଭୂତି ଭୂଷଣ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଅଧ୍ୟାପିକା ସୁଲୋଚନା କହଁର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବଳରାମ ବେହେରା ଓ ପଦ୍ମଲୋଚନ ପଣ୍ଡା ଏବଂ ଅତିରିକ୍ତ ତହସିଲଦାର କବିରାଜ ଆର୍ଯ୍ୟ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ଏହି ଅବସରରେ ବାଳିକାଙ୍କୁ ଶିକ୍ଷାର ସମାନ ସୁଯୋଗ ପ୍ରଦାନ, ବାଲ୍ୟବିବାହ ରୋକିବା, ମହିଳାଙ୍କ ପ୍ରତି ଭେଦଭାବ ଦୂର କରିବା ଏବଂ ସମାଜରେ ଝିଅମାନଙ୍କ ମର୍ୟ୍ୟାଦା ଓ ଅଧିକାରର ସୁରକ୍ଷା ଭଳି ବିଷୟ ଉପରେ ସଚେତନତାର ଗୁରୁତ୍ୱ ରହିଥିଲା। ଝିଅମାନଙ୍କୁ ଶିକ୍ଷିତ କରିବା ସହ ସେମାନଙ୍କୁ ଆତ୍ମନିର୍ଭରଶୀଳ ଓ ସଶକ୍ତ କରିବାରେ ଯୁବସମାଜର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଆଲୋଚନାରେ ଗୁରୁତ୍ୱାରୋପ କରାଯାଇଥିଲା।
କାର୍ଯ୍ୟକ୍ରମରେ ସଂଯୋଜକ ଦୀପକ କୁମାର ସାହୁ, ସୁନିତା ପ୍ରଧାନ, ସସ୍ମିତା ପ୍ରଧାନ, ବନବାସୀ ସେବା ସମିତିର କର୍ମକର୍ତ୍ତା, ଆଇସିଡିଏସ୍ର ସମସ୍ତ ସୁପରଭାଇଜର ଏବଂ ମହାବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
ଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।
ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଯୁବପିଢ଼ିଙ୍କ ମଧ୍ୟରେ ବାଳିକାଙ୍କ ଅଧିକାର, ଶିକ୍ଷା ଓ ସମାନତା ସମ୍ପର୍କିତ ସଚେତନତା ବୃଦ୍ଧି ପାଇବା ସହ ସମାଜରେ ସକାରାତ୍ମକ ପରିବର୍ତ୍ତନର ବାର୍ତ୍ତା ପହଞ୍ଚିବ ବୋଲି ଆଶା ପ୍ରକାଶ ପାଇଛି।
ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ନୁଆସାହି ମା’ ଦୁର୍ଗାଙ୍କ ପୀଠରେ ଶୁଭ ଖୁଣ୍ଟି ସ୍ଥାପନ, ୧୭ରୁ ପୂଜା ମହୋତ୍ସବ
ବାଲିଗୁଡ଼ା, ୯/୧୦ : ଶାରଦୀୟ ଦୁର୍ଗାପୂଜାକୁ ନେଇ ବାଲିଗୁଡ଼ା ସହରର ନୁଆସାହି ଅଞ୍ଚଳରେ ଆରମ୍ଭ ହୋଇଛି ଧାର୍ମିକ ଉତ୍ସାହ ଓ ଆଧ୍ୟାତ୍ମିକ ପ୍ରସ୍ତୁତି। ମା’ଙ୍କ ଆଗମନ ପାଇଁ ପାରମ୍ପରିକ ରୀତିନୀତି ଅନୁଯାୟୀ ନୁଆସାହି ସ୍ଥିତ ମା’ ଦୁର୍ଗା ଦେବୀଙ୍କ ପୀଠରେ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି।
ଏହା ସହିତ ଚଳିତ ବର୍ଷର ଦଶହରା ମହୋତ୍ସବ ପାଇଁ ଆନୁଷ୍ଠାନିକ ଭାବେ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି।
ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଙ୍କ ପୀଠରେ ପାରମ୍ପରିକ ବିଧିବିଧାନ ଅନୁଯାୟୀ ଦୁର୍ଗାପୂଜା ପାଳନ କରାଯିବ। ଏଥିପାଇଁ ନୁଆସାହି ଗ୍ରାମ୍ୟ କମିଟି ପକ୍ଷରୁ ବିଭିନ୍ନ ଆୟୋଜନ ଆରମ୍ଭ ହୋଇଥିବା ବେଳେ ପୂଜା ମହୋତ୍ସବକୁ ଆକର୍ଷଣୀୟ କରିବା ପାଇଁ ନୃତ୍ୟ ଓ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ ମଧ୍ୟ ରଖାଯାଇଛି। କାର୍ଯ୍ୟସୂଚୀ ଅନୁଯାୟୀ, ଅକ୍ଟୋବର ୧୭ ତାରିଖ ଶନିବାର ଅଧିବାସ, କଳସ ଯାତ୍ରା ଓ ବିଲ୍ୱବରଣ ସହ ମହାସପ୍ତମୀ ପୂଜା ଆରମ୍ଭ ହେବ। ଏହା ସହ ନୃତ୍ୟ ଓ ସଙ୍ଗୀତଭିତ୍ତିକ କାର୍ୟ୍ୟକ୍ରମ ଆୟୋଜିତ ହେବ। ୧୮ ତାରିଖ ରବିବାର ମହାଷ୍ଟମୀ ପୂଜା ସହ ଭୋଗ ଓ ପ୍ରସାଦ ସେବନର ବ୍ୟବସ୍ଥା ରହିଛି। ସେହିପରି ୧୯ ତାରିଖ ସୋମବାର ମହାନବମୀ ପୂଜା ଓ ରାତିରେ ସନ୍ଧିପୂଜା ଅନୁଷ୍ଠିତ ହେବ। ଅକ୍ଟୋବର ୨୦ ତାରିଖ ମଙ୍ଗଳବାର ବିଜୟାଦଶମୀ ଓ ଅପରାଜିତା ପୂଜା ପରେ ପାରମ୍ପରିକ ରୀତିରେ ମା’ଙ୍କ ପ୍ରତିମା ବିସର୍ଜନ କରାଯିବ। ପୂଜା ଆୟୋଜନକୁ ସଫଳ କରିବା ପାଇଁ ନୁଆସାହି ଗ୍ରାମ୍ୟ କମିଟିର ସଦସ୍ୟମାନେ ଏକଜୁଟ ହୋଇ କାର୍ଯ୍ୟ ଆରମ୍ଭ କରିଛନ୍ତି।
ଏହି ଅବସରରେ କମିଟିର ଉପଦେଷ୍ଟା ବିରୁପାକ୍ଷ ଦାଶ ଓ ମୁକୁନ୍ଦ ପାତ୍ର, ସଭାପତି ଜଳେନ୍ଦ୍ର ପାତ୍ର, ଉପସଭାପତି ଗୋପବନ୍ଧୁ ବିଷୋୟୀ, ସମ୍ପାଦକ ସୁବ୍ରତ ପ୍ରଧାନୀ, ମନ୍ଦିର ପୂଜକ ବିଭୀଷଣ ପାତ୍ରଙ୍କ ସମେତ ସଞ୍ଜୟ ପାତ୍ର, ଜଗନ୍ନାଥ ପାତ୍ର, ଉପେନ୍ଦ୍ର ବିଷୋୟୀ, ଗଙ୍ଗାଧର ଭୋଇ, ଅଶୋକ ସାହୁ, ଧର୍ମେନ୍ଦ୍ର ପାତ୍ର, ବୁଲୁ ଡାକୁଆ ଓ ଗ୍ରାମ୍ୟ କମିଟିର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।






