Indus Valley Times

ଆଉ ଥରେ ବିଦ୍ୟାଭରତୀଙ୍କୁ ଜେରା କରିବ ପୋଲିସ: ନେଇପାରେ ପାରଳାଖେମୁଣ୍ଡି

 Breaking News

ଆଉ ଥରେ ବିଦ୍ୟାଭରତୀଙ୍କୁ ଜେରା କରିବ ପୋଲିସ: ନେଇପାରେ ପାରଳାଖେମୁଣ୍ଡି

August 05
08:17 2021

ପାରଳାଖେମୁଣ୍ଡି/ଭୁବନେଶ୍ୱର, ୫/୮ : ଯୁବ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ଜଳିଯାଇ ପ୍ରାଣ ହରାଇବା ଘଟଣାରେ ବାଟବଣା ହୋଇଛି ପୁଲିସ୍ ତଦନ୍ତ। ଏହିଭଳି ଅଭିଯୋଗ ଆଣି ମୃତ ସୌମ୍ୟରଞ୍ଜନଙ୍କ ପରିବାର ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠର ଦ୍ୱାରସ୍ଥ ହେବା ସହିତ ସିବିଆଇ ତଦନ୍ତ ଦାବି କରିଛନ୍ତି।
ଏଥିସହିତ, ଜାତୀୟ ମାନବାଧିକାର କମିସନ (ଏନ୍ଏଚ୍ଆର୍ସି)ଙ୍କର ବି ଦୃଷ୍ଟି ଆକର୍ଷଣ କରାଯାଇଛି। ତଦନ୍ତକୁ ନେଇ ଏହିଭଳି ପ୍ରଶ୍ନ ଉଠୁଥିବାବେଳେ ବିଦ୍ୟାଭରତୀଙ୍କୁ ଘଟଣାସ୍ଥଳକୁ ଆଣି ଅଧିକ ଅନୁସନ୍ଧାନ ପାଇଁ ପାରଳା ପୁଲିସ୍ ମନସ୍ଥ କରିଥିବା ବିଶେଷସୂତ୍ରରୁ ଜଣାପଡ଼ିଛି।
କିଛିଦିନ ଧରି ବେଶ୍ ଚର୍ଚ୍ଚାରେ ଥିବା ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା ଇତିମଧ୍ୟରେ ତିନି ସପ୍ତାହ ପୂରଣ ହୋଇଛି। ଗଜପତି ପୁଲିସ୍ ଡିଏଫ୍ଓ ଓ ରୋଷେୟାଙ୍କୁ କ୍ଲିନ୍ଚିଟ୍ ଦେବାପରେ ସମସ୍ତଙ୍କ ନଜର ବିଦ୍ୟାଭାରତୀଙ୍କ ଉପରେ କେନ୍ଦ୍ରୀଭୂତ ରହିଛି। ଘଟଣାଦିନ ସୌମ୍ୟରଞ୍ଜନଙ୍କ ଦେହରେ କିଭଳି ନିଆଁ ଲାଗିଲା, ତାହାର ପ୍ରତ୍ୟକ୍ଷଦର୍ଶୀ କେବଳ ବିଦ୍ୟାଭାରତୀ।
ତେଣୁ, ସୌମ୍ୟରଞ୍ଜନ ୯୦ ପ୍ରତିଶତ ଜଳିବା ପର୍ଯ୍ୟନ୍ତ ବିଦ୍ୟାଭାରତୀ କ’ଣ କରୁଥିଲେ, କାହାକୁ ସାହାଯ୍ୟ ପାଇଁ ଡାକିଥିଲେ ନା ସେ ନିଜେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ; ସୌମ୍ୟରଞ୍ଜନ ଜଳିଯିବାପରେ ପ୍ରଥମେ କାହାକୁ ଡାକି ହସ୍ପିଟାଲକୁ ନେଲେ, କଟକ ସ୍ଥାନାନ୍ତରବେଳେ ବନ ବିଭାଗ କାର୍ଯ୍ୟାଳୟ ଗେଟ୍ ପାଖରେ ଆମ୍ବୁଲାନ୍ସ ୧୫ ମିନିଟ୍ କାହିଁକି ଅଟକିଥିଲା, କ୍ୱାର୍ଟର୍ସକୁ ଆସି ସେ କ’ଣ ଜିନିଷ ନେଇଥିଲେ, ଏମିତି ଅନେକ ତଥ୍ୟ ଅଧାରରେ ବିଦ୍ୟାଭାରତୀଙ୍କ ଉପସ୍ଥିତିରେ ପୁଲିସ ଘଟଣାସ୍ଥଳର ଛାନ୍ଭିନ୍ କରିବ ବୋଲି ଜଣାପଡ଼ିଛି।
ହେଲେ ଏହି ସମଗ୍ର ପ୍ରକ୍ରିୟାରେ ଗଣମାଧ୍ୟମକୁ ଦୂରେଇ ରଖି ଗୁପ୍ତ ଭାବେ ବିଦ୍ୟାଭାରତୀଙ୍କୁ ଆଣି ପୁଲିସ ଏହି ଡୋମୋ କରିପାରେ ବୋଲି କୁହାଯାଉଛି। ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ତାଙ୍କୁ ରାତିଅଧିଆ ପାରଳା ଆଣିବେ ବୋଲି ଏହି ସୂତ୍ରରୁ ସୂଚନା ମିଳିଛି।
ଅନ୍ୟପକ୍ଷରେ, ପାରଳାଖେମୁଣ୍ଡି ପୁଲିସ୍ର ତଦନ୍ତ ଉପରେ ପ୍ରଶ୍ନ ଉଠାଇ ଭାରତୀୟ ବିକାଶ ପରିଷଦର ଜଗତସିଂହପୁର ଜିଲ୍ଲା ସଭାପତି ସୁବ୍ରତ ଦାଶ ଜାତୀୟ ମାନବାଧିକାର କମିସନ (ଏନ୍ଏଚ୍ଆରସି)ଙ୍କ ଦ୍ୱାରସ୍ଥ ହୋଇଥିବାବେଳେ ସୌମ୍ୟରଞ୍ଜନଙ୍କ ଭାଇ ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।
ମୃତ ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ରଙ୍କ ଲିଖିତ ଏକ ଅଭିଯୋଗ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦେଇଛନ୍ତି। ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଆରମ୍ଭରୁ ତଦନ୍ତର ଦିଗକୁ ବାଟବଣା କରିବା ସହିତ ପୁଲିସ ଅଭିଯୁକ୍ତଙ୍କ ସୁହାଇଲା ଭଳି କାର୍ଯ୍ୟ କରୁଛି।
ଏନେଇ ପରିବାର ପକ୍ଷରୁ ବାରମ୍ବାର ଆପତ୍ତି ଉଠାଯାଇଥିଲେ ବି କିଛି ଫଳ ମିଳୁନାହିଁ। ଯାହାକୁ ନେଇ ପରିବାର ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯିବା ସହିତ ପୁଅର ମୃତ୍ୟୁ ମାମଲାର ସିବିଆଇ ତଦନ୍ତ କରାଯାଉ ବୋଲି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି। ଅପରପକ୍ଷେ, ନବୀନ ନିବାସ ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି ଆଜି ଚେତାବନୀ ଦେଇଛନ୍ତି ସୌମ୍ୟରଞ୍ଜନଙ୍କ ମା’ ତୁଳସୀ ମହାପାତ୍ର।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031