Indus Valley Times

ଆଗାମୀ ୫ ଦିନ ପ୍ରବଳ ବର୍ଷା

 Breaking News

ଆଗାମୀ ୫ ଦିନ ପ୍ରବଳ ବର୍ଷା

ଆଗାମୀ ୫ ଦିନ ପ୍ରବଳ ବର୍ଷା
July 11
09:33 2022

ଭୁବନେଶ୍ୱର,୧୧/୭: ଶନିବାର ଓଡ଼ିଶାର ଦକ୍ଷିଣ ପ୍ରାନ୍ତରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଉପକୂଳବର୍ତ୍ତୀ ଅଞ୍ଚଳରେ ରହିଛି । ଏହାର ପ୍ରଭାବରେ ମୌସୁମୀ ସକ୍ରିୟ ହେବା ସହ ଅଧିକ ବର୍ଷା କରାଇବ । ଆସନ୍ତା ୫ଦିନ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଆଞ୍ଚଳିକ ପାଣିପାଗ ବିଜ୍ଞାନ ବିଭାଗ ଏଭଳି ପୂର୍ବାନୁମାନ କରିଛି ।
ପାଣିପାଗ ବିଶେଷଜ୍ଞ ପ୍ରଫେସର ଡା. ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ କହୁଛି, ଏହି ଗୋଟିଏ ଲଘୁଚାପ ନୁହେଁ, ଏହା ପରେ ପୁଣି ଆଉ ଏକ ଲଘୁଚାପ ସୃଷ୍ଟି ହେବ । ଓଡ଼ିଶା ଓ ସଂଲଗ୍ନ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ୧୧ରୁ ୧୩ ରାଜ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ହେବ । ସେହିଭଳି ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ହେବ । ଏହା ଅଧିକ ଘନୀଭୂତ ହୋଇ ୧୪ରେ ଅବପାତ ରୂପ ନେବ । ଏହା ଓଡ଼ିଶା ଉପରେ ଦୁଇ ଦିନ ରହିବ । ପରେ ଉତ୍ତର ପଶ୍ଚିମ ଓ ପଶ୍ଚିମ ଦିଗକୁ ଗତି କରିବ । ଏହାର ପ୍ରଭାବରେ ୧୪ରୁ ୧୬ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ । ୧୭ରୁ ବର୍ଷା କମିଯିବ । ସେ ସପ୍ତାହରେ ବିସ୍ତୃତ ବର୍ଷା ସମ୍ଭାବନା କମ୍ ବୋଲି ସେ କହିଛନ୍ତି ।
ତେବେ ଲଘୁଚାପ ପ୍ରଭାବରୁ ଦକ୍ଷିଣ ଓଡ଼ିଶାରେ ସବୁଠୁ ଅଧିକ ବର୍ଷା ହେବ । ଏହି ସପ୍ତାହରେ ବର୍ଷା ୨୦୦ ମିଲିମିଟରରୁ ଅଧିକ ବର୍ଷା ହେବ । ସ୍ଥାନେ ସ୍ଥାନେ ୩୦୦ମିମିରୁ ଅଧିକ ବର୍ଷା ହୋଇପାରେ । ୧୪ରୁ ୧୬ ତିନି ଦିନ ଯାଏ କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବ । ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାର କିଛି ଅଞ୍ଚଳରେ କମ୍ ବର୍ଷା ହେବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି । ୧୫ ଓ ୧୬ରେ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ସେ କହିଛନ୍ତି ।
ଏ ସପ୍ତାହରେ ଲଗାଣ ବର୍ଷା ଯୋଗୁ ମହାନଦୀ ଓ ଦକ୍ଷିଣ ଓଡ଼ିଶାର ସମସ୍ତ ନଦୀରେ ପାଣି ଫୁଲିବ । ଭାରି ବର୍ଷା ସମ୍ଭାବନା ଥିବାରୁ ୧୭ ଯାଏ ବୁଣାବୁଣି ନ କରିବାକୁ ପ୍ରଫେସର ପଶୁପାଳକ ପରାମର୍ଶ ଦେଇଛନ୍ତି । ପରବର୍ତ୍ତୀ ସପ୍ତାହରେ ବିଶେଷ ବର୍ଷା ନଥିବାରୁ ସେ ସମୟରେ ରୁଆ ରୋଇ କରିବାକୁ ସେ ପରାମର୍ଶ ଦେଇଛନ୍ତି । ତଳି ହୋଇଯାଇଥିଲେ କାଦୁଅ ପାଇଁ ପାଣି ରଖନ୍ତୁ । ଲଗାଯାଇଥିବା କିଆରୀରୁ ଜଳ ନିଷ୍କାସନ ସୁବିଧା କରିବାକୁ ସେ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି ।
ସେପଟେ ରବିବାର ଝାରସୁଗୁଡ଼ାରେ ୧୪.୪, ସମ୍ବଲପୁରରେ ୧୩.୨, ବାରିପଦାରେ ୧୦.୬, ଢେଙ୍କାନାଳରେ ୧୦.୨, ସୋନପୁରରେ ୫.୮ ଓ ଅନୁଗୁଳରେ ୪ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031