Indus Valley Times

“ଆମ ସଂକଳ୍ପ ନିଶା ନୁହେଁ ଜୀବନ” ସଚେତନତା ରଥର ଶୁଭାରମ୍ଭ

 Breaking News

“ଆମ ସଂକଳ୍ପ ନିଶା ନୁହେଁ ଜୀବନ” ସଚେତନତା ରଥର ଶୁଭାରମ୍ଭ

“ଆମ ସଂକଳ୍ପ ନିଶା ନୁହେଁ ଜୀବନ” ସଚେତନତା ରଥର ଶୁଭାରମ୍ଭ
June 04
22:20 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୪/୬ : ଅପମିଶ୍ରିତ ଓ ବିଷାକ୍ତ ମାଦକ ଦ୍ରବ୍ୟ ବିରୋଧରେ ଜନସଚେତନତା ସୃଷ୍ଟି କରିବା ପାଇଁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଏକ ସଚେତନତା ରଥ ଶୁଭାରମ୍ଭ କରାଯାଇଛି ।
‘ଆମ ସଂକଳ୍ପ ନିଶା ନୁହେଁ ଜୀବନ’ ଅଭିଯାନକୁ ପ୍ରତ୍ୟେକ ଲୋକଙ୍କ ନିକଟରେ ପହଁଚାଇବା ପାଇଁ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଏହି ଅଭିଯାନର ଶୁଭାରମ୍ଭ କରାଯାଇଛି ।
ଏହି ରଥକୁ ଜିଲ୍ଲା ଅବକାରୀ ଅଧିକ୍ଷକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରଥ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ସ୍ଥାନ ପରିକ୍ରମା କରି ସଚେତନତା ସୃଷ୍ଟି କରିବ । ଏହି କାର୍ଯ୍ୟାକ୍ରମର ଜିଲ୍ଲାସ୍ତରୀୟ ଅଧିକାରୀ,ଅବକାରୀ ବିଭାଗର କର୍ମଚାରୀ, ସାମ୍ବାଦିକମାନେ ଉପସ୍ଥିତ ଥିଲେ ।
ଦଶପଲ୍ଲା ପାହାଡ଼ ଉପରୁ ଦେଶୀ ବନ୍ଧୁକ କାରଖାନା ଠାବ: ୩ ଗିରଫ, ବିପୁଳ ପରିମାଣରେ ସାମଗ୍ରୀ ଜବତ
ନୟାଗଡ଼,୪/୬ : ଦଶପଲ୍ଲା ଥାନା ପୁଲିସକୁ ସଫଳତା। ପାହାଡ଼ ଉପରୁ ତିଆରି ଚାଲିଥିବା ଏକ ଦେଶୀ ବନ୍ଧୁକ ତିଆରି କାରଖାନା ଉପରେ ଚଢ଼ଉ କରି ପୁଲିସ ତିନି ଜଣଙ୍କୁ ଗିରଫ କରିଛି।
ଗିରଫ ଯୁବକମାନେ ହେଲେ ରାଜେଶ କୁମାର ପ୍ରଧାନ (୨୭), ତପନ ପରିଡ଼ା (୨୫) ଓ ଗୋବର୍ଦ୍ଧନ ପରିଡ଼ା (୪୮)। ମାତ୍ର ଏହି ବନ୍ଧୁକ କାରଖାନାର ମୁଖ୍ୟ କୁହାଯାଉଥିବା ତପନର ବଡ଼ ଭାଇ ବିଭୂତି ପରିଡ଼ା (୨୭)ଙ୍କୁ ପୁଲିସ ଗିରଫ କରିବାକୁ ସକ୍ଷମ ହୋଇ ନାହିଁ।
ଏ ସମସ୍ତେ ଦଶପଲ୍ଲା ମଧ୍ୟଖଣ୍ଡ ଅଞ୍ଚଳର ହୋଇଥିବା ବେଳେ ରାଜେଶର ଘର ଢିଅସାହିରେ ବୋଲି ଜଣାପଡ଼ିଛି।
ଏମାନଙ୍କ ନିକଟରୁ ପୁଲିସ ବିପୁଳ ପରିମାଣରେ ବନ୍ଧୁକ ତିଆରି ସାମଗ୍ରୀ ଜବତ କରିଛି। ଏହାସହ ଗୋଟିଏ ଦେଶୀ ବନ୍ଧୁକ ଓ ପିସ୍ତଲ ମଧ୍ୟ ଜବତ କରିଛି। ଗତବର୍ଷ ଏ ସମସ୍ତେ ଏହି ବନ୍ଧୁକ ତିଆରି କରିବା ଅଭିଯୋଗରେ ଗିରଫ ହୋଇଥିଲେ।
ଜାମିନରେ ଆସି ପୁଣି ଥରେ ସେମାନେ ଏହି ବେପାର ଆରମ୍ଭ କରିଥିବା ଜାଣିବା ପରେ ପୁଲିସ ଚଢ଼ଉ କରିଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ ଏସପି ଏସ.ସୁଶ୍ରୀ ସୂଚନା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ସାମ୍ବାଦିକ ସମ୍ମିଳନୀରେ ଦୁଇ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସନାତନ କ‌ାଲୋ ଓ ସୁବାସ ପଣ୍ଡାଙ୍କ ସମେତ ଏସଡିପିଓ ଜ୍ୟୋତି ରଞ୍ଜନ ସାମନ୍ତରାୟ ଓ ଦଶପଲ୍ଲା ଥାନା ଇନସପେକ୍ଟର ଅନିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ବିଳମ୍ବିତ ରାତିରେ ଏସଡିପିଓଙ୍କ ନେତୃତ୍ବରେ ଚଢ଼ଉ
ଜେଲରୁ ବାହାରି ବିଭୂତି ଓ ତପନ ପୁଣି ଥରେ ବନ୍ଧୁକ ତିଆରି ଆରମ୍ଭ କରି ଦେଇଥିବା ପୁଲିସ ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା।
ସେମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଏସଡିପିଓ ଜ୍ୟୋତି ରଞ୍ଜନ ସାମନ୍ତରାୟ ସ୍ଥାନୀୟ ଦଶପଲ୍ଲା ଥାନା ଇନସପେକ୍ଟରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ହଠାତ୍ ଗତକାଲି ବିଳମ୍ବିତ ରାତିରେ ଏସଡିପିଓ ଶ୍ରୀ ସାମନ୍ତରାୟ ଥାନାରେ ପହଞ୍ଚି ଏକ ଟିମ୍ ଗଠନ କରିଥିଲେ।
ଏହି ଟିମ୍ ବିଳମ୍ବିତ ରାତିରେ ଜଙ୍ଗଲ ମଧ୍ୟରେ ଚାଲି ଚାଲି ପାହାଡ଼ ଉପରେ ପହଞ୍ଚି ଏହି କାରଖାନାରେ ଚଢ଼ଉ କରିଥିଲେ। ସେଠାରୁ ତପନକୁ ପୁଲିସ କାବୁ କରି ନେଇଥିଲା। ତପନକୁ ପଚରାଉଚରା କରିବା ପରେ ପୁଲିସ ରାଜେଶଠାରୁ ଏକ ପିସ୍ତଲ ଓ ତା ଦାଦା ଗୋବର୍ଦ୍ଧନଠାରୁ ଏକ ବନ୍ଧୁକ ଜବତ କରିବା ସହ ସେମାନଙ୍କୁ ଗିରଫ କରିଛି।
ବର୍ତ୍ତିଗଲା ମାଷ୍ଟରମାଇଣ୍ଡ
ଏହି କାରଖାନାର ମାଷ୍ଟରମାଇଣ୍ଡ କୁହାଯାଉଥିବା ବିଭୂତି ବର୍ତ୍ତି ଯାଇଛି। ପତ୍ନୀ ଅସୁସ୍ଥ ଥିବାରୁ ଡାକ୍ତରଙ୍କ ସହ ପରାମର୍ଶ ପାଇଁ ସେ ଭୁବନେଶ୍ବର ଯାଇଛି। ଏଣୁ ପୁଲିସ ଚଢ଼ଉ ସମୟରେ ସେଠା‌ରେ ସେ ଉପସ୍ଥିତ ନଥିଲା।
ବର୍ତ୍ତମାନ ଚଢ଼ଉ ପରେ ଯେହେତୁ ତିନି ଜଣ ଗିରଫ ହୋଇଛନ୍ତି, ବିଭୂତି ଏବେ ଫେରାର ହୋଇଯାଇଛି। ତାକୁ ପାଇବା ପାଇଁ ପୁଲିସକୁ ଜୋରଦାର କସରତ କରିବାକୁ ପଡ଼ିବ। ଯେହେତୁ ବାରମ୍ବାର ଜେଲ୍ ଯାଉଥିଲେ ମଧ୍ୟ ଏହି ଦୁଇ ଭାଇଙ୍କୁ କିଛି ଫରକ ପଡ଼ୁ ନାହିଁ। ସେଥିପାଇଁ ବିଭୂତିକୁ ଯେମିତି ବି ହେଉ ଗିରଫ କରିବା ପାଇଁ ପୁଲିସ ଏବେ ଜାଲ ବିଛାଇଛି।
୭ ହଜାର ଟଙ୍କାରେ ବିକୁଥିଲେ
ବର୍ଷ ତମାମ ଦଶପଲ୍ଲା ଜଙ୍ଗଲରେ ଜନ୍ତୁ ଶୀକାର ଚାଲିଛି। ବିଶେଷ କରି ଶୀକାର ପାଇଁ ଆବଶ୍ୟକ ହେଉଥିବା ବନ୍ଧୁକ ତିଆରି କରିବା ପାଇଁ ଏହି ଦୁଇ ଭାଇ ଲାଗିପଡ଼ୁଥିଲେ।
ଶୀକାରୀମାନଙ୍କୁ ୭-୧୦ ହଜାର ଟଙ୍କାରେ ବନ୍ଧୁକ ବିକ୍ରି କରୁଥିଲେ। ଏମିତିକି ଟଙ୍କା ଆବଶ୍ୟକ ପଡ଼ିଲେ ୫ ହଜାରରେ ମଧ୍ୟ ଏହି ବନ୍ଧୁକକୁ ସେମାନେ ବିକ୍ରି କରି ଦେଉଥିଲେ।
ମଧ୍ୟଖଣ୍ଡ ଜଙ୍ଗଲରେ ହାତୀ, ବାଘ ସହ ପ୍ରବଳ ମାତ୍ରାରେ ଅନ୍ୟ ଛୋଟ ଛୋଟ ଜନ୍ତୁଙ୍କୁ ଶୀକାର କରାଯାଏ। ଏଣୁ ବନ୍ଧୁକ ତିଆରି କରୁଥିବା ଏହି ଦୁଇ ଭାଇଙ୍କ ଚାହିଦା ବେଶ୍ ଅଧିକ ଥିଲା।
ଏଣୁ ଜାମିନରେ ଆସିବା କ୍ଷଣି ସେମାନେ ପୁଣି ଥରେ ବନ୍ଧୁକ ତିଆରିରେ ଲାଗିପଡ଼ୁଥିଲେ। କେବଳ ଶୀକାର ପାଇଁ ନୁହେଁ ଅପରାଧୀମ‌ାନେ ମଧ୍ୟ ଏହି ଦୁଇ ଭାଇଙ୍କଠାରୁ ବନ୍ଧୁକ କିଣୁଥିବା ପୁଲିସ ଜାଣିବାକୁ ପାଇଛି।
ଏଠାରୁ ବନ୍ଧୁକ ନେଇ ରାଜପଥରେ ରାହାଜାନୀ ଓ ଘରୁ ଅପରାଧୀମାନେ ଡକାୟତୀ କରୁଥିବା ପୁଲିସ ଜାଣିବାକୁ ପାଇଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930