Indus Valley Times

ଆସିଲା ନକଲି ମେଡ଼ିସିନ୍ ଟେଷ୍ଟ ରିପୋର୍ଟ, ପୋଲିସ୍ ହାତରେ ଅନେକ ଗୁରୁତ୍ୱପୁର୍ଣ୍ଣ ଦସ୍ତାବିଜ

 Breaking News

ଆସିଲା ନକଲି ମେଡ଼ିସିନ୍ ଟେଷ୍ଟ ରିପୋର୍ଟ, ପୋଲିସ୍ ହାତରେ ଅନେକ ଗୁରୁତ୍ୱପୁର୍ଣ୍ଣ ଦସ୍ତାବିଜ

ଆସିଲା ନକଲି ମେଡ଼ିସିନ୍ ଟେଷ୍ଟ ରିପୋର୍ଟ, ପୋଲିସ୍ ହାତରେ ଅନେକ ଗୁରୁତ୍ୱପୁର୍ଣ୍ଣ ଦସ୍ତାବିଜ
September 17
16:43 2022

କଟକ,୧୭/୯: କଟକରୁ ଜବତ ମେଡିସିନ୍ ନକଲି ଥିବା ସ୍ପଷ୍ଟ ହେଲା। ଲାବୋରେଟୋରି ରିପୋର୍ଟ ଆସିବା ପରେ ଉଚ୍ଚ ରକ୍ତଚାପ ଔଷଧ ଟେଲମା-୪୦ ନକଲି ବୋଲି ଆଜି ସୂଚନା ଦେଲେ କଟକ ଡିସିପି ପିନାକ ମିଶ୍ର। ସେ ଆହୁରି କହିଛନ୍ତି, ଲାବୋରେଟୋରି ରିପୋର୍ଟରେ ଏହି ‘ମେଡିସିନ୍ ନଟ୍ ଫିଟ୍ ଫର୍ ୟୁଜ୍’ ବୋଲି ଉଲ୍ଲେଖ କରାଯାଇଛି। ଏହି ନକଲି ଔଷଧ କାରବାରର ମୁଖ୍ୟ ଅଭିଯୁକ୍ତ ୨ ଜଣଙ୍କ ନାମରେ ଥିବା ଆଉ ୨ଟି ବ୍ୟାଙ୍କ ଆକାଉଣ୍ଟ ଜବତ କରାଯାଇଛି। ଏଥିରୁ ୧୨ ଲକ୍ଷ ଟଙ୍କା ଫ୍ରିଜ କରାଯାଇଛି।
୨ ଦିନିଆ ରିମାଣ୍ଡରେ ଅଭିଯୁକ୍ତଙ୍କୁ ଅଣାଯିବା ପରେ ପଚରାଉଚରା କରାଯାଇଥିଲା। ଯେଉଁଥିରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଛି। ଆଗରୁ ଏହି ଦୁଇ ଅଭିଯୁକ୍ତଙ୍କ ଏଜେନ୍ସି ନାମରେ ଥିବା ୨ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରାଯାଇଥିଲା। ଏହି ଏଜେନ୍ସି ଓ ଅଭିଯୁକ୍ତଙ୍କ ସହ ବ୍ୟାଙ୍କ ନେଣଦେଣ କରୁଥିବା ଅନ୍ୟ ଦୁଇଟି ଆକାଉଣ୍ଟ ଜବତ କରାଯାଇଛି। ଅନ୍ୟପଟେ ଅଭିଯୁକ୍ତଙ୍କୁ ଅନ୍ୟ କେଉଁମାନେ ନକଲି ଔଷଧ ଦେଉଥିଲେ, କେଉଁ ଦୋକାନୀମାନେ ନକଲି ଔଷଧ ବୋଲି ଜାଣି ମଧ୍ୟ ନେଇ କାରବାରରେ ସାମିଲ ଥିଲେ, କେଉଁମାନେ ନକଲି ଔଷଧ ବୋଲି ନ ଜାଣି କାରବାର କରୁଥିଲେ ତାହାର ଏକ ତାଲିକା ପ୍ରସ୍ତୁତ ହୋଇଛି। ସେମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ କରିବାକୁ ପୁଲିସ ପ୍ରସ୍ତୁତି ହେଉଛି ବୋଲି ଡିସିପି କହିଛନ୍ତି।
ସୂଚନା ଥାଉକି, ଗତ ୧୦ ତାରିଖରେ ଏହି ଘଟଣା ସମ୍ପର୍କରେ ପୁରୀଘାଟ ଥାନାରେ ଏତଲା କରିଥିଲେ କଟକ କଟକ ଡ୍ରଗ୍ ଇନ୍ସପେକ୍ଟର। ଯାଉଁଳିଆପଟି ଅଞ୍ଚଳର ଦୁଇଟି ଡିଷ୍ଟ୍ରିବ୍ୟୁଟରଙ୍କ ନାଁରେ ଏତଲା ହୋଇଥିଲା। ଯାହା ପରେ ପୁଲିସ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା। ଦୁଇ ଅଭିଯୁକ୍ତ ଭିଆର ଏଜେନ୍ସି ଓ ପୂଜା ଏଣ୍ଟରପ୍ରାଇଜେସ୍ ନାମରେ ନକଲି ଔଷଧ କାରବାର କରୁଥିଲେ। ସେମାନେ ବେଙ୍ଗାଲୁରୁ ଓ ଗୟାରୁ ନକଲି ମେଡ଼ିସିନ ଆଣି ଓଡ଼ିଶାରେ କାରବାର କରୁଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031