Indus Valley Times

କାଳ ହେଲା ସମ୍ପତ୍ତି ଲୋଭ, କିନ୍ନର ପ୍ରେମିକା ସହ ମିଶି ବାପା ଜୀବନ ନେଲା ପୁଅ

 Breaking News

କାଳ ହେଲା ସମ୍ପତ୍ତି ଲୋଭ, କିନ୍ନର ପ୍ରେମିକା ସହ ମିଶି ବାପା ଜୀବନ ନେଲା ପୁଅ

August 19
17:48 2024

ଗଞ୍ଜାମ, ୧୯/୮ : ନିଶାଗ୍ରସ୍ତ ବେକାର ପୁଅକୁ ଘାରିଲା ବାପାର ପେନସନ୍ ଟଙ୍କା । ମାତ୍ର ବୃଦ୍ଧ ବାପା ଏହାକୁ ବିରୋଧ କରିବାରୁ ପାଲଟିଗଲା ଶତ୍ରୁ। ଦିନେ ଯେଉଁ ବାପା ହାତ ଧରି ଚାଲିବା ଶିଖାଇଥିଲା, ତାକୁ ଅତି ନିର୍ମମ ଭାବେ ହତ୍ୟା କରିବାକୁ ପଛାଇଲା ନାହିଁ ପୁଅ।
ବାପା ଇଞଗ କାର୍ଡ ହାତେଇବାକୁ ପୁଅ ବାପା ମୁଣ୍ଡକୁ ପିଟିବା ସହ ବାପା ଉପରେ ଆଲମିରା ବି ପକାଇଦେଲା। ଏଥିରେ ପୁଅକୁ ସମ୍ପୂର୍ଣ୍ଣ ସହାୟତା ଯୋଗାଇଥିଲା ତାର କିନ୍ନର ପ୍ରେମିକା। ସମ୍ପତ୍ତି ଲୋଭରେ ନିଜ ବୃଦ୍ଧ ବାପାର ଜୀବନ ନେଇଥିବା ପୁଅ ସମେତ ତା’ କିନ୍ନର ପ୍ରେମିକାକୁ ବାନ୍ଧିଛି ପୁଲିସ୍‌। ଏପରି ଏକ ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଅଯୋଧ୍ୟା ନଗରରେ ଘଟିଛି।
ମୃତକ ହେଲେ ରାଜସ୍ୱ ବିଭାଗର ଅବସରପ୍ରାପ୍ତ କିରାଣି ୭୪ ବର୍ଷୀୟ ଗରୀବବନ୍ଧୁ ପଣ୍ଡା । ଗରୀବବନ୍ଧୁଙ୍କ ହତ୍ୟା ଘଟଣାରେ ପୁଲିସ୍ ତାଙ୍କ ପୁଅ ସନ୍ଦୀପ ପଣ୍ଡା ଓ ତାଙ୍କ କିନ୍ନର ପ୍ରେମିକା ଶ୍ରୀୟାଙ୍କୁ ବାନ୍ଧିଛି।
ଗରୀବବନ୍ଧୁ ଅଯୋଧ୍ୟା ନଗର ତୃତୀୟ ଲାଇନ୍‌ରେ ନିଜ ଘରେ ରହୁଥିଲେ। ଗରୀବବନ୍ଧୁଙ୍କ ପତ୍ନୀଙ୍କର ବହୁ ବର୍ଷ ପୂର୍ବେ ମୃତ୍ୟୁ ହୋଇ ସାରିଥିବା ବେଳେ ତାଙ୍କ ଝିଅ ଆମେରିକାରେ ରୁହେ। ଗୋଟିଏ ବୋଲି ପୁଅ ସନ୍ଦୀପ ପଣ୍ଡା ଡିପ୍ଲୋମା ପଢ଼ି ମୁମ୍ବାଇରେ ଚାକିରି କରୁଥିଲା।
ସନ୍ଦୀପ ପୂର୍ବରୁ ବିବାହିତ ଥିବା ବେଳେ ପତ୍ନୀ ୨ ବର୍ଷ ପୂର୍ବେ ତାଙ୍କୁ ଛାଡ଼ି ଚାଲି ଯାଇଛନ୍ତି। ମୁମ୍ବାଇରେ ଥିବା ବେଳେ ସନ୍ଦୀପ ଶ୍ରୀୟାଙ୍କ ସଂସ୍ପର୍ଶରେ ଆସିଥିଲେ। ଶ୍ରୀୟା ଜଣେ କିନ୍ନର। ତାଙ୍କର ପ୍ରକୃତ ନାମ ପ୍ରବୀଣ କୁମାର ଶର୍ମା ଓ ତାଙ୍କ ଘର ମହାରାଷ୍ଟ୍ରର ଥାଣେ ଜିଲ୍ଲାର କାଲପ୍ପା ଥାନା ଅନ୍ତର୍ଗତ ଶିବାଜୀନଗର ଅଞ୍ଚଳରେ ।
ଉଭୟ ସନ୍ଦୀପ ଓ ଶ୍ରୀୟା ୩ ମାସ ହେଲା ମୁମ୍ବାଇରୁ ଆସି ଗରୀବବନ୍ଧୁଙ୍କୁ ପାଖରେ ରହୁଥିଲେ। ସେମାନେ ତାଙ୍କ ପେନସନ୍ ଟଙ୍କା ହଡ଼ପ୍ କରିବା ସହ ଅନେକ ସମୟରେ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମଧ୍ୟ ମାରୁଥିଲେ।
ବୈଦ୍ୟନାଥପୁର ଥାନା ଏସ୍‌ଡିପିଓଙ୍କ ସୂଚନା ଅନୁଯାୟୀ, ଗରୀବବନ୍ଧୁ ୨୯ ହଜାର ଟଙ୍କା ପେନସନ୍ ପାଉଥିଲେ। ଏହାକୁ ତାଙ୍କ ପୁଅ ସନ୍ଦୀପ ଓ ତାଙ୍କ ବାନ୍ଧବୀ ଶ୍ରୀୟା ହଡ଼ପ କରିବାକୁ ଚାହୁଁଥିଲେ। ଉଭୟ କିଛି କରୁ ନ ଥିବା ବେଳେ ସବୁବେଳେ ନିଶାସକ୍ତ ରହୁଥିଲେ। ତେଣୁ ସେମାନେ ଗରିବବନ୍ଧୁଙ୍କ ଇଞଗ କାର୍ଡ ହଡ଼ପ କରିବାକୁ ଚେଷ୍ଟା କରୁଥିଲେ। ମାତ୍ର ଗରୀବବନ୍ଧୁ ଏହାକୁ ବିରୋଧ କରିବାରୁ ସେମାନଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହୁଥିଲେ।
ଗତ ୧୪ ତାରିଖ ରାତିରେ ଘଟଣା ଉଗ୍ର ରୂପ ଧାରଣ କଲା। ଉଭୟ ପକ୍ଷଙ୍କ ମଧ୍ୟରେ ପାଟିଗୋଳ ହେବାରୁ ଉଭୟ ସନ୍ଦୀପ ଓ ଶ୍ରୀୟା ଗରୀବବନ୍ଧୁଙ୍କ ମୁଣ୍ଡକୁ ପ୍ରଥମେ କାନ୍ଥରେ ପିଟି ଦେଇଥିଲେ। ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେଉଥିବା ବେଳେ ଏତିକିରେ ଉଭୟଙ୍କ ମନ ଶାନ୍ତି ହୋଇ ନ ଥିଲା। ଫଳରେ ଘରେ ଥିବା ଆଲମାରିଙ୍କୁ ଗରୀବବନ୍ଧୁଙ୍କ ଉପରେ ପକାଇ ଦେଇଥିଲେ। ଫଳରେ ତାଙ୍କ ପଞ୍ଜରା ହାଡ଼ ଭାଙ୍ଗି ଯାଇଥିଲା।
ଏହାପରେ ମଧ୍ୟ ତତ୍‌କ୍ଷଣାତ ସେମାନେ ତାଙ୍କୁ ମେଡିକାଲ ନେଇ ନ ଥିଲେ। ୧୫ ତାରିଖ ଦିନ ଯାକ ଉଭୟ ତାଙ୍କୁ ଘରେ ରଖିଥିଲେ। କିଛି ଖାଇବାକୁ ଦେଇ ନ ଥିଲେ କି ଚିକିତ୍ସା ସୁବିଧା ଯୋଗାଇ ଦେଇ ନ ଥିଲେ। ଏହାପରେ ୧୬ ତାରିଖ ସକାଳେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ।
ଏନେଇ ମେଡିକାଲ ପକ୍ଷରୁ ବୈଦ୍ୟନାଥପୁର ପୁଲିସ୍‌କୁ ସୂଚନା ଦିଆଯାଇଥିଲା। ଏହାପରେ ଗରୀବବନ୍ଧୁଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା। ବ୍ୟବଚ୍ଛେଦ ରିପୋର୍ଟରୁ ଗରୀବବନ୍ଧୁଙ୍କ ପଞ୍ଜରା ହାଡ଼ ଭାଙ୍ଗିଥିବା ବେଳେ ଶରୀରର ଏକାଧିକ ସ୍ଥାନରେ କ୍ଷତ ଚିହ୍ନ ଥିବା ଜଣାପଡ଼ିଥିଲା। ତେଣୁ ଏହା ଏକ ହତ୍ୟା ମାମଲା ବୋଲି ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା।
ଏହାକୁ ଆଧାର କରି ବୈଦ୍ୟନାଥପୁର ଥାନା ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ ଆରମ୍ଭ କରି ଗରୀବବନ୍ଧୁଙ୍କ ଘରେ ପହଞ୍ଚିଥିଲେ। ସେଠାରେ ଯାହା ଦେଖିଥିଲେ ସେମାନେ ଚକିତ ରହି ଯାଇଥିଲେ। ଘରର ଜିନିଷ ଛିନଛତ୍ର ହୋଇ ପଡ଼ିଥିବା ବେଳେ ରକ୍ତ ଛିଟା କାନ୍ଥ ସମେତ ଘରର ଛାତରେ ଲାଗିଥିବା ଦେଖିବାକୁ ମିଳିଥିଲା। ତେଣୁ କିପରି ଅତି ବୀଭତ୍ସ ଭାବେ ଗରୀବବନ୍ଧୁଙ୍କୁ ହତ୍ୟା କରାଯାଇଛି ତାହା ଏଥିରୁ ସ୍ପଷ୍ଟ ହେଉଛି।
ପୁଲିସ୍ ଛାନଭିନ କରିବା ସହ ସନ୍ଦୀପ ଓ ଶ୍ରୀୟାଙ୍କୁ ପଚରାଉଚରା କରିବାରୁ ସେମାନେ ସବୁ ସତ କଥା ମାନିବା ସହ ନିଜ ଦୋଷ ସ୍ୱୀକାର କରିଥିଲେ। ଏହି ଘଟଣାରେ ପୁଲିସ୍ ମାମଲା ରୁଜୁ କରି ଉଭୟଙ୍କୁ ବାନ୍ଧି କୋର୍ଟଚାଲାଣ କରିଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031