Indus Valley Times

କୁମ୍ଭକାର ସମାଜ ତରଫରୁ ବାଲ୍ୟବିବାହ ଉଚ୍ଛେଦ ସଚେତନତା କାର୍ଯ୍ୟକ୍ରମ

 Breaking News

କୁମ୍ଭକାର ସମାଜ ତରଫରୁ ବାଲ୍ୟବିବାହ ଉଚ୍ଛେଦ ସଚେତନତା କାର୍ଯ୍ୟକ୍ରମ

କୁମ୍ଭକାର ସମାଜ ତରଫରୁ ବାଲ୍ୟବିବାହ ଉଚ୍ଛେଦ ସଚେତନତା କାର୍ଯ୍ୟକ୍ରମ
June 09
20:32 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୯/୬ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ବଡ଼ିମୁଣ୍ଡା ଗ୍ରାମରେ ଏକ ବାଲ୍ୟ ବିବାହ ଉଚ୍ଛେଦ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହାକୁ ହଦଗଡ଼ ମଣ୍ଡଳ ର ସଭାପତି ମାନସ ରଞ୍ଜନ ପାତ୍ର ଙ୍କ ତତ୍ଵାବଧାନରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ୟୁନିସେଫ ଭୁବନେଶ୍ୱର ରୁ ଆସିଥବା ଘାସିରାମ ପଣ୍ଡା, ସମ୍ମାନିତ ଅତିଥି ଭାବେ ସୁରକ୍ଷା ଅଧିକାରିଣୀ ସରୋଜଲତା ଦେଇ , ଫୁଲବାଣୀ ମହିଳା ସହଯୋଗ କେନ୍ଦ୍ର ରୁ ଆସିଥିବା କଳ୍ପନା ମହାନ୍ତି, ଜିଲ୍ଲା ସମ୍ପାଦକ ସୁବଳ ରଣା, ସାମ୍ବାଦିକ ବାଳକୃଷ୍ଣ କହଁର , କୋଷାଧକ୍ଷ ଗୋକୁଳ ଚନ୍ଦ୍ର ବେହେରା , ମଣ୍ଡଳ ସଭାପତି ମାନସ ରଞ୍ଜନ ପାତ୍ର, ମଣ୍ଡଳ ସମ୍ପାଦକ ବାବୁଲା ଦଳବେହେରା , ସମୀକ୍ଷକ ଜୟନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
ଉକ୍ତ କାର୍ଯ୍ୟକ୍ରମ ରେ ବାଲ୍ୟ ବିବାହ ରୋକିବା ଓ ବାଲ୍ୟ ବିବାହ କରିବା ଦ୍ଵାରା ସମାଜର କଣ କ୍ଷତି ହୁଏ ଏବଂ କିଶୋରୀ ବାଳିକା ମାନେ ବାଲ୍ୟ ବିବାହ ନ କରିବା ପାଇଁ ଶପଥ ପାଠ କରାଯିବା ସହ ଶିକ୍ଷା ର ଉନ୍ନତି, ପାରିବାରିକ ହିଂସା, ମହିଳା ମାନଙ୍କ ର ସମସ୍ୟା ସାମାଜିକ ସୁରକ୍ଷା ସୁଧାର ଗୃହ ଆବଶ୍ୟକତା ଉପରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ହଦଗଡ଼ ମଣ୍ଡଳ ର ସମସ୍ତ କର୍ମ କର୍ତ୍ତା କୁଳ ଅଧିପତି ପୁରୁଷ ଓ ମହିଳା ସଭ୍ୟ ସଭ୍ୟା ଉପସ୍ଥିତ ରହିଥିଲେ ଏବଂ ଦଶମ ଓ ଦ୍ଵାଦଶ ଉତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ସହ ପୁରସ୍କାର ଦିଆଯାଇଥିଲା ।
ଏଥି ସହ ଚଳିତ ବର୍ଷ ର ଆୟ ବ୍ୟୟ ହିସାବ କରାଯିବା ସହ କୋଷାଧକ୍ଷ ଗୋକୁଳ ଚନ୍ଦ୍ର ବେହେରା ସମସ୍ତ ଙ୍କୁ ଶୁଣାଇଥିଲେ । ଜିଲ୍ଲା ସମ୍ପାଦକ ସୁବଳ ରଣା ବୈଠକ ରେ ସମାଜର ବିକାଶ ଓ ଚାକିରୀ କ୍ଷେତ୍ରରେ ଛାତ୍ର ଛାତ୍ରୀ ମାନଙ୍କୁ ସଂରକ୍ଷଣ ଦାବି ବିଷୟରେ ବୁଝାଇ ଥିଲେ ।
ଉକ୍ତ ବୈଠକ ରେ ଅତିଥି ମାନେ କୁମ୍ଭାର ଜାତି ର ସମସ୍ତ ଙ୍କୁ ଦେଇଥିବା ପରାମର୍ଶ ଗୁଡିକ ନିଶ୍ଚିତ ଭାବରେ ଆଗାମି ଦିନରେ ପ୍ରଭାବ ପକାଇବ ବୋଲି ହଦଗଡ଼ ମଣ୍ଡଳ ଉପସଭାପତି ଆମ୍ବୁଜ ବେହେରା, କେନ୍ଦ୍ର ର ମହିଳା ସଭ୍ୟା ଶ୍ରୀମତୀ ସୁମିତ୍ରା ବେହେରା ପ୍ରମୁଖ ମତ ରଖିଥିଲେ । ଶେଷରେ ମଣ୍ଡଳ ସମ୍ପାଦକ ବାବୁଲା ଦଳବେହେରା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ପଣସ ବୋଝେଇ ପିକଅପ୍ ଭ୍ୟାନ୍ ଧକ୍କାରେ ବାପା ପୁଅଙ୍କ ମୃତ : ପ୍ରତିବାଦରେ ମେଡିକାଲ ଆଗରେ ସମ୍ପର୍କୀୟଙ୍କ ରାସ୍ତା ଅବରୋଧ: ପ୍ରତିଶୃତି ପରେ ହଟିଲା
ବାଲିଗୁଡ଼ା, ୯/୬ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅର୍ନ୍ତଗତ ରୁତୁଙ୍ଗିଆ ପଞ୍ଚାୟତର ସିରିସପାଙ୍ଗା ଗ୍ରାମର ବାପା ହେମ କହଁର ଓ ପୁଅ ନିଳମଣି କହଁର ଖମନ ଖୋଲ ଅଞ୍ଚଳକୁ କାମ କରିବାକୁ ଯାଇଥିଲେ ।
ରବିବାର ଉଭୟ ବାପା ପୁଅ ନିଜ ମଟର ସାଇକେଲରେ ଘରକୁ ଫେରିବା ସମୟରେ ସୁଡ୍ରା ପଞ୍ଚାୟତର ଗାଲିଗୁରା ଗାଁ ନିକଟରେ ଏକ ପଣସ ବୋଝେଇ ପିକଅପ୍ ଭ୍ୟାନ ସହ ମଟର ସାଇକେଲ ମୁହାଁମୁହିଁ ଧକ୍କା ହୋଇଥିଲା ।
ଫଳରେ ବାପା ପୁଅ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ପିକଅପ୍ ଭ୍ୟାନକୁ ଅଟକ ରଖିବା ସହ ପୁଲିସକୁ ଜଣାଇଥିଲେ । ଉଭୟ ଗୁରୁତରଙ୍କୁ ବାଲିଗୁଡ଼ା ମେଡିକାଲକୁ ଚିକିତ୍ସା ପାଇଁ ପଠାଇଥିଲେ । ବାପା ହେମ କହଁରକୁ ଡାକ୍ତର ମୃତ ଘୋଷଣା କରିଥିଲେ ଓ ପୁଅ ନୀଳମଣିକୁ ଅଧିକ ଚିକିତ୍ସା ଲାଗି ଫୁଲବାଣୀ ମେଡିକାଲକୁ ପଠାଇଥିଲେ । କିନ୍ତୁ, ଅଧା ବାଟରେ ନୀଳମଣିଙ୍କର ମୃତ୍ୟୁ ହୋଇଥିଲା । ଏ ଘଟଣାର ପ୍ରତିବାଦରେ ସୋମବାର ବାଲିଗୁଡ଼ା ଉପଖଣ୍ଡ ମେଡିକାଲ ସମ୍ମୁଖରେ ମୃତକଙ୍କ ସମ୍ପର୍କୀୟ ୫ ଲକ୍ଷ ଦାବି କରି ରାସ୍ତା ଅବରୋଧ କରିଥିଲେ । ସ୍ଥାନୀୟ ତହସିଲଦାର ଦୀପ୍ତି ପ୍ରକାଶ ବେହେରା ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ବୁଝାସୁଝା କରିବା ପରେ ଏକ ଘଣ୍ଟା ଧରି ଚାଲିଥିବା ରାସ୍ତା ରୋକରୁ ସମ୍ପର୍କୀୟଙ୍କୁ ହଟାଇବା ସହ ଦାବି ଅନୁଯାୟୀ କ୍ଷତି ପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ବସୁଧା ଯୋଜନା କାର୍ଯ୍ୟ ଅଧପନ୍ତରିଆ: ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ଦୁଇ ଗ୍ରାମବାସୀ
ବାଲିଗୁଡା, ୯/୬: ଗ୍ରୀଷ୍ମ ପ୍ରବାହ ଜାରୀ ରହିଥିବା ବେଳେ ଦେଖା ଦେଇଛି ଘୋର ପାନୀୟ ଜଳ ସମସ୍ୟା । ଦାରିଙ୍ଗବାଡି ବ୍ଲକ ତାଜୁଙ୍ଗିଆ ପଞ୍ଚାୟତ ଅଧୀନ କଲିଙ୍ଗ ଓ ସୁଲୁମାହା ଗ୍ରାମରେ ଦେଖା ଦେଇଛି ପାନୀୟ ଜଳ ସଙ୍କଟ ।
କଲିଙ୍ଗ ଗ୍ରାମରେ ୧୭୦ ପରିବାର ବସବାସ କରୁଥିବା ବେଳେ ଓ ସୁଲୁମାହା ଗ୍ରାମରେ ୧୫୦ ପରିବାର ବସବାସ କରନ୍ତି । କଲିଙ୍ଗ ଗ୍ରାମରେ ୨ ଗୋଟି ନଳକୂପ ରହିଛି । ଗୋଟିଏ ନଳକୂପ ରୁ ଗୋଳି ପାଣି ବାହାରୁ ଥିବା ବେଳେ ଅନ୍ୟ ନଳକୂପ ରୁ ଭଲ ପାଣି ବାହାରୁଛି।
ଫଳରେ ଗୋଟିଏ ନଳକୂପ ଉପରେ ୧୭୦ ପରିବାର ଦିନ ରାତି ଅପେକ୍ଷା କରି ପାଣି ନେଉଛନ୍ତି । ଯେତେବେଳେ ଦେଖିବ ନଳକୂପରେ ଲମ୍ବା ଲାଇନ ଥାଇ ମହିଳାଙ୍କ ଭିଡ ଜମି ଥାଉଛି । ସେହିପରି ସୁଲୁମାହା ଗ୍ରାମରେ ୨ ଟି ନଳକୁପ ରହିଥିବା ବେଳେ ୨ ଟି ରୁ କଳଙ୍କି ଯୁକ୍ତ ପାଣି ବାହାରୁଛି ।
ଫଳରେ ଉକ୍ତ ପାଣି କୁ ପିଇବା ପାଇଁ ବ୍ୟବହାର କରିବା ସମ୍ଭବ ହେଉ ନାହିଁ । ଫଳରେ ଲୋକେ ବିଲ ମାଳରେ ଚୁଆଁ ଖୋଳି ଜୀବ ଜନ୍ତୁ ପିଉଥିବା ପାଣି କୁ ବାଧ୍ୟ ହୋଇ ବ୍ୟବହାର କରୁଛନ୍ତି । ଅନ୍ୟ ପଟେ ଉକ୍ତ ୨ ଟି ଗ୍ରାମ ପାଇଁ ବସୁଧା ଯୋଜନା ହୋଇଥିବା ବେଳେ ଆଜି ପର‌୍ୟ୍ୟନ୍ତ କାମ ଅଧପନ୍ତରିଆ ହୋଇ ପଡ଼ି ରହିଛି ।
ବର୍ଷ ବର୍ଷ ସମୟ ବିତି ଯାଉଥିଲେ ସୁଦ୍ଧା କାର‌୍ୟ୍ୟ ଶେଷ ହେଉ ନାହିଁ । ଫଳରେ ପାଣି ଟିକିଏ ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲୋକେ ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ପର‌୍ୟ୍ୟନ୍ତ ଅଭିଯୋଗ କରିଥିଲେ ସୁଦ୍ଧା ଶୁଣିବାକୁ କେହି ନାହିଁ ।
ଅଭିଯୋଗ କରି ବର୍ଷ ବର୍ଷ ବିତି ଯାଉଛି ହେଲେ ସମସ୍ୟା ର ସମାଧାନ ହେଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏ ସମସ୍ୟା ଆଜିର ନୁହଁ କି କାଲିର ନୁହଁ ବର୍ଷ ବର୍ଷ ଧରି ଚାଲିଥିଲେ ବି କୌଣସି ନେତା ହୁଅନ୍ତୁ ଅବା ଅଧିକାରୀ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରୁନଥିବା ଯୋଗୁଁ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିବା ସହ ଯଥା ଶୀଘ୍ର ପାନୀୟ ଜଳ ସମସ୍ୟା କୁ ଦୂର କରିବାକୁ ଦାବି କରିଛନ୍ତି ।
ଡାବୁଲୁମାହା ଘାଟିରେ ଅଟୋ ଦୁର୍ଘଟଣାଗ୍ରସ୍ତ: ଗୁରୁତର ବୃଦ୍ଧଙ୍କୁ ଛାଡି ଚାଳକ ଫେରାର
ବାଲିଗୁଡା, ୯/୬ : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ଦେଇ ଯାଇଥିବା ୫୯ନଂ ଜାତୀୟ ରାଜପଥର ଡାବୁଲୁମାହା ଘାଟିର ବୁଲାଣି ରାସ୍ତାରେ ଏକ ଅଜଣା ଅଟୋ ଦୁର୍ଘଟଣାଗ୍ରସ୍ତରେ ଜଣେ ଷାଠିଏ ବର୍ଷର ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ଆହତ ବୃଦ୍ଧ ହେଲେ ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ଗ୍ରାମ ବାଲେଶ୍ୱର କହଁର ବୋଲି ଜଣାପଡିଛି।
ପ୍ରକାଶ ଯେ, ବୃଦ୍ଧଙ୍କ ସ୍ବାସ୍ଥ୍ୟ ଖରାପ ରହିଥିବାରୁ ସେ ପବିଙ୍ଗିଆରୁ ଏକ ଅଟୋକୁ ଭଡାସୁତ୍ର ରେ ଦାରିଙ୍ଗବାଡି କୌଣସି ଗାଁ ବୈଦ୍ୟ ନିକଟକୁ ଚିକିତ୍ସା ପାଇଁ ଆସିଥିଲେ। ସେଠାରେ ନିଜର ଚିକିତ୍ସା କରାଇ ପୁଣି ନିଜ ଗାଁକୁ ଉକ୍ତ ଅଟୋରେ ଫେରୁଥିଲେ।
ତେବେ ଅଟୋଟି ଦ୍ରୁତ ଗତିରେ ଯାଉଥିବାବେଳେ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା। ତେବେ ରାଜପଥରେ ଯାତାୟାତ କରୁଥିବା ଯାତ୍ରୀମାନେ ଅଟୋକୁ ଉଠାଇ ଠିଆ କରିବା ସହ ପୋଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ।
ହେଲେ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚିଲା ବେଳେ ଅଟୋଟି ଗୁରୁତର ରୋଗୀଙ୍କୁ ଛାଡି ଫେରାର ହୋଇଗଲା। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ପୋଲିସ ପହଞ୍ଚି ଗୁରୁତର ବାଲେଶ୍ୱରଙ୍କୁ ପ୍ରଥମେ ସିମନବାଡି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା ପରେ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଧିକ ଚିକିତ୍ସା ପାଇଁ ନିଆଯାଇଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031