Indus Valley Times

କେନ୍ଦୁଝର ଜିଲ୍ଲାରେ ଇଣ୍ଟରନେଟ୍ ସେବା ବ୍ୟାହତ: ଡିଜିଟାଲ କାରବାର ସମ୍ପୂର୍ଣ୍ଣ ଠପ୍‌, ଏଟିଏମ୍ ଅଚଳ

 Breaking News

କେନ୍ଦୁଝର ଜିଲ୍ଲାରେ ଇଣ୍ଟରନେଟ୍ ସେବା ବ୍ୟାହତ: ଡିଜିଟାଲ କାରବାର ସମ୍ପୂର୍ଣ୍ଣ ଠପ୍‌, ଏଟିଏମ୍ ଅଚଳ

କେନ୍ଦୁଝର ଜିଲ୍ଲାରେ ଇଣ୍ଟରନେଟ୍ ସେବା ବ୍ୟାହତ: ଡିଜିଟାଲ କାରବାର ସମ୍ପୂର୍ଣ୍ଣ ଠପ୍‌, ଏଟିଏମ୍ ଅଚଳ
April 13
20:39 2022

କେନ୍ଦୁଝର,୧୩/୪: ଯୋଡ଼ାରେ ରାମନବମୀ ଶୋଭାଯାତ୍ରାରେ ହିଂସାକାଣ୍ଡ ଓ ୧୪୪ ଧାରା ଜାରି ପରେ କେନ୍ଦୁଝର ଜିଲ୍ଲାବ୍ୟାପୀ ଇଣ୍ଟରନେଟ ସେବାକୁ ଦ୍ବିତୀୟଦିନ ପାଇଁ ବନ୍ଦ କରିଦିଆଯାଇଛି। ଫଳରେ ଦ୍ବିତୀୟ ଦିନ ପାଇଁ ଡିଜିଟାଲ କାରବାର ଠପ୍ ହୋଇଯାଇଛି।
ସ୍ମାର୍ଟଫୋନ ବ୍ୟବହାରରେ ଅଭ୍ୟସ୍ତ ତଥା ଡିଜିଟାଲ କାରବାର କରୁଥିବା ଲୋକମାନେ ଏହାକୁ ନେଇ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବ୍ୟାଙ୍କ କାରବାର ଠପ୍ ହୋଇଯାଇଛି। ଏଟିଏମ୍ କାଉଣ୍ଟର ଅଚଳ। ଇଣ୍ଟରନେଟ ଉପରେ ନିର୍ଭରଶୀଳ ଜନସେବା କେନ୍ଦ୍ରଗୁଡ଼ିକ କୌଣସି କାମ କରିପାରି ନାହାନ୍ତି। ଟଙ୍କା ନେଣଦେଣଠାରୁ ଆରମ୍ଭ କରି ଆଫିସକ କାମ ସବୁ ପ୍ରଭାବିତ ହୋଇଛି। ଜିଲ୍ଲାବାସୀ କେବେ ଏଭଳି ପରିସ୍ଥିତିର ସାମ୍ନା କରି ନଥିଲେ ବୋଲି ପ୍ରକାଶ କରିଛନ୍ତି।
ଇଣ୍ଟରନେଟ ସେବା ଜନଜୀବନର ଅଂଶ ହୋଇଯାଇଛି। ସେବା ବନ୍ଦ ଯୋଗୁଁ କୋଟିକୋଟି ଟଙ୍କାର କାରବାର ବନ୍ଦ ହୋଇଯାଇଛି। ସହରାଞ୍ଚଳଠାରୁ ଆରମ୍ଭ କରି ଗାଁ ଗହଳିର ଛୋଟ ଦୋକାନରେ ମଧ୍ୟ ଫୋନପେ ସ୍କାନର ମାଧ୍ୟମରେ ଲୋକେ କିଣାକିଣି କରୁଥିଲେ। ଏମିତିକି ଅସ୍ଥାୟୀ ତରଭୁଜ ଦୋକାନୀ, ଫଳ ଦୋକାନୀ, ଲସି ବେପାର ଏବଂ ଗୁପ୍ଚୁପ୍ ଠେଲାଗାଡ଼ି ବ୍ୟବସାୟୀ ମଧ୍ୟ ଫୋନ ପେ, ଗୁଗୁଲପେ ଆଦି ପେମେଣ୍ଟଆପ୍କୁ ଆଦରି ନେଇ ଡିଜିଟାଲ କାରବାର ମୁହାଁ ହୋଇଥିଲେ। ନଗଦ ବ୍ୟବହାର କମାଇ ଡିଜିଟାଲ ନେଣଦେଣ କରୁଥିବା ଯୁବପିଢ଼ି ବିଶେଷ ସମସ୍ୟାରେ ପଡ଼ିଛନ୍ତି।
ତେବେ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳର ଲୋକମାନେ ପଡ଼ୋଶୀ ଜିଲ୍ଲା ପାର୍ଶ୍ବକୁ ଯାଇ ଇଣ୍ଟରନେଟ ସେବା ପରେ ଆବଶ୍ୟକ କାମ କରିନେଉଥିବା ମଧ୍ୟ ଦେଖାଯାଇଥିଲା। ଚମ୍ପୁଆ ଓ ଯୋଡ଼ା, ବଡ଼ବିଲ ଅଞ୍ଚଳର ଲୋକମାନେ ଝାଡ଼ଖଣ୍ଡ ସୀମାରୁ ଇଣ୍ଟରନେଟ ସୁବିଧା ନେଇ କାମ କରିଥିବା ଖବର ମିଳିଛି। ସେହିପରି ଘସିପୁରା ଅଞ୍ଚଳର ଲୋକେ ଯାଜପୁର ସୀମାରେ ହାଟଡିହିର ଲୋକେ ଭଦ୍ରକ ସୀମାରୁ ଇଣ୍ଟରନେଟ ସେବା ପାଇବାକୁ ଚେଷ୍ଟା କରିଥିଲେ। ମୋଟାମୋଟି ଭାବେ ଜିଲ୍ଲାବାସୀ ବିଶେଷକରି ଡିଜିଟାଲ ସେବାକୁ ଆପଣାଇଥିବା ଯୁବପିଢ଼ି ଇଣ୍ଟରନେଟ ନପାଇ ଅସନ୍ତୋଷ ପ୍ରକାଶ କରୁଥିବା ଦେଖାଯାଇଛି। ୟୁଟ୍ୟୁବ୍, ଇନ୍ଷ୍ଟାଗ୍ରାମ୍ ଆଦି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବିଚରଣ କରୁଥିବା ବ୍ୟକ୍ତିବିଶେଷ ହାତବାନ୍ଧି ବସିବାକୁ ବାଧ୍ୟ ହୋଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031