Indus Valley Times

ଗଜପତି : ମକର ସଂକ୍ରାନ୍ତି ପାଳନ ଅବସରରେ ଏକ ଦିବସୀୟ ପାଠଚକ୍ର ଓ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ପାଳିତ

 Breaking News

ଗଜପତି : ମକର ସଂକ୍ରାନ୍ତି ପାଳନ ଅବସରରେ ଏକ ଦିବସୀୟ ପାଠଚକ୍ର ଓ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ପାଳିତ

ଗଜପତି : ମକର ସଂକ୍ରାନ୍ତି ପାଳନ ଅବସରରେ ଏକ ଦିବସୀୟ ପାଠଚକ୍ର ଓ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ପାଳିତ
January 14
22:26 2026

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୪/୧ : ସୂର୍ଯ୍ୟ ଯେତେ ବେଳେ ଉତ୍ତରାୟଣ ପଥେ ଅଗ୍ରସର , ପ୍ରକୃତି ଯେତେବେଳେ ନବ ଆଲୋକ ଓ ନବ ଆଶାର ସନ୍ଦେଶ ନେଇ ମନୁଷ୍ୟ ମନକୁ ସ୍ପର୍ଶ କରେ , ସେହି ପବିତ୍ର ମୁହୂର୍ତ୍ତକୁ ସାକ୍ଷୀ ରଖି ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ଅମର ଐତିହ୍ୟକୁ ସ୍ମରଣ କରି ଏକ ଅର୍ଥାବହ ଓ ଭାବବହୁଳ ଆୟୋଜନ ଆଜି ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଏବଂ ଆନ୍ତଃ ଗୁଣବତ୍ତା ଆଶ୍ୱାସନା ପ୍ରକୋଷ୍ଠ (ଆଇ.କ୍ୟୁ.ଏ.ସି.)ର ମିଳିତ ଆନୁକୂଲ୍ୟରେ ଏକ ଦିବସୀୟ ପାଠଚକ୍ର ସହ ମକର ସଂକ୍ରାନ୍ତି ଉତ୍ସବ ଓ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜନ୍ମଜୟନ୍ତୀ ଗରିମାମୟ ଓ ସମାରୋହପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି ।
ଏହି ଉପଲକ୍ଷେ “କଥା ସମ୍ରାଟ ଫକୀର ମୋହନ ସେନାପତି: ଏକ ତାତ୍ତ୍ୱିକ ଅନୁଶୀଳନ” ଶୀର୍ଷକ ଏକ ଗଭୀର ଚିନ୍ତନମୂଳକ ପାଠଚକ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରାଧାକାନ୍ତ ଭୂୟାଁ ।
ଏହି ଅବସରରେ ସେ ତାଙ୍କ ବକ୍ତବ୍ୟରେ ଫକୀର ମୋହନ’ଙ୍କୁ ଓଡ଼ିଆ ସାହିତ୍ୟର ଆଧୁନିକତାର ପଥ-ପ୍ରଦର୍ଶକ ଭାବେ ସ୍ମରଣ କରିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଗବେଷକ ଓ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଫକୀର ମୋହନ’ଙ୍କ ସାହିତ୍ୟକୁ ସମାଜର ବାସ୍ତବ ଚିତ୍ର ଓ ସାମାଜିକ ସଚେତନତାର ସଜୀବ ଦର୍ପଣ ଭାବେ ବ୍ୟାଖ୍ୟା କରିଥିଲେ।
ସେହିଭଳି ମୁଖ୍ୟ ବକ୍ତା ଭାବେ ଚିକିଟି ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଶ୍ରୀ ପ୍ରକାଶ ବେହେରା ଯୋଗ ଦେଇ ଫକୀର ମୋହନଙ୍କ ସାହିତ୍ୟର ତାତ୍ତ୍ୱିକ ମୂଲ୍ୟବୋଧ , ବାସ୍ତବବାଦୀ ଦୃଷ୍ଟିକୋଣ ଓ ସମକାଳୀନ ପ୍ରସଙ୍ଗିକତା ଉପରେ ନିଜର ଗଭୀର ଓ ଗବେଷଣାତ୍ମକ ପ୍ରବନ୍ଧ ଉପସ୍ଥାପନ କରି ଉପସ୍ଥିତ ଶ୍ରୋତା ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ସମ୍ମାନିତ ଅତିଥି ଭାବେ ଆଇ.କ୍ୟୁ.ଏ.ସି.ର ନିର୍ଦ୍ଦେଶକ ଓ ସଂସ୍କୃତ ବିଭାଗର ମୁଖ୍ୟ ଡ଼. ବିଘ୍ନେଶ୍ୱର ମିଶ୍ର ଏବଂ ସ୍ନାତକ ମହିଳା ମହାବିଦ୍ୟାଳୟର ଶିକ୍ଷା ବିଭାଗ ଅଧ୍ୟାପିକା ଡ଼. କଲ୍ୟାଣୀ ମିଶ୍ର ଉପସ୍ଥିତ ରହି କାର‌୍ୟ୍ୟକ୍ରମକୁ ଅଧିକ ଗରିମାମୟ କରିଥିଲେ।
କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ଓଡ଼ିଆ ବିଭାଗର ମୁଖ୍ୟ ଡ: ବିପ୍ଳବ ରଞ୍ଜନ ପ୍ରଧାନ ସ୍ଵାଗତ ଅଭିଭାଷଣ ପ୍ରଦାନ କରି ଫକୀର ମୋହନଙ୍କ ସାହିତ୍ୟିକ ଉତ୍ତରାଧିକାର ଓ ପାଠଚକ୍ରର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।
ସହକାରୀ ପ୍ରଫେସର ଡ଼: ଚାରୁପ୍ରଭା ନାୟକ ମଞ୍ଚାସୀନ ରହିଥିବା ବେଳେ ସୁସାହିତ୍ୟିକ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା ବ୍ୟାସକବିଙ୍କ ସାହିତ୍ୟିକ ଅବଦାନ ଉପରେ ସଂକ୍ଷିପ୍ତ କିନ୍ତୁ ଗଭୀର ଆଲୋଚନା କରିଥିଲେ।
କାର୍ଯ୍ୟକ୍ରମର ସର୍ବାଧିକ ଆକର୍ଷଣ ଥିଲା ଓଡ଼ିଆ ବିଭାଗର ଛାତ୍ର–ଛାତ୍ରୀମାନଙ୍କ ଦ୍ୱାରା ବ୍ୟାସକବିଙ୍କ ଅମର କ୍ଷୁଦ୍ରଗଳ୍ପ ‘ଡାକମୁନସି’ର ଭାବପ୍ରବଣ ନାଟ୍ୟ-ରୂପାନ୍ତର। ସୁଶ୍ରୀ କଲ୍ୟାଣୀ ସ୍ୱାଇଁଙ୍କ ନିର୍ଦ୍ଦେଶନା ଓ ଦୀପ୍ତିମୟୀ ସାହୁ\’ଙ୍କ ସହଯୋଗରେ ମଞ୍ଚସ୍ଥ ଏହି ନାଟକ ଦର୍ଶକମାନଙ୍କ ମନକୁ ଗଭୀର ଭାବେ ସ୍ପର୍ଶ କରିଥିଲା।
ୟ ସୁଧାଂଶୁଶେଖର ନାୟକ , ଭାଗ୍ୟଶ୍ରୀ ବେହେରା , ବିଶ୍ୱଜିତ ମହାପାତ୍ର ସମେତ ଅନ୍ୟାନ୍ୟ ଛାତ୍ର–ଛାତ୍ରୀଙ୍କ ଅଭିନୟ ବିଶେଷ ପ୍ରଶଂସନୀୟ ହୋଇଥିଲା। ଏହି ନାଟକଟି ଡ଼: ବିପ୍ଳବ ରଞ୍ଜନ ପ୍ରଧାନଙ୍କ ତତ୍ତ୍ୱାବଧାନରେ ମଞ୍ଚସ୍ଥ ହୋଇଥିଲା।
କାର୍ଯ୍ୟକ୍ରମର ସଂଯୋଜନା ଓ ମଞ୍ଚ ପରିଚାଳନା ସୁଶ୍ରୀ ସ୍ନେହା ବେହେରା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଓଡ଼ିଆ ବିଭାଗର ଅଧ୍ୟାପକ ଶ୍ରୀ ଚନ୍ଦନ ବିଶ୍ୱକର୍ମା।
ପରିଶେଷରେ ମକର ସଂକ୍ରାନ୍ତି ଉପଲକ୍ଷେ ପବିତ୍ର ମକର ଚାଉଳ ପ୍ରସାଦ ଉପସ୍ଥିତ ଥିବା ସମସ୍ତଙ୍କୁ ବଣ୍ଟନ କରା ଯାଇଥିଲା। ଓଡ଼ିଆ ବିଭାଗର ଅଧ୍ୟାପକ ଶ୍ରୀ ଅର୍ଜୁନ ଜେନା , ଶ୍ରୀ ରାମକୃଷ୍ଣ ପଟ୍ଟନାୟକ ଅଧ୍ୟାପିକା ସ୍ଵର୍ଣ୍ଣଲତା ପଣ୍ଡା , ସୋନାଲି ପଟ୍ଟନାୟକ , ୠତୁମତି ରଇତ ସହ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା , ଅଧ୍ୟାପକ , କର୍ମଚାରୀ ଓ ଛାତ୍ର–ଛାତ୍ରୀ ମାନଙ୍କ ସହଯୋଗରେ କାର‌୍ୟ୍ୟକ୍ରମଟି ସଫଳ ଓ ସ୍ମରଣୀୟ ଭାବେ ସମ୍ପନ୍ନ ହୋଇଥିଲା।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031