Indus Valley Times

ଗଞ୍ଜେଇ ମାଫିଆଙ୍କ ନିଦ ହଜେଇ ଦେଇଛି ସୋନପୁର ପୋଲିସ;ଚୋରା ଚାଲାଣକାରିଙ୍କ ମଧ୍ୟରେ କୋକୁଆ ଭୟ

 Breaking News

ଗଞ୍ଜେଇ ମାଫିଆଙ୍କ ନିଦ ହଜେଇ ଦେଇଛି ସୋନପୁର ପୋଲିସ;ଚୋରା ଚାଲାଣକାରିଙ୍କ ମଧ୍ୟରେ କୋକୁଆ ଭୟ

ଗଞ୍ଜେଇ ମାଫିଆଙ୍କ ନିଦ ହଜେଇ ଦେଇଛି ସୋନପୁର ପୋଲିସ;ଚୋରା ଚାଲାଣକାରିଙ୍କ ମଧ୍ୟରେ କୋକୁଆ ଭୟ
July 20
20:42 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର/ସୋନପୁର, ୨୦/୭: ବର୍ଷବର୍ଷ ଧରି କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରୁ ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲା ଦେଇ ଝାଡ଼ଖଣ୍ଡ,ଛତିଶଗଡ,ପଶ୍ଚିମବଙ୍ଗ,ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ,ବିହାର,ଦିଲ୍ଲୀ,ମୁମ୍ବାଇ ଓ ଅନ୍ୟାନ୍ୟ ବାହାର ରାଜ୍ୟକୁ ନିୟମିତ କୋଟି କୋଟି ଟଙ୍କାର ଗଞ୍ଜେଇ ଚୋରା ଚାଲାଣ ଜାରୀ ରହିଛି।ମଝିରେ ମଝିରେ ଅବକାରୀ ବିଭାଗ ଧରପଗଡ କରୁଥିଲେ ମଧ୍ୟ ଏହା କମୁନାହିଁ।
ଏହାର ଧରପଗଡ ବା ନିୟନ୍ତ୍ରଣ ଦିଗରେ ଅବକାରୀ ବିଭାଗ ଅଳ୍ପ ପରିମାଣର ଚୋରା ଗଞ୍ଜେଇ ଧରପଗଡ କରି କର୍ତ୍ତବ୍ୟ ସମ୍ପାଦନ କରୁଛି। ଏହି ବିଭାଗ ଚୋରା ଗଞ୍ଜେଇ ଚାଲାଣ ଉପରେ ସେତେଟା ଗୁରୁତ୍ବ ଦେଲା ପରି ମନେ ହେଉ ନ ଥିଲା ବେଳେ ପୁଲିସ ହିଁ ଏହାର ଧରପଗଡରେ ମୁଖ୍ୟଅଂଶ ନିର୍ବାହ କରୁଥିବା ପରିଲକ୍ଷିତ ହୁଏ।
ଅବଶ୍ୟ ଜିଲ୍ଲା ଅବକାରୀ ବିଭାଗରେ କର୍ମଚାରୀ ଅଭାବ,ଗାଡିମଟର ଓ ଇନ୍ଧନ ଇତ୍ୟାଦିର ସାଧନ ଅଭାବ ଓ ସଚ୍ଚୋଟ ତଥା ଦକ୍ଷ ଅଫିସର ଓ ଇଚ୍ଛାଶକ୍ତିର ଅଭାବ ସହିତ ବିଭିନ୍ନ ପ୍ରତିବନ୍ଧକ ରହିଛି।
ସର୍ବୋପରି ଉଭୟ ଅବକାରୀ ଓ ପୁଲିସର କେତେକ ଲାଞ୍ଚୁଆ ଅଧିକାରୀ-କର୍ମଚାରୀଙ୍କ ଯୋଗୁଁ ଏହାର ସମୁଚିତ ଧରପଗଡ ଓ ତଦନ୍ତ ବାଧାପ୍ରାପ୍ତ ହୋଇଆସୁଥିବା ମୁଖ୍ୟ କାରଣ ବୋଲି ଚର୍ଚ୍ଚା ହୁଏ।
ତେବେ ସଂପ୍ରତି ସୁବର୍ଣ୍ଣପୁରରେ ନୂତନ ଏସ୍ ପି ଭାବେ ନାରାୟଣ ନାଏକ ଯୋଗଦେବା ପରେ ଏହି ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣ ବିରୁଦ୍ଧରେ \’ମିଶନ୍ ଗଞ୍ଜେଇ\’ ଅଭିଯାନ ଆରମ୍ଭ କରି ସଫଳତା ହାସଲ କରୁଥିବା ଲକ୍ଷ୍ୟ କରାଯାଇଛି।ଏଠାରେ ତାଙ୍କର ସ୍ବଳ୍ପ କାର୍ଯ୍ୟକାଳ ମଧ୍ୟରେ ଏହି ସ୍ବତନ୍ତ୍ର ଅଭିଯାନରେ କୋଟି କୋଟି ଟଙ୍କାର ଏକାଧିକ ବଡ ଧରପଗଡ ମାମଲା ହୋଇ ସାରିଲାଣି।
ସେ ଏହି ଚୋରାଚାଲାଣ ରେ ଜଡିତ ଆସାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସବୁମାଲ୍ ଜବତ ସହ ବ୍ୟବହୃତ ଯାନବାହନ ଜବତ କରିଛନ୍ତି।
ଚୋରାଚାଲାଣର ପାଇଲଟ୍ ମାନଙ୍କୁ ଧରୁଥିବା ସହ ଏହି ଚୋରାଚାଲାଣର ଆରମ୍ଭ ଓ ଲକ୍ଷ୍ୟସ୍ଥଳ ପର୍ଯ୍ୟନ୍ତ ତଦନ୍ତକୁ ସମ୍ପ୍ରସାରଣ କରିଛନ୍ତି।
ଫଳରେ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ଓ ଜଡିତ ସୂତ୍ରଧର ମାନଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହୋଇଛି।
ତରଭା ପୁଲିସ ଗତ ୧ ତାରିଖରେ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ରିଜ୍ ପାଖରେ ଏକ ପିକଅପ୍ ଭ୍ୟାନ୍ ରୁ ୨୫ ପ୍ୟାକେଟ୍ ଗଞ୍ଜେଇ ଧରିଥିଲେ।
ଏହା କଣ୍ଟାମାଳରୁ ପଶ୍ଚିମବଙ୍ଗାଲ କୁ ଚୋରାଚାଲାଣ ହେଉଥିବା ଚର୍ଚ୍ଚା ହୁଏ।
ପ୍ରାୟ ୬ କୁଇଣ୍ଟାଲ୍ ୧୫ କିଗ୍ରା ଗଞ୍ଜେଇ ଧରି ଥିବା ସୂଚନାରୁ ପ୍ରକାଶ।ଏସ୍ ପିଙ୍କୁ ମିଳିଥିବା ସୂଚନାକ୍ରମେ ତରଭା ଥାନାଧିକାରୀ ଅନୀତା କିଡୋ , ଏସ୍ ଆଇ ରବୀନ୍ଦ୍ର ସାହୁ ଓ ଅନ୍ୟମାନେ ସଦଳବଳେ ଗୋଡାଇ ଗୋଡାଇ ଏହା ଧରିଥିଲେ।ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିବା ପ୍ରକାଶ।
ପୁନଶ୍ଚ ଗତ ୧୭ ତାରିଖରେ ସେହି ତରଭା ଥାନା ଅନ୍ତର୍ଗତ ବୁର୍ଡା-ଅର୍ଜୁନପୁର ରାସ୍ତାର ରାଣୀସର୍ଡା ଛକଠାରେ ମେଣ୍ଡା ଫାଣ୍ଡି ଅଧିକାରୀ ଟଙ୍କଧର ଛତ୍ରିୟାଙ୍କ ନେତୃତ୍ବରେ ପୁଲିସ ଏକ ପିକ୍ ଅପ୍ ଭ୍ୟାନ୍ ରୁ ବଲାଙ୍ଗୀର ଓ ବରଗଡ ଜିଲ୍ଲା ଦେଇ ଛତିଶଗଡ ରାଜ୍ୟ ବାହାରକୁ ଚୋରାଚାଲାଣ ହେଉଥିବା ୯ କୁଇଣ୍ଟାଲ ୩୫ କିଗ୍ରା ଗଞ୍ଜେଇ ଧରିଥିବା ସହ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଆଉ ୩ ଜଣ ଫେରାର୍ ହୋଇଯାଇଥିବା ପ୍ରକାଶ।ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୫ କୋଟିରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଏ।
ଏହାସହିତ ବୀରମହାରାଜପୁର ଓ ସୋନପୁର ଥାନାର ପୁଲିସ,ବିଭିନ୍ନ ଯାନ ବାହନ ରେ ଅଭିନବ ଭାବରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଜବତ କରିଛନ୍ତି।
ଛୋଟ କୃଷିଯାନ,ଟ୍ରାକ୍ଟର,ବାଇକ୍ ସିଟ୍ କଭର୍ ଭିତରେ ଗଞ୍ଜେଇ ଭର୍ତ୍ତି କରି ବେଧଡକ ରେ କରୁଥିବା ଚୋରାଚାଲାଣ କୁ ପୋଲିସ ଚତୁରତାର ସହ ଧରିବାରେ ସଫଳ ହୋଇଛି।ସୋନପୁର ଥାନାନ୍ତର୍ଗତ ହରଡଖୋଲ୍ ଫାଣ୍ଡି ଅଧିକାରୀ ସନ୍ତୋଷ ସେନ୍ଦ୍ରିଆ ଗତ ୨ ମାସ ମଧ୍ୟରେ ୬ ଟି ମାମଲା ଓ ଗତ ୧୮ ତାରିଖରେ ଏକ ବାଇକ୍ ରୁ ପ୍ରାୟ ୮ କିଗ୍ରା ଗଞ୍ଜେଇ ଧରିଥିବା ଜଣାଯାଇଛି।
ସର୍ବୋପରି ଏହି ଏସ୍.ପି ଙ୍କ ଦ୍ବାରା ଗଠିତ ସ୍ବତନ୍ତ୍ର ଟିମ୍ ଦ୍ବାରା ଇତିମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲାରେ କୋଟି କୋଟି ଟଙ୍କାର ଗଞ୍ଜେଇ ଚୋରାଚାଲାଣ ଧରାପଡିଛି।
ତେବେ କେତେକ କ୍ଷେତ୍ରରେ ଅଭିଯୁକ୍ତ ଫେରାର୍ ହୋଇଯିବାରେ ସଫଳ ମଧ୍ୟ ହୋଇଛନ୍ତି।ତେବେ କ୍ଷୋଭର ବିଷୟ ଯେ,ବହୁକଷ୍ଟ ସ୍ବୀକାର କରି ପୁଲିସ ଧରୁଥିବା ଏଭଳି ମାମଲାର ଅଭିଯୁକ୍ତ ମାନଙ୍କୁ ୪/୫ ଦିନରେ ଜାମିନ ମିଳିଯାଉଥିବା ଦେଖାଯାଇଛି।
ତେଣୁ ସରକାରଙ୍କ ପକ୍ଷରୁ କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ହେଉଥିବା ଗଞ୍ଜେଇ ଚାଷ କୁ ନଷ୍ଟ କରିବା ସହ ବ୍ୟାପକ ସଚେତନତା ସୃଷ୍ଟି କରିବା ଜରୁରୀ ହୋଇପଡିଛି।
ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲା ଏହି ଚୋରାଚାଲାଣର କରିଡର୍ ପାଲଟି ଯାଇଛି।
ଏଣୁ ଏହି ଜିଲ୍ଲା ମାନଙ୍କରେ ଥିବା ଥାନା,ଫାଣ୍ଡି ର ପୁଲିସ ଓ ଅବକାରୀ ଅଧିକାରୀ-କର୍ମଚାରୀ ମାନେ ଧରପଗଡ ଓ ତଦନ୍ତରେ ସ୍ବଚ୍ଛତା ଅବଲମ୍ବନ କଲେ,ଏହାର ନିରାକରଣ କରାଯାଇପାରିବ ବୋଲି ଅନୁମାନ କରାଯାଏ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031