Indus Valley Times

ଗଣେଶ ପୂଜା ପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ପ୍ରସ୍ତୁତି ବୈଠକ : ପୂଜା ପାଇଁ ଥାନାରେ ପଞ୍ଜିକରଣ କରିବେ ପୂଜା କମିଟି, ଡିଜେ, ଉଚ୍ଚ ଶବ୍ଦ ଓ ବାଣ ଉପରେ କଟକଣା

 Breaking News

ଗଣେଶ ପୂଜା ପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ପ୍ରସ୍ତୁତି ବୈଠକ : ପୂଜା ପାଇଁ ଥାନାରେ ପଞ୍ଜିକରଣ କରିବେ ପୂଜା କମିଟି, ଡିଜେ, ଉଚ୍ଚ ଶବ୍ଦ ଓ ବାଣ ଉପରେ କଟକଣା

ଗଣେଶ ପୂଜା ପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ପ୍ରସ୍ତୁତି ବୈଠକ : ପୂଜା ପାଇଁ ଥାନାରେ ପଞ୍ଜିକରଣ କରିବେ ପୂଜା କମିଟି, ଡିଜେ, ଉଚ୍ଚ ଶବ୍ଦ ଓ ବାଣ ଉପରେ କଟକଣା
September 08
22:05 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୮/୯: ଆଗାମୀ ଗଣେଶ ପୂଜାକୁ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷିତ ଭାବେ ପାଳନ ପାଇଁ ଖୋରଧା ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ପୂଜା ସମୟରେ ଆଇନ ଶୃଙ୍ଖଳା, ଟ୍ରାଫିକ୍ ପରିଚାଳନା ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ମଙ୍ଗଳବାର ସ୍ଥାନୀୟ ଜୟୀ ରାଜଗୁରୁ ଟାଉନ ହଲ୍‌ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଏସ୍‌ଡିପିଓ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ଓ ଆସିଷ୍ଟାଣ୍ଟ କଲେକ୍ଟର, ଖୋରଧା ଅତିରିକ୍ତ ତହସିଲଦାରଙ୍କ ସମେତ ବିଭିନ୍ନ ଗଣେଶ ପୂଜା କମିଟିର ପ୍ରତିନିଧିମାନେ ଯୋଗ ଦେଇଥିଲେ।
ବୈଠକରେ ପୂଜା ସମୟରେ ହେବାକୁ ଥିବା ଜନସମାଗମକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା, ଟ୍ରାଫିକ୍ ନିୟନ୍ତ୍ରଣ, ଭକ୍ତଙ୍କ ସୁରକ୍ଷା, ଯାତାୟାତ ବ୍ୟବସ୍ଥା ଏବଂ ପୁଲିସ-ପ୍ରଶାସନ-ପୂଜା କମିଟି ମଧ୍ୟରେ ସମନ୍ୱୟ ସମ୍ପର୍କରେ ଆଲୋଚନା ହୋଇଥିଲା।
ପୂଜା ପରିଚାଳନାରେ ସ୍ୱଚ୍ଛତା ଓ ସୁରକ୍ଷାକୁ ଗୁରୁତ୍ୱ ଦେଇ ଖୋରଧା ର ସମସ୍ତ ଗଣେଶ ପୂଜା କମିଟିକୁ ସମ୍ପୃକ୍ତ ଥାନାରେ ଅନିବାର୍ଯ୍ୟ ଭାବେ ପଞ୍ଜୀକରଣ କରିବାକୁ ପ୍ରଶାସନ ଓ ପୁଲିସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ପୂଜା କମିଟି ଓ ଆୟୋଜକଙ୍କ ସମ୍ପର୍କିତ ଆବଶ୍ୟକ ତଥ୍ୟ ପୁଲିସ ନିକଟରେ ରହିବା ସହ ଆବଶ୍ୟକ ସମୟରେ ତୁରନ୍ତ ସମନ୍ୱୟ ସ୍ଥାପନ ଏହାର ଉଦ୍ଦେଶ୍ୟ ବୋଲି କୁହାଯାଇଛି। ସେହିପରି ଡିଜେ ସିଷ୍ଟମ୍ ଓ ଲାଉଡସ୍ପିକରରେ ଉଚ୍ଚଶବ୍ଦରେ ସଙ୍ଗୀତ ପରିବେଷଣ ଉପରେ କଟକଣା ଲଗାଯାଇଛି।
ଶବ୍ଦ ପ୍ରଦୂଷଣ ରୋକିବା ସହ ଛାତ୍ରଛାତ୍ରୀ, ବୟସ୍କ ଓ ଅସୁସ୍ଥ ବ୍ୟକ୍ତିଙ୍କ ସୁବିଧାକୁ ଦୃଷ୍ଟିରେ ରଖି ନିୟମ ପାଳନ ପାଇଁ ପୂଜା କମିଟି ଗୁଡ଼ିକୁ କୁହାଯାଇଛି। ନିୟମ ଉଲ୍ଲଂଘନ ହେଲେ ପ୍ରଶାସନ ଓ ପୁଲିସ ପକ୍ଷରୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାଇ ଦିଆଯାଇଛି।
ପୂଜା ସମୟରେ ବାଣ ଫୁଟାଇବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ଅଗ୍ନିକାଣ୍ଡ, ଦୁର୍ଘଟଣା ଓ ଶବ୍ଦ ପ୍ରଦୂଷଣ ଭଳି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ଲାଗି ଏହି ପଦକ୍ଷେପ ନିଆଯାଇଥିବା ବୈଠକରେ ସ୍ପଷ୍ଟ କରାଯାଇଥିଲା।
ପୂଜା ମଣ୍ଡପ ଓ ଆୟୋଜନ ସ୍ଥଳରେ ଶୃଙ୍ଖଳା ବଜାୟ ରଖିବା, ଭକ୍ତଙ୍କ ଯାତାୟାତ ପାଇଁ ସୁବ୍ୟବସ୍ଥା କରିବା ଏବଂ ସାଧାରଣ ଲୋକଙ୍କ ଦୈନନ୍ଦିନ ଯାତାୟାତ ଯେପରି ବାଧାପ୍ରାପ୍ତ ନହୁଏ, ସେଥିପ୍ରତି କମିଟି ଗୁଡ଼ିକ ଦୃଷ୍ଟି ଦେବାକୁ ଅଧିକାରୀମାନେ ପରାମର୍ଶ ଦେଇଥିଲେ। ମଣ୍ଡପରେ ଭକ୍ତମାନଙ୍କ ସୁରକ୍ଷିତ ଓ ସୁବିଧାଜନକ ଦର୍ଶନ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ମଧ୍ୟ କୁହାଯାଇଛି।
ବୈଠକରେ ବିଭିନ୍ନ ପୂଜା କମିଟିର ପ୍ରତିନିଧିମାନେ ନିଜ ଅଞ୍ଚଳର ସମସ୍ୟା ଓ ପୂଜା ଆୟୋଜନ ସମ୍ପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ପୂଜା ସମୟରେ କୌଣସି ସମସ୍ୟା କିମ୍ବା ଆଇନଶୃଙ୍ଖଳା ସମ୍ପର୍କିତ ଆଶଙ୍କା ଦେଖାଦେଲେ ତୁରନ୍ତ ପୁଲିସ ଓ ପ୍ରଶାସନକୁ ଜଣାଇବାକୁ ସେମାନଙ୍କୁ କୁହାଯାଇଥିଲା।
ଗଣେଶ ପୂଜାକୁ ଭକ୍ତି, ଶାନ୍ତି, ଭାଇଚାରା ଓ ସାମ୍ପ୍ରଦାୟିକ ସଦ୍‌ଭାବର ସହ ପାଳନ କରିବାକୁ ଖୋରଧାବାସୀଙ୍କୁ ପ୍ରଶାସନ ଓ ପୁଲିସ ପକ୍ଷରୁ ଅନୁରୋଧ କରାଯାଇଛି। ପୂଜା କମିଟି ଓ ସାଧାରଣ ଲୋକେ ନିର୍ଦ୍ଦେଶାବଳୀ ପାଳନ କରି ପୂଜାକୁ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବାରେ ସହଯୋଗ କରିବାକୁ ଅଧିକାରୀମାନେ ଅନୁରୋଧ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930