Indus Valley Times

ଘରୋଇ କମ୍ପାନୀଙ୍କ ସ୍ଵାର୍ଥ ପାଇଁ ଋଷିକୁଲ୍ୟା ନଦୀକୁ ମରା ନଯାଉ : ମେଧା ପାଟେକର

 Breaking News

ଘରୋଇ କମ୍ପାନୀଙ୍କ ସ୍ଵାର୍ଥ ପାଇଁ ଋଷିକୁଲ୍ୟା ନଦୀକୁ ମରା ନଯାଉ : ମେଧା ପାଟେକର

ଘରୋଇ କମ୍ପାନୀଙ୍କ ସ୍ଵାର୍ଥ ପାଇଁ ଋଷିକୁଲ୍ୟା ନଦୀକୁ ମରା ନଯାଉ : ମେଧା ପାଟେକର
June 07
10:30 2025

ପ୍ରକାଶ ପାଣିଗ୍ରାହୀଙ୍କ ରିପୋର୍ଟ
ବ୍ରହ୍ମପୁର, ୭/୬ : କିଛି ଘରୋଇ କମ୍ପାନୀଙ୍କ ସ୍ଵାର୍ଥ ପାଇଁ ଗଞ୍ଜାମ ଜିଲ୍ଲାର ଜୀବନ ରେଖା ରୂପେ ପରିଚିତ ଋଷିକୁଲ୍ୟା ନଦୀ ଆଜି ବିପଦପୂର୍ଣ୍ଣ ହେବାକୁ ଯାଉଛି । ବର୍ତ୍ତମାନ ସରକାର ଋଷିକୂଲ୍ୟା ନଦୀର ଉପରମୁଣ୍ଡରେ ପିପଳପଙ୍କାରେ ଏକ ବଡବନ୍ଧ ବାନ୍ଧି କମ୍ପାନୀମାନଙ୍କୁ ପାଣି ଦେବାକୁ ଯେଉଁ ଉଦ୍ୟମ କରୁଛନ୍ତି, ତାକୁ ପ୍ରତିହତ କରିବାକୁ ଜିଲ୍ଲାବାସୀ ଆଗଭର ହେବା ଉଚିତ ବୋଲି ଭାରତର ବିଶିଷ୍ଟ ପରିବେଶବିତ୍ ମେଧା ପାଟେକାର ମତପ୍ରକାଶ କରିଛନ୍ତି ।
ବ୍ରହ୍ମପୁର ସ୍ଥିତ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲଠାରେ ଆୟୋଜିତ ଏକ ଆଲୋଚନା ସଭାରେ ଯୋଗଦେଇ ସୁଶ୍ରୀ ପାଟେକର ଏଭଳି ଆହ୍ୱାନ ଦେଇଛନ୍ତି ।
ଋଷିକୁଲ୍ୟା ବଞ୍ଚାଓ କ୍ରିୟାନୁଷ୍ଠନ କମିଟି ଓ ସେଣ୍ଟର ଫର କ୍ଳାଇମେଟ ଜଷ୍ଟିସର ମିଳିତ ଆନୁକୂଲ୍ୟରେ ଆୟୋଜିତ \”ପ୍ରାକୃତିକ ସମ୍ପଦ ର ସୁରକ୍ଷା ଓ ସମ୍ବିଧାନ \” ଶୀର୍ଷକ ସମ୍ପାନରେ ଯୋଗ ଦେଇ ମେଧା ପାଟେକର ପୃଥିବୀ ଓ ଭାରତରେ ବିଭିନ୍ନ ନଦୀ ଉପରେ ହୋଇଥିବା ବନ୍ଧ କିପରି ଆତ୍ମଘାତି ସାବ୍ୟସ୍ତ ହୋଇଛି, ନଦୀବନ୍ଧ କିପରି ଜୀବିକା, ସଭ୍ୟତା ଓ ପରିବେଶ ପ୍ରତି ବିପଦ ସୃଷ୍ଟି କରୁଚି, ତାହାର ବିଭିନ୍ନ ଉଦାହରଣ ଦେଇଥିଲେ ।
ବିଶ୍ଵର ଉନ୍ନତ ଦେଶମାନଙ୍କରେ ବଡ ବନ୍ଧକୁ ଲାଭଦାୟକ ନୁହେଁ ବୋଲି ଭଙ୍ଗା ଯାଉଥିବା ବେଳେ ଆମ ଦେଶରେ ଶାସକମାନେ କେବଳ କର୍ପୋରେଟମାନଙ୍କୁ ପାଣି ଓ ବିଜୁଳି ଯୋଗାଇବାକୁ ଏଭଳି ବନ୍ଧ ବାନ୍ଧୁଛନ୍ତି ବୋଲି କହିଥିଲେ ।
ଲୋକଙ୍କ ତଥା କୃଷିର ସ୍ଵାର୍ଥ ଦୃଷ୍ଟିରୁ ବଡ ବନ୍ଧ ନିର୍ମାଣ ନକରି ନଦୀର କ୍ୟାଚମେଣ୍ଟ ଅଞ୍ଚଳରେ ଅଧିକରୁ ଅଧିକ ଜଳାଶୟ ଓ ଆଡି ବନ୍ଧ କରି ନଦୀର ଜଳକୁ ସଂରକ୍ଷିତ କରିବାକୁ ସେ ଆହ୍ବାନ ଦେଇଥିଲେ ।
ଋଷିକୁଲ୍ୟା ନଦୀ ଓ ସେଥିରେ ପଡିଥିବା ସମସ୍ତ ଶାଖା ନଦୀ ଉପରେ ନିର୍ମିତ ଜଳଭଣ୍ଡାର ଗୁଡିକ ବର୍ଷର ଅଧିକାଂଶ ସମୟ ଶୁଷ୍କ ପଡୁଥିଲା ବେଳେ ସରକାର ଋଷିକୂଲ୍ୟାର ଉପରମୁଣ୍ଡରେ ଆଉ ଏକ ଡ୍ୟାମ୍ ନିର୍ମାଣ କରି ତା\’ର ପାଣିକୁ ଘରୋଇ କମ୍ପାନୀଙ୍କୁ ଦେବାକୁ ଚେଷ୍ଟା କରିବା ଦୁର୍ଭାଗ୍ୟଜନକ ବୋଲି କହିଥିଲେ ।
ନର୍ମଦା ବଞ୍ଚାଓ ଆନ୍ଦୋଳନର ଦୀର୍ଘ ଚାରି ଦଶନ୍ଧିର ସଂଘର୍ଷର ଇତିହାସର
ସ୍ମୃତିଚାରଣ କରିବା ସହ ଋଷିକୂଲ୍ୟା ନଦୀ ଓ ତା ଉପରେ ନିର୍ଭରଶୀଳ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଜୀବିକାର ସୁରକ୍ଷା ପାଇଁ ଆଗେଇ ଆସିବାକୁ ଉପସ୍ଥିତ ଲୋକମାନଙ୍କୁ ଆହ୍ବାନ ଦେଇଥିଲେ ।
ଋଷିକୁଲ୍ୟା ବଞ୍ଚାଓ କ୍ରିୟାନୁଷ୍ଠାନ କମିଟିର ଆବାହକ ସୁଧୀର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାକୁ ବରିଷ୍ଠ ସାମ୍ବାଦିକ ବିଘ୍ନେଶ୍ୱର ସାହୁ ସଂଯୋଜନା କରିଥିଲେ ।
ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା ନିଜ ଉଦବୋଧନରେ ଋଷିକୂଲ୍ୟା ନଦୀର ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିବା ସହ ଏ ସମ୍ପର୍କରେ ସରକାରଙ୍କ ଅଗଣତାନ୍ତ୍ରିକ ଓ ଏକଚାଟିଆ ଆଭିମୁଖ୍ୟକୁ ସମାଲୋଚନା କରିଥିଲେ ।
ଗତକାଲି ରାଜ୍ୟର ମୁଖ୍ୟମନ୍ତ୍ରୀ ଆସି ଗଞ୍ଜାମରେ ବିଭିନ୍ନ ଶିଳ୍ପ ପ୍ରକଳ୍ପର ଣୁଭ ଦେଇଥିଲେ ମଧ୍ୟ ସେସବୁକୁ ପାଣି କେଉଁଠାରୁ ଯୋଗାଯିବ ସେନେଇ ଚୁପ୍ ରହିଛନ୍ତି ବୋଲି କହିଥିଲେ ।
କ୍ରୀୟାନୁଷ୍ଠାନ କମିଟିର ଅନ୍ୟତମ ଆବାହକ ତଥା ଚାଷୀ ନେତା ଭାଲଚନ୍ଦ୍ର ଷଡ଼ଙ୍ଗୀ ପିପଳପଙ୍କାରେ ଡ୍ୟାମ୍ ନିର୍ମାଣ ହେଲେ ସେ ଅଞ୍ଚଳର ଦୁଇ ହଜାର ହେକ୍ଟରରୁ ଉର୍ଦ୍ଧ୍ୱ ଘଞ୍ଚ ଜଙ୍ଗଲ ଓ ତା\’ର ମଧ୍ୟରେ ଥିବା ୨୩ଟି ଗ୍ରାମ ସମ୍ପୂର୍ଣ୍ଣ ବୁଡିଯିବ ବୋଲି କହିଥିଲେ ।
ବିଶିଷ୍ଟ ଲେଖିକା ଡ଼ଃ ବିଧୁପ୍ରଭା ରଥ ନିଜର ବକ୍ତବ୍ୟରେ ନଦୀ ସୁରକ୍ଷା ଆନ୍ଦୋଳନରେ ଅଧିକରୁ ଅଧିକ ମହିଳା ସାମିଲ ହେଲେ ଆନ୍ଦୋଳନ ସଫଳ ରୂପାୟନ ହେବା ନେଇ ଆଶାବ୍ୟକ୍ତ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟିକ ଏନ୍ ନାରାୟଣ ରେଡ୍ଡୀ, ସାମ୍ବାଦିକ ରବି ରଥ, କୃଷକ ନେତା ବୃନ୍ଦାବନ ଖଟେଇ, ପଶ୍ଚିମ ଓଡ଼ିଶାର କୃଷକ ନେତା ଲିଙ୍ଗରାଜ ପ୍ରମୁଖ ଯୋଗଦେଇଥିଲେ । ଶେଷରେ କ୍ରିୟାନୁଷ୍ଠାନ କମିଟିର ଅନ୍ୟତମ ସଦସ୍ୟ ଆଦିତ୍ୟ ରଥ ଧନ୍ୟବାଦ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031