Indus Valley Times

ଚିଲିକାରେ ଜାନୁଆରୀ ୪ ତାରିଖରେ ଶୀତକାଳୀନ ପକ୍ଷୀ ଗଣନା , ନିୟୋଜିତ ହେବେ ୨୧ଟି ଟିମ୍

 Breaking News

ଚିଲିକାରେ ଜାନୁଆରୀ ୪ ତାରିଖରେ ଶୀତକାଳୀନ ପକ୍ଷୀ ଗଣନା , ନିୟୋଜିତ ହେବେ ୨୧ଟି ଟିମ୍

ଚିଲିକାରେ ଜାନୁଆରୀ ୪ ତାରିଖରେ ଶୀତକାଳୀନ ପକ୍ଷୀ ଗଣନା , ନିୟୋଜିତ ହେବେ ୨୧ଟି ଟିମ୍
December 18
10:20 2021

ଭୁବନେଶ୍ୱର,୧୮/୧୨: ପକ୍ଷୀଙ୍କ ଭୂସ୍ୱର୍ଗ ଚିଲିକାରେ ଜାନୁଆରୀ ୪ ତାରିଖରେ ଶୀତକାଳୀନ ପକ୍ଷୀ ଗଣନା କରାଯିବ । ଏଥିପାଇଁ ବନବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ପକ୍ଷୀ ଗଣନା ପାଇଁ ଚିଲିକାକୁ ୫ଟି ଜୋନରେ ବିଭକ୍ତ କରାଯିବ ।
ଗଣନା କାର୍ଯ୍ୟରେ ମୋଟ ୨୧ଟି ଟିମ୍ ନିୟୋଜିତ ହେବେ । ଟାଙ୍ଗୀ ଜୋନ୍ରେ ୮ଟି ଟିମ୍, ବାଲୁଗାଁରେ ୫, ସାତପଡ଼ାରେ ୩, ରମ୍ଭା ଓ କୃଷ୍ଣପ୍ରସାଦ ଜୋନ୍ରେ ଅବଶିଷ୍ଟ ଟିମ୍ ନିୟୋଜିତ ରହିବେ ।
ଚିଲିକା ବନ୍ୟପ୍ରାଣୀ ବିଭାଗ ଅଧିକାରୀ, ଚିଲିକା ଉନ୍ନୟନ ପରିଷଦ, ପକ୍ଷୀ ସୁରକ୍ଷା ସମିତି କର୍ମଚାରୀ ଓ ସ୍ୱେଚ୍ଛାସେବୀମାନେ ଗଣନା କାର୍ଯ୍ୟରେ ନିୟୋଜିତ ରହିବେ ।
ଗଣନା କାର୍ଯ୍ୟରେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିପିଏସ୍ ଓ ବାଇନୋକୁଲାର ବ୍ୟବହାର କରାଯିବ । ସକାଳ ୬ଟାରୁ ଗଣନା କାର୍ଯ୍ୟ ଆରମ୍ଭ ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଥାଉକି, ଗତବର୍ଷ ଚିଲିକାକୁ ରେକର୍ଡ଼ ସଂଖ୍ୟକ ୧୨ ଲକ୍ଷ ୪୨ ହଜାର ୮୨୬ ବିଦେଶୀ ପକ୍ଷୀ ଆସିଥିଲେ । ତା’ ପୂର୍ବ ବର୍ଷ ୧୧ ଲକ୍ଷ ୫ ହଜାର ୪୦ ବିଦେଶାଗତ ପକ୍ଷୀ ଆସିଥିଲେ । ଚଳିତବର୍ଷ ଡିସେମ୍ବର ପହିଲା ସୁଦ୍ଧା ଚିଲିକାକୁ ୪ ଲକ୍ଷରୁ ଅଧିକ ବିଦେଶାଗତ ପକ୍ଷୀମାନଙ୍କର ଆଗମନ ହୋଇଥିଲା ।
ମୁଖ୍ୟତଃ ଇରାନ, ଇରାକ, ମଙ୍ଗୋଲିଆ, ରୁଷ, ଆଫଗାନିସ୍ଥାନ, ଜାପାନ, ମଙ୍ଗୋଲିଆ, ସାଇବେରିଆ ଓ ଉତ୍ତର ଗୋଲାର୍ଦ୍ଧର ବିଭିନ୍ନ ଅଞ୍ଚଳରୁ ୧୦୦ରୁ ଅଧିକ ପ୍ରଜାତିର ପକ୍ଷୀ ଆସିଛନ୍ତି । ଏହି ପକ୍ଷୀମାନଙ୍କ ମଧ୍ୟରେ ରୁଡି ସେଲ୍ ଡକ୍, ନର୍ଦ୍ଦନ ପିନ୍ଟେଲ, ନର୍ଦ୍ଦନ ଶୋଭେଲର୍, କଟନ ଟିଲ୍, ଗ୍ରେ ଲାଗ୍ ଗୁଜ୍, ବାର୍ ହେଡେଡ୍ ଗିଜ୍, ଗଡୱାଲ, ଗାର୍ଗାନୀ, ସ୍ପଟ୍ ବିଲ୍ଡ ଡକ୍, ଗୋଲଡେନ୍ ପ୍ଲୋଭର ଇତ୍ୟାଦି ବିଦେଶୀ ପକ୍ଷୀଙ୍କ ସମେତ ଗେଣ୍ଡି, ବାଜେଣି, ଗେଣ୍ଡାଳିଆ, ଏରା, ତା’ଚଢ଼େଇ, ଷଣ୍ଟିଆଳ, ଦା’ ବେଣ୍ଟିଆ, ସମୁଦ୍ରକୁଆ, ଦାଦରା ହଣା ଓ ଚକୁଆ ଚକୋଇ ପ୍ରମୁଖ ପକ୍ଷୀ ଆସିଛନ୍ତି । ଆହୁରି ଅଧିକ ସଂଖ୍ୟକ ବିଦେଶୀ ପକ୍ଷୀ ଆସିବାରେ ଲାଗିଛନ୍ତି।
ଚିଲିକାକୁ ଆସୁଥିବା ବିଦେଶାଗତ ପକ୍ଷୀମାନଙ୍କର ଅବାଧ ବିଚରଣ ଓ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଚିଲିକା ବନଖଣ୍ଡ ତରଫରୁ ୨୦ଟି ଅସ୍ଥାୟୀ ପକ୍ଷୀସୁରକ୍ଷା ଶିବିର କରାଯାଇଛି ।
ପାଟ୍ରୋଲିଂ ଜରିଆରେ ପକ୍ଷୀଙ୍କୁ ସୁରକ୍ଷା ପ୍ରଦାନ ସହ ଶିକାରୀମାନଙ୍କୁ ଗିରଫ କରାଯାଇ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ଚିଲିକା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କୁହାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031