Indus Valley Times

ଜିଲ୍ଲାର ପୁରପଲ୍ଲିରେ ପୁରା ଉଆଁଶ ପାଳିତ: କରୋନାରେ ଫିକା ପଡିନାହିଁ ଶିଶୁ ଭିତିକ ପାରମ୍ପାରିକ ଖେଳ

 Breaking News

ଜିଲ୍ଲାର ପୁରପଲ୍ଲିରେ ପୁରା ଉଆଁଶ ପାଳିତ: କରୋନାରେ ଫିକା ପଡିନାହିଁ ଶିଶୁ ଭିତିକ ପାରମ୍ପାରିକ ଖେଳ

August 18
21:50 2020

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ

ବୌଦ୍ଧ,୧୮/୮: ଆଜି ସପ୍ତପୁରୀ ଅମାବାସ୍ୟା । ଏହି ତିଥିକୁ ପଶ୍ଚିମ ଓଡିଶାରେ ପୁରା ଉଆଁଶ ବୋଲି କହିଥାନ୍ତି । ଏହି ଅମାବାସ୍ୟାରେ ବୌଦ୍ଧ ଜିଲ୍ଲାରେ ପୁର ପଲ୍ଲିରେ କାଚିକୁଢି ଖେଳ ବା ଘୁଡାଖେଳ ଶିଶୁ ମାନେ ଖେଳିଥାନ୍ତି । ଏହା ପଶ୍ଚିମ ଓଡିଶାରେ ଏକ ଶିଶୁ ଭିତିକ ପାରମ୍ପାରିକ ଖେଳ କହିଲେ ମଧ୍ୟ ଭୁଲ ହେବନାହିଁ । ବାଳିକାମାନେ କାଚିକୁଢି ଖେଳୁଥିବାବେଳେ ବାଳକ ମାନେ ଘୁଡା, ହାତୀ, ବାନରର ମାଟି ଓ କାଠ ପ୍ରତିକୃତିରେ ଚକ ଲଗାଇ ଟାଣି ଟାଣି ବାଳିକା ମାନଙ୍କ ଠାରୁ ନିଜ ଘୋଡା ବା ହାତୀ ବାହାନ ପାଇଁ ଦାନା ବା ଖାଦ୍ୟ ମାଗିଥାନ୍ତି ।
ବାଳିକା ମାନେ ସାତୋଟି ମାଟି କାଚିରେ ଉଖୁଡା, ମୁଗ, ହରଡ, ଶିମ୍ବ ମଞ୍ଜି, ମଟର , ତିଆସି ବୁଟ, କୋଳଥ, ମକା, ଏପରି ସାତ ପ୍ରକାରର ଭଜା ସାମଗ୍ରି ନୁଆ ଡାଲାରେ ରଖି ଗ୍ରାମର ମନ୍ଦିର ମଣ୍ଡପ କିମ୍ବା ସ୍କୁଲ ବାରଣ୍ଡାରେ ବସିଥାନ୍ତି । ନିଜ ନିଜ ଭିତରେ ଏହି ଖାଦ୍ୟ ସାମଗ୍ରି ଆଦାନ ପ୍ରଦାନ କରିବାସହ ବାଳକ ମାନେ ତାଙ୍କ ବାହାନ ପାଇଁ ମାଗିଲେ ତାଙ୍କୁ ଦାନା ଦେଇଥାନ୍ତି । ଏହି ଖେଳର ଅନ୍ୟ ଏକ ଉଦ୍ଦେଶ୍ୟ ହେଲା ଯେ, ବାଳିକାମାନଙ୍କୁ ଘର କରଣା ସଂପର୍କରେ ଅବଗତ କରାଇବା ଏବଂ ବାଳକମାନଙ୍କୁ ଯୁଦ୍ଧ ବିଦ୍ୟା ଓ ପୁରୁଷର କାର୍ଯ୍ୟ ସଂପର୍କରେ ଅବଗତ କରାଇବା । ଏହି ଖେଳପାଇଁ ହାଟ ବଜାରରେ ଅମାବାସ୍ୟାର କିଛିଦିନ ପୁର୍ବରୁ ନୂଆ ଡାଲିଆ, କୁଲା ଓ ମାଟିର କାଚି କୁଢି ସହ କାଠ ଓ ମାଟିରେ ନିର୍ମିତ ହାତୀ, ଘୁଡା, ବାନର ପ୍ରତିକୃତି ବିକ୍ରି ହୋଇଥାଏ ।
ଏହି ଖେଳ ପାଇଁ ବାଳକ ବାଳିକା ମାନେ ଯେତିକି ଉତ୍ସୁକ ହୋଇଥାନ୍ତି ଅଭିଭାବକମାନେ ମଧ୍ୟ ସେତିକି ତତ୍ପର ରହିଥାନ୍ତି । ଖେଳ ଶେଷରେ ବାଳକମାନେ ନିଜ ନିଜ ଭିତରେ ପ୍ରତିକୃତି ବା ବାହନ ମଧ୍ୟରେ ଲଢେଇ କରିଥାନ୍ତି । କେତେକ ସ୍ଥାନରେ ବାନର ପ୍ରତିକୃତିର ଲାଙ୍ଗୁଡରେ ନିଆଁ ଲଗାଇ ସଂଧ୍ୟାରେ ପରିକ୍ରମା କରାଇଥାନ୍ତି । ଏହାକୁ ବିଜୟର ଉତ୍ସବ ବୋଲି ମଧ୍ୟ କୁହାଯାଇଥାଏ । ଏହି ଖେଳ କେଉଁ ଆବହମାନ କାଳରୁ ପଶ୍ଚିମ ଓଡିଶାର ପୁର ପଲ୍ଲିରେ ପାଳିତ ହୋଇ ଆସୁଅଛି । ବର୍ତ୍ତମାନ କରୋନା ମହାମାରୀ ସମାଜରେ ଏକ ବିରାଟ ପରିବର୍ତନ ଆଣିଥିଲେ ମଧ୍ୟ ପଶ୍ଚିମ ଓଡିଶାର ଏହି ପାରମ୍ପାରିକ ଖେଳରେ ତାର ପ୍ରଭାବ ପଡିପାରି ନାହିଁ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031