ପିଇବା ପାଣି ଗଚ୍ଛିତ କରି ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ଅନୁରୋଧ
ଭୁବନେଶ୍ୱର, ୨୪/୫: ବଙ୍ଗୋପସାଗରରେ ଆସୁଛି ବାତ୍ୟା ‘ୟାସ’। ଅତି ଭୀଷଣ ରୂପ ଧାରଣ କରି ୨୬ ତାରିଖରେ ମଧ୍ୟାହ୍ନରେ ଏହା ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ। ଏହାର ପ୍ରଭାବରେ ବ୍ୟାପକ କ୍ଷତି ହୋଇପାରେ ବୋଲି ଆକଳନ କରାଯାଉଛି। ବାଲେଶ୍ୱର ଜିଲ୍ଲା ବି ‘ୟାସ’ ଦ୍ୱାରା ପ୍ରଭାବିତ ହେବ। ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାବାସୀଙ୍କୁ ସଚେତନ କରାଯାଇଛି।
ଅତିକମ୍ ରେ ଚାରି ଦିନ ପାଇଁ ପିଇବା ପାଣି ଗଚ୍ଛିତ କରି ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ଅନୁରୋଧ କରାଯାଇଛି। ସେହିପରି ମାଟି ବା କଚ୍ଚା ଘରେ ନ ରହିବାକୁ ଲୋକଙ୍କୁ କୁହାଯିବା ସହିତ ନିକଟତମ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ହେବାକୁ ଅନୁରୋଧ କରାଯାଇଛି। ଲୋକେ ସରକାରୀ ପକ୍କା ଗୃହରେ ମଧ୍ୟ ଆଶ୍ରୟ ନେଇପାରିବେ। ଏହି ସୂଚନା ପାଇବା ପରେ ଆଖପାଖ ଲୋକଙ୍କୁ ମଧ୍ୟ ଜଣାଇବାକୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଅନୁରୋଧ କରାଯାଇଛି।
ଏହା ସହିତ ଦୋକାନ ଗୁଡ଼ିକରେ ଲାଗିଥିବା ସାଇନବୋର୍ଡ ଓ ହୋର୍ଡିଂ ଗୁଡ଼ିକୁ ଖୋଲି ଦେବାକୁ ପ୍ରଶାସନ ପକ୍ଷରୁ ଦୋକାନୀମାନଙ୍କୁ ଅନୁରୋଧ କରାଯାଇଛି।
-ଓଡ଼ିଶା ରିପୋର୍ଟର