Indus Valley Times

ବରିଷ୍ଠ ସାମ୍ବାଦିକ ପଦ୍ମନାଭ ବିଶ୍ୱାଳ ଙ୍କୁ ଆକ୍ରମଣ ଘଟଣା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏସ୍ପିଙ୍କ ନିକଟରେ ଦାବି ଜଣାଇଲେ ଜିଲ୍ଲା ଗଣମାଧ୍ୟମ ପ୍ରତିନିଧି

 Breaking News

ବରିଷ୍ଠ ସାମ୍ବାଦିକ ପଦ୍ମନାଭ ବିଶ୍ୱାଳ ଙ୍କୁ ଆକ୍ରମଣ ଘଟଣା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏସ୍ପିଙ୍କ ନିକଟରେ ଦାବି ଜଣାଇଲେ ଜିଲ୍ଲା ଗଣମାଧ୍ୟମ ପ୍ରତିନିଧି

April 22
20:22 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨୨/୪ :ଟାଙ୍ଗୀର ବରିଷ୍ଠ ସାମ୍ବାଦିକ ପଦ୍ମନାଭ ବିଶ୍ୱାଳ ଙ୍କୁ ଏକ ସମ୍ବାଦ ପରିବେଷଣକୁ ନେଇ ଜଣେ ଅସାମାଜିକ ବ୍ୟକ୍ତି ତାଙ୍କ ଘରେ ପଶି ଆକ୍ରମଣ କରିବା, ଗାଳିମନ୍ଦ କରିବା ଓ ହତ୍ୟା ଧମକ ଦେବା ଘଟଣା ପ୍ରତିବାଦରେ ଆଜି ବହୁ ସଂଖ୍ୟାରେ ଗଣମାଧ୍ୟମ ପ୍ରତିନିଧି ଖୋରଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଅଭିଯୁକ୍ତ କୁ ତୁରନ୍ତ ଗିରଫ ଦାବି କରିବା ସହିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
୭ ଦିନ ମଧ୍ୟରେ ଅଭିଯୁକ୍ତ କୁ ଗିରଫ କରାନଗଲେ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ସମ୍ମିଳିତ କର୍ମଜିବୀ ସାମ୍ବାଦିକ ସଂଘର ଖୋରଧା ଜିଲ୍ଲା ଶାଖା ସଭାପତି ପ୍ରକାଶ କୁମାର ହାତୀ ଚେତାବେନୀ ଦେଇଛନ୍ତି । ଏହାକୁ ଖୋରଧା ଜିଲ୍ଲା ପ୍ରେସ କ୍ଲବ ଓ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘର ସଦସ୍ୟ ମାନେ ସମର୍ଥନ ଜଣାଇଛନ୍ତି।
ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘର ସଭାପତି ତଥା ବରିଷ୍ଠ ନାଗରିକ ପଦ୍ମନାଭ ବିଶ୍ୱାଳ (୮୨) ଜଣେ ଶ୍ରମଜିବୀ ବିବାହିତ ମହିଳାଙ୍କ ଆତ୍ମହତ୍ୟା ସମ୍ପର୍କିତ ଖବର ଗତ ୮ ଓ ୯ ତାରିଖରେ ଏକ ଖବକାଗଜରେ ପ୍ରସାରଣ କରିଥିଲେ ।
ଏଥିରେ ଉତକ୍ଷିପ୍ତ ହୋଇ ଗତ ୧୬ ତାରିଖରେ ଟାଙ୍ଗି ଥାନା ଅନ୍ତର୍ଗତ ବଡ଼ପାରି ଅଂଚଳର ଜଣେ ଅସାମାଜିକ ବ୍ୟକ୍ତି ତାଙ୍କ ସମର୍ଥକଙ୍କ ସହ ଶ୍ରୀ ବିଶ୍ୱାଳଙ୍କ ଘରେ ପଶି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମରଣାତ୍ମକ ଆକ୍ରମଣ କରିଥିଲେ ।
ଏପରିକି ତାଙ୍କ ଖବର ପ୍ରସାରଣ କଲେ ଜୀବନରେ ମାରିଦେବାର ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି। ଶ୍ରୀ ବିଶ୍ୱାଳ ଜଣେ ବରିଷ୍ଠ ନାଗରିକ ହୋଇଥିବା ବେଳେ ଏହି ଘଟଣା ପରେ ଶ୍ରୀ ବିଶ୍ୱାଳଙ୍କ ଦମ୍ପତି ଭୟ ଓ ଅସୁରକ୍ଷିତ ଅବସ୍ଥାରେ ଅଛନ୍ତି। ସେ ଏନେଇ ଟାଙ୍ଗୀ ଥାନାରେ ଲିଖିତ ଭାବରେ ଅଭିଯୋଗ କରିଛନ୍ତି । କିନ୍ତୁ ଅଭିଯୋଗ କୁ ୭ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ ଏପର‌୍ୟ୍ୟନ୍ତ କୌଣସି ମାମଲା ରୁଜୁ କରିନାହିଁ, ବରଂ ଜଣେ ଅସାମାଜିକ ବ୍ୟକ୍ତି କିପରି ମାମଲାରୁ ଖସିଯିବ ସେ ନେଇ ଥାନା ଅଧିକାରୀ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି ।
ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ଜିଲ୍ଲା ପ୍ରେସ କ୍ଲବ ଓ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ନିନ୍ଦା କରିବା ସହ ଗୁରୁତରଭାବେ ଗ୍ରହଣ କରିଛି । ଜଣେ ବରିଷ୍ଠ ନାଗରିକ ତଥା ବରିଷ୍ଠ ସାମ୍ବାଦିକଙ୍କୁ ଘରେ ପଶି ଆକ୍ରମଣ କରିବା ଓ ହତ୍ୟା ଧମକ ଦେବା ଘଟଣାରେ ଅଭିଯୁକ୍ତ କୁ ଗିରଫ ଓ ଶ୍ରୀ ବିଶ୍ୱାଳଙ୍କୁ ସୁରକ୍ଷା ପ୍ରଦାନ କରିବା ଦାବିରେ ଆଜି ଜିଲ୍ଲାର ବିଭିନ୍ନ ସଂଘ ଗୁଡିକ ପକ୍ଷରୁ ଏସ୍ପି ବିବେକାନନ୍ଦ ଶର୍ମାଙ୍କୁ ଭେଟି ଦାବି ଜଣାଇଛନ୍ତି। ଅଭିଯୁକ୍ତ ବିରୋଧରେ ତୁରନ୍ତ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ୭ଦିନ ପରେ ଏସ୍ପି ଅଫିସ ସମ୍ମୁଖରେ ଗଣମାଧ୍ୟମ ର ପ୍ରତିନିଧି ମାନେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।
ଅନ୍ୟପକ୍ଷରେ ଅଭିଯୋଗକୁ ଗୁରୁତର ସହ ଗ୍ରହଣ କରି ଜଣେ ବୟସ୍କ ସାମ୍ବାଦିକଙ୍କୁ ହତ୍ୟା ଧମକ ଦେବା ଘଟଣାରେ ତୁରନ୍ତ ମାମଲା ରୁଜୁ କରାଯାଇ ଅଭିଯୁକ୍ତ କୁ ଗିରଫ କରାଯିବ ସହିତ ,ଜିଲ୍ଲା ପୁଲିସ ମୁଖ୍ୟାଳୟର ଜଣେ ସ୍ୱତନ୍ତ୍ର ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବ ବୋଲି ଏସ୍ପି ପ୍ରତିଶୃତି ଦେଇଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଖୋରଧା ଜିଲ୍ଲା ପ୍ରେସକ୍ଲବ ସଭାପତି ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ, ସମ୍ପାଦକ ଦିଲୀପ କୁମାର ପଟ୍ଟନାୟକ, ଓ.ୟୁ.ଜେ ଖୋର୍ଦ୍ଧା ଜିଲ୍ଲା ସଭାପତି ତପନ କୁମାର ନାୟକ, ଉତ୍କଳ ସାମ୍ବାଦିକ ସଂଘ ଖୋର୍ଦ୍ଧା ଜିଲ୍ଲା ସଭାପତି ଅବ୍ୟକ୍ତ ହରିହର ଖାଡଙ୍ଗା, ଟାଙ୍ଗି ବ୍ଲକ ସାମ୍ବାଦିକ ସଂଘ ସମ୍ପାଦକ ମନୋଜ ପଟ୍ଟନାୟକ, ପ୍ରଦୀପ କୁମାର ମହାପାତ୍ରଙ୍କ ସମେତ ଖୋରଧା ପ୍ରେସ କ୍ଲବ ଓ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘର ସଦସ୍ୟମାନେ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031