ବଲାଙ୍ଗୀରରେ ମହିଳାଙ୍କ ପରିବେଶ ସଚେତନତା : ସ୍କୁଲ ପରିସରରେ ବୃକ୍ଷରୋପଣ
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର , ୧/୯ : “ଗୋଟିଏ ଗଛ,ଗୋଟିଏ ଜୀବନ,ଗୋଟିଏ ଭବିଷ୍ୟତ”।ଏହି ସଚେତନତାମୂଳକ ବାର୍ତ୍ତାକୁ ଆଧାର କରି ଉତ୍କଳ ମହିଳା ବିକାଶ ପରିଷଦ ପକ୍ଷରୁ ବଲାଙ୍ଗୀର ସହରସ୍ଥିତ ପ୍ରୋଜେକ୍ଟ କଲୋନୀ ବ୍ଲକ ସ୍କୁଲ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ପରିବେଶ ସୁରକ୍ଷା ସହିତ ଛାତ୍ରଛାତ୍ରୀଙ୍କ ମନରେ ସବୁଜ ପରିବେଶ ପ୍ରତି ଦାୟିତ୍ୱବୋଧ ଓ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ପରିଷଦର ସଭାପତି ସଂଯୁକ୍ତା ମିଶ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି ଅଭିଯାନରେ ସମ୍ପାଦିକା ନିହାରିକା ମିଶ୍ରଙ୍କ ସମେତ ପରିଷଦର ସମସ୍ତ ସଦସ୍ୟା ଯୋଗଦେଇଥିଲେ।
ଏଥିରେ ବିଦ୍ୟାଳୟ ର ଶିକ୍ଷୟିତ୍ରୀ,ପ୍ରଧାନ ଶିକ୍ଷୟିତ୍ରୀ ଏବଂ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ମଧ୍ୟ ସକ୍ରିୟ ଭାବେ ସାମିଲ ହୋଇ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ଚାରାରୋପଣ କରିଥିଲେ।
ଏହି ଅବସରରେ ପରିଷଦର ସମ୍ପାଦିକା ନିହାରିକା ମିଶ୍ର ତାଙ୍କ ବକ୍ତବ୍ୟ ରେ କହିଥିଲେ, “ଆଜି ଆମେ ଯେଉଁ ଗଛ ଲଗାଉଛୁ, ଆଗାମୀ ଦିନରେ ସେହି ଗଛ ଆମକୁ ଛାଇ,ଫଳ ଓ ଜୀବନ ଦେବ। ପ୍ରତ୍ୟେକ ଶିଶୁ ଯଦି ଗୋଟିଏ ଗଛକୁ ନିଜର ଦାୟିତ୍ୱ ଭାବେ ଗ୍ରହଣ କରି ତାହାର ଯତ୍ନ ନିଏ,ତେବେ ଆମ ବଲାଙ୍ଗୀର ଦିନେ ସବୁଜ ଓ ସୁନ୍ଦର ସହର ଭାବେ ପରିଚିତ ହେବ।
ଗଛ ଲଗାଇବା ସହିତ ତାହାର ସୁରକ୍ଷା ଓ ଯତ୍ନ ନେବା ମଧ୍ୟ ଆମ ସମସ୍ତଙ୍କ ଦାୟିତ୍ୱ। ପରିବେଶକୁ ବଞ୍ଚାଇବା ହିଁ ଆଗାମୀ ପିଢ଼ି ପାଇଁ ଆମର ସର୍ବଶ୍ରେଷ୍ଠ ଉପହାର।”
ବୃକ୍ଷରୋପଣ ପରେ ଛାତ୍ରଛାତ୍ରୀମାନେ ରୋପଣ କରାଯାଇଥିବା ଚାରାଗଛର ନିୟମିତ ଯତ୍ନ ନେବା ସହିତ ସେଗୁଡ଼ିକର ସୁରକ୍ଷା ପାଇଁ ଶପଥ ଗ୍ରହଣ କରିଥିଲେ।
ପରିଷଦର ଏହି ପଦକ୍ଷେପକୁ ବିଦ୍ୟାଳୟ ପକ୍ଷରୁ ପ୍ରଶଂସା କରାଯିବା ସହିତ ଏଭଳି ପରିବେଶ ସଚେତନତାମୂଳକ କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରି ରଖିବାକୁ ମତପ୍ରକାଶ ପାଇଥିଲା।
ଗଛ କେବଳ ମାଟିରେ ରୋପିତ ଏକ ଚାରା ନୁହେଁ,ଏହା ଆଗାମୀ ପିଢ଼ିର ନିଶ୍ୱାସ,ଛାଇ ଓ ଭବିଷ୍ୟତର ପ୍ରତୀକ।






