Indus Valley Times

ବାଲିଗୁଡାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି

 Breaking News

ବାଲିଗୁଡାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି

July 29
20:31 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୯/୭ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି।
ସହକାରୀ କାର୍ଯ୍ୟନିର୍ବାହୀ ଜିଲ୍ଲା ପରିଷଦ ପ୍ରକଳ୍ପ ନିର୍ଦ୍ଦେଶକ ନରେନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣିରେ ମୋଟ ୮୪ ଟି ଅଭିଯୋଗ ଆସିଥିବା ବେଳେ ୪୫ ଟି ଗୋଷ୍ଠୀଗତ ଓ ୩୯ ଟି ବ୍ୟକ୍ତିଗତ ଅଭିଯୋଗ ରହିଥିଲା ।
ସମସ୍ତ ଅଭିଯୋଗ କୁ ଗୁରୁତର ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ହରିଶ ବିଶି, ବାଲିଗୁଡ଼ା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାମେନ୍ଦ୍ର ପ୍ରସାଦ, ସହକାରୀ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡଃ ସାହୁ ,ତହସିଲଦାର ଦୀପ୍ତି ପ୍ରକାଶ ବେହେରା ,ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଦିନେଶ କୁମାର ସାହୁ ,ବିଡିଓ ଅକ୍ଷୟ କୁମାର ମଲ୍ଲିକ ,ସିଡିପିଓ କ୍ରୀଷ୍ଣା ପଣ୍ଡା , ଅବକାରୀ ଅଧିକାରୀ ସୁମିତ୍ରା ଦଲାଇ , ଏନଏସି ନିର୍ବାହୀ ଅଧିକାରୀ ବିବେକା ନନ୍ଦ ଦଳାଇ ,ଜିଲ୍ଲା ଶିକ୍ଷାଧିକାରୀ ରାଜେଶ କୁମାର ସ୍ଵାଇଁ ,ବ୍ଲକ ଶିକ୍ଷାଧିକାରୀ ମହେଶ୍ଵର ମାଝି ଙ୍କ ସମେତ ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଜଳଯୋଗାଣ, ଗ୍ରାମ୍ୟ ଉନ୍ନୟନ, ମୂର୍ତ୍ତିକା ସଂରକ୍ଷଣ, ଜଙ୍ଗଲ ବିଭାଗ , ଅବକାରୀ, ଗ୍ରାମ୍ୟ ନିର୍ମାଣ ,କୃଷି ,ଉଦ୍ୟାନ ପ୍ରମୁଖ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ୧୪ଟି ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଆସିଥିବା ହିତାଧିକାରୀଙ୍କ ମୋଟ ଅଭିଯୋଗ ଶୁଣିଥିଲେ।
ମୁଖ୍ୟତଃ ରାସ୍ତାଘାଟ, ପାନୀୟଜଳ ,ଭତ୍ତା ପ୍ରଦାନ, ବିଦ୍ୟୁତ ସମସ୍ୟା, ମୋବାଇଲ ଟାୱାର ନିର୍ମାଣ, ଆବାସ ଗୃହ ପ୍ରଦାନ, ଜମିଜମା ସମସ୍ୟା ସମେତ ବିଭିନ୍ନ ବିଦ୍ୟାଳୟରେ ରହିଥିବା ଶିକ୍ଷକ ସମସ୍ୟା ସମ୍ପର୍କରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ବିଭାଗର ପ୍ରମୁଖ ଅଧିକାରୀ ମାନେ ଉପସ୍ଥିତ ରହି ଅଭିଯୋଗ ଶୁଣିଥିଲେ ।
ଲଗାଣ ବର୍ଷାରେ ଭୁଷୁଡ଼ିଲା ଶ୍ରେଣୀ ଗୃହ: ବିପଦ ସଂକୁଳ ଶ୍ରେଣୀ ଗୃହରେ ଭବିଷ୍ୟତ ଗଢ଼ୁଛନ୍ତି ଦେଶର ଭବିଷ୍ୟତ
ବାଲିଗୁଡ଼ା, ୨୯/୭ : ଲଗାଣ ବର୍ଷାରେ ଭୁଷୁଡ଼ିଲା ସ୍କୁଲ୍ ଶ୍ରେଣୀ ଗୃହ । ଏବେ ବିପଦ ସଂକୁଳ ଅବସ୍ଥାରେ ଥିବା ଅତିରିକ୍ତ ଶ୍ରେଣୀ ଗୃହରେ ଭବିଷ୍ୟତ ଗଢୁଛନ୍ତି ଦେଶର ଭବିଷ୍ୟତ ।
ବାରମ୍ବାର ଅଭିଯୋଗ ପରେ ମଧ୍ୟ କର୍ଣ୍ଣପାତ କଲେନି ବିଭାଗୀୟ ଅଧିକାରୀ ଓ ପ୍ରଶାସନ । ଭଙ୍ଗା ଘରେ ପାଠ ପଢ଼ାଇବାକୁ ପିଲାଙ୍କୁ ବିଦ୍ୟାଳୟକୁ ଛାଡ଼ିବାକୁ ଅଭିଭାବକଙ୍କର ଭରଷା ପାଉନି ।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ, ଏହି ବିଦ୍ୟାଳୟରେ ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ପାଠ ପଢ଼ୁଛନ୍ତି ୭୭ ଜଣ ଛାତ୍ରଛାତ୍ରୀ ‌। ବିଦ୍ୟାଳୟରେ ସ୍ବଳ୍ପ ସଂଖ୍ୟକ ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀ ପାଠ ପଢ଼ୁଥିଲେ । କିନ୍ତୁ ଲଗାଣ ବର୍ଷାରେ ଗୋଟିଏ ସ୍ଥାନରେ ଥିବା ତିନୋଟି ଶ୍ରେଣୀ ଗୃହର ଛାତ ଭୁଷୁଡ଼ି ପଡ଼ିଛି । ଫଳରେ ନାହଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ । ବର୍ଷାରେ ଶ୍ରେଣୀଗୃହ ଭୁଶୁଡ଼ିବା ପରେ ଏବେ ପୁରୁଣା ଅତିରିକ୍ତ ଶ୍ରେଣୀ ଗୃହରେ ବିପଦ ସଂକୁଳ ଅବସ୍ଥାରେ ପାଠ ପଢ଼ୁଛନ୍ତି ବିଦ୍ୟାଳୟର ୭୭ ଜଣ ଛାତ୍ରଛାତ୍ରୀ । ଶ୍ରେଣୀ ଗୃହରେ କେଉଁଠି ଆଜବେଷ୍ଟସ କଣା ହୋଇ ପାଣି ଗଳୁଛି ତ କେଉଁଠି ଆଜବେଷ୍ଟସକୁ ଲାଖି ରହିଥିବା କାଠ ଭାଙ୍ଗି ଓହଳି ରହିଛି । କେତେକ ସ୍ଥାନରେ ଶ୍ରେଣୀ ଗୃହର କାନ୍ଥ ଫାଟି ଆଁ କରିଥିବା ବେଳେ ଅନେକ ସ୍ଥାନରେ ପଲସ୍ତରା ଛାଡ଼ି ଯାଇଥିବା ଦେଖିବାକୁ ମିଳିଛି । ଏବେ ନିଜ ପିଲାଙ୍କୁ ବିଦ୍ୟାଳୟକୁ ଛାଡ଼ିବାକୁ ମଧ୍ୟ ଅସୁରକ୍ଷିତ ମଣୁଛନ୍ତି ଅଭିଭାବକ । ସେପଟେ ନୂତନ ଶ୍ରେଣୀଗୃହ ନିର୍ମାଣ ସହ ବିଦ୍ୟାଳୟର ଆନୁସଙ୍ଗିକ ବ୍ୟବସ୍ଥାକୁ ସୁଧାରିଲେ ଆମେ ନିର୍ଭୟରେ ସୁରକ୍ଷିତ ଭାବେ ପାଠ ପଢ଼ିପାରିବୁ ବୋଲି ସରକାରଙ୍କୁ ନିବେଦନ କରିଛନ୍ତି କୋମଳମତି ଛାତ୍ରଛାତ୍ରୀ । ବିଦ୍ୟାଳୟର ଶ୍ରେଣୀ ଗୃହ ନିର୍ମାଣ ସହ ଆନୁଷଙ୍ଗିକ ସୁରକ୍ଷା ବ୍ୟବସ୍ଥା ପ୍ରତି ଗୁରୁତ୍ବ ଦେବାକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀ ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏଯାବତ୍ ଫଳ ଶୂନ । ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଗୁରୁତ୍ବ ଦେଇ ଯଥାଶୀଘ୍ର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିଦ୍ୟାଳୟ ଶ୍ରେଣୀ ଗୃହ ନିର୍ମାଣ କରିବାକୁ ପ୍ରଶାସନ ଓ ସରକାରଙ୍କୁ ଅନୁରୋଧ କରିଛନ୍ତିି ଗ୍ରାମବାସୀ । ଅନ୍ୟପଟେ ବର୍ତ୍ତମାନ ବିଦ୍ୟାଳୟ ଶ୍ରେଣୀ ଗୃହର ଅବସ୍ଥାକୁ ଦେଖି ଉଭୟ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଭୟଭୀତ ଅଛନ୍ତି । ତଥାପି ଭଗବାନ ଭରସାରେ ବିପଦ ସଂକୁଳ ଅବସ୍ଥାରେ ଯେନତେନ ଶିକ୍ଷାଦାନ କରୁଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ । ଅନ୍ୟପଟେ ବିଦ୍ୟାଳୟର ଶ୍ରେଣୀଗୃହ ବର୍ଷାରେ ଭୁଷୁଡ଼ିଛି, ଏନେଇ ମୁଁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଖୁବ୍ ଶୀଘ୍ର ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବି ବୋଲି କହିଛନ୍ତି ବାଲିଗୁଡ଼ା ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ । ସେପଟେ ବିଳମ୍ବିତ ରାତ୍ରରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। କିନ୍ତୁ,ଯଦି ଶିକ୍ଷାଦାନ ଅବସ୍ଥାରେ ଏଭଳି ଘଟଣା ଘଟିଥାନ୍ତା ତେବେ ଅବସ୍ଥା କ\’ଣ ହୋଇଥାନ୍ତା ବୋଲି ପ୍ରଶ୍ନ କରିଛନ୍ତି ଅଭିଭାବକ ଓ ଗ୍ରାମବାସୀ । ଏ ସମ୍ପର୍କ ରେ ବାଲିଗୁଡା ବିଡ଼ିଓ ଅକ୍ଷୟ କୁମାର ମଲ୍ଲିକ ଙ୍କୁ ପଚାରିବାରୁ ସେ ଖୁବ ଶିଘ୍ର କାର‌୍ୟ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି କ୍ଷ ତେବେ ଏଭଳି ସଂଗୀନ୍ ସମସ୍ୟା ପ୍ରତି ସ୍ଥାନୀୟ ପ୍ରଶାସନ ଓ ବିଭାଗୀୟ ଅଧିକାରୀ କେତେ ତତ୍ପର ହେଉଛନ୍ତି ଏବଂ ବିଦ୍ୟାଳୟର ସମସ୍ୟା ସୁଧାରିବାକୁ କେବେ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031