ବାଲିଗୁଡାରେ ପରିବାଦର ଆକାଶଛୁଆଁ : ଜନତା ହନ୍ତସନ୍ତ, କନ୍ଧମାଳ ପରିବା ଚାଷୀ ଗଞ୍ଜେଇ ଚାଷ ଆଡେ ମୁହାଁଉଛନ୍ତି
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୮/୭: ବର୍ଷା ଦିନ ଆରମ୍ଭ ହୋଇଗଲାଣି, କିନ୍ତୁ ପନିପରିବା ଦର ହୁ ହୁ ହୋଇ ବଢିବା ରେ ଲାଗିଛି । ପରିବା ଦର ଆକାଶଛୁଆଁ ରହିଥିବା ହେତୁ ବଜାରକୁ ଯିବା ପାଇଁ ଲୋକମାନେ ଭୟ କରୁଛନ୍ତି। ସତେ ଯେମିତି ପରିବା ବଜାରରେ ନିଆଁ ଲାଗିଛି । ବାଲିଗୁଡା ଟାଉନ ସମେତ ଆଖପାଖ ବଜାରରେ ଆଳୁ ପିଆଜକୁ ଛାଡ଼ିଦେଲେ ସବୁଜ ପରିବା କିଲୋ ୫୦ଟଙ୍କା ଉପରେ ରହିଛି ।
ଟମାଟୋ କେଜି ପ୍ରତି ୧୨୦ ଟଙ୍କା, କଟିକି ପୋଟଳ ୬୦, ବାଇଗଣ କିଲୋ ପିଛା ୮୦, କଲରା ୮୦ , ଜହ୍ନି ୬୦, ଭେଣ୍ଡି ୬୦ , କଞ୍ଚା ମରିଚ କିଲୋ ୧୨୦ ଟଙ୍କା, ଅଦା କେଜି ୨୬୦ ରହିଛି । ଆଳୁ କିଲୋ ପିଛା ୨୦ ଟଙ୍କା ଓ ପିଆଳ କେଜି ୨୦ରୁ ୨୫ ଟଙ୍କା ରହିଥିବା ହେତୁ ସବୁଜ ପରିବାରେ ହାତ ମାରୁନାହାନ୍ତି ଗ୍ରାହକ ।
ଅନେକ ଲୋକେ ଆଳୁ ପିଆଜ କିଣି କାମ ଚଲାଉଛନ୍ତି, କଣ କିଣିବେ ବୋଲି ଭାବି ନପାରି ଆଳୁ କିଣି ନେଉଛନ୍ତି ଖାଉଟି । ପରିବାଦର ଆକାଶ ଛୁଆଁ ରହିଥିବା ବେଳେ ଗରିବ ଶ୍ରେଣୀର ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଟମାଟୋ ସାଧାରଣତଃ ହାଣ୍ଡିଶାଳ ଉପରେ ବେଶ ପ୍ରଭାବ ପକାଇଛି କ୍ଷ ସବୁ ରୋଷେଇରେ ଟମାଟୋର ଆବଶ୍ୟକତା ରହିଛି ହେଲେ ଦର ୧୨୦ ଥିବାରୁ ଲୋକମାନେ ଟମାଟୋ ନାଆଁ ଭୁଲିଗଲେଣି ।
ବର୍ଷା ଦିନ ଆରମ୍ଭରୁ ପରିବା ଦର ଏଭଳି ବଢିବା ଲୋକମାନେ ମନରେ ଛନକା ପଶିଛି । ପ୍ରତି ଦିନ କଞ୍ଚା ପନି ପରିବା ଉପରେ ଲୋକଙ୍କ ଚାହିଦା ଅଧିକ ଥିବାରୁ ଦର ହୁ ହୁ ହୋଇ ଦ୍ରୁତ ଗତିରେ ବଢିଚାଲିଛି କମିବାର ନାଁ ଧରୁନି । ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳରେ ଏହି ସମୟରେ ପନିପରିବା ଫସଲ ଅମଳ ଭଲ ହୋଇଥାଏ ହେଲେ ଚଳିତ ବର୍ଷ ପାଗ ଅନୁକୂଳ ନଥିବାରୁ ଓ ଖରାର ତାପମାତ୍ରା ବୃଦ୍ଧି ପାଇବାରୁ ଫସଲ ସଠିକ୍ ଭାବରେ ହୋଇପାରିନାହିଁ ।
ଅନ୍ୟ ପକ୍ଷରେ ପନିପରିବା ଚାଷ କରୁଥିବା ଚାଷୀ ଏବେ କିଛି ବର୍ଷ ହେଲା ଗଞ୍ଜେଇ ଚାଷ କରି ରାତାରାତ କୋଟିପତି ହେଉଥିବାରୁ ପନିପରିବା ଚାଷ ରୁ ଦୂରେଇ ରହୁଛନ୍ତି ।
ଯେଉଁ ମାନେ ପ୍ରକୃତ ପରିବା ଚାଷୀ ସେମାନେ ଏବେ ପରିବା ଚାଷରୁ ମୁହଁ ଫେରାଇ ବାହାର ରାଜ୍ୟକୁ ଚାଲିଯାଉଛନ୍ତି ଦାଦନ ଖଟିବା ପାଇଁ କାହିଙ୍କି ନା ଦୈବୀ ଦୁର୍ବିପାକ ଯୋଗୁଁ ଅନେକ ସମୟରେ ଚାଷ ଉଜୁଡ଼ି ଯାଉଛି ।
ଏହାରି ଭିତରେ ବାହାରୁ ଆସୁଥିବା ପନିପରିବା ଦର ହୁହୁ ହୋଇ ବଢ଼ି ଚାଲିଛି ବୋଲି ବ୍ୟବସାୟୀ ମାନେ କହିଛନ୍ତି । ତାହା ପୁଣି ମନ ଇଚ୍ଛା ଦରରେ ବିକ୍ରି କରୁଛନ୍ତି ପରିବା ବ୍ୟବସାୟୀ । ଏଥିପ୍ରତି ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବୀ ହୋଇଛି ।