Indus Valley Times

ବାୟୁସେନା ହେଲିକପ୍ଟର୍ ଦୁର୍ଘଟଣା: ଗ୍ରୁପ୍ କ୍ୟାପ୍‌ଟେନ୍ ବରୁଣ ସିଂହଙ୍କ ଦେହାନ୍ତ

 Breaking News

ବାୟୁସେନା ହେଲିକପ୍ଟର୍ ଦୁର୍ଘଟଣା: ଗ୍ରୁପ୍ କ୍ୟାପ୍‌ଟେନ୍ ବରୁଣ ସିଂହଙ୍କ ଦେହାନ୍ତ

December 15
15:38 2021

ନୂଆଦିଲ୍ଲୀ,୧୫/୧୨: ଗତ ସପ୍ତାହରେ ତାମିଲନାଡୁରେ ‘ଏମ୍ଆଇ-୧୭’ ହେଲିକପ୍ଟର୍ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧୀନ ଥିବା ଗ୍ରୁପ୍ କ୍ୟାପ୍ଟେନ୍ ବରୁଣ ସିଂହଙ୍କର ବୁଧବାର ଦିନ ସକାଳେ ଦେହାନ୍ତ ହୋଇଛି । ଏ ନେଇ ଭାରତୀୟ ବାୟୁସେନା ଘୋଷଣା କରିଛି । ବେଙ୍ଗାଲୁରୁସ୍ଥିତ କମାଣ୍ଡ୍ ହସ୍ପିଟାଲ୍ରେ ତାଙ୍କର ଚିକିତ୍ସା ଚାଲିଥିଲା ବେଳେ ପରଲୋକ ଘଟିଛି। ତାଙ୍କ ଶରୀରରେ ୪୫% ପୋଡ଼ାଜନିତ କ୍ଷତ ହୋଇଥିଲା ବୋଲି ହସ୍ପିଟାଲ ସୂତ୍ରରୁ ପ୍ରକାଶ।
ଏ ସଂକ୍ରାନ୍ତରେ ଭାରତୀୟ ବାୟୁସେନା ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି, ଗଭୀର ଦୁଃଖର ସହ ଜଣାଉଛୁ କି, ୨୦୨୧ ଡିସେମ୍ବର ୮ ତାରିଖ ଦିନ ହେଲିକପ୍ଟର୍ ଦୁର୍ଘଟଣାରେ ଆହତ ହୋଇଥିବା ଗ୍ରୁପ୍ କ୍ୟାପ୍ଟେନ୍ ବରୁଣ ସିଂହଙ୍କର ଆଜି ସକାଳେ ଦେହାନ୍ତ ହୋଇଯାଇଛି। ସମବେଦନା ଜଣାଇବା ସହ ଭାରତୀୟ ବାୟୁସେନା ଶୋକସନ୍ତପ୍ତ ପରିବାରବର୍ଗଙ୍କ ପାଖେ ପାଖେ ରହିଛି।
‘ସିଏସ୍ଡି’ ଜେନେରାଲ୍ ବିପିନ ରାୱତ୍, ତାଙ୍କ ପତ୍ନୀ ମଧୁଲିକା ଏବଂ ଆଉ ୧୧ଜଣ ପ୍ରାଣ ହରାଇଥିବା ଉକ୍ତ ହେଲିକପ୍ଟର୍ ଦୁର୍ଘଟଣାରେ ଏ ପର‌୍ୟ୍ୟନ୍ତ ଏକମାତ୍ର ଜୀବୀତ ବ୍ୟକ୍ତି ଥିଲେ ବରୁଣ ସିଂହ। ତାଙ୍କୁ ହେଲିକପ୍ଟର୍ର ଭଗ୍ନାଂଶ ତଳୁ ବାହାର କରି ଉଦ୍ଧାର କରାଯାଇଥିଲା।
ପୂର୍ବରୁ କୋଏମ୍ବାଟୁର୍ରୁ ସରକାରୀସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ତାଙ୍କର ଅବସ୍ଥା ସାଂଘାତିକ ହୋଇପଡ଼ିଥିଲେ ମଧ୍ୟ ସ୍ଥିର ରହିଥିଲା। ତାଙ୍କ ଦେହରେ ୩ଟି ଅସ୍ତ୍ରୋପଚରା କରାଯାଇଥିଲା।
ତାଙ୍କ ମୃତ୍ୟୁ ସମ୍ବାଦ ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ଲେଖିଛନ୍ତି, ଗ୍ରୁପ୍ କ୍ୟାପ୍ଟେନ୍ ବରୁଣ ସିଂହ ଗୌରବ, ଶୌର‌୍ୟ୍ୟ ଏବଂ ନିଷ୍ଠାର ସହ ଜାତିର ସେବା କରିଥିଲେ। ତାଙ୍କ ମୃତ୍ୟୁ ଯୋଗୁଁ ମୁଁ ଅତ୍ୟନ୍ତ ମର୍ମାହତ। ଦେଶ ପ୍ରତି ତାଙ୍କର ନିଷ୍ଠାପର ସେବା ଅବିସ୍ମରଣୀୟ। ତାଙ୍କ ପରିବାର ଓ ବନ୍ଧୁବର୍ଗଙ୍କୁ ମୋର ସମବେଦନା। ଓଁ ଶାନ୍ତି।
ଗତବର୍ଷ ଗୁରୁତର ବୈଷୟିକ ତ୍ରୁଟି ଯୋଗୁଁ ଏକ ଉଡ଼ନ୍ତା ‘ତେଜସ୍ ଲାଇଟ୍ କମ୍ବାଟ୍ ବିମାନ’କୁ ସମ୍ଭାବ୍ୟ ଦୁର୍ଘଟଣାରୁ ରକ୍ଷା କରିଥିବା ଗ୍ରୁପ୍ କ୍ୟାପ୍ଟେନ୍ ବରୁଣ ସିଂହଙ୍କୁ ଗତ ଅଗଷ୍ଟ ମାସରେ ‘ଶୌର‌୍ୟ୍ୟଚକ୍ର’ରେ ଭୂଷିତ କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031