Indus Valley Times

ବିଜେଡିରୁ ବୌଦ୍ଧ ଆସନ ପାଇଁ ପ୍ରଦିପ ଅମାତ ଓ କଣ୍ଟାମାଳ ପାଇଁ ମହିଧର ରଣା ନାମାଙ୍କନ ପତ୍ର ଦାଖଲ କଲେ

 Breaking News

ବିଜେଡିରୁ ବୌଦ୍ଧ ଆସନ ପାଇଁ ପ୍ରଦିପ ଅମାତ ଓ କଣ୍ଟାମାଳ ପାଇଁ ମହିଧର ରଣା ନାମାଙ୍କନ ପତ୍ର ଦାଖଲ କଲେ

ବିଜେଡିରୁ ବୌଦ୍ଧ ଆସନ ପାଇଁ ପ୍ରଦିପ ଅମାତ ଓ କଣ୍ଟାମାଳ ପାଇଁ ମହିଧର ରଣା ନାମାଙ୍କନ ପତ୍ର ଦାଖଲ କଲେ
April 30
10:35 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୩୦/୪:ବୌଦ୍ଧଜିଲ୍ଲାରେ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ନିର୍ବାଚନ ଉଷ୍ମତା ସେତିକି ବୃଦ୍ଧି ପାଉଛି । ଗତ ୨୬ ତାରିଖ ଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆଜି ବିଜେଡି ପ୍ରାର୍ଥୀପତ୍ର ଦାଖଲ କରିଛି । ଜିଲ୍ଲାର ବୌଦ୍ଧ ନିର୍ବାଚନ ମଣ୍ଡଳି ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳି ପାଇଁ ଆଜି ବିଜେଡି ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବୌଦ୍ଧ ନିର୍ବାଚନ ମଣ୍ଡଳି ପାଇଁ ବିଜେଡି ପ୍ରାର୍ଥୀ ମନ୍ତ୍ରୀ ପ୍ରଦିପ କୁମାର ଅମାତ, ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ କଣ୍ଟାମାଳ ନିର୍ବାଚନ ମଣ୍ଡଳି ପାଇଁ ବିଜେଡି ପ୍ରାର୍ଥୀଭାବେ ବିଧାୟକ ମହିଧର ରଣା ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ବୌଦ୍ଧ ସହରସ୍ଥିତ ରଘୁନାଥ ମନ୍ଦିର ଠାରୁ ଉଭୟ ପ୍ରାର୍ଥୀ ଏକ ସୁସଜ୍ଜିତ ରଥରେ ଏକ ବିରାଟ ଶୋଭାଯାତ୍ରାରେ ବାହରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଂଚିଥିଲେ । ସେଠାରୁ ଉଭୟ ପ୍ରାର୍ଥୀ ଶ୍ରୀ ଅମାତ ଓ ଶ୍ରୀ ରଣା ରିଟର୍ଣ୍ଣିଙ୍ଗ ଅଫିସର ଙ୍କ ଠାରେ ପହଂଚି ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ । ବୌଦ୍ଧ ନିର୍ବାଚନ ମଣ୍ଡଳି ପାଇଁ ରିଟର୍ଣ୍ଣିଙ୍ଗ ଅଫିସର ତଥା ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନାଙ୍କ ଠାରେ ଶ୍ରୀ ଅମାତ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ କଣ୍ଟାମାଳ ନିର୍ବାଚନ ମଣ୍ଡଳି ପାଇଁ ରିଟର୍ଣ୍ଣିଙ୍ଗ ଅଫିସର ଭାବରେ ଦାୟୀତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର‌୍ୟ ଭଂଜନ ମଦନ ମୋହନ ପାତ୍ରଙ୍କ ଠାରେ ଶ୍ରୀ ରଣା ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।
ଏହି ସମୟରେ ରାଜ୍ୟ ବୟନିକା ସଭାପତି ପ୍ରକାଶ ମେହେର,ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ,ନଗରପାଳ ମୃତ୍ୟୁଂଜୟ ମିଶ୍ର, ରାଜ୍ୟ ଯୁଗ୍ମ ସଂପାଦକ ଅଶୋକ ସାହୁ, ଜିଲ୍ଲା ପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ରଙ୍କ ସମେତ ଅନେକ ନେତା ଶୋଭାଯାତ୍ରାରେ ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳିରୁ ହଜାର ହଜାର ଦଳିୟ କର୍ମୀ ଯୋଗଦେଇଥିଲେ । ପ୍ରାର୍ଥୀପତ୍ର ଦାଖଲ ସମୟରେ ଯେପରି କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି ନଉପୁଜେ ସେଥିପାଇଁ ଏସଡିପିଓ କୁଲଦୀପ ମୀନା ଓ ବୌଦ୍ଧ ଥାନା ଅଧିକାରୀ ରଂଜିତ ମୁନୀଙ୍କ ନେତୃତ୍ୱରେ ବୌଦ୍ଧ ପୁଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କରାଯିବାସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ତେବେ ପ୍ରାର୍ଥୀପତ୍ର ଦାଖଲ ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରବେଶ କରାଯାଇନଥିବାରୁ ସେଠାରେ ଅସନ୍ତୋଷ ଦେଖା ଦେଇଥିଲା ।
ପୋଲିସ ପକ୍ଷରୁ ଚଢଉ ୮୦୦ କେଜି ଗଞ୍ଜେଇ ଜବତ
ବୌଦ୍ଧ,୩୦/୪: ବୌଦ୍ଧ ପୁଲିସ ପକ୍ଷରୁ ଲକଡପାଜୁ ଗ୍ରାମ ନିକଟ ଜଙ୍ଗଲରେ ଚଢଉ କରାଯାଇ ୮ ଶହ କେଜି ଗଂଜେଇ ଜବତ କରିଛି । ସୂଚନା ମତେ, ବୌଦ୍ଧ ଥାନା ଅନ୍ତର୍ଗତ ଲକଡପା ଗ୍ରାମ ନିକଟ ଜଙ୍ଗଲରେ ବେଆଇ ଭାବରେ ବ୍ୟାପକ ଗଞ୍ଜେଇ ରଖାଯାଇଥିବା ନେଇ ପୁଲିସ ବିଶେଷ ସୁତ୍ରରୁ ଖବର ପାଇ ଜଙ୍ଗଲ ଉପରେ ଚଢଉ କରିଥିଲା । ଚଢଉ ସମୟରେ ପୁଲିସ ଉକ୍ତ ସ୍ଥାନରୁ ୮୦୦ କିଲୋ ଗଞ୍ଜେଇ ଜବତ କରିଛି । ହେଲେ ଏହି ଘଟଣାରେ ପୁଲିସ କାହାକୁ ଗିରଫ କରିନଥିବା ବେଳେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
ବୌଦ୍ଧ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଲୟର୍ସ ଡେ ପାଳିତ
ବୌଦ୍ଧ,୩୦/୪ : ବୌଦ୍ଧ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆଜି ଲୟର୍ସ ଡେ ପାଳିତ ହୋଇଯାଇଛି । ଜିଲ୍ଲା ଓକିଲ ସଂଘର ସଭାପତି ଧୁରୀଣ କୁମାର ଦେହୁରୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଓକିଲ ସଂଘ କାର୍ଯ୍ୟଳୟଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ସଭାପତି ଶ୍ରୀ ଦେହୁରୀ ମଧୁବାବୁ ଥିଲେ ଜଣେ ସ୍ୱାଭିମାନୀ ମଣିଷ , ଆଜିର ଦିନରେ ତାଙ୍କର ସ୍ମୃତି ଚାରଣ କରିବା ସମସ୍ତ ଓଡିଆ ଜାତି ପାଇଁ ଗର୍ବ ବୋଲି ମତବ୍ୟକ୍ତ କରିଥିଲେ ।
ସେ ଜଣେ ପରୋପକାରୀ ବ୍ୟକ୍ତି ଥିଲେ ,ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେବାକୁ ମତ ବ୍ୟକ୍ତ କରିଥିଲେ । ଏହାପରେ ଜିଲ୍ଲା ଓକିଲ ସଂଘର ସଦସ୍ୟ ମାନେ କୋର୍ଟ ଛକ ପରିସରରେ ଥିବା ମଧୁସୁଦନ ଦାସଙ୍କ ପ୍ରତିମୁତ୍ତିରେ ଫୁଲମାଳ ସହ ଧୁପ ପ୍ରଦାନ କରିଥିଲେ । ଆଇନଜୀବୀ ତାରେଣୀ କୁମାର ମହାପାତ୍ର ଅଶୋକ କୁମାର ମିଶ୍ର, ଅଶୋକ କୁମାର ସାହୁ, ,ଦେବରଂଜନ ବିଶି, ଜ୍ଞାନରଂଜନ ପଟ୍ଟନାୟକ, ମନୋଜ ମହାରଣା, ଅମ୍ରିତ ପ୍ରଧାନ, ଯୋଗେଶ ପ୍ରସାଦ ନାୟକ, ଶିବପ୍ରସାଦ ପଣ୍ଡା,ଜୁଲିୟସ ସିଜର ମହାକୁଳ, ପ୍ରଦୀପ କୁମାର ମହାରଣା,ଅବିନାଶ ମେହେର, ପରମେଶ୍ୱର ନାଏକ , ସାଲିନୀ ଷଢଙ୍ଗୀଙ୍କ ସମେତ ସଂଘର କର୍ମଚାରୀ ରଙ୍କନିଧି ଲୋଇ ଯୋଗ ଦେଇଥିଲେ ।
ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ବୌଦ୍ଧ ଗସ୍ତ, ନିର୍ବାଚନ ପ୍ରସ୍ତୁତି ସମୀକ୍ଷା
ବୌଦ୍ଧ,୩୦/୪ : ବୌଦ୍ଧ ଓ କନ୍ଧମାଳ ନିର୍ବାଚନ ମଣ୍ଡଳୀରେ ନର୍ବାଚନ ଖର୍ଚ୍ଚ ତଦାରଖ ପାଇଁ ନିଯୁକ୍ତ ପର୍ଯ୍ୟବେକ୍ଷକ ଏନ,କେ. ମିଶ୍ର ଓ ପ୍ରବୀଣ କୁମାର ବୌଦ୍ଧ ଜିଲ୍ଲା ଗସ୍ତ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି ।
ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଜେ. ସୋନାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉଭୟ ପର୍ଯ୍ୟବେକ୍ଷକ ଯୋଗଦେଇ ଆଗାମୀ ସାଧାରଣ ନିର୍ବାଚନ ଜିଲ୍ଲାରେ ଶାନ୍ତି ଶୃଙ୍ଖଳାରେ ପରିଚାଳନା କରାଯିବାକୁ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ନିର୍ବାଚନ ପରିଚାଳନା ପାଇଁ ନିଯୁକ୍ତ ଆକାଉଣ୍ଟିଙ୍ଗ ଟିମ୍‌, ଫ୍ଲାଇଙ୍ଗ ସ୍କ୍ୱାଡ, ସ୍ଫାଟିକ୍ ସର୍ଭିଲେନସ, ଭିଡିଓ ସର୍ଭିଲେନସ, ସହକାରୀ ବ୍ୟୟ ପର୍ଯ୍ୟବେକ୍ଷକ, ଏମସି ଏମସି, ଅଭିଯୋଗ ମନିଟରିଙ୍ଗ କଣ୍ଟ୍ରୋଲରୁମ,କଲସେଣ୍ଟର ଏବଂ କେନ୍ଦ୍ରୀୟ ତଥା ରାଜ୍ୟ ଏନଫୋରସମେଣ୍ଟ ଏଜେନସି ର କାର୍ଯ୍ୟ ସଂପର୍କରେ ଉଭୟ ପର୍ଯ୍ୟବେକ୍ଷକ ପଚାରି ବୁଝିଥିଲେ । ବିଭିନ୍ନ ଟିମ୍ ର ନୋଡାଲ ଅଧିକାରୀମାନେ ସେମାନଙ୍କ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ବିଭିନ୍ନ ଟିମ୍ ର ସଦସ୍ୟ ସଦସ୍ୟାମାନେ ସେମାନଙ୍କ ଦାୟିତ୍ୱକୁ ସୂଚାରୁରୂପେ ତୁଲାଇବାକୁ ପର୍ଯ୍ୟବେକ୍ଷକମାନେ ପରାମର୍ଶ ଦେବା ସହିତ ସମସ୍ୟାର ସମାଧାନ ପାଇଁ ସେମାନଙ୍କର ତ୍ୱରିତ ପଦକ୍ଷେପ ଏବଂ ସହଯୋଗ ରହିବ ବୋଲି କହିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ,କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର‌୍ୟଭଞ୍ଜନ ମଦନ ମୋହନ ପାତ୍ର,ବୌଦ୍ଧ ନିର୍ବାଚନ ମଣ୍ଡଳୀ ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନାଙ୍କ ସମେତ ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀମାନେ ଉପସ୍ଥିତ ଥିଲେ ।
ମାସିକ ସାହିତ୍ୟ ଆସର ଓ ମଧୁବାବୁ ଜୟନ୍ତୀ ପାଳିତ
ବୌଦ୍ଧ,୩୦/୪ : ବୌଦ୍ଧ ଜିଲ୍ଲା କଲ୍‌ଚରାଲ ଏକାଡ଼େମୀ ତରଫରୁ ସ୍ୱାଭିମାନ ଦିବସ ତଥା ଅନୁଷ୍ଠାନର ମାସିକ ସାହିତ୍ୟ ଆସର ଅବସରରେ ସ୍ଥାନୀୟ ଦାନୀସାହି ସ୍ଥିତ ବିଶ୍ରାମ ଗୃହରେ ମାସିକ ସାହିତ୍ୟ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଅଧିବେଶନରେ ଏକାଡ଼େମୀର ଉପ ସଭାପତି ତଥା ବିଶିଷ୍ଟ ସ୍ତମ୍ଭକାର ଓ ଶିଶୁ ସାହିତ୍ୟିକ ଧ୍ରୁବ ଚରଣ ଘିବେଲା ସଭାପତିତ୍ୱ କରି ସ୍ୱାଭିମାନୀ ହେବା ଏକ ମାନବିକତାର ଗୁଣ ବୋଲି ଖୋଲା ମନ୍ତବ୍ୟରେ ସ୍ୱାଭିମାନର ସଜ୍ଞା ନିରୂପଣ କରି ନିଜ ସଭାପତି ଅଭିଭାଷଣରେ ପରିପ୍ରକାଶ କରିଥିଲେ ।
ଆଲୋଚକ ଭାବେ ଅଧ୍ୟାପକ ପ୍ରତାପ କୁମାର ରଥ ଯୋଗଦେଇ ମାନ, ଅଭିମାନ ଓ ସ୍ୱାଭିମାନର ନିଖୁଣ ଅର୍ଥ ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ଅଲୋଚକ ଭାବେ ବିଶିଷ୍ଟ କବି କିଶୋର ମିଶ୍ର ଯୋଗଦେଇ କବି ଭାବନାର ପ୍ରତିଟି ମୁହୁର୍ତ ଏକ ସ୍ୱାଭିମାନର ପ୍ରେରଣା ହେଉ ବୋଲି ନିଜ ବକ୍ତବ୍ୟରେ ଦର୍ଶାଇଥିଲେ ।
ସମ୍ମାନିତ ଅତିଥି ଭାବେ କବୟିତ୍ରୀ ମଞ୍ଜୁପ୍ରଭା ପଟ୍ଟନାୟକ ଯୋଗଦେଇ ସ୍ୱାଭିମାନୀ ପରୁଷ ମଧୁବାବୁଙ୍କ ଜୀବନୀ ଉପରେ ଗୁରୁତ୍ୱାରୋପ କରିଲେ । ଏହି ଅବସରରେ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ିର ବିଶିଷ୍ଟ ସାହିତ୍ୟିକ ବିଦେଶୀ ନାୟକ ଓ ରାଜ୍ୟର ପ୍ରତିଷ୍ଠିତ ସାହିତ୍ୟ ପତ୍ରିକା ବିଶ୍ୱମୁକ୍ତିର ସମ୍ପାଦକ ଶଶାଙ୍କ ଶେଖର ଚୂଡାମଣୀ ଯୋଗଦାନ କରି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ରଶ୍ମିତା ବେହେରାଙ୍କ ଭାବବିହ୍ୱଳ ସଙ୍ଗୀତ ପରିବେଷଣ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଦ୍ୱିତୀୟ ଅଧିବେଶନରେ ଅନୁଷ୍ଠାନର ସଂପାଦକ ତଥା ଗାଳ୍ପିକ ରମେଶ ପ୍ରସାଦ ମେହେରଙ୍କ ସଭାପତିତ୍ୱରେ ଏବଂ ଚନ୍ଦ୍ରକାନ୍ତ ନାୟକ ଓ ନିବାସ ନାୟକଙ୍କ ମିଳିତ ସଂଯୋଜନାରେ ଏକ ମନୋଜ୍ଞ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ।
ଏଥିରେ କବି ଦେବେନ୍ଦ୍ର ମିଶ୍ର, ଦେବେନ୍ଦ୍ର ଦେହୁରୀ, ମଞ୍ଜୁପ୍ରଭା ପଟ୍ଟନାୟକ, କାର୍ତିକେଶ୍ୱର ନାୟକ, କିଶୋର ମିଶ୍ର,ଦେବବ୍ରତ ପଶାୟତ, ଗୋଲକ ବିହାରୀ ସାହୁ, ରମେଶ ପ୍ରସାଦ ମେହେର, ନିବାସ ନାୟକ , ଚନ୍ଦ୍ରକାନ୍ତ ନାୟକ,ରଶ୍ମିତା ବେହେରା,ଚିତରଞ୍ଜନ ବେହେରା, ବିଦେଶୀ ନାୟକ ,ଧ୍ରୁବ ଚରଣ ଘିବେଲା,ପ୍ରତାପ ରଥ ଆଦି କବିମାନେ ନିଜର ସ୍ୱ ରଚିତ କବିତା ପାଠ କରିଥିଲେ । ଶେଷରେ କାର୍ତିକେଶ୍ୱର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031