Indus Valley Times

ଲୋକସଭାରେ ନାଗରିକତା ବିଲ୍ ପାସ୍ , ସପକ୍ଷରେ ୩୧୧

 Breaking News

ଲୋକସଭାରେ ନାଗରିକତା ବିଲ୍ ପାସ୍ , ସପକ୍ଷରେ ୩୧୧

December 10
09:50 2019

ନୂଆଦିଲ୍ଲୀ,୧୦/୧୨: ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ଅଣମୁସଲିମ ଶରଣାର୍ଥୀଙ୍କୁ ଭାରତର ନାଗରିକତା ପ୍ରଦାନ ପାଇଁ କେନ୍ଦ୍ର ସରକାର ଆଣିଥିବା ବିବାଦୀୟ ନାଗରିକତା ସଂଶୋଧନ ବିଲ୍(ସିଏବି) ଆଜି ଲୋକସଭାରେ ପାରିତ ହୋଇଛି। ଦୀର୍ଘ ୭ ଘଣ୍ଟାରୁ ଅଧିକ ସମୟ ଧରି ବିତର୍କ ହେବା ପରେ ଲୋକସଭାରେ ଏହି ବିଲକୁ ମଞ୍ଜୁରୀ ମିଳିଛି।
ବିଲ ସପକ୍ଷରେ ୩୧୧ ଖଣ୍ଡ ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ୮୦ ଖଣ୍ଡ ଭୋଟ ଯାଇଛି। ବିତର୍କରେ ୪୮ ଜଣ ସଦସ୍ୟ ଭାଗ ନେଇଥିଲେ। ତେବେ ଆଜିର ବିତର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ନଥିଲେ। ବିରୋଧୀ ଦଳଗୁଡ଼ିକ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଥିଲେ ହେଁ ଏହା କାଟ ଖାଇଥିଲା।
ବିରୋଧୀ ଦଳଗୁଡ଼ିକ ଏହାକୁ ଅସାମ୍ବିଧାନିକ ବୋଲି କହି ବିରୋଧ କରୁଥିଲେ ହେଁ କେନ୍ଦ୍ର ପାଖରେ ଲୋକସଭାରେ ସଂଖ୍ୟା ଥିବାରୁ ଏହା ପାସ ହୋଇଛି।
ବିଲ ଉପରେ ବିରୋଧୀ ଉଠାଇଥିବା ପ୍ରଶ୍ନର ଉତ୍ତର ଦେଇ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି, “ ବିଲକୁ ନେଇ ଅପପ୍ରଚାର କରାଯାଇଛି। ଅପପ୍ରଚାର ଯୋଗୁ ଭାରତର ବିଭିନ୍ନ ସ୍ଥାନରେ ହିଂସାତ୍ମକ ସୃଷ୍ଟି ହେଉଛି। ସମସ୍ତ ସଦସ୍ୟ ଧାରା ୧୪ ଉପରେ ପ୍ରଶ୍ନ ଉଠାଇଥିଲେ। ହେଲେ ବିଲରେ ଧାରା ୧୪କୁ ଉଲ୍ଲଙ୍ଘନ କରାଯାଇନାହିଁ। ସମସ୍ତଙ୍କୁ ସମାନ ଅଧିକାର ଦିଆଯିବ।
ଯଦି ଧର୍ମ ଆଧାରରେ ଦେଶ ବିଭାଜନ ହୋଇନଥାଆନ୍ତା, ତା’ହେଲେ ଆଜି ଏହି ବିଲ ଆଣିବାର ଆବଶ୍ୟକ ହୋଇ ନଥାଆନ୍ତା। ୧୯୫୦ରେ ନେହରୁ-ଲିଆକତ ଚୁକ୍ତି ହୋଇଥିଲା। ଏଥିରେ ଭାରତ ଓ ପାକିସ୍ତାନରେ ରହୁଥିବା ସଂଖ୍ୟାଲଘୁଙ୍କୁ ଉପଯୁକ୍ତ ଅଧିକାର ଦିଆଯିବ ବୋଲି କୁହାଯାଇଥିଲା। ହେଲେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ସଂଖ୍ୟାଲଘୁମାନଙ୍କୁ ନିର‌୍ୟାତନ ଦିଆଯାଉଛି।
୧୯୪୭ରେ ପାକିସ୍ତାନରେ ସଂଖ୍ୟାଲଘୁଙ୍କ ସଂଖ୍ୟା ୨୩% ଥିଲା। ତେବେ ୨୦୧୧ରେ ଏହା ୩.୩୭% ହୋଇଛି। ବାଂଲାଦେଶରେ ସଂଖ୍ୟାଲଘୁଙ୍କ ସଂଖ୍ୟା ୨୨% ଥିବା ବେଳେ ୨୦୧୧ରେ ଏହା ୪.୮% ହୋଇଯାଇଛି। ଏମାନେ କୁଆଡ଼େ ଗଲେ? ସେମାନଙ୍କୁ ହତ୍ୟା କରାଗଲା ନଚେତ ସେମାନଙ୍କର ଧର୍ମାନ୍ତୀକରଣ କରାଯାଇଛି।
ଭାରତର ପୂର୍ବ ଭାଗ ଏବେ ବାଂଲାଦେଶରେ ପରିଣତ ହୋଇଯାଇଛି। ଏହାଦ୍ୱାରା ଯେଉଁମାନେ ସମସ୍ୟାରେ ପଡ଼ିଛନ୍ତି, ସେମାନେ ହିଁ ଏହାର କଷ୍ଟ ଭଲ ଭାବେ କହିପାରିବେ। ଆମ ଦେଶରେ କାହା ସହ ଭେଦଭାବ କରାଯାଉ ନାହିଁ। ବିଭାଜନ ବେଳେ ଆମ ଦେଶରେ ମୁସଲିମଙ୍କ ସଂଖ୍ୟା ୯.୮% ଥିଲା। ଏବେ ଏହା ୧୪.୨୩%ରୁ ଅଧିକରେ ପହଞ୍ଚିଛି। ୧୯୯୧ରେ ଭାରତରେ ହିନ୍ଦୁଙ୍କ ସଂଖ୍ୟା ୮୪% ଥିଲା। ୨୦୧୧ରେ ଏହା ୭୯%ରେ ପହଞ୍ଚିଯାଇଛି।
ତେଣୁ ଆମ ଦେଶରେ କାହା ସହ ଭେଦଭାବ କରାଯାଉ ନାହିଁ। ଆମେ କୌଣସି ଶରଣାର୍ଥୀ ଯୋଜନା ଗ୍ରହଣ କରିନାହୁଁ। ଜିହ୍ନା ଧର୍ମ ଆଧାରରେ ବିଭାଜ କରିବାକୁ ଚାହିଁଥିଲେ। ମହାତ୍ମା ଗାନ୍ଧି ଏହାକୁ ବିରୋଧ କରିଥିଲେ ହେଁ କଂଗ୍ରେସ ପାର୍ଟି ଏହାକୁ ସମର୍ଥନ କରିଥିଲା। କ’ଣ ଧର୍ମ ଆଧାରରେ ବିଭାଜନ ହୋଇଥିଲା। ଶ୍ରୀଲଙ୍କା ଓ ବାଂଲାଦେଶରେ ବି ନାଗରିକତା ବିଲ ଲାଗୁ କରାଯାଇଛି। ଧାରା ୧୪ରେ ସଂଖ୍ୟାଲଘୁଙ୍କ ପାଇଁ ସମସ୍ତ ବ୍ୟବସ୍ଥା ଥିବା କୁହାଯାଉଛି। ହେଲେ ଯଦି ଏହାକୁ ଖ୍ରୀଷ୍ଟିୟାନ କିମ୍ବା ଶିଖ୍ଙ୍କୁ ଦୃଷ୍ଟିରେ ରଖି କରାଯାଇଛି, ତା’ହେଲେ ଏହା ସମ୍ବିଧାନର ଉଲ୍ଲଙ୍ଘନ ନୁହେଁ କି?
ଆମେ ସମ୍ବିଧାନର ଧାରା ୩୭୧କୁ ଛୁଇଁବୁ ନାହିଁ। ଏହା କୌଣସି ସ୍ୱତନ୍ତ୍ର ପତାକା କିମ୍ବା ସ୍ୱତନ୍ତ୍ର ସମ୍ବିଧାନର ନିୟମ ପ୍ରଣୟନ କରୁନାହିଁ। ଆମେ କେବେ ହେଲେ ରୋହିଙ୍ଗ୍ୟାଙ୍କୁ ଗ୍ରହଣ କରିବୁ ନାହିଁ। ସେମାନେ ବାଂଲାଦେଶ ଦେଇ ଅନୁପ୍ରବେଶ କରୁଛନ୍ତି। ମୁଁ ଆମ ଦେଶର ଭାଇଭଉଣୀମାନଙ୍କୁ କହିବାକୁ ଚାହୁଁଛି ଯେ ସେମାନେ କେବେ ହେଲେ ବି ଭୟଭୀତ ହେବା ଦରକାର ନାହିଁ। ଆମେ କୌଣସି ଭେଦଭାବ କରିବୁ ନାହିଁ। ସିଏବି ଟ୍ରାପ ନୁହେଁ। କିନ୍ତୁ ଅନୁପ୍ରେବଶ ଉପରେ ଏହା ଟ୍ରାପ ଭଳି କାମ କରିବ। ନାଗାଲ୍ୟାଣ୍ଡ ଓ ମିଜୋରାମକୁ ଇନର ଲାଇନ ପରମିଟ ଦ୍ୱାରା ସୁରକ୍ଷିତ ରଖାଯାଇଥିବା ବେଳେ ସିକ୍ସଥ ସେଡ୍ୟୁଲ ଅନୁସାରେ ମେଘାଳୟକୁ ସୁରକ୍ଷା ଦିଆଯାଇଛି।
ମୋଦି ସରକାରଙ୍କ ଧର୍ମ ହେଉଛି ସମ୍ବିଧାନ। ଦେଶରେ ଥିବା ମୁସଲିମମାନଙ୍କ ବିରୋଧରେ ବିଲରେ କିଛି ବି ବ୍ୟବସ୍ଥା ନାହିଁ। ଏନଆରସି କଥା ଯଦି ବିଚାରକୁ ନେବା, ତା’ହେଲେ ଏହା କାର‌୍ୟ୍ୟକାରୀ ହେବ। ଆମେ ଆମ ଘୋଷଣାପତ୍ରରେ ଏକଥା ଉଲ୍ଲେଖ କରିଛୁ। ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ସଂଖ୍ୟାଲଘୁମାନଙ୍କୁ ବୁର୍ଖା ଓ ଶୁକ୍ରବାର ନମାଜ ପଢ଼ିବାକୁ ବାଧ୍ୟ କରାଯାଉଛି। ଶରଣାର୍ଥୀ ଓ ଅନୁପ୍ରବେଶ ମଧ୍ୟରେ ବହୁ ପାର୍ଥକ୍ୟ ରହିଛି। ତେଣୁ ଆମେ ସିଏବି ଲାଗୁ କରିଛୁ। ଆଗକୁ ବି ଏନଆରସି ଲାଗୁ ହେବ। ”
ବିତର୍କରେ ଭାଗନେଇ କଂଗ୍ରେସ ସାଂସଦ ଶଶି ଥରୁର କହିଥିଲେ, ଯଦି ଏହି ବିଲ ପାସ୍ ହୋଇଯିବ, ତା’ହେଲେ ପାକିସ୍ତାନର ଜିହ୍ନାଙ୍କ ବିଜୟ ହେବ ଏବଂ ଭାରତର ମହାତ୍ମା ଗାନ୍ଧିଙ୍କ ପରାଜୟ।
ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସି ବିତର୍କ ବେଳେ ସିଏବିର ଏକ କପିକୁ ଚିରି ଦେଇଥିଲେ। ସେ କହିଥିଲେ, “ଏହି ବିଲ୍ ଯୋଗୁ ଦେଶ ଆଉ ଗୋଟିଏ ବିଭାଜନ ଆଡ଼େ ମୁହାଁଉଛି। ମୁସଲିମ ଶରଣାର୍ଥୀଙ୍କୁ ରାଷ୍ଟ୍ରହୀନ କରିବା ପାଇଁ ଏହି ବିଲ ଅଣାଯାଇଛି। ଏହି ଆଇନ ହିଟଲରଙ୍କ ଆଇନ୍ଠାରୁ ବି ଅଧିକ ଖରାପ। ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଏହି ବିଲ ଏକ ଅପମାନ।”
ଶିରୋମଣି ଅକାଳୀ ଦଳର ନେତା ସୁଖବୀର ସିଂହ ବାଦଲ କହିଛନ୍ତି, “କ’ଣ ପାଇଁ ବିଲରେ ମୁସଲିମଙ୍କ ନାଁ ଉଲ୍ଲେଖ କରାଯାଇ ନାହିଁ? ଏମିତି ଅନେକ ଘଟଣା ରହିଛି, ଯେଉଁଠାରେ ମୁସଲିମମାନଙ୍କୁ ମଧ୍ୟ ସେମାନଙ୍କ ଧର୍ମରେ ନିର‌୍ୟାତନା ସହିବାକୁ ପଡ଼ିଛି। ତେଣୁ ସେମାନଙ୍କୁ ମଧ୍ୟ ଭାରତର ନାଗରିକତା ଦେବା ଦରକାର।”

-Odisha Reporter

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031