Indus Valley Times

ବିଭିନ୍ନ ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ମୂଲ୍ୟାଙ୍କନ : ୧୮୦୦ରୁ ଊର୍ଦ୍ଧ୍ୱ ଶିକ୍ଷାର୍ଥୀ ଦେଲେ ପରୀକ୍ଷା

 Breaking News

ବିଭିନ୍ନ ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ମୂଲ୍ୟାଙ୍କନ : ୧୮୦୦ରୁ ଊର୍ଦ୍ଧ୍ୱ ଶିକ୍ଷାର୍ଥୀ ଦେଲେ ପରୀକ୍ଷା

ବିଭିନ୍ନ ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ମୂଲ୍ୟାଙ୍କନ : ୧୮୦୦ରୁ ଊର୍ଦ୍ଧ୍ୱ ଶିକ୍ଷାର୍ଥୀ ଦେଲେ ପରୀକ୍ଷା
September 22
09:54 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୨୨/୯: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ‘ଉଲ୍ଲାସ’ କାର୍ଯ୍ୟକ୍ରମ ଅଧୀନରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ମୂଲ୍ୟାଙ୍କନ ପରୀକ୍ଷା ଅନୁଷ୍ଠିତ ହୋଇଛି।
ବ୍ଲକର ୧୬ଟି କ୍ଲଷ୍ଟରରେ ଏହି ପରୀକ୍ଷା ଆୟୋଜିତ ହୋଇଥିବା ବେଳେ ପ୍ରାୟ ୧୮୦୦ରୁ ଊର୍ଦ୍ଧ୍ୱ ପରୀକ୍ଷାର୍ଥୀ ଏଥିରେ ଅଂଶ ଗ୍ରହଣ କରିଥିଲେ। ବାଲିଗୁଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀଙ୍କ ସମେତ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ବଳରାମ ବେହେରା ଓ ପଦ୍ମଲୋଚନ ପଣ୍ଡାଙ୍କ ତତ୍ତ୍ୱାବଧାନରେ ପରୀକ୍ଷା ପରିଚାଳିତ ହୋଇଥିଲା।
୧୬ଟି କ୍ଲଷ୍ଟରରେ ନିୟୋଜିତ ସିଆରସିସି, ପରୀକ୍ଷା ପରିଚାଳନାରେ ନିୟୋଜିତ ଇନଭିଜିଲେଟର ଓ ସ୍ୱେଚ୍ଛାସେବୀ ଶିକ୍ଷକ ମାନେ ପରୀକ୍ଷାକୁ ସୁଚାରୁରୂପେ ପରିଚାଳନା କରିଥିଲେ।
ବିଶେଷ କରି ଅଧାରୁ ପାଠପଢ଼ା ଛାଡ଼ିଥିବା ଶିକ୍ଷାର୍ଥୀ ତଥା ସାଧାରଣ ଜନତାଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବା ଓ ସେମାନଙ୍କ ମଧ୍ୟରେ ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ବିକାଶ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।
ପରୀକ୍ଷା ଚାଲିଥିବା ବିଭିନ୍ନ କେନ୍ଦ୍ରକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀମାନେ ପରିଦର୍ଶନ କରି ପରୀକ୍ଷା ପରିଚାଳନା ବ୍ୟବସ୍ଥା ତଦାରଖ କରିଥିଲେ।
ପରୀକ୍ଷା ଶେଷ କରିଥିବା ଶିକ୍ଷାର୍ଥୀମାନଙ୍କୁ ସେମାନେ ଶିକ୍ଷାର ଗୁରୁତ୍ୱ ଓ ଜୀବନରେ ଏହାର ଆବଶ୍ୟକତା ସମ୍ପର୍କରେ ବୁଝାଇଥିଲେ। ଏଥିସହ ବ୍ଲକର ସମସ୍ତ ସିଆରସିସି ମଧ୍ୟ ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରି ପରୀକ୍ଷା ପରିଚାଳନାର ତଦାରଖ କରିଥିଲେ।
ଶିକ୍ଷାରୁ ବଞ୍ଚିତ କିମ୍ବା ଅଧାରୁ ପାଠପଢ଼ା ଛାଡ଼ିଥିବା ଲୋକଙ୍କୁ ପୁନର୍ବାର ଶିକ୍ଷାର ପରିସରକୁ ଆଣିବା ଦିଗରେ ‘ଉଲ୍ଲାସ’ କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ବୋଲି ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।
ଆନନ୍ଦ ଉଲ୍ଲାସର ସହ ଖୁଦୁରୁକୁଣୀ ଓଷା ଉଦ୍‌ଯାପିତ
ବାଲିଗୁଡ଼ା, ୨୨/୯ : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଭକ୍ତି, ଶ୍ରଦ୍ଧା ଓ ଆନନ୍ଦ ଉଲ୍ଲାସର ପରିବେଶ ମଧ୍ୟରେ ଖୁଦୁରୁକୁଣୀ ଓଷା ଉଦ୍‌ଯାପିତ ହୋଇଛି।
ପ୍ରତ୍ୟେକ ରବିବାର ଦିନ ଆୟୋଜିତ ହେଉଥିବା ଏହି ଓଷା ଚାରି ପାଳି ପୂଜା କରିବା ପରେ ଉଦଯାପିତ କରିଥିଲେ ।
ଏହି ଅବସରରେ ଓଷାଧାରୀ ମହିଳା ଓ ଯୁବତୀ ମାନେ ପାରମ୍ପରିକ ରୀତିନୀତି ଅନୁସାରେ ମା’ ଖୁଦୁରୁକୁଣୀଙ୍କ ପୂଜାର୍ଚ୍ଚନା କରିଥିଲେ। ସକାଳୁ ପୂଜା ମଣ୍ଡପରେ ଭକ୍ତଙ୍କ ସମାଗମ ଲାଗି ରହିଥିବା ବେଳେ ମା’ଙ୍କ ନିକଟରେ ବିଭିନ୍ନ ପ୍ରକାର ଫଳମୂଳ ଓ ପୂଜା ସାମଗ୍ରୀ ଅର୍ପଣ କରାଯାଇଥିଲା।
ସନ୍ଧ୍ୟାରେ ପାରମ୍ପରିକ ପୂଜାବିଧି ସମ୍ପନ୍ନ ପରେ ମା’ଙ୍କୁ ବିସର୍ଜନ କରାଯାଇଥିଲା। ଢୋଲ, ମହୁରୀ ଓ ବାଦ୍ୟଯନ୍ତ୍ରର ତାଳେ ଶୋଭାଯାତ୍ରା ବାହାରିବା ସହ ଭକ୍ତମାନେ ନାଚଗୀତରେ ମସଗୁଲ ହୋଇଥିଲେ।
ପରସ୍ପର ମଧ୍ୟରେ ଭାଇଚାରା ଓ ସାମାଜିକ ସଦ୍‌ଭାବର ବାର୍ତ୍ତା ଦେଇ ଉତ୍ସବର ସମାପନ ହୋଇଥିଲା। ସମଗ୍ର ଅଞ୍ଚଳରେ ଦିନତମାମ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା।
ବାଲିଗୁଡ଼ାରେ ବିଜେଡି ସଙ୍ଗଠନ ସଜାଡ଼ିବାକୁ ପ୍ରୟାସ ସମନ୍ୱୟ କମିଟି ଗଠିତ, ୧୦ ଜଣିଆ ସଦସ୍ୟ ମନୋନୀତ
ବାଲିଗୁଡ଼ା, ୨୨/୯: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଧାନସଭା ମଣ୍ଡଳୀରେ ଦଳୀୟ ସଙ୍ଗଠନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଲକ୍ଷ୍ୟରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି।
ଏହି କ୍ରମରେ ବାଲିଗୁଡ଼ା ବିଧାନସଭା ମଣ୍ଡଳୀ ପାଇଁ ଏକ ସମନ୍ୱୟ କମିଟି ଗଠନ କରାଯାଇଛି।
ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ କମିଟିର ଆବାହକ ଦାୟିତ୍ୱ ଦିଆଯାଇଛି।
ସେହିପରି ପୂର୍ବତନ ବିଧାୟକ ରାଜୀବ ପାତ୍ର ଙ୍କୁ ତୁମୁଡିବନ୍ଧ ବ୍ଲକ ଦାୟିତ୍ୱ ଦିଆଯାଇଥିବା ବେଳେ , ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ ଙ୍କୁ ବାଲିଗୁଡା ବ୍ଲକ , ବରିଷ୍ଠ ନେତା କ୍ଲେଶ ପ୍ରଧାନ ଙ୍କୁ ବାଲିଗୁଡା ବ୍ଲକ , ମଦନ ମୋହନ ପ୍ରଧାନ ଙ୍କୁ କ. ନୂଆଗାଁ ବ୍ଲକ , ସୁଶାନ୍ତ କହଁର ଙ୍କୁ କୋଟଗଡ ବ୍ଲକ , ସୁରେନ୍ଦ୍ର ପରାସେଠ ଙ୍କୁ ତୁମୁଡିବନ୍ଧ ବ୍ଲକ , ବିଜୟ ପ୍ରଧାନଙ୍କୁ କୋଟଗଡ ବ୍ଲକ, ବୃନ୍ଦାବନ ଦିଗାଲ ଙ୍କୁ କ. ନୂଆଗାଁ ବ୍ଲକ ଓ ଶ୍ରୀନିବାସ ରାଓଙ୍କୁ ବାଲିଗୁଡା ଏନ ଏ ସି ର କମିଟି ସଦସ୍ୟ ଭାବେ ସାମିଲ କରାଯାଇଛି। ବାଲିଗୁଡା ବିଧାନସଭା ମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ଦଳର ସାଙ୍ଗଠନିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବା, ନେତା ଓ କର୍ମୀଙ୍କ ମଧ୍ୟରେ ସମନ୍ୱୟ ବଢ଼ାଇବା ସହ ତୃଣମୂଳସ୍ତରରେ ସଙ୍ଗଠନକୁ ସକ୍ରିୟ କରିବା ଦିଗରେ କମିଟି କାର‌୍ୟ୍ୟ କରିବ ବୋଲି ଜଣାପଡ଼ିଛି।
ଆବଶ୍ୟକ ସ୍ଥଳେ ଅନ୍ୟ ନେତାମାନଙ୍କୁ ସ୍ୱତନ୍ତ୍ର ଭାବେ କମିଟିର ବୈଠକକୁ ନିମନ୍ତ୍ରଣ କରିବା ପାଇଁ ଜିଲ୍ଲା ସଭାପତିଙ୍କୁ କ୍ଷମତା ପ୍ରଦାନ କରାଯାଇଛି। ଏନେଇ ରବିବାର ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ୨୦୨୬ ମାର୍ଚ୍ଚରେ ରାଜ୍ୟସଭା ନିର୍ବାଚନ ସମୟରେ ଦଳୀୟ ହ୍ୱିପ୍ ଉଲ୍ଲଂଘନ ଓ କ୍ରସ୍‌ଭୋଟିଂ ଅଭିଯୋଗକୁ ନେଇ ବିଜେଡି ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁରଙ୍କ ସମେତ ୬ ଜଣ ବିଧାୟକଙ୍କୁ ଦଳରୁ ନିଲମ୍ବନ କରିଥିଲା।
ପରବର୍ତ୍ତୀ ସମୟରେ ଏହି ଘଟଣାକୁ ନେଇ ଦଳୀୟ ସଙ୍ଗଠନରେ ପ୍ରଭାବ ପଡ଼ିଥିବା ଚର୍ଚ୍ଚା ମଧ୍ୟରେ ବାଲିଗୁଡ଼ା ପାଇଁ ଏହି ନୂଆ ସମନ୍ୱୟ କମିଟି ଗଠନକୁ ଗୁରୁତ୍ୱ ଦିଆଯାଉଛି।
ଆଗାମୀ ଦିନରେ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ ଭିତ୍ତିଭୂମିକୁ ପୁଣି ମଜଭୁତ କରିବା ଏବଂ ତୃଣମୂଳସ୍ତରରେ କର୍ମୀଙ୍କୁ ଏକଜୁଟ କରିବା ଦିଗରେ ଏହି କମିଟି କେତେଦୂର ସଫଳ ହେବ, ତାହା ଉପରେ ଏବେ ଦଳୀୟ ମହଲର ନଜର ରହିଛି।
ବୈଦିକ ଗୁରୁକୁଳ ଆଶ୍ରମରେ ଉପନୟନ ଓ ବେଦାରମ୍ଭ ସଂସ୍କାର: ୩୩ ଜଣ ବ୍ରହ୍ମଚାରୀଙ୍କ ଉପନୟନ ସମ୍ପନ୍ନ
ବାଲିଗୁଡା, ୨୨/୯: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ କୁଡୁତୁଲି ସ୍ଥିତ ସ୍ୱାମୀ ଓମାନନ୍ଦ ବୈଦିକ ଗୁରୁକୁଳ ଆଶ୍ରମରେ ଅଧ୍ୟୟନରତ ୩୩ ଜଣ ହରିଜନ ଓ ଗିରିଜନ ବ୍ରହ୍ମଚାରୀଙ୍କର ଉପନୟନ ଓ ବେଦାରମ୍ଭ ସଂସ୍କାର ବୈଦିକ ରୀତିନୀତି ଅନୁଯାୟୀ ଶୁଭ ତିଥିରେ ସମ୍ପନ୍ନ ହୋଇଯାଇଛି।
ଗୁରୁକୁଳ ପରିସରରେ ଆୟୋଜିତ ଏହି ବୈଦିକ କାର୍ଯ୍ୟକ୍ରମ ଆଚାର୍ଯ୍ୟ କୋମଳ କୁମାର ଜୀ, ନାଗାଲାଣ୍ଡରୁ ଆସିଥିବା ଆଚାର୍ଯ୍ୟ ଅମିତ ଶାସ୍ତ୍ରୀ ଜୀ, ଚାଞ୍ଚେଡି ତପୋବନ ଶାନ୍ତି ଆଶ୍ରମର ଆଚାର୍ଯ୍ୟ ବୈକୁଣ୍ଠ ଜୀ ଓ ସମଦତ୍ତ ଶାସ୍ତ୍ରୀଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଥିଲା।
ଅନୁଷ୍ଠାନର ସଂଚାଳକ ମୃତ୍ୟୁଞ୍ଜୟ ଶାସ୍ତ୍ରୀଙ୍କ ସାନିଧ୍ୟରେ ଏବଂ ବୈଦିକ ପ୍ରବକ୍ତା ପଣ୍ଡିତ ଲକ୍ଷ୍ମଣ କୁମାର ଶାସ୍ତ୍ରୀ ଓ ଭୁବନେଶ୍ୱର ଆର୍ଯ୍ୟ ସମାଜର କୋଷାଧ୍ୟକ୍ଷ ସୁନିଲ କୁମାର ଦେଙ୍କ ପୌରୋହିତ୍ୟ ରେ ଯଜ୍ଞାଦି କାର୍ଯ୍ୟ ସମ୍ପାଦିତ ହୋଇଥିଲା।
ଅନୁଷ୍ଠାନର ସଭାପତି ଦ୍ୱାରିକାନାଥ ପ୍ରଧାନ ଓ ତାଙ୍କ ଧର୍ମପତ୍ନୀ ଯଜମାନ ଆସନରେ ବସି ଯଜ୍ଞ କାର୍ଯ୍ୟରେ ସାମିଲ ହୋଇଥିଲେ।
ଉପନୟନ ଓ ବେଦାରମ୍ଭ ସଂସ୍କାର ପରେ ଏକ ଉପଦେଶ ସଭା ଅନୁଷ୍ଠିତ ହୋଇଥିଲା। ଉପଦେଶ ସଭାରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଯୋଗଦେଇ ଗୁରୁକୁଳର ବ୍ରହ୍ମଚାରୀମାନେ ଦେଶର ଭବିଷ୍ୟତ ବୋଲି କହିଥିଲେ।
ସେମାନେ ନିଷ୍ଠା, ଶୃଙ୍ଖଳା ଓ କଠିନ ପରିଶ୍ରମ ସହ ଅଧ୍ୟୟନ କରି ନିଜ ଭବିଷ୍ୟତ ଗଢ଼ିବା ସହ ଦେଶ ଓ ସମାଜର ଉନ୍ନତିରେ ଯୋଗଦାନ କରିବାକୁ ସେ ଆହ୍ୱାନ ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ତହସିଲଦାର ସମୀର କୁମାର ପାଇକରାୟ ଯୋଗଦେଇ ଗୁରୁକୁଳର ଉନ୍ନତି ପାଇଁ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।
ଏହି ଅବସରରେ ବିଡିଓ ସୁଶ୍ରୀ ଶୁଭ୍ରାଞ୍ଜଳୀ ପ୍ରଧାନ, ବିଜେପି ଜିଲ୍ଲା ସଭାପତି ପଣ୍ଡିତ କୁମାର ବିଶି ମାଝୀ, କନ୍ଧମାଳ ଜିଲ୍ଲା ଆର୍ଯ୍ୟ ସମାଜ ସଭାପତି ଆଜୀବନ ମଳିକ, ରାଷ୍ଟ୍ରୀୟ ବଜରଙ୍ଗ ଦଳ ପ୍ରଦେଶ ଅଧ୍ୟକ୍ଷ ବିଶ୍ୱନାଥ ପାତ୍ର, ରାଇକିଆ ବୈଦିକ ସତସଙ୍ଗ ଆଶ୍ରମ ସଭାପତି ଓମ୍ ପ୍ରକାଶ ବେହେରା, ସରପଞ୍ଚ ଶ୍ରୀଚନ୍ଦ୍ର ମଳିକ, ବରିଷ୍ଠ କର୍ମକର୍ତ୍ତା କେଦାରନାଥ ପ୍ରଧାନ ଓ ବେଦ ଶ୍ରଦ୍ଧାଳୁଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ସ୍ଥାନୀୟ ଜନସାଧାରଣ ଯୋଗଦେଇଥିଲେ।
ବ୍ରହ୍ମଚାରୀମାନଙ୍କ ପିତାମାତା ଓ ଅଭିଭାବକମାନେ ମଧ୍ୟ ଉପସ୍ଥିତ ରହି ନବଦୀକ୍ଷିତ ବ୍ରହ୍ମଚାରୀମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ବୈଦିକ ପରମ୍ପରା, ଶିକ୍ଷା ଓ ସଂସ୍କାରକୁ ଗୁରୁକୁଳ ମାଧ୍ୟମରେ ଆଗକୁ ନେବା ଲକ୍ଷ୍ୟରେ ଆୟୋଜିତ ଏହି କାର‌୍ୟ୍ୟକ୍ରମକୁ ନେଇ ଅଞ୍ଚଳରେ ଆଧ୍ୟାତ୍ମିକ ଓ ଶିକ୍ଷାମୂଳକ ପରିବେଶ ସୃଷ୍ଟି ହୋଇଥିଲା।
ହାଇସ୍କୁଲ ଖେଳ ପଡ଼ିଆ ଏବେ ଅସାମାଜିକଙ୍କ ଆଡ଼ାସ୍ଥଳୀ:
ସନ୍ଧ୍ୟା ହେଲେ ମଦ୍ୟପଙ୍କ ଦୌରାତ୍ମ୍ୟ, ମଦ ବୋତଲ ଓ ପ୍ଲାଷ୍ଟିକ୍‌ରେ ଭର୍ତ୍ତି ପରିବେଶ: ସୁରକ୍ଷାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ ଓ ବରିଷ୍ଠ ନାଗରିକ
ବାଲିଗୁଡା, ୨୨/୯: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ହାଇସ୍କୁଲ ଖେଳ ପଡ଼ିଆ ଦିନକୁ ଦିନ ଅସାମାଜିକ ଓ ମଦ୍ୟପଙ୍କ ଦୌରାତ୍ମ୍ୟରେ ଅସୁରକ୍ଷିତ ହେବାରେ ଲାଗିଛି।
ଯେଉଁ ଖେଳ ପଡ଼ିଆରେ ପିଲାମାନେ ଖେଳିବା, ଯୁବକମାନେ ବ୍ୟାୟାମ କରିବା ଓ ବରିଷ୍ଠ ନାଗରିକମାନେ ସକାଳୁ ମର୍ଣ୍ଣିଂ ୱାକ୍ କରିବା କଥା, ସେହି ସ୍ଥାନ ସନ୍ଧ୍ୟା ହେଲେ ଅସାମାଜିକଙ୍କ ଆଡ଼ାସ୍ଥଳୀ ଓ ମଦ୍ୟପଙ୍କ ଅବାଧ ବିଚରଣ କ୍ଷେତ୍ର ପାଲଟିଥିବା ଅଭିଯୋଗ ହେଉଛି।
ଏହି ପଡ଼ିଆକୁ ବିଭିନ୍ନ ବିଦ୍ୟାଳୟ ଓ ଉଚ୍ଚଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଯୁବବର୍ଗ ଏବଂ ବରିଷ୍ଠ ନାଗରିକମାନେ ନିୟମିତ ଭାବେ ବ୍ୟବହାର କରୁଛନ୍ତି। ପ୍ରତି ଶନିବାର ଦୁଇଟି ବିଦ୍ୟାଳୟର ଯୋଗାଭ୍ୟାସ ସହ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସଦସ୍ୟମାନେ ମଧ୍ୟ ଏଠାରେ ଶାଖା କାର୍ଯକ୍ରମ କରୁଥିବା ଜଣାପଡ଼ିଛି।
ହେଲେ ଏତେ ବ୍ୟବହାର ସତ୍ତ୍ୱେ ପଡ଼ିଆର ବିକାଶ ଓ ସୁରକ୍ଷା ପ୍ରତି ପ୍ରଶାସନର ଦୃଷ୍ଟି ପଡ଼ୁନଥିବା ନେଇ ଅସନ୍ତୋଷ ଦେଖାଦେଇଛି। ପଡ଼ିଆରେ ଗ୍ୟାଲେରୀ ନାହିଁ, ଆଲୋକ ବ୍ୟବସ୍ଥା ନାହିଁ, ପାନୀୟ ଜଳର ବ୍ୟବସ୍ଥା ମଧ୍ୟ ନାହିଁ। ଅନ୍ଧାର ହେବା ପରେ ଏହି ଅବ୍ୟବସ୍ଥାର ସୁଯୋଗ ନେଇ ଅସାମାଜିକ ତତ୍ତ୍ୱ ଓ ମଦ୍ୟପମାନେ ପଡ଼ିଆରେ ଜମା ହେଉଥିବା ଅଭିଯୋଗ ରହିଛି। ପଡ଼ିଆର ଚତୁଃପାର୍ଶ୍ୱରେ ଖାଲି ମଦ ବୋତଲ, ପ୍ଲାଷ୍ଟିକ୍ ଗ୍ଲାସ, ପଲିଥିନ୍ ଓ ଅନ୍ୟାନ୍ୟ ଅଳିଆ ଆବର୍ଜନା ପଡ଼ିରହିଥିବାରୁ ପରିବେଶ ମଧ୍ୟ ଦୂଷିତ ହେଉଛି।
ଏହା କେବଳ ପଡ଼ିଆର ସୌନ୍ଦର‌୍ୟ୍ୟ ନଷ୍ଟ କରୁନାହିଁ, ବରଂ ଖେଳାଳି ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ମଧ୍ୟ ପ୍ରଶ୍ନ ଉଠାଇଛି। “ଖେଳ ପଡ଼ିଆ ଖେଳାଳିଙ୍କ ପାଇଁ ନା ମଦ୍ୟପଙ୍କ ଆଡ୍ଡା ପାଇଁ ?” ଏଭଳି ପ୍ରଶ୍ନ ଏବେ ସାଧାରଣରେ ଉଠିଛି। ଦିନରେ ପିଲାଙ୍କ କ୍ରୀଡ଼ାଭ୍ୟାସ ଓ ବରିଷ୍ଠ ନାଗରିକଙ୍କ ଚଲାବୁଲା ପାଇଁ ଉପଯୋଗୀ ଏହି ସ୍ଥାନ ସନ୍ଧ୍ୟା ପରେ ଯଦି ଅସାମାଜିକଙ୍କ କବ୍‌ଜାକୁ ଚାଲିଯାଏ, ତେବେ ଏହା ନିଶ୍ଚିତ ଭାବେ ଚିନ୍ତାର ବିଷୟ। ଏନେଇ କ.ନୂଆଗାଁ ବ୍ଲକ ପ୍ରଶାସନ ତୁରନ୍ତ ପଡ଼ିଆରେ ଆଲୋକ, ପାନୀୟ ଜଳ ଓ ସ୍ୱଚ୍ଛତା ବ୍ୟବସ୍ଥା କରିବା ସହ ପୋଲିସ ପକ୍ଷରୁ ନିୟମିତ ପେଟ୍ରୋଲିଂ ଓ ଅସାମାଜିକ ତତ୍ତ୍ୱଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି। ଖେଳ ପଡ଼ିଆକୁ ଅସାମାଜିକଙ୍କ ଆଡ଼ା ନୁହେଁ, ବରଂ ଯୁବପିଢ଼ି ଓ ସାଧାରଣ ଲୋକଙ୍କ ପାଇଁ ଏକ ସୁରକ୍ଷିତ କ୍ରୀଡ଼ା ଓ ସ୍ୱାସ୍ଥ୍ୟ କେନ୍ଦ୍ର ଭାବେ ଗଢ଼ି ତୋଳିବାକୁ ଦାବି ଜୋର ଧରିଛି।
ଗଞ୍ଜେଇ ସହ ଗାଡି, ମୋବାଇଲ ଜବତ : ଜଣେ ଗିରଫ
ବାଲିଗୁଡା, ୨୨/୯: କନ୍ଧମାଳ ଜିଲ୍ଲାରେ ଗଞ୍ଜେଇ ଚୋରାଚାଲାଣ ବିରୋଧରେ ପୁଲିସର ଅଭିଯାନ ଜାରି ରହିଥିବା ବେଳେ ତୁମୁଡ଼ିବନ୍ଧ ଥାନା ପୁଲିସକୁ ମିଳିଛି ବଡ଼ ସଫଳତା।
ଏକ ଇଚର୍ ଗାଡ଼ିରୁ ୧୧୪୦ କେଜି ଗଞ୍ଜେଇ ଜବତ କରାଯାଇଥିବା ବେଳେ ଚୋରାଚାଲାଣ ଅଭିଯୋଗରେ ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ୧୪ ଲକ୍ଷ ଟଙ୍କା ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।
ପୁଲିସ ସୂଚନା ଅନୁଯାୟୀ, ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ଖମନପଡ଼ା ଗ୍ରାମ ନିକଟ ବନ୍ଦିକା ଛକରେ ପୁଲିସ ଯାଞ୍ଚ କରୁଥିବା ସମୟରେ ଏକ ଇଚର୍ ଗାଡ଼ିକୁ ଅଟକାଇ ତଲାସି କରିଥିଲା। ତଲାସି ବେଳେ ଗାଡ଼ିରୁ ବିପୁଳ ପରିମାଣର ଗଞ୍ଜେଇ ମିଳିଥିଲା।
ଘଟଣାରେ ବାଲିଗୁଡ଼ା ଥାନା ଅଧୀନ ପାଙ୍ଗୁରୁମିଲା ଗ୍ରାମର ଗ୍ଲାଡୋ ଦିଗାଲଙ୍କ ପୁଅ ମୋହତ ଦିଗାଲ (୨୮)ଙ୍କୁ ଗିରଫ କରାଯାଇଛି। ତାଙ୍କ ନିକଟରୁ ୧୧୪୦ କେଜି ଗଞ୍ଜେଇ, ଏନଏଲ-୦୧-ଏଏଫ – ୨୧୦୫ ନମ୍ବର ବିଶିଷ୍ଟ ଏକ ଇଚର୍ ଗାଡ଼ି ଏବଂ ଗୋଟିଏ ଭିଭୋ ସ୍ମାର୍ଟଫୋନ୍ ଜବତ କରାଯାଇଛି।
ଏନେଇ ତୁମୁଡ଼ିବନ୍ଧ ଥାନାରେ କେସ୍ ନଂ. ୧୨୨/୨୬ରେ ଘଊଚଝ ଆକ୍ଟର ଧାରା ୨୦(ବି)(ସସ)(ଉ) ଅନୁଯାୟୀ ମାମଲା ରୁଜୁ ହୋଇଛି। ଜବତ ଗଞ୍ଜେଇ କେଉଁଠାରୁ ଆସିଥିଲା ଏବଂ କେଉଁଠାକୁ ଚାଲାଣ ହେଉଥିଲା, ଏହି ଚୋରାଚାଲାଣ ପଛରେ ଆଉ କେଉଁ ମାନଙ୍କ ସମ୍ପୃକ୍ତି ରହିଛି, ସେନେଇ ପୁଲିସ ତଦନ୍ତ ଜାରି ରଖିଛି। ମାମଲାର ତଦନ୍ତ ଅଧିକାରୀ ତଥା ତୁମୁଡ଼ିବନ୍ଧ ଥାନା ଅଧିକାରୀ ନିରଞ୍ଜନ ଦାସଙ୍କ ନେତୃତ୍ୱରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିବା ଜଣାପଡ଼ିଛି।
ଏସ୍‌ଆଇଆର୍‌-୨୦୨୬: ବାଲିଗୁଡ଼ା ବିଧାନସଭା ଆସନର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ
ବାଲିଗୁଡ଼ା, ୨୨/୯: ୮୨-ବାଲିଗୁଡ଼ା (ଏସ୍‌ଟି) ବିଧାନସଭା ନିର୍ବାଚନମଣ୍ଡଳୀର ଏସ୍‌ଆଇଆର୍‌-୨୦୨୬ ଚୂଡ଼ାନ୍ତ ଭୋଟର ତାଲିକା ସୋମବାର ବାଲିଗୁଡ଼ା ଉପଖଣ୍ଡ ମୁଖ୍ୟାଳୟରେ ପ୍ରକାଶ ପାଇଛି। ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO)-ତଥା ବାଲିଗୁଡ଼ା ଉପଜିଲ୍ଲାପାଳ ପ୍ରଣୀତା ଦାସ ଙ୍କ ଦ୍ୱାରା ଏହି ଚୂଡ଼ାନ୍ତ ତାଲିକା ପ୍ରକାଶ କରାଯାଇଥିଲା।
ଏହି ଅବସରରେ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (AERO) ମାନଙ୍କ ସମେତ ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ସହିତ ସ୍ୱତନ୍ତ୍ର ସଘନ ପୁନର୍ବୀକ୍ଷଣ (Special Intensive Revision) ପ୍ରକ୍ରିୟା ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ ସମ୍ପନ୍ନ ହୋଇଛି। ଏହି ପ୍ରକ୍ରିୟାରେ ଭୋଟର ତାଲିକାର ଯାଞ୍ଚ, ଦାବି ଓ ଆପତ୍ତି ଗ୍ରହଣ ଏବଂ ମାମଲା ଗୁଡ଼ିକର ନିଷ୍ପତ୍ତି ଆଦି କାର‌୍ୟ୍ୟ ସମ୍ପାଦନ କରାଯାଇଥିଲା।
ଏହି ସମଗ୍ର ପ୍ରକ୍ରିୟାକୁ ସୁଚାରୁ ଭାବେ ସମ୍ପନ୍ନ କରିବାରେ AERO, BLO ସୁପରଭାଇଜର, BLO ଏବଂ ଅନ୍ୟାନ୍ୟ ନିର୍ବାଚନ ଅଧିକାରୀ ଓ କର୍ମଚାରୀଙ୍କ ସମନ୍ୱିତ ପ୍ରୟାସ ପାଇଁ ଋଜଙ କୃତଜ୍ଞତା ଜଣାଇଥିଲେ। ଏଥିସହ ଏସ୍‌ଆଇଆର୍ ପ୍ରକ୍ରିୟାର ପ୍ରତ୍ୟେକ ପର୍ଯ୍ୟାୟରେ ସହଯୋଗ କରିଥିବା ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ମଧ୍ୟ ଧନ୍ୟବାଦ ଦିଆଯାଇଥିଲା।
ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ହେବା ପରେ ଏବେ ୮୨-ବାଲିଗୁଡ଼ା (ଏସ୍‌ଟି) ନିର୍ବାଚନମଣ୍ଡଳୀର ସଂଶୋଧିତ ତାଲିକା ଅନୁଯାୟୀ ଆଗାମୀ ନିର୍ବାଚନୀ ପ୍ରକ୍ରିୟା ଆଗକୁ ବଢ଼ିବ ବୋଲି ପ୍ରକାଶ କରିଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930