Indus Valley Times

ବୌଦ୍ଧରେ ମାଓସ୍ଥିତି ସମୀକ୍ଷା କଲେ ରାଜ୍ୟ ଗୋଇନ୍ଦା ନିର୍ଦ୍ଦେଶକ

 Breaking News

ବୌଦ୍ଧରେ ମାଓସ୍ଥିତି ସମୀକ୍ଷା କଲେ ରାଜ୍ୟ ଗୋଇନ୍ଦା ନିର୍ଦ୍ଦେଶକ

ବୌଦ୍ଧରେ ମାଓସ୍ଥିତି ସମୀକ୍ଷା କଲେ ରାଜ୍ୟ ଗୋଇନ୍ଦା ନିର୍ଦ୍ଦେଶକ
April 27
20:08 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୭/୪: ବୌଦ୍ଧ- କନ୍ଧମାଳ ଜିଲ୍ଲା ସୀମାନ୍ତ ଜଙ୍ଗଲରେ ମାଓବାଦୀମାନେ ସକ୍ରିୟ ରହିଛନ୍ତି । ବିଭିନ୍ନ ସମୟରେ ପୁଲିସ ସହିତ ମାଓବାଦୀଙ୍କ ଗୁଳି ବିନିମୟ ଘଟିଥିବା ବେଳେ ବୌଦ୍ଧ ପୁଲିସ ବହୁମାଓସାମଗ୍ରୀ ଜବତ କରିବାରେ ସଫଳ ହୋଇଛନ୍ତି । ବୌଦ୍ଧଜିଲ୍ଲାରେ ମାଓବାଦୀ ସ୍ଥିତି ନେଇ ରାଜ୍ୟ ଗୋଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ଶୁକ୍ରବାର ଦିନ ବୌଦ୍ଧରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଥିଲେ । ତାଙ୍କ ସହିତ ଅପରେଶନାଲ ଏଡିଜି ଦେବଦତ୍ତ ସିଂହ, ଦକ୍ଷିଣାଞ୍ଚଳ ଆଇଜି ଜୟ ନାରାୟଣ ପଙ୍କଜ, କନ୍ଧମାଳ ଏସପି ଶୁଭେନ୍ଦୁ ପାତ୍ର ଓ ବୌଦ୍ଧ ଏସପି ରାଜ ପ୍ରସାଦ ମଧ୍ୟ ଉପସ୍ଥିତ ଥିଲେ ।
ଏହି ଅବସରରେ ଦକ୍ଷିଣାଞ୍ଚଳ ଆଇ ଜି ଶ୍ରୀପଙ୍କଜ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେଯେ, ବର୍ତମାନ ବୌଦ୍ଧ କନ୍ଧମାଳ ଜିଲ୍ଲା ସୀମାନ୍ତ ଜଙ୍ଗଲରେ ୩୦ ରୁ ଉର୍ଦ୍ଧ୍ୱ ମାଓବାଦୀ ସକ୍ରିୟ ରହିଛନ୍ତି । ସେମାନେ କେକେବିଏନ ଛତିଶଗଡ କ୍ୟାଡରଭୁକ୍ତ ହୋଇଥିବା ଜଣାଯାଇଛି । ଆଗାମୀ ନିର୍ବାଚନରେ ବିଶୃଙ୍ଖଳା ସୃଷ୍ଟି କରିବା ସେମାନଙ୍କର ମୂଳ ଲକ୍ଷ ରହିଥିବା ସନ୍ଦେହ କରାଯାଉଅଛି । ୨୦୧୯ ନିର୍ବାଚନରେ କନ୍ଧମାଳ ଜିଲ୍ଲାରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଜଣେ ମହିଳା କର୍ମଚାରୀଙ୍କୁ ମାଓବାଦୀମାନେ ହତ୍ୟା କରିଥିଲେ ।
ଆଗାମୀ ନିର୍ବାଚନରେ ମଧ୍ୟ ସେମାନେ କୌଣସି କାଣ୍ଡ ଘଟାଇବାର ଲକ୍ଷରେ ଥିବା ବେଳେ ରାଜ୍ୟ ପୁଲିସ ସଂପୁର୍ଣ୍ଣ ସତର୍କ ରହିଛି । ମାଓବାଦୀମାନଙ୍କୁ ସେମାନଙ୍କ ଲକ୍ଷରେ ସଫଳ ହେବାକୁ ଦିଆଯିବନାହିଁ । ସୀମାନ୍ତବର୍ତ୍ତି ଜଙ୍ଗଲ ଗୁଡିକରେ ପୁଲିସ ପକ୍ଷରୁ ଲଗାତାର ଭାବରେ ଏସଓଜି,ବିଏସଏଫ ଓ ଡିଭିଏଫ ଫୋର୍ସ ଦ୍ୱାରା ସର୍ଚ୍ଚ ଅପରେଶନ ଜାରି ରହିଛି । ମାଓବାଦୀମାନଙ୍କୁ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆଇଜି ଶ୍ରୀପଙ୍କଜ ଅନୁରୋଧ କରିବା ସହ ସରକାରଙ୍କ ପକ୍ଷରୁ ରହିଥିବା ସମସ୍ତ ପ୍ରକାର ସହାୟତା ଯୋଗାଇଦିଆଯିବାକୁ ପ୍ରତିଶୃତି ଦେଇଛନ୍ତି । ସୂଚନା ମତେ, ଗତ ଗୁରୁବାର ଦିନ ବୌଦ୍ଧ ପୁଲିସକୁ ବଡ ସଫଳତା ମିଳିଥିବା ବେଳେ ପୁଲିସ ଗୁଳିରେ ଦୁଇ କ୍ୟାଡର ମାଓବାଦୀଙ୍କୁ ନିହତ ହୋଇଥିଲେ । ଗତ ଗୁରୁବାର ସକାଳେ ବୌଦ୍ଧଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ପାଢେଲ ସଂରକ୍ଷିତ ଜଙ୍ଗଲରେ ଏସଓଜି ଯବାନଙ୍କ ସହ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।
ପୁଲିସ ଗୁଳିରେ ଦୁଇଜଣ ଛତିଶଗଡ କ୍ୟାଡର ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା । ସର୍ଚ୍ଚ ଅପରେଶନ ବେଳେ ମାଓବାଦୀଙ୍କ ଏକ କ୍ୟାମ୍ପକୁ ଠାବ କରାଯାଇ ସେଠାରୁ ବିପୁଳ ପରିମାଣରେ ବିଷ୍ଫୋରକ ସାମଗ୍ରୀ ଏବଂ ବ୍ୟବହୃତ ମାଓ ସାମଗ୍ରୀ ଜବତ କରାଯାଇଥିଲା । ମୃତ ଦୁଇ ମାଓବାଦୀ ହେଲେ ଛତିଶଗଡ ରାଜ୍ୟର ସୁନିଲ ଏବଂ ସନ୍ତୁ ବୋଲି ପୁଳିସ ସୁଚନା ଦେଇଛି । ଶୁକ୍ରବାର ଉଭୟ ମାଓବାଦୀଙ୍କ ଶବକୁ ବୌଦ୍ଧ ଅଣାଯାଇ ବ୍ୟବଛେଦ ପରେ ରିଜର୍ଭ କାର୍ଯ୍ୟାଳୟଠାରେ ସଂରକ୍ଷିତ କରି ରଖାଯାଇଛି ।
ନିୟମ ମୁତାବକ ଏବଂ ସୂଚନାକୁ ଆଧାର କରି ଛତିଶଗଡ ରାଜ୍ୟର ସେମାନଙ୍କ ପରିବାର ନିକଟକୁ ସୂଚନା ଦିଆଯାଇଛି । କିନ୍ତୁ ଏପର୍ଯ୍ୟନ୍ତ କାହାରି ପରିବାର ପକ୍ଷରୁ ଶବ ନେବାକୁ ଦାବି କରାଯାଇନାହିଁ । ତେଣୁ ନିୟମ ମୁତାବକ ତିନିଦିନ ଶବ ରଖାଯିବା ପରେ ତାକୁ ସତ୍କାର କରିଦିଆଯିବ ବୋଲି ବୌଦ୍ଧ ଏସପି ରାଜ ପ୍ରସାଦ ସୁଚନା ପ୍ରଦାନ କରାଯାଇଛି । ଶୁକ୍ରବାର ଦିନ ମାଓବାଦୀମାନଙ୍କ ନିକଟରୁ ଜବତ ସାମଗ୍ରୀ ସବୁ ଗଣମାଧ୍ୟମ ସମ୍ମୁଖରେ ରଖାଯାଇଥିଲା ।
ବୌଦ୍ଧଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜିଲ୍ଲାର ତାପମାତ୍ରା ୪୪.୫ଡିଗ୍ରୀ : ରାସ୍ତା ଘାଟ ଶୂନଶାନ
ବୌଦ୍ଧ,୨୭/୪: ବୌଦ୍ଧ ଜିଲ୍ଲାରେ ପ୍ରବଲ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଜିଲ୍ଲାର ତାପମାତ୍ର ୪୪.୫ ଡିଗ୍ରୀ ବୋଲି ରେକର୍ଡ କରାଯାଇଛି । ପ୍ରବଳ ଖରା ଯୋଗୁଁ ପୁରାପୁରି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସକାଳ ୧୦ ଟାରୁ ରାସ୍ତାଘାଟ ଶୂନଶାନ ହୋଇପଡୁଥିବା ବେଳେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ଖରା ସହିତ ଝାଂଜି ପବନ ସାଙ୍ଗକୁ ଗୁଳୁଗୁଳି ଜନଜୀବନ ଅସ୍ତବ୍ୟସ୍ତ କରିପକାଉଛି ।
ସନ୍ଧ୍ୟା ୬ଟା ନହେଲା ପର୍ଯ୍ୟନ୍ତ ଘରୁ ବାହାରି ହେଉନାହିଁ । ରାସ୍ତା ଘାଟକୁ ଦେଖିଲେ ଅଘୋଷିତ କର୍ଫ୍ୟୁ ଭଳି ଲାଗୁଛି । ଆହୁରୀ ମଧ୍ୟ ବୌଦ୍ଧ ସହର ବର୍ତ୍ତମାନ ବୃକ୍ଷ ଶୁନ୍ୟ ହୋଇପଡିଛି । ବୌଦ୍ଧ ସହର ଦେଇ ଚିରସ୍ରୋତା ମହାନଦୀ ପ୍ରବାହିତ ହୋଇଥିବା ବେଳେ ଏବେ ମହାନଦୀ ପୁରାପୁରୀ ଶୁଖିଲା ପଡିଛି ।
ମହାନଦୀ ଶୁଖିଲା ପଡିବା ଯୋଗୁଁ ନଦୀର ବାଲି ଓ ନଦୀ ଭିତରେ ଥିବା ପଥର ଖରାର ତାପ ଯୋଗୁଁ ତାପମାତ୍ରା ବୃଦ୍ଧି ହେବାରେ ଲାଗିଛି । ସହରର ପ୍ରମୁଖ ରାସ୍ତା ଗୁଡିକ ପ୍ରଶସ୍ତି କରଣ କରାଯିବା ଯୋଗୁଁ ରାସ୍ତା କଡରେ ଥିବା ବଡ ବଡ ଗଛ ଗୁଡିକ କାଟି ଦିଆଯାଇଥିଲା ।
ଗଛ ଗୁଡିକ କାଟିଦିଆଯିବା ଯୋଗୁଁ ଖରାର ଉତ୍ତାପ ମଧ୍ୟ ବୃଦ୍ଧିର କାରଣ ପାଲଟିଛି । ପ୍ରଶାସନ ପକ୍ଷରୁ ମହାନଦୀରେ ଖରାଦିନେ ଯେପରି ପାଣି ଭରପୁର ରହିପାରିବ ସେ ନେଇ ପଦକ୍ଷେପ ନେବା ଏକ ପ୍ରକାର ଜରୂରୀ ହାଇପଡିଛି । ସକାଳୁଆ ଅଫିସ ଥିଲେ ମଧ୍ୟ କର୍ମଚାରୀଙ୍କ ବ୍ୟତୀତ ଜରୂରୀ କାର୍ଯ୍ୟ ନଥିଲେ କୌଣସି ସାଧାରଣଲୋକ ଆସୁନାହାନ୍ତି । ଯାତ୍ରୀବାହୀ ବସ ଗୁଡିକରେ ମଧ୍ୟ ଯାତ୍ରୀଙ୍କ ଭିଡ ନଥିବା ଦେଖାଯାଉଅଛି । ତେବେ ଚାରିପଟେ ଜଙ୍ଗଲ ଓ ନଦୀ ଘେରି ରହିଥିବା ଏହି ଜିଲ୍ଲାରେ ଅସମ୍ଭବ ଭାବରେ ତାପମାତ୍ରା ବୃଦ୍ଧି ପାଇବା କାରଣକୁ ନେଇ ପରିବେଶବିତମାନେ ଚିନ୍ତା ପ୍ରକଟ କରିଛନ୍ତି ।
ଦିନକୁ ଦିନ ମହାନଦୀରେ ବାଲି ପୋତି ହୋଇଚାଲିଥିବାବେଳେ ଜଳ ସଙ୍କଟ ଯୋଗୁଁ ବର୍ଷର ୮ ମାସ ମହାନଦୀ ଶୁଖିଲା ରହୁଅଛି । ସହରର ରାସ୍ତା କଡରେ ଲିମ୍ବ, ଜାମୁ , ତେନ୍ତୁଳି, ବର ଓ ପିପଳ ଗଛ ଲଗାଗଲେ ସହରରେ ଖରା ତାପ କମିବାରେ ସହାୟକ ହେବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।
କଣ୍ଟାମାଳ ନିର୍ବାଚନ ମଣ୍ଡଳି, ଗଡରକ୍ଷା କରିପାରେ ତ ମହିଧର
ବୌଦ୍ଧ,୨୭/୪: ବୌଦ୍ଧଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳିରେ ବର୍ତ୍ତମାନ ରାଜନୈତିକ ଉଷ୍ମତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କଣ୍ଟାମାଳ ନିର୍ବାଚନ ମଣ୍ଡଳିରେ ବିଜେଡି, ବିଜେପି ଓ କଂଗ୍ରେସ ତିନି ପ୍ରମୁଖ ଦଳ ସେମାନଙ୍କ ପ୍ରଚାରକୁ ଯୋରଦାର କରିଛନ୍ତି ।
ଘରକୁ ଘର ବୁଲି ଭୋଟର ମନାଉଛନ୍ତି । ବିଜେଡି ପ୍ରାର୍ଥୀ ମହିଧର ରଣା ତୃତୀୟ ଥର ପାଇଁ ବିଜୟ ହୋଇ ଗଡ ରକ୍ଷା କରିବାକୁ ଯୋଜନା ଚଳାଇଥିବା ବେଳେ ବିଜେପି ଓ କଂଗ୍ରେସ ଗଡ ଭାଙ୍ଗିବାକୁ ଉଦ୍ୟମ କରୁଛନ୍ତି । ବିଜେପି ପୁଣି ଥରେ କହ୍ନାଇ ଚରଣ ଡାଙ୍ଗଙ୍କୁ ଟିକଟ ଦେଇ ତାଙ୍କ ଉପରେ ଭରସା କରିଥିବା ବେଳେ କଂଗ୍ରେସ ଟିକଟ ପରିବର୍ତ୍ତନ କରି ଯୁବନେତା ସରୋଜ ପ୍ରଧାନଙ୍କୁ ପ୍ରାର୍ଥୀ କରିଛି ।
ବିଜେଡିରେ ମହିଧର ରଣାଙ୍କ ଟିକଟ ଘୋଷଣା ହେବା ପରଠାରୁ ଦଳରେ ଅସନ୍ତୋଷ ଦେଖାଦେଇଛି । ବହୁ ନେତା ଦଳ ଛାଡି ବିଜେପି ଶିବିରରେ ଯୋଗଦେଇଛନ୍ତି । ବିଜେଡିରେ ଦେଖାଦେଇଥିବା ଅସନ୍ତୋଷ ର ଫାଇଦା ନେବାକୁ ବିଜେପି ଓ କଂଗ୍ରେସ ଲାଗିଛନ୍ତି । ପୂର୍ବତନ ବୟନିକା ସଭାପତି ଶେଷ କୁମାର ମେହେର ଇତିମଧ୍ୟରେ ବିଜେପି ଶିବିରରେ ଯୋଗଦେଇଛନ୍ତି । ସେ ଗତ ୨୦୧୯ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢି ୨୮୩୭୦ ଭୋଟ ପାଇଥିଲେ ।
ଏବେବି ନିର୍ବାଚନ ମଣ୍ଡଳିରେ ତାଙ୍କର ଏକ ଭୋଟ ବ୍ୟାଙ୍କ ରହିଛି । ବିଧାୟକ ମହିଧର ରଣାଙ୍କୁ ପୁଣିଥରେ ବିଜେଡି ପ୍ରାର୍ଥୀ ଦେଇଥିବା ବେଳେ ତାଙ୍କୁ ହଟାଇବା ପାଇଁ ଆରମ୍ଭ ହୋଇଯାଇଛି ଦଳ ଓ ଦଳ ବାହାରେ ମେଳି । ବିଜେଡି ପୁଣିଥରେ ମହିଧର ରଣାଙ୍କୁ ଟିକଟ ଦେବାରୁ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ(ବବି) ବିଜେଡି ଛାଡି ବିଜେପିରେ ଯୋଗଦେଇଛନ୍ତି । ତାଙ୍କ ସହିତ ବହୁ ସରପଂଚ, ସମିତିସଭ୍ୟ, ପୂର୍ବତନ ସରପଂଚ, ପୂର୍ବତନ ସମିତି ସଭ୍ୟ ସହିତ ପ୍ରାୟ ୫୦ରୁ ଉର୍ଦ୍ଧ୍ୱନେତା ବିଜେପିରେ ଯୋଗଦେଇଛନ୍ତି ।
ବବି ରଥ ବର୍ତ୍ତମାନ ଗାଁ ଗାଁ ବୁଲି ମହିଧର ହଟାଉ ଅଭିଯାନ ଆରମ୍ଭ କରିବା ସହିତ ବିଜେପି ପ୍ରାର୍ଥୀ କହ୍ନାଇ ଚରଣ ଡାଙ୍ଗ ପାଇଁ ପ୍ରଚାର ଯୋରଦାର ଆରମ୍ଭ କରିଦେଇଛନ୍ତି । ବବିଙ୍କ ବୌଦ୍ଧବ୍ଲକ ଅଧ୍ୟକ୍ଷ ହୋଇଥିବା ବେଳେ କଣ୍ଟାମାଳ ନିର୍ବାଚନ ମଣ୍ଡଳିରେ ବୌଦ୍ଧବ୍ଲକର ୧୨ଟି ପଂଚାୟତ ରହିଛି । ତା ସହିତ କଣ୍ଟାମାଳ ନିର୍ବାଚନ ମଣ୍ଡଳିରେ ମଧ୍ୟ ତାଙ୍କର ସଂଗଠନ ରହିଛି । ବବିଙ୍କ ସଂଗଠନ ବିଜେପି ପାଇଁ କେରେଦୂର ବାରଦାନ ହୋଇପାରେ ।
ପଲସାଗୋରା ଠାରେ ହୋଇଥିବା ମିଶ୍ରଣ ପର୍ବରେ ବବି ରଥ ଓ ବହୁ ନେତା ବିଜେପିରେ ଯୋଗଦାନ ପରେ କଣ୍ଟାମାଳ ନିର୍ବାଚନ ମଣ୍ଡଳିରେ ବିଜେଡି ନେତା ଶୂନ୍ୟ ହୋଇଗଲା ବୋଲି ବୌଦ୍ଧ ନିର୍ବାଚନ ମଣ୍ଡଳିରେ ହୋଇଥିବା ମିଶ୍ରଣ ପର୍ବରେ ଯୋଗଦେଇ ବବି ରଥ କହିଥିଲେ ।
ବିଜେଡି ଦଳରେ ଗୋଷ୍ଠୀ କନ୍ଦଳ ବିଧାୟକ ମହିଧର ରଣାଙ୍କ ପାଇଁ ଚାଲେଂଚ ହେବାକୁ ଯାଉଛି । ଯଦି ଏପରି ହୁଏ ତାହାହେଲେ ୨୦୧୯ ନିର୍ବାଚନ ଭଳି ୨୦୨୪ରେ ମଧ୍ୟ କଡା ମୁକାବିଲାର ହେବାର ସମ୍ଭାବନା ରହିଛି । ଗତ ୨୦୧୯ ନିର୍ବାଚନରେ ମଧ୍ୟ ଦଳରେ ବଡ ଧରଣର ଗୋଷ୍ଠୀ କନ୍ଦଳ ଦେଖାଦେଇଥିଲା । ହେଲେ ଶେଷ ମୁହୁର୍ତ୍ତରେ ଫଳାଫଳ ମହିଧର ରଣାଙ୍କ ସପକ୍ଷରେ ଯାଇଥିଲା । ହେଲେ ଏଥର ବିରୋଧୀ ବିଜେଡି ଗଡ ଭାଙ୍ଗି ପାରେବେକି ପୁଣି ବିଜେଡି ଗଡ ରକ୍ଷା କରିବାରେ ସକ୍ଷମ ହେବ ତାହା ଆଗକୁ ଜଣାପଡିବ ।
ବୌଦ୍ଧ ରାମଲୀଳା ଯାତ୍ରାର ଦଶମ ସନ୍ଧ୍ୟା : ମଞ୍ଚସ୍ଥ ହେଲା ନାଟକ ନାଗଫାସ ବନ୍ଧନ
ବୌଦ୍ଧ,୨୬/୪: ବୌଦ୍ଧର ପ୍ରସିଦ୍ଧ ରାମଲୀଳା ଯାତ୍ରା ଶୁକ୍ରବାର ନାଗଫାସ ବନ୍ଧନ ପରିବେଶଷ ହୋଇଥିଲା । ପୌରାଣିକ କଥାବସ୍ତୁ ଆଧାରରେ ଯାତ୍ରାରେ ମଞ୍ଚସ୍ଥ ନାଟକରେ ଲଙ୍କାକାଣ୍ଡ ଆରମ୍ଭ ହୋଇଥିବାବେଳେ ସେତୁବନ୍ଧ ପ୍ରତିଷ୍ଠା ପରେ ଶ୍ରୀରାମ ଓ ଲକ୍ଷ୍ମଣ ବାନର ସେନା ସହିତ ସମୁଦ୍ର ପାରି ହୋଇ ଲଙ୍କାରେ ପ୍ରବେଶ କରିଛନ୍ତି । ଲଙ୍କା ନଗରୀ ବାହାରେ ବାନରସେନାଙ୍କୁ ଦେଖି ହନୁମାନଙ୍କ ଦ୍ୱାରା ଲଙ୍କା ଦହନର ଜ୍ୱାଳା ଭୁଲିପାରିନଥିବା ରାବଣ ନିଜେ ଯୁଦ୍ଧକୁ ବାହାରି ବାନରସେନାକୁ ଆକ୍ରମଣ କରି ପ୍ରତିଶୋଧ ନେବାକୁ ରାଜଦରବାରରେ ପ୍ରକାଶ କରିଛନ୍ତି । କିନ୍ତୁ ବୀର ପୁତ୍ର ଇନ୍ଦ୍ରଜିତ ଥାଉ ଥାଉ ରାବଣ ନିଜେ ଯୁଦ୍ଧକୁ ଯିବା ଅନୁଚିତ ବୋଲି ପ୍ରକାଶ କରିବା ସହିତ ନିଜେ ଇନ୍ଦ୍ରଜିତ ଯୁଦ୍ଧକୁ ଯିବାକୁ ବାହରିଛି । ଶ୍ରୀରାମ ଲକ୍ଷ୍ମଣ ଓ ବାନରସେନା ସହିତ ଇନ୍ଦ୍ରଜିତ ବୀରତ୍ୱର ସହିତ ଯୁଦ୍ଧ କରି ଶେଷରେ ନାଗଫାସ ବନ୍ଧନରେ ଶ୍ରୀରାମ ଓ ଲକ୍ଷ୍ମଣକୁ ବାନ୍ଧି ମୁର୍ଛିତ କରିଦେଇଛି ।
ଏହାକୁ ନେଇ ସୁଗ୍ରୀବ ଓ ବାନରସେନା ବିଚଳିତ ହୋଇପଡିଥିବାବେଳେ ବିଭୀଷଣ ନାଗଫାସ ବନ୍ଧନରୁ ମୁକ୍ତ ପାଇଁ ଗରୁଡଙ୍କ ସହାୟତା ନେବାକୁ ପରାମର୍ଶ ଦେଇଛନ୍ତି । ହନୁମାନ ସ୍ୱର୍ଗଲୋକକୁ ଯାତ୍ରା କରି ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ନାଗଫାସରୁ ଉଦ୍ଧାର ପାଇଁ ଗରୁଡଙ୍କୁ ନିବେଦନ କରିଛନ୍ତି । ଗରୁଡ ପହଞ୍ଚି ନାଗଫାସରୁ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ଉଦ୍ଧାର କରିଛନ୍ତି । ଗରୁଡଙ୍କ ନିବେଦନ କ୍ରମେ ଶ୍ରୀରାମ ଗରୁଡଙ୍କୁ ବିଶ୍ୱରୂପ ଦର୍ଶନ ଦେଇଛନ୍ତି । ନାଟ୍ୟକାର ହୃଦାନନ୍ଦ ମେହେରଙ୍କ ରଚିତ ଓ ଭାବାନୀଶଙ୍କର ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନାଟକରେ ଶ୍ରୀରାମ ଭୂମିକାରେ ଶିରିଶ ବେହେରା,ସୀତା ବିଶ୍ୱାମିତ୍ର ସାହୁ,ଲକ୍ଷ୍ମଣ ଦନାର୍ଦ୍ଦନ ମିଶ୍ର,ହନୁମାନ ଶାନ୍ତନୁ ବେହେରା, ବିଭୀଷଣ ପ୍ରମୋଦ ପ୍ରଧାନ, ସୁଗ୍ରୀବ ଦିବାକର ଜେନା, ଇନ୍ଦ୍ରଜିତ ସନ୍ତୋଷ ବାଘ, ଓ ରାବଣ ସୁଦାମ ବେରିହା ପ୍ରମୁଖ ଉଚ୍ଚକୋଟିର ଅଭିନୟ କରିଥିଲେ ।
ବୌଦ୍ଧଜିଲ୍ଲାରେ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି
ବୌଦ୍ଧ,୨୭/୪: ସାଧାରଣ ନିର୍ବାଚନକୁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଥିବା ବେଳେ ଆସନ୍ତା ମେ ୨୦ ତାରିଖରେ ବୌଦ୍ଧଜିଲ୍ଲାରେ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ଏଥିପାଇଁ ଶୁକ୍ରବାର ଠାରୁ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ବୌଦ୍ଧଜିଲ୍ଲାର କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନ ମଣ୍ଡଳି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜି ଠାରୁ ନାମାଙ୍କନ ପତ୍ର ଦାଖଲ କରିବା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହା ମେ ୩ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ଦିନ ରହିଛି । ମେ ୪ ତାରିଖରେ ପ୍ରାର୍ଥୀପତ୍ର ଯାଂଚ ରହିଥିବା ବେଳେ ମେ ୬ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ ରହିଛି । ଆଜି କେହି ପ୍ରାର୍ଥୀପତ୍ର ଦାଖଲ କରିନଥିବା ବେଳେ ବୌଦ୍ଧ ନିର୍ବାଚନ ମଣ୍ଡଳି ପାଇଁ ୫ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର କିଣିଛନ୍ତି । କଣ୍ଟାମାଳ ପାଇଁ କେହି ପ୍ରାର୍ଥୀ ପତ୍ର କିଣି ନ ଥିବା ବେଳେ କେହି ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି ।
ବୌଦ୍ଧ ନିର୍ବାଚନ ମଣ୍ଡଳି ପାଇଁ ବୌଦ୍ଧ ସହର ବାବୁ ସାହିର ସୋମନାଥ ପୁରୋହିତ,ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଂଚାୟତ ଟାଙ୍ଗୁରୁକୁମ୍ପା ଗ୍ରାମର ବଳରାମ ପ୍ରଧାନ, ବୌଦ୍ଧବ୍ଲକ ନାରାୟଣନଗରର କେଦାର ନାଥ ସାହୁ, ବୌଦ୍ଧ ସହର ବ୍ରାହ୍ମଣସାହିର ଷଷ୍ଠ କୁମାର ପୁରୋହିତ ଓ ବୌଦ୍ଧ ସହର ବୁଟୁପାଲି ଆନନ୍ଦ ବିହାର ର କୃଷ୍ଣଚନ୍ଦ୍ର ମେହେର ନାମାଙ୍କନ ପତ୍ର କ୍ରୟ କରିଥିବା ଜଣାପଡିଛି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031