ବୌଦ୍ଧରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ସେହି ରାସ୍ତାରେ ଯାଉଥିଲେ ୫୦ରୁ ଅଧିକ ବନକର୍ମଚାରୀ
November 28
09:57
2022
ବୌଦ୍ଧ,୨୮/୧୧: ଗଞ୍ଜେଇ ଚାଷ ନଷ୍ଟ କରିବାକୁ ଯିବା ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି। ଅଳ୍ପକେ ବର୍ତ୍ତିଯାଇଛନ୍ତି ୫୦ ବନ କର୍ମଚାରୀ। ଏଭଳି ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଲକଡ଼ପାଜୁ ଜଙ୍ଗଲରେ।
ଲକଡ଼ପାଜୁ ଜଙ୍ଗଲରେ ଗଞ୍ଜେଇ ଚାଷ ହୋଇଥିବା ବନ ବିଭାଗ କୌଣସି ସୁତ୍ରରୁ ଖବର ପାଇଥିଲା। ଏନେଇ ଗତକାଲି ବନ ବିଭାଗର ଟିମ୍ ଗଞ୍ଜେଇ ଚାଷ ନଷ୍ଟ କରିବାକୁ ଲକଡ଼ପାଜୁ ଜଙ୍ଗଲ ଅଭିମୁଖେ ବାହାରିଥିଲା।
ହେଲେ ଗଞ୍ଜେଇ ମାଫିଆମାନେ ବନ ବିଭାଗ କର୍ମଚାରୀଙ୍କ ସହ ତାଙ୍କ ଗାଡ଼ିକୁ ଉଡ଼ାଇଦେବାକୁ ଲକଡ଼ପାଜୁ ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ଖଞ୍ଜିଥିଲେ। ବନ ବିଭାଗ କର୍ମଚାରୀଙ୍କ ଗାଡ଼ି ସେହି ରାସ୍ତା ଦେଇ ଯିବା ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା।
ଗାଡ଼ିରେ ଥିବା ୫୦ ବନ କର୍ମଚାରୀ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ପରେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଇଥିଲା। ବନ କର୍ମଚାରୀମାନେ କିଛି ବିସ୍ଫୋରକ ସାମଗ୍ରୀ ସହ ତାର ଜବତ କରିଥିଲେ। ଏହି ଘଟଣାରେ ପୁଲିସ ୩ଜଣ ଗଞ୍ଜେଇ ମାଫିଆଙ୍କୁ ଅଟକ ରଖି ପଚରାଉଚରା କରୁଛି।