Indus Valley Times

ବୌଦ୍ଧରେ ସ୍ୱାୟତ୍ତ ଶାସନ ଦିବସ ପାଳିତ , ଜରିଖଣ୍ଡି (ଗଡଖାଇ) ପୁନରୁଦ୍ଧାର ଯୋଜନାର ଶୀଳାନ୍ୟାସ

 Breaking News

ବୌଦ୍ଧରେ ସ୍ୱାୟତ୍ତ ଶାସନ ଦିବସ ପାଳିତ , ଜରିଖଣ୍ଡି (ଗଡଖାଇ) ପୁନରୁଦ୍ଧାର ଯୋଜନାର ଶୀଳାନ୍ୟାସ

ବୌଦ୍ଧରେ ସ୍ୱାୟତ୍ତ ଶାସନ ଦିବସ ପାଳିତ , ଜରିଖଣ୍ଡି (ଗଡଖାଇ) ପୁନରୁଦ୍ଧାର ଯୋଜନାର ଶୀଳାନ୍ୟାସ
September 01
10:22 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧/୯: ବୌଦ୍ଧରେ ସ୍ୱାୟତ୍ତ ଶାସନ ଦିବସ କରୋନା କଟକଣା ପାଳନ ପୂର୍ବକ ନିରାଡମ୍ବର ଭାବରେ ପାଳିତ ହୋଇଯାଇଛି । ସକାଳେ ରାମଧୂନ ପ୍ରଚାର ପରେ ବିଭିନ୍ନ ଛକରେ ସ୍ଥାପିତ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟଅତିଥିଙ୍କ ଦ୍ୱାରା ମାଲ୍ୟାର୍ପଣ କରାଯାଇଥିଲା ।
ପରେ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ପରିଷଦର ମୁଖ୍ୟପ୍ରଶାସକ ତଥା ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର,ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶିକା ବବିତାରାଣୀ ଦଳବେହେରା,ନିର୍ବାହୀ ଅଧିକାରୀ ଇଂ. ମନୋରଂଜନ ପଣ୍ଡା,ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରିତିକାନ୍ତି ବଳିଆର ସିଂଙ୍କ ସମେତ ପରିଷଦର ସମସ୍ତ କର୍ମଚାରୀ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ସ୍ୱାୟତ୍ତ ଶାସନ ଦିବସ ଅବସରରେ ବୌଦ୍ଧ ରାଜାଙ୍କ ଦ୍ୱାରା ରାଜପ୍ରାସାଦର ସୁରକ୍ଷା ପାଇଁ ଖୋଳାଯାଇଥିବା ଜରିଖଣ୍ଡି(ଗଡଖାଇ)ର ପୁନରୁଦ୍ଧାର ପାଇଁ ୩ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଆଡିବନ୍ଧ ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା । ପରେ ଏହି ଗଡଖାଇର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହାତକୁ ନିଆଯିବ ବୋଲି ଜଣାପଡିଛି ।
ସେହିପରି ଜରିଖଣ୍ଡି ନିକଟରେ ନିର୍ମିତ ଭେଣ୍ଡିଂଜୋନକୁ ଉଦଘାଟନ କରାଯାଇଥିବାବେଳେ ଅତିଥିମାନେ ବର୍ଯ୍ୟବସ୍ତୁ ପ୍ରକିୟାକରଣ କେନ୍ଦ୍ର ବୁଲି ଦେଖିଥିଲେ । ପରେ ସହରବାସୀଙ୍କ ଦୀର୍ଘ ଦିନର ଦାବି ବୌଦ୍ଧ ଏନଏସି ଛକ ଓ ଜାମୁଛକଠାରେ ଟ୍ରାଫିକ ସିଗନାଲ ବ୍ୟବସ୍ଥାର ଉଦଘାଟନ କରାଯାଇଥିଲା ।
ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ମଚାରୀ ପ୍ରଫୁଲ୍ଲ କୁମାର ପଟ୍ଟନାୟକ,ସୁଶୀଳ କୁମାର ପାଣିଗ୍ରାହୀ, କନିଷ୍ଠ ଯନ୍ତ୍ରୀ ପବିତ୍ର ମୋହନ ପ୍ରଧାନ,ଶବଚ୍ଚ ମିର୍ଦ୍ଧା,ସନ୍ତୋଷ କୁମାର ମିଶ୍ର,ଐଶର୍ଯ୍ୟା ମେହେର(ସ୍ୱଛସାଥୀ),କମଳ ଷାଣ୍ଢ ଓ ଯମୁନା ସେଠୀ (ସଫେଇ କର୍ମଚାରୀ),କିଷାନ ମୁଖୀ,ସୁନିଲ ପ୍ରଧାନ(ସାନିସେସନ ଏକ୍ସପୋର୍ଟ),ସୁପର୍ଣ୍ଣା ମହାନ୍ତି(ଗୋଷ୍ଠୀ ସଂଗଠିକା),ସୁମନ ଷଡଙ୍ଗୀ(ଆର୍କିଟେକ କନସଲଟାଣ୍ଟ୍‌),କୃପାସିନ୍ଧୁ ହୋତା(ମ୍ୟାନେଜର ଏସୟୁଏଚ୍‌)ଙ୍କ ସମେତ ତିନିଗୋଟି ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା ।
ବୌଦ୍ଧ :ମେଗା ଜଳସେଚନ ପ୍ରକଳ୍ପରେ ସାମିଲ ପାଇଁ ବୁକୁରୁମୁଣ୍ଡା ଗ୍ରାମବାସୀଙ୍କ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ବୌଦ୍ଧ,୧ା୯: ଚାଷୀଙ୍କୁ ମରୁଡି ଦାଉରୁ ରକ୍ଷା କରିବାକୁ ରାଜ୍ୟ ସରକାର ଜଳସେଚନ ଉପରେ ଗୁରୁତ୍ୱ ଦେବା ସହିତ ବୌଦ୍ଧଜିଲ୍ଲାରେ ୫ ଗୋଟି ଉଠାଜଳସେଚନ ନିର୍ମାଣ ପାଇଁ ଅର୍ଥ ଯୋଗାଇଦେଇଛନ୍ତି । ଏହି ପରିପ୍ରେକ୍ଷିରେ ମହାନଦଦୀ ଓ ତେଲନଦୀରୁ ଚାଷଜମି ଜଳସେଚନର ସୁବିଧା ମିଳିପାରିବ । କିନ୍ତୁ କିଛି ଗ୍ରାମ ଏହି ଜଳସେଚନ ପ୍ରକଳ୍ପରୁ ବାଦ ପଡିବା ପରେ ଏବେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ଜଣାଯାଇଛି ।
ମିଳିଥିବା ସୂଚନା ମୁତାବକ କଣ୍ଟାମାଳ ବ୍ଲକ ଗୁଡଭେଲିପଦର ପଞ୍ଚାୟତକୁ ମହାନଦୀରୁ ଉଠାଜଳସେଚନ ମାଧ୍ୟମରେ ଜଳଯୋଗାଣ ହେବାକୁ ଯାଉଥିବାବେଳେ ପାଇପଲାଇନ ବିଛାଇବା କାର୍ଯ୍ୟ ଜାରିରହିଛି । କିନ୍ତୁ ଆଶ୍ଚିର୍ଯ୍ୟଜନକ ଭାବରେ ପଞ୍ଚାୟତର ବୁକୁରୁମୁଣ୍ଡା ଗ୍ରାମକୁ ଏଥିରୁ ବାଦ ଦିଆଯାଇଛି । ଗ୍ରାମର ଅଧିବାସୀମାନେ ପ୍ରତିବର୍ଷ ମରୁଡିର ସମ୍ମୁଖିନ ହେଉଥିବାବେଳେ ସେମାନଙ୍କୁ ଚାଷ ପାଇଁ ଜଳସେଚନ ସୁବିଧା ଯୋଗାଇଦେବାକୁ ପୂର୍ବରୁ ବିଧାୟକ ଓ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
କିନ୍ତୁ ଏବେ ପାଇପଲାଇନ ବିଛାଇବା କାର୍ଯ୍ୟ ଗ୍ରାମଠାରୁ ମାତ୍ର ଶହେମିଟର ଦୁରରେ ହେଉଥିଲେ ମଧ୍ୟ ବୁକୁରୁମୁଣ୍ଡାର ଚାଷୀମାନେ ଜମିକୁ ପାଣି ପାଇବାକୁ ବଂଞ୍ଚିତ ହେବେ ବୋଲି ଅଭିଯୋଗ କରିଛନ୍ତି । ତେଣୁ ଜିଲ୍ଲାପାଳ ଏହି ମାମଲାରେ ହସ୍ତକ୍ଷେପ କରି ବୁକୁରୁମୁଣ୍ଡା ଗ୍ରାମର ଚାଷୀମାନଙ୍କ ଜମିକୁ ଜଳସେଚନ ସୁବିଧା ଯୋଗାଇଦେବାକୁ ମୋଗା ଉଠାଜଳସେଚନ ପ୍ରକଳ୍ପରେ ଗ୍ରାମକୁ ସାମିଲ କରିବାକୁ ଦାବି କରିଛନ୍ତି । ଆଜି ଏହି ମର୍ମରେ ଏକ ଦାବିପତ୍ର ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।
ଆଇଆରବି ୫ ମ ବାଟାଲିୟନ କ୍ୟାମ୍ପସରେ ଅଘଟଣ, ବସ ଧକ୍କାରେ ଯବାନ ମୃତ
ବୌଦ୍ଧ,୧/୯: ବୌଦ୍ଧ ବଲାସିଙ୍ଗା ଗ୍ରାମ ନିକଟରେ ଥିବା ଆଇଆରବି ୫ମ ବାଟାଲିୟନ ପରିସରରେ ବସ ଦୁର୍ଘଟଣାରେ ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ସୂଚନା ମୁତାବକ ଆଇଆରବିରେ କାର୍ଯ୍ୟରତ ଢେଙ୍କାନାଳ ଜିଲ୍ଲାର ସରୋଜ କୁମାର ମାଝୀ ନାମକ ଜଣେ ଯବାନ ଗତକାଲି ରାତି ପ୍ରାୟ ୧୦ ଘଣ୍ଟା ସମୟରେ ଯବାନମାନେ ବସ ଯୋଗେ ଡିୟୁଟିରୁ ଫେରିବାପରେ ଡ୍ରାଇଭର ଗାଡି ପଛକୁ କରୁଥିବାବେଳେ ପଛପଟେ ଛିଡା ହୋଇଥିବା ସରୋଜଙ୍କୁ ଧକ୍କା ଦେଇଥିଲା ।
ଏଥିରେ ସରୋଜ ଗୁରୁତର ଆହତ ହୋଇଥିବାବେଳେ ସାଥୀ ଯବାନମାନେ ତାଙ୍କୁ ତୁରନ୍ତ ବୌଦ୍ଧ ମୁଖ୍ୟଚିକିତ୍ସାଳୟକୁ ପହଞ୍ଚାଇଥିଲେ । କିନ୍ତୁ ସରୋଜଙ୍କ ଅବସ୍ଥା ଗୁରତର ଥିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ଏହି ଦୁଖଃଦ ଖବର ଜଣାପଡିବାପରେ ଆଇଆରବି କ୍ୟାମ୍ପସରେ ଶୋକର ବାତାବରଣ ସୃଷ୍ଟି ହୋଇଛି ।
ଗଡଜାତ ମହୋତ୍ସବ କମିଟି ପକ୍ଷରୁ ସ୍ୱେଛାକୃତ ରକ୍ତଦାନ ଶିବିର, ୪୨ୟୁନିଟ ସଂଗୃହତ
ବୌଦ୍ଧ, ୧/୯: ଗଡଜାତ ମହୋତ୍ସବ କମିଟି ବିରନରସିଂହପୁର ପକ୍ଷରୁ ସ୍ଥାନିୟ ବନ ବିଭାଗ ନର୍ସରୀ ଠାରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି ତଥା ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଶିବିରରେ ତିଲେଶ୍ୱର, ରାମଗଡ, ବିରନରସିଂହପୁର, ସାମ୍ପଚ, ମଥୁରା ପଞ୍ଚାୟତର ଆଗ୍ରହି ରକ୍ତଦାତା ଯୋଗଦେଇ ୪୨ ୟୁନିଟ ରକ୍ତଦାନ କରିଥିଲେ ।
ଏହି ଶିବିରରେ ଅତିଥିଭାବେ ହରଭଙ୍ଗା ବ୍ଲକ ବିଡିଓ ନିଳକଣ୍ଠ ବେହେରା, ବୌଦ୍ଧ ଥାନା ଅଧିକାରୀ ତପସ୍ୱିନୀ କହଁର, ଚଳଚିତ୍ର ନିର୍ଦ୍ଦେଶକ ବନମାଳୀ ରଣା, ପ୍ରମୁଖ ଯୋଗଦେଇ ରକ୍ତ ଦାନ କରି ଗୋଟିଏ ଜୀବନକୁ ବଂଚାଇବାଭଳି ମହତ କାର୍ଯ୍ୟ କରିବା ଏବଂ ନିଜକୁ ରୋଗମୁକ୍ତ ରଖିବା ଏଭଳି ପ୍ରୟାସ ସମସ୍ତ ବ୍ୟକ୍ତି ମଧ୍ୟରେ ରହିବା ଆବଶ୍ୟକ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏଥିସହ ରକ୍ତଦାତାଙ୍କୁ ଉତ୍ସାହିତ କରିବାସହ ସମ୍ମାନପତ୍ର ପ୍ରଦାନ କରିଥିଲେ ।
କାର୍ଯ୍ୟକ୍ରମରେ ହରଭଙ୍ଗା ବିଡିଓ ନିଳକଣ୍ଠ ବେହେରାଙ୍କୁ ଅନୁଷ୍ଠାନ ପକ୍ଷରୁ ଅବସରକାଳିନ ବିଦାୟ ସମ୍ବର୍ଦ୍ଧନା ମଧ୍ୟ କରାଯାଇଥିଲା । ଏହି କାର୍ଯ୍ରକ୍ରମରେ ଅନୁଷ୍ଠାନର ସଂପାଦକ ଦେବାଶିଷ ମହାକୁଳ ସଂଯୋଜନା କରିଥିବାବେଳେ ଅନୁଷ୍ଠାନର ମାର୍ଗଦର୍ଶକ ପୁର୍ଣ୍ଣଚନ୍ଦ୍ର ଗାଇଗୌରିଆ, ଜୟ କିଶୋର ମିଶ୍ର, ନରେନ୍ଦ୍ର କୁମାର ସାହୁ, ରଘୁନାଥ ଷଡଙ୍ଗୀଙ୍କ ସମେତ ସଦସ୍ୟ ବସନ୍ତ ପ୍ରଧାନ, କମ୍ଭୁ ପ୍ରଧାନ, ସୁଜ୍ଞାନ ପ୍ରଧାନ, ବିରାଜ ମହାକୁଳ, ସୁଶାନ୍ତ ପାତ୍ର, ପ୍ରଭାତ ନାୟକ, ଦେବେନ୍ଦ୍ର ସାହୁ, ଦୁଃଖିଶ୍ୟାମ ଗାଇଗୌରିଆ ପ୍ରମୁଖ ସହଯୋଗ କରିଥିଲେ ।
ବୌଦ୍ଧଜିଲ୍ଲାକୁ ମରୁଡି ଘୋଷଣା :ଭାରତୀୟ କିସାନ ସଂଘ ପକ୍ଷରୁ ୨ତାରିଖରେ ଚାଷି ସମାବେଶ
ବୌଦ୍ଧ,୧/୯ : ବୌଦ୍ଧ ଜିଲ୍ଲାରେ ଶତକଡା ୬୭% କମ୍ ବର୍ଷା ହୋଇଥିବାରୁ ସମଗ୍ର ବୌଦ୍ଧ ଜିଲ୍ଲା ମରୁଡି ଦ୍ୱାରା କବଳିତ ହୋଇ ସାରିଲାଣି ବର୍ଷା ହେଲେ ମଧ୍ୟ ଆଉ ଧାନ ଫସଲ ଉଧେଇ ପାରିବ ନାହିଁ । ଭାରତୀୟ କିସାନ ସଂଘ ପକ୍ଷରୁ ଆସନ୍ତା ୨ ତାରିଖରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ଚାଷୀମାନେ ଏକାଠି ସମାବେଶ ହୋଇ ଜିଲ୍ଲାକୁ ସଂପୂର୍ଣ୍ଣ ମରୁଡିଗ୍ରସ୍ତ ଭାବେ ଘୋଷଣା କରିବା ପାଇଁ ଆସନ୍ତା ୨ ତାରିଖରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ୭ ଦଫା ଦାବୀପତ୍ର ପ୍ରଦାନ କରାଯିବ ବୋଲି କିସାନ ସଂଘ ପକ୍ଷରୁ ପ୍ରେସ ବିବୃତି ପ୍ରଦାନ କରାଯାଇଛି ।
ଅଧିକାଂଶ ଚାଷୀ ବିଭିନ୍ନ ବ୍ୟାଙ୍କ ମାନଙ୍କଠାରୁ ଋଣ ଆଣି ଚାଷ କରିଛନ୍ତି ପ୍ରଧାନମନ୍ତ୍ରୀ ଶସ୍ୟ ବୀମା ଯୋଜନାରେ ବୀମାର ପ୍ରିମିୟମ ରାଶି ପୈଠ କରିଅଛନ୍ତି । ଜିଲ୍ଲାରେ ମହାନଦୀ ତେଲନଦୀ, ସାଲୁଙ୍କି ଓ ବାଘନଦୀ ଭଳିଆ ଅନେକ ନଦୀ ପ୍ରବାହିତ ହେଉଅଛନ୍ତି । ତେଣୁ ଜଳସେଚନର ପର୍ଯ୍ୟାପ୍ତ ସୁବିଧା ଅଛି । କିନ୍ତୁ ଚାଷୀର ଫସଲରେ ପାଣି ଟୋପାଏ ପହଂଚି ନପାରି ମରୁଡି ହେବା ଦୁଃଖର କଥା । ସାଲୁଙ୍କି ନଦୀର ଗୁରୁଜିମୁଣ୍ଡା(ଗମ୍ବୀରାଦର) ଏକ ପ୍ରାକୃତିକ ବରଦାନ । ସେଠାରେ ନଦୀରୁ ଦୁଇପାଶ୍ୱର୍ରେ ଦୁଇଟି ସୁଉଚ୍ଚ ପାହାଡ ବିଦ୍ୟାମାନ ।
ଖରାଦିନରେ ମଧ୍ୟ ସେଠାରେ ଥିବା ଗମ୍ଭିରା ଦରହରେ ୧୦/୧୨ ଫୁଟ ପାଣି ରହେ । ଏହି ଦୁଇ ପାହାଡକୁ ସଂଯୋଗ କରି ଏକ ଜଳଭଣ୍ଡାର ନିର୍ମାଣ କରାଗଲେ ସେଠାରୁ ଜଳ ପାଇଁ ସମଗ୍ର ବୌଦ୍ଧ ଜିଲ୍ଲା ପ୍ରାୟ ୭୦ ଭାଗ ଜମିର ଦୁଇଟି ଫସଲ ହସିଉଠନ୍ତା । ସେହିପରି କଣ୍ଟାମାଳ ସ୍ଥିତ ଖଡଙ୍ଗ ନଦୀର ସାଡାଙ୍ଗ ମଧ୍ୟ ଜଳଭଣ୍ଡାରର ପ୍ରକୃଷ୍ଟ ସ୍ଥାନ । ଏହି ଦୁଇଟି ପ୍ରକଳ୍ପ ଶିଘ୍ର ନିିର୍ମାଣ କରିବା ପାଇଁ ଆମେ ଦୃଢ ଦାବୀ ଉପସ୍ଥାପନ କରୁଅଛୁ । ବୌଦ୍ଧଜିଲ୍ଲାରେ ହେବାକୁ ଥିବା ୫ ଗୋଟି ମେଗା ଜଳସେଚନ ପ୍ରକଳ୍ପ ମଧ୍ୟରୁ ହିଲୁଂ ଓ ତିରୋଡଠାରେ କାମ ଆରମ୍ଭ ହୋଇଥିବା ବେଳେ ସାମ୍ପୋଚ, ରାମଗଡ ଓ ଧଳପୁରଠଅରେ ହେବାକୁ ଥିବା ପ୍ରକଳ୍ପ ଅନୁମୋଦନ ଅପେକ୍ଷାରେ ସରକାରଙ୍କ ଶିତଳଭଣ୍ଡାରରେ ପଡିରହିଛି । କୃଷିରେ ଖର୍ଚ୍ଚ ପୂର୍ବ ତୁଳନାରେ ବହୁଗୁଣ ବଢିଗଲାଣି ।
ବର୍ତ୍ତମାନ ଦିଆଯାଉଥିବା ଇନ୍‌ପୁଟ ରାଶି ସମୁଦ୍ରକୁ ଶଙ୍ଖେ ତେଣୁ ସଂଘ ପକ୍ଷରୁ ଦାବି କରୁଅଛୁ ଯେ, ଉକ୍ତ ରାଶି ହେକ୍ଟରକୁ ( ଉଭୟ ଜଳସେଚତି ଓ ଅଣଜଳସେଚିତ) ଟ.୫୦,୦୦୦/-ଙ୍କା ବୃଦ୍ଧି କରାଯାଉ । ବୌଦ୍ଧଜିଲ୍ଲାକୁ ତୁରନ୍ତ ମରୁଡି ଘୋଷଣା କରାଯାଇ ଚାଷୀଙ୍କୁ ସମସ୍ତ ପ୍ରକାର କ୍ଷତିର ସହାୟତା ଯୋଗାଇ ଦେଇ ଆସନ୍ତା ରବି ଫସଲ ପାଇଁ ବର୍ତମାନ ଠାରୁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିବାପାଇଁ ଦାବୀପତ୍ର ପ୍ରଦାନ କରାଯିବ ବୋକି କିସାନ ସଂଘର ସଭାପତି ସୂର୍ଯ୍ୟ ନାରାୟଣ ମହାପାତ୍ର ପ୍ରକାଶ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031