Indus Valley Times

ବୌଦ୍ଧ: ଛାତ୍ରଛାତ୍ରୀଙ୍କର ଯୁକ୍ତଦୁଇ ଶିକ୍ଷାରେ ନାମ ଲେଖା ନେଇ ଚିନ୍ତାରେ ଅଭିଭାବକ

 Breaking News

ବୌଦ୍ଧ: ଛାତ୍ରଛାତ୍ରୀଙ୍କର ଯୁକ୍ତଦୁଇ ଶିକ୍ଷାରେ ନାମ ଲେଖା ନେଇ ଚିନ୍ତାରେ ଅଭିଭାବକ

ବୌଦ୍ଧ: ଛାତ୍ରଛାତ୍ରୀଙ୍କର ଯୁକ୍ତଦୁଇ ଶିକ୍ଷାରେ ନାମ ଲେଖା ନେଇ ଚିନ୍ତାରେ ଅଭିଭାବକ
September 07
21:43 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୭/୯: କରୋନା ମହାମାରୀ ଯୋଗୁଁ ଦୀର୍ଘ ସମୟ ହେଲା ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକ ବନ୍ଦ ରହିଥିବାବେଳେ ସରକାର ବିନା ପରୀକ୍ଷାରେ ଏକ ମାପଦଣ୍ଡରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ କରିବାକୁ ବାଧ୍ୟ ହେଲେ । ପରୀକ୍ଷା ଫଳ ପ୍ରକାଶ ପରେ ଏବେ ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷା ନେଇ ଅଭିଭାବକମାନେ ବଡ ଚିନ୍ତାରେ ପଡିଥିବା ଜଣାଯାଇଛି ।
ଚଳିତବର୍ଷ ବୌଦ୍ଧଜିଲ୍ଲାରେ ୭୮୬୪ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାଟ୍ରିକ୍ ପରୀକ୍ଷା ପାଇଁ ୭୭୮୭ ଜଣ ପରୀକ୍ଷା ଦେବାକୁ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ସରକାରଙ୍କ ମାପଦଣ୍ଡ ଅନୁଯାୟୀ ୭୫୬୩ (୯୬.୧୭%) ଜଣ ଛାତ୍ରଛାତ୍ରୀ ବିଭିନ୍ନ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି । ସେଥିମଧ୍ୟରୁ ଏ୧ ଶ୍ରେଣୀରେ ୭ ଜଣ,ଏ୨ ଶ୍ରେଣୀରେ ୧୨୫ ଜଣ,ବି୧ ଶ୍ରେଣୀରେ ୩୪୭ ଜଣ,ବି୨ ଶ୍ରେଣୀରେ ୮୨୯ ଜଣ,ସି ଶ୍ରେଣୀରେ ୧୬୯୪ ଜଣ,ଡି ଶ୍ରେଣୀରେ ୨୧୭୬ ଜଣ ଓ ଇ ଶ୍ରେଣୀରେ ୨୨୪ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୩୫୪୫ ଜଣ ଛାତ୍ର ଓ ୪୦୧୮ ଜଣ ଛାତ୍ରୀ ରହିଛନ୍ତି । ଏବେ ଚିନ୍ତାର ବିଷୟ ହେଲା ୭୫୬୩ ଛାତ୍ରଛାତ୍ରୀ ମେଟ୍ରିକ୍ ପରୀକ୍ଷାରେ ପାଶ କରିଥିବାବେଳେ ବୌଦ୍ଧଜିଲ୍ଲାର ସମସ୍ତ ଅନୁଦାନପ୍ରାପ୍ତ,ଅଣଅନୁଦାନ ପ୍ରାପ୍ତ ଓ ବେସରକାରୀ ମହାବିଦ୍ୟାଳୟରେ ସମୁଦାୟ ୩୪୨୮ ଟି ସିଟ ରହିଛି । ଯଦିଓ ସରକାର ମହାବିଦ୍ୟାଳୟମାନଙ୍କୁ ଆବଶ୍ୟକତା ଅନୁଯାୟୀ ସିଟ ବୃଦ୍ଧି କରିବାକୁ ଅନୁମତି ପ୍ରଦାନ କରିଛନ୍ତି । ଏତେ ସଂଖ୍ୟାରେ ଛାତ୍ରଛାତ୍ରୀଙ୍କ ପାଇଁ ବସି ପାଠ ପଢିବା ପାଇଁ ଭିତିଭୂମି ଅଭାବ ରହଛି ।
ଅନେକ ମହାବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ନ ଥିବା ଓ ଶ୍ରେଣୀ ଗୃହର ଅଭାବ , ପିଲାଙ୍କ ପଢିବା ପାଇଁ ଚେୟାର ଟେବୁଲ ଆଦିର ସମସ୍ୟା ରହିଥିବାରୁ ମହାବିଦ୍ୟାଳୟ ଗୁଡିକ ଅଧିକ ସିଟ ବୃଦ୍ଧି କରିବାକୁ ଅମଙ୍ଗ ଥିବା ଜଣାପଡିଛି । ଜିଲ୍ଲାର ନୋଡାଲ ମହାବିଦ୍ୟାଳୟ ଭାବରେ ବୌଦ୍ଧ ପଞ୍ଚାୟତ ମହାବଦ୍ୟାଳୟରେ ଯୁକ୍ତଦୁଇ କଳା ରେ ମାତ୍ର ୧୯୨ ଟି ସିଟ ରହିଥିବାବେଳେ ବିଜ୍ଞାନରେ ୧୨୮ ଟି,ବାଣିଜ୍ୟରେ ୬୪ଟି ଓ ଧନ୍ଦାମୂଳକ ଶିକ୍ଷା ପାଇଁ ୩୨ ଟି ସିଟ ରହିଛି । ପୂର୍ବରୁ ଯୁକ୍ତଦୁଇ ବିଜ୍ଞାନରେ ଅନୁମୋଦନ ପାଇଥିବା ୧୨୮ ସିଟରେ ମାତ୍ର ୭୦ ଜଣ ଛାତ୍ରଛାତ୍ରୀ ପଢୁଥିବାବେଳେ ବାଣିଜ୍ୟରେ ୬୦ ଟି ଖାଲି ରହିଛି ।
ତେଣୁ ଏହି ପ୍ରମୁଖ ମହାବିଦ୍ୟାଳୟରେ କେବଳ ଯୁକ୍ତଦୁଇ କଳାରେ କଲେଜ ଭିତିଭୂମି ଅନୁଯାୟୀ ୧୨୮ ସିଟ ବୃଦ୍ଧି କରିବା ପାଇଁ ଅନୁମତି ମଗାଯିବ । ଯଦି ନୋଡାଲ ମହାବିଦ୍ୟାଳୟରେ ଅଧିକ ଛାତ୍ରଛାତ୍ରୀଙ୍କ ପାଇଁ ଭିତିଭୂମିର ଅଭାବ ରହିଛି ଅନ୍ୟ ମହାବିଦ୍ୟାଳୟ ଗୁଡିକରେ ମଧ୍ୟ ଅବସ୍ଥା ସମାନ ରହିଛି । ଜିଲ୍ଲାରେ ରହିଥବା ଅନ୍ୟ ପ୍ରମୁଖ ମହାବିଦ୍ୟାଳୟଗୁଡିକ ମଧ୍ୟରେ ଗନ୍ଧରାଢୀ ମହାବିଦ୍ୟାଳୟରେ ୨୫୬ ,ମା ମାହେଶ୍ୱରୀ ମହାବିଦ୍ୟାଳୟ ବାଉଁଶୁଣୀରେ ୨୮୮, ପୁରୁଣାକଟକ ଭୈରବୀ ମହାବିଦ୍ୟାଳୟରେ ୧୯୨,ହରଭଙ୍ଗା ମହାବିଦ୍ୟାଳୟରେ ୧୯୨, କଣ୍ଟାମାଳ ମହାବିଦ୍ୟାଳୟରେ ଯୁକ୍ତଦୁଇ କଳାରେ ୧୯୨ ଓ ବିଜ୍ଞାନରେ ୬୪ ଟି ସିଟ ରହିଛି । ଏହାବ୍ୟତୀତ ବେସରକାରୀ କଲେଜ କେବି ହିଷ୍ଟ ରେ କଳାରେ ୧୯୨ ଓ ବିଜ୍ଞାନରେ ୬୪ ଟି ସିଟ ରହିଥିବାବେଳେ ଦହ୍ୟା ଜୀବନ ବିକାଶ କଲେଜରେ ୧୯୨ ଓ ମନମୁଣ୍ଡା ଲୋପାମୁଦ୍ରା ମହାବିଦ୍ୟାଳୟରେ ୧୬୦ ସିଟ ରହିଥିବା ଜଣାଯାଇଛି ।
ଜିଲ୍ଲାରେ ରହିଥିବା ସମସ୍ତ ମହାବିଦ୍ୟାଳୟରେ ସିଟ ସଂଖ୍ୟା ଦୁଇଗୁଣ କଲେ ମଧ୍ୟ ଆହୁରୀ ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେବେ । ଜିଲ୍ଲାରେ ଉଚ୍ଚ ଶିକ୍ଷାରେ ଅବ୍ୟବସ୍ଥା ନେଇ ଦୀର୍ଘଦିନ ହେଲା ଆଲୋଚନା ହୋଇଆସୁଥିବାବେଳେ ଚଳିତବର୍ଷ ଯୁକ୍ତଦୁଇ ଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ତୁଳନାରେ ସିଟ ସଂଖ୍ୟା ଅଧାରୁ ମଧ୍ୟ କମ ଥିବାରୁ ଅଭିଭାବକମାନେ ଚିନ୍ତାରେ ରହିଥିବା ଜଣାପଡିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031