Indus Valley Times

ବୌଦ୍ଧ ଜିଲ୍ଲାସ୍ତରୀୟ ହକି ଏବଂ ଭଲିବଲ ପ୍ରତିଯୋଗୀତା ଅନୁଷ୍ଠିତ

 Breaking News

ବୌଦ୍ଧ ଜିଲ୍ଲାସ୍ତରୀୟ ହକି ଏବଂ ଭଲିବଲ ପ୍ରତିଯୋଗୀତା ଅନୁଷ୍ଠିତ

ବୌଦ୍ଧ ଜିଲ୍ଲାସ୍ତରୀୟ ହକି ଏବଂ ଭଲିବଲ ପ୍ରତିଯୋଗୀତା ଅନୁଷ୍ଠିତ
September 05
10:25 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୫/୯: ବୌଦ୍ଧଜିଲ୍ଲା ଷ୍ଟାଡିୟମ ପରିସରରେ ହକି ଏବଂ ଭଲିବଲ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷାଧିକାରୀ ଗେନ୍ଦ୍ରା କୁଜୁର ମୁଖ୍ୟ ଅତିଥି ଭାବରେ ଯୋଗଦେଇ କ୍ରୀଡାକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଜିଲ୍ଲା କ୍ରୀଡା ଅଧିକାରୀ ପବିତ୍ର ରାଉତ, ଜିଲ୍ଲା ମିଲେଟ ମିଶନ କୋଡିନେଟର ଜିତେନ୍ଦ୍ର କରଡି ଯୋଗଦେଇଥିଲେ ।
ଜିଲ୍ଲା ଶାରୀରିକ ଶିକ୍ଷାଧିକାରୀ ଆନନ୍ଦ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ପ୍ରତିଯୋଗୀତାରେ କଣ୍ଟାମାଳ, ବୌଦ୍ଧ ଓ ହରଭଙ୍ଗା ବ୍ଲକର ୬୦ ଜଣ ପ୍ରତିଯୋଗୀ ଯୋଗଦେଇଥିଲେ । ଜିଲ୍ଲା ଶାରୀରିକ ଶିକ୍ଷା ଶିକ୍ଷକ ଅମରେଶ ପ୍ରଧାନ,ସୁରେନ୍ଦ୍ର ନାଥ ସାହୁ,ପଂଚାନନ ପ୍ରଧାନ,ଦଶରଥ ଭୋଇ,ମମତା ଦାସ, ସୁଦାମ ମିଶ୍ର,ମହେନ୍ଦ୍ର ସାହୁ ପ୍ରମୁଖ କ୍ରୀଡାକୁ ପରିଚାଳନା କରିଥିଲେ । ଏହି ପ୍ରତିଯୋଗୀତାରୁ ୨୮ ଜଣ ପ୍ରତିଯୋଗୀ ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ଭାଗନେବା ପାଇଁ ମନୋନୀତ ହୋଇଛନ୍ତି ।
ବୌଦ୍ଧଜିଲ୍ଲାରେ ଲେଡା ପୋକ ଆତଙ୍କ, ଚିନ୍ତାରେ ଚାଷୀ
ବୌଦ୍ଧ,୫/୯: ବୌଦ୍ଧଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା । ଜିଲ୍ଲାରେ ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରି ଚଳିଥାନ୍ତି । ହେଲେ ଜିଲ୍ଲାର ଚାଷୀ ସବୁବେଳେ ଶୋଷଣର ଶିକାର ହୋଇଥାନ୍ତି । କେତେବେଳେ ମରୁଡି ଆଉ ବନ୍ୟା ଭଳି ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହେଉଛନ୍ତି ଆଉ କେତେ ବେଳେ ଅଭାବି ବିକ୍ରିର ଶିକାର ହୋଇଥାନ୍ତି । ହେଲେ ଏବେ ପୁଣି ଲେଡା ପୋକର ଆତଙ୍କ ଚାଷୀଙ୍କୁ ଚିନ୍ତାରେ ପକାଇ ଦେଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଲରେ ଲେଡା ପୋକ ଦେଖାଦେଇଥିବାରୁ ଧାନ ଫସଲ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି ।
ସେପଟେ ଜିଲ୍ଲା କୃଷି ବିଭାଗ ପକ୍ଷରୁ ସତର୍କତା ଅବଲମ୍ବ କରାଯାଇ ପଦକ୍ଷେପ ନେବା ସହିତ ଚାଷୀଙ୍କୁ ସଚେତନତା କରାଯାଉଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଲେଡା ପୋକର ଯୋଗୁଁ ଚାଷୀ କ୍ଷତିର ସମ୍ମୁଖୀନ ହେଲାଣି । ବିଶେଷ କରି ହରଭଙ୍ଗା ବ୍ଲକର ରାମଗଡ, ବିରନରସିଂହପୁର ଆଦି ପଂଚାୟତରେ ଲେଡା ପୋକର ପ୍ରାଦୁର୍ଭାବ ଦେଖାଦେଇଥିବା ଚାଷୀ ଅଭିଯୋଗ କରୁଛନ୍ତି । ଜିଲ୍ଲାରେ ଚଳିତ ବର୍ଷ ବିଳମ୍ବରେ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ପଛେଇ ଥିଲା । ଜୁଲାଇ ପ୍ରଥମ ସପ୍ତାହରେ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବିଲରେ ପାଣି ଜମି ଧାନ ଫସଲ ନଷ୍ଟ ହେବା ସହିତ ମହାନଦୀରେ ବନ୍ୟା ଆସି ଶହ ଶହ ଏକର ଚାଷ ଜମିରେ ବାଲିଚର ହୋଇଯାଇଥିଲା । ଯାହାଫଳରେ ଚାଷୀ ବହୁ କ୍ଷତିର ସମ୍ମୁଖୀନ ହୋଇଛି । ଏବେ ପୁଣି ଲେଡା ପୋକ ଚାଷୀର ଚିନ୍ତା ବଢାଇ ଦେଇଛି । ଧାର କରଜ କରି ଚାଷୀ ଚାଷ କରିଥିବା ବେଳେ ଏବେ ଋଣ କପରି ସୁଝିବ ତାକୁ ନେଇ ଚିନ୍ତାରେ ପଡିଯାଇଛି । ଜିଲ୍ଲାର ଭୈାଗଳିକ ସ୍ଥିତିକୁ ଦେଖିଲେ ଜିଲ୍ଲାରେ ୩ଲକ୍ଷ ୫୮ ହଜାର ହେକ୍ଟର ଜମି ରହିଛି । ଅଧିକାଂଶ ଜମିରେ ପାହଡ ପର୍ବତ ଭରି ରହିଛି । ସେଥିମଧ୍ୟରୁ ୮୫ ହଜାର ୧୮୦ ହେକ୍ଟର ଚାଷ ଜମିରେ ଚାଷ କରାଯାଇଥାଏ ।
ଜିଲ୍ଲାରେ ୫୯ ହଜାର ୪୩୯ ହେକ୍ଟର ଚାଷ ଜମିରେ ଖରିଫ ଧାନ ଚାଷ କରାଯାଇଥାଏ । ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ଚାଷ କାମ ଚାଲୁ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ୧୨୫୦୦ ହେକ୍ଟର ବିଲରେ ଚାଷ କାମ ଶେଷ ହୋଇଥିବା ଜିଲ୍ଲା କୃଷି ବିଭାଗ ପକ୍ଷରୁ କୁହାଯାଇଛି । ଲେଡା ପୋକ ଦଳବଧ ଭାବରେ ଧାନ କ୍ଷେତରେ ପଶି ଧାନ ଉପରେ ଆକ୍ରମଣ କରିଥାଏ । ଧାନ ଗଛର ପତ୍ର ସବୁ ନଷ୍ଟ କରି ଗୋଟିଏ ବିଲରୁ ଅନ୍ୟ ବିଲକୁ ମାଡି ଯାଇଥାନ୍ତି । ଏହି ଲେଡା ପୋକ ଦିନ ଯାକ ବିଲର ହିଡରେ କିମ୍ବା ମାଟି ଫାଟି ଯାଇଥିବା ସ୍ଥାନମାନଙ୍କରେ ଲୁଚି ରହିଥାନ୍ତି ।
ସନ୍ଧ୍ୟା କିମ୍ବା ରାତିରେ ବିଲକୁ ଦଳବଧ ଭାବରେ ପଶି ଧାନ ନଷ୍ଟ କରିଥାନ୍ତି । ଯଦି ଏବେଠୁ ଏହାର ପ୍ରତିକାର କରାନଯାଏ ତାହାହେଲେ ଚାଷୀମାନେ ଆଗକୁ ଏକ ବଡ ସମସ୍ୟାର ସମ୍ମୁଖୀନ ହେବ । ଏନେଇ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସବ୍ୟସଚ୍ଚି ଦାଶଙ୍କୁ ପଚାରିବାରୁ ଲେଡା ପୋକ ଲାଗିଥିବା ସେହି ସବୁ ସ୍ଥାନକୁ ବିଶେଷଜ୍ଞଟିମ ପଠାଯାଇ ତାହାର ସମାଧାନ କରାଯାଉଛି ବୋଲି କହିଥିଲେ ।
ବୌଦ୍ଧଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଇନ ସାକ୍ଷରତା ପର୍ବ ପାଳିତ

ବୌଦ୍ଧ,୫/୯: ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ଓ ଦୌରା ଜଜ ବିକ୍ରମ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏବଂ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସାସ୍ୱତି ମିଶ୍ରଙ୍କ ତତ୍ୱାବଧାନରେ ଏକ ଆଇନ ସାକ୍ଷରତା ପର୍ବ ପାଳିତ ହୋଇଯାଇଅଛି । ଏଥିରେ ଜିଲ୍ଲାର ପ୍ରାୟ ୧୯ ଟି ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗୀତାରେ ଯେମିତି ପ୍ରବନ୍ଧ ଲିଖନ, ବିତର୍କ, ଚିତ୍ରାଙ୍କନ ଏବଂ ନାଟକ ପରିବେଷଣ ରେ ଭାଗନେଇଥିଲେ । ଉକ୍ତ ପ୍ରତିଯୋଗୀତା ଗୁଡିକ ବିଭିନ୍ନ ଆଇନ ସମ୍ବନ୍ଧୀୟ ବିଷୟ ଯେପରିକି ମହିଳା ମାନଙ୍କୁ ଘରୋଇ ହିଂସାରୁ ସୁରକ୍ଷା, ପରିବେଶ ସମସ୍ୟା, ଶିଶୁ ଶ୍ରମିକ, ବରିଷ୍ଠ ନାଗରିକଙ୍କ ଅଧିକାର, ଆପୋଷ ବୁଝାମଣା, ମାନବ ଚାଲାଣ, ବନ୍ଦୀମାନଙ୍କ/କଏଦୀ ମାନଙ୍କ ଆଇନଗତ ଅଧିକାର, ଆଦିବାସୀ ଏବଂ ଭିନ୍ନକ୍ଷମ ମାନଙ୍କ ଅଧିକାର, ମହିଳାଙ୍କ ଉପରେ ଏସିଡ୍ ଆକ୍ରମଣ ଇତ୍ୟାଦି ଉପରେ ହୋଇଥିଲା । ସେମାନଙ୍କର ମୁଲ୍ୟାଙ୍କନ ପାଇଁ ଜିଲ୍ଲାର ବିଭିନ୍ନ ବିଭାଗର ବିଶିଷ୍ଟ ସଦସ୍ୟ ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା ।
ଭାଗ ନେଇଥିବା ଛାତ୍ରଛାତ୍ରୀ ମାନଙ୍କ ଭିତରୁ ପ୍ରତି ପ୍ରତିଯୋଗୀତା ପ୍ରବନ୍ଧ ଲିଖନ, ବିତର୍କ, ଚିତ୍ରାଙ୍କନ ଏବଂ ନାଟକ ପରିବେଷଣରେ ପ୍ରଥମ ସ୍ଥାନ, ଦ୍ୱୀତିୟ ସ୍ଥାନ ଏବଂ ତୃତୀୟ ସ୍ଥାନରେ ଉତିର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲା ଓ ଦୌରା ଜଜ୍ ପ୍ରମାଣପତ୍ର ଏବଂ ଟ୍ରଫି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରେଜିଷ୍ଟ୍ରର, ଦେବାନୀ ଅଦାଲତ ସୁଚିତ୍ରା ପରମଗୁରୁ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ ।
କାର୍ଯ୍ୟକ୍ରମରେ ମୁଲ୍ୟାଙ୍କନ ପାଇଁ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ପ୍ରବିର କୁମାର ଦାସ, ବିଶିଷ୍ଟ ନାଟ୍ୟକାର ଏବଂ ସଙ୍ଗୀତକାର ତୁଷାରକାନ୍ତ ପଟ୍ଟନାୟକ, ଓଡିଶା ଆଦର୍ଶ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଦିଲ୍ଲିପ ନାଗ ଏବଂ ମନୋଜ କୁମାର ପ୍ରଧାନ, କଳାକାର ସୁବାଶ ଚନ୍ଦ୍ର ମହାରଣା ଉପସ୍ଥିତ ଥିଲେ । ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ଏସିଡ ଆକ୍ରମଣ, ଘରୋଇ ହିସାଂ ପରି ବିଭିନ୍ନ ମହିଳା ମାନଙ୍କ ଉପରେ ହେଉଥିବା ହିସାଂ ଉପରେ ଏକ ସୁନ୍ଦର ନାଟକ ପରିବେଷଣ କରି ସମସ୍ତଙ୍କର ମନ୍ତ୍ରମୁଗ୍ଧ କରିଦେଇଥିଲେ ଏବଂ ପ୍ରଥମ ସ୍ଥାନ ଅଧିକାର କରିଥିଲେ ।
ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା ଛାତ୍ରଛାତ୍ରୀମାନଙ୍କ ଯୋଗଦାନକୁ ଉତ୍ସାହିତ କରିବା ଏବଂ ତାଙ୍କର ପ୍ରତିଭା ଏବଂ ସୃଜନଶୀଳତାକୁ ସମ୍ପ୍ରଦାୟ ଶିକ୍ଷା, ଆଇନ ସଚେତନତା ପାଇଁ ଉପକରଣ ଭାବରେ ବ୍ୟବହାର କରିବା ।
ବୌଦ୍ଧରେ କଂଗ୍ରେସର ଜନ ଜାଗରଣ ସମାବେଶ
ବୌଦ୍ଧ,୫/୮: ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ଜନଜାଗରଣ ସମାବେଶ ଅନୁଷ୍ଠିତ ହୋଇଛି । ବୌଦ୍ଧ ସହରର ବୁଟୁପାଲି ସ୍ଥିତ ତୁଳସୀ ମଣ୍ଡପ ଠାରେ ଜିଲ୍ଲା ସଭାପତି ନବ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ଓଡିଶା ପ୍ରଭାରୀ ଡା. ଚେଲ୍ଳା କୁମାର, ଓଡିଶା କଂଗ୍ରେସ ପ୍ରଦେଶ କମିଟିର ସଭାପତି ଶରତ କୁମାର ପଟ୍ଟନାୟକ, କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ଡ, ରାଜନ ଏକ୍କା, ଓଡିଶା ମହିଳା ସଭାନେତ୍ରୀ ବନ୍ଦିତା ପରିଡା, ବୌଦ୍ଧ ସଭାନେତ୍ରୀ କବିତା ମହାକୁଡ, ପୂର୍ବତନ ସାଂସଦ ନକୁଳ ନାୟକ, ବୌଦ୍ଧ ଜିଲ୍ଲା ପର୍ଯ୍ୟବେକ୍ଷକ ଜାନକୀବଲ୍ଳଭ ପଟ୍ଟନାୟକ, କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀଙ୍କ ସମେତ ବହୁ ସଂଖ୍ୟାରେ ଛାମୁଆ ନେତା ଯୋଗ ଦେଇଥିଲେ । ସଭା କାର୍ଯ୍ୟ ପୂର୍ବରୁ ଦଳ ପକ୍ଷରୁ ହରଭଙ୍ଗା ବ୍ଳକର ଚାରିଛକ ବଜାର ଠାରୁ ଏକ ବିରାଟ ମଟର ସାଇକେଲ ଶୋଭାଯାତ୍ରାରେ ଓଡିଶା ପ୍ରଭାରୀ ଚେଲ୍ଳା କୁମାର ଓ ପ୍ରଦେଶ କମିଟି ସଭାପତି ଶରତ ପଟ୍ଟନାୟକଙ୍କୁ ସ୍ୱାଗତ କରାଯାଇ ସଭାସ୍ଥଳକୁ ନିଆଯାଇଥିଲା । ସଭାରେ ପ୍ରଦେଶ କିମିଟି ସଭାପତି ଶ୍ରୀ ପଟ୍ଟନାୟକ ବିଜେଡି ବିଜେପି ଦଳ ବଳରେ ବଳିୟାନ ବୋଲି କହିବା ସହ ଦରଦାମବୃଦ୍ଧି , ମହାମାôାଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅନିୟମିତତା , ଆବାସ ଯୋଜନାରେ ଅନିୟମିତତା ବୋଲି କହିବା ସହ ଆଗାମୀ ୨୦୨୪ ନିର୍ବାଚନ କଂଗ୍ରେସ ଦଳର ମିଶନ ୯ରୁ ୯୦ ବୌଦ୍ଧରୁ ଆରମ୍ଭ ହେବାକୁ ନେଇ ନେତା ଓ କର୍ମୀଙ୍କୁ ଆହ୍ୱାନ କରିଥିଲି । ଓଡିଶା ପ୍ରଭାରୀ ଚେଲ୍ଳା କୁମାର ଗ୍ୟାସ ଦର ବୃଦ୍ଧି, ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ, ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ କଥା ଉଠାଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିବା ସହ ମହିଳା ମାନଙ୍କୁ କିଛି ପ୍ରଶ୍ନ ପଚାରି ପୁରୁସ୍କୃତ କରିଥିଲେ ।
ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ୫ଟି ଏକ ମିଛି ବୋଲି ମତବ୍ୟକ୍ତ କରିବା ସହ କଂଗ୍ରେସ ଦଳକୁ ମଜୁଭୁତ କରିବାକୁ ଆହ୍ୱାନ କରିଥିଲେ । ଓଡିଶା ମହିଳା ସଭାନେତ୍ରୀ ବନ୍ଦିତା ପରିଡା ୨୦୨୪ ନିର୍ବାଚନ ନେଇ ମହିଳା ମାନଙ୍କୁ ଆହ୍ୱାନ କରିବା ସହ ରାଜ୍ୟରେ ମହିଳା ମାନେ ସୁରକ୍ଷିତ ନୁହନ୍ତି ବୋଲି କହିବା ସହ ମିଶନ ଶକ୍ତି ନାରେ ରାଜ୍ୟ ସରକାର ମହିଳାଙ୍କୁ ଭୁଆଁ ବୁଲାଉଥିବା କହିଥିଲେ ।
ସଭାରେ ବିଧାୟକ ସାଲୁଜା ମଣିପୁର ହଂସା, ନାରି ନିର୍ଯ୍ୟାତନା ଓ ୫ଟି ସଚିବ ଗସ୍ତ ଖର୍ଚ୍ଚ ନେଇ ବର୍ଷିଥିଲେ । ସଭାରେ ଛାମୁଆ ନେତା ମାନେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଉପରେ ମଧ୍ୟ ବର୍ଷଥିଲେ । ବୈଠକରେ ବିଧାୟକ ତାର ପ୍ରସାଦ ବାହିନୀଙ୍କ ମୁଖ୍ୟମନ୍ତ୍ରୀ ପ୍ରତି କଟାକ୍ଷ କରିଥିବା ଗୀତ ଲୋକଙ୍କୁ ଆନନ୍ଦର ଖୁରକ ଯୋଗାଇଥିଲା । ଗୀତ ବାଜିବା ପରେ ମହିଳା ମାନେ ସଭା ଷ୍ଟେଜରେ ନାଚ କରିବା ସହ ପୁରୁଷ ମାନେ ତଳେ ନାଚ କରିଥିଲେ । ସଭାରେ ବହୁ ସଂଖ୍ୟାରେ ଅଧିକ ନେତା ଓ କର୍ମୀ ସାମିଲ ଥିଲେ ।
ପୂର୍ବତନ ବିଧାୟିକା ଅଜୟନ୍ତି ପ୍ରଧାନ, ଜିଲ୍ଲା ବରିଷ୍ଠ ନେତା ସୁଧିର କର୍ଣ୍ଣ, ଜିଲ୍ଲା ମୁଖ୍ୟ ପ୍ରବକ୍ତା ସାନ୍ତନୁ ମହାପାତ୍ର, ବରିଷ୍ଠ ନେତା ପ୍ରଶାନ୍ତ ସାହୁ,ଉପସଭାପତି ସମରେଶ ମିଶ୍ର, ଜିଲ୍ଲା ଯୁବ କଂଗ୍ରେସ ସଭାପତି ମହେଶ୍ୱର ପ୍ରଧାନ, ଛାତ୍ର କଂଗ୍ରେସ ସଭାପତି ବିକ୍ରମ ପ୍ରଧାନ,ବୌଦ୍ଧ ନିର୍ବାଚନ ମଣ୍ଡଳି ଯୁବକଂଗ୍ରେସ ସଭାପତି ଅବଦୁଲ କଲିମ ଖାଁ, ବ୍ଲକ ସଭାପତି ପଙ୍କଜ କର୍ଣ୍ଣ ପ୍ରମୁଖ ଉପସ୍ଥିତ ଥିଲେ ।
ବୌଦ୍ଧଜିଲ୍ଲା କର୍ମଜିବୀ ସାମ୍ବାଦିକ ସଂଘର ସ୍ୱନକ୍ଷତ୍ର ଦିବସ ପାଳିତ
ବୌଦ୍ଧ,୫/୯: ବୌଦ୍ଧଜିଲ୍ଲା କର୍ମଜିବୀ ସାମ୍ବାଦିକ ସଂଘର ସ୍ୱନକ୍ଷତ୍ର ଦିବସ ସ୍ଥାନିୟ ଟାଉନ ହଲ ଠାରେ ସଂଘର ସଭାପତି ମନୋରଂଜନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧଗଡ ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ର ଯୋଗଦେଇ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ବୌଦ୍ଧ ପଂଚାୟତ ସମିତର ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ , ରାଜ୍ୟ କର୍ମଜିବୀ ସଂଘର ଉପସଭାପତି ଆଶୁତୋଷ ରଥ, ଡା. ରାକେଶ ତ୍ରିପାଠୀ, କର୍ଣ୍ଣେଲ ଶିଶିର ବୋଷ, ମୁଖ୍ୟବକ୍ତା ଭାବରେ ଇଂ. ସଂଜୟ ପଣ୍ଡା,ବରିଷ୍ଠ ଆଇନଜିବୀ ଚନ୍ଦ୍ରଶେଖର ପାଢୀ, କବି ଓ ଲେଖକ ଦେବରାଜ ନାୟକ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ଆଚାର୍ଯ୍ୟ , ରବି ନାରାୟଣ ପଣ୍ଡା ଯୋଗଦେଇଥିଲେ ।
ଏହି ଅବସରରେ ଜିଲ୍ଲା ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଦେଖାଇଥିବା ବ୍ୟକ୍ତି ବିଶେଷଙ୍କୁ ମାନପତ୍ର ଓ ଉପଢୈାକନ ଦେଇ ସମ୍ମାନିତ କରାଯାଇଥିଲା । ନୀଳଚକ୍ର ସାହିତ୍ୟ ସଂସଦ ପକ୍ଷରୁ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଶେଷରେ ଜିଲ୍ଲା ସଂପାଦକ ସିଦ୍ଧେଶ୍ୱର ଗିରି ଧନ୍ୟବାଦ ଅର୍ପଣ କରିଥିଲେ । ଓୟୁଡବ୍ଲ୍ୟୁଜେ ର ଉପଦେଷ୍ଠା ପ୍ରେମାନନ୍ଦ ମହାପାତ୍ର,ସୁଶିଲ ମିଶ୍ର,ଜଗାନନ୍ଦ ମହାପାତ୍ର ପ୍ରମୁଖ ଯୋଗଦେଇ ଥିଲେ । ବରିଷ୍ଠ ସାମ୍ବାଦିକ ସତ୍ୟଜିତ ପଣ୍ଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।
ସ୍ୱର୍ଣ୍ଣ, ରୌପ୍ୟ ଶିଳ୍ପୀ ସଂଘର ବୈଠକ
ବୌଦ୍ଧ,୫ /୯: ବୌଦ୍ଧ ସହର ସ୍ଥିତ ଦିବ୍ୟ ଜୀବନ ସଂଘ ପରିସରରେ ଜିଲ୍ଲା ସ୍ୱର୍ଣ୍ଣ, ରୌପ୍ୟ ଶିଳ୍ପୀ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଓଡିଶା ସଂଘର ସଭାପତି ରମେଶ ଚନ୍ଦ୍ର ସାଥୁଆ, ଯୁଗ୍ମ ସଂପାଦକ ଅକ୍ଷୟ କୁମାର ସାଥୁଆ ଯୋଗଦେଇଥିଲେ । ଜିଲ୍ଲା ସଭାପତି ପବିତ୍ର ଚିନ୍ଦ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କେନ୍ଦ୍ର ସରକାରଙ୍କ ବିଶ୍ୱକର୍ମା ଯୋଜନା ଉପରେ ଆଲୋଚନା ହୋଇଥିଲା ।
ଏହି ଯୋଜନା ଯେପରି କାରିଗର ତଥା ଶିଳ୍ପୀ ମାନଙ୍କର ଉପକାର ହୋଇପାରିବ ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା । ସଂଘର ସଂପାଦକ ଆନନ୍ଦ ମହାପାତ୍ର ବୈଠକର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଉପଦେଷ୍ଠା ସାଗର କୁମାର ସରାଫ ଧନ୍ୟବାଦ ପ୍ରଦାନ କରିଥିଲେ । ବୈଠକରେ ରାଜ୍ୟର ବିଭିନ୍ନ ଜିଲ୍ଲାର ସ୍ୱର୍ଣ୍ଣ,ରୌପ୍ୟ ଶିଳ୍ପୀମାନେ ଯୋଗଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031