Indus Valley Times

ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଘରେ ଘରେ କଂଗ୍ରେସ ଘରେ ଘରେ ହାତ

 Breaking News

ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଘରେ ଘରେ କଂଗ୍ରେସ ଘରେ ଘରେ ହାତ

ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଘରେ ଘରେ କଂଗ୍ରେସ ଘରେ ଘରେ ହାତ
September 27
11:00 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୭/୯: ବୌଦ୍ଧଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ହରଭଙ୍ଗା ବ୍ଲକର ରାଧାନଗର ଗ୍ରାମର ମଙ୍ଗଳା ମନ୍ଦିର ଠାରୁ କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା । ଜିଲ୍ଲା କଂଗ୍ରେସ କମିଟିର ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ଦଳର ନେତା ଓ କର୍ମୀମାନେ ଏକ ପଦଯାତ୍ରାରେ ବାହାରି ଘରକୁ ଘର ଯାଇ ବର୍ତ୍ତମାନ ପରିସ୍ଥିତିରେ କଂଗ୍ରେସ ହିଁ ବିକଳ୍ପ ବୋଲି ଜନସାଧାରଣଙ୍କୁ ବୁଝାଇଥିଲେ ।
ଏହି ପଦଯାତ୍ରା ରାଧାନଗର ଗ୍ରାମର ରାମଚଣ୍ଡି ମନ୍ଦିର ଠାରେ ଶେଷ ହୋଇଥିଲା । କାର୍ଯ୍ୟକ୍ରମରେ ଏଆଇସିସି ସଦସ୍ୟ ବିସ୍ମୟ ମହାପାତ୍ର, ପର୍ଯ୍ୟବେକ୍ଷକ ବିଳାସିନୀ ନାୟକ,ପିସିସି ସଭ୍ୟ ପ୍ରଶାନ୍ତ ସାହୁ,ମୁଖ୍ୟ ପ୍ରବକ୍ତା ଶାନ୍ତନୁ ମହାପାତ୍ର,ଛାତ୍ର କଂଗ୍ରେସ ସଭାପତି ବିକ୍ରମ ପ୍ରଧାନ ପ୍ରମୁଖ ବହୁ କଂଗ୍ରେସ କର୍ମୀ ଓ ନେତା ଯୋଗଦେଇଥିଲେ । ଆସନ୍ତା ୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ପ୍ରତ୍ୟକ ପଂଚାୟତରେ ଏହି କାର୍ଯ୍ୟକ୍ରମ ଚାଲୁରହିବ ବୋଲି ଦଳ ପକ୍ଷରୁ ପ୍ରକାଶ ।
ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ଅନୁଷ୍ଠିତ
ବୌଦ୍ଧ,୨୭/୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ଓ ବରିଷ୍ଠ ବିଜେପି ନେତା ପୂର୍ବତନ ବିଧାୟକ ପ୍ରାର୍ଥୀ ସୁଶାନ୍ତ ପ୍ରଧାନଙ୍କ ନେତୃତ୍ୱରେ ଆଜି ଅନ୍ତିମ ଦିନରେ ବୌଦ୍ଧ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୌଦ୍ଧ ଗ୍ରାମୀଣ ୬ ନମ୍ବର ମଣ୍ଡଳ ଏବଂ ବୌଦ୍ଧ ନଗର ୧୦ ନମ୍ବର ମଣ୍ଡଳର ବିଭିନ୍ନ ଗ୍ରାମ ବୁଲି କେନ୍ଦ୍ର ସରକାରଙ୍କ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
କାର୍ଯ୍ୟକ୍ରମ ପରିଶେଷରେ ହଜାର ହଜାର ଶ୍ରଦ୍ଧାଳୁ ଓ ଦେଶପ୍ରେମୀ ସ୍ୱତଃପ୍ରବୃତ୍ତ ଭାବେ ବୁଟୁପାଲି ଛକରୁ ବୌଦ୍ଧ ସହରରେ ଥିବା ଚନ୍ଦ୍ରଚୂଡ଼ ମନ୍ଦିର ଯାଏଁ ପଦଯାତ୍ରାରେ ଆସିଥିଲେ । ମନ୍ଦିର ପାର୍ଶ୍ୱରେ ଥିବା ମହାନଦୀ ଘାଟରେ ସାମୁହିକ ଶହେଏକ ଆଳତୀ ଓ ସନ୍ଧ୍ୟା ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମ ପରିଶେଷରେ ସମସ୍ତେ ପ୍ରସାଦ ସେବନ କରିଥିଲେ ଏବଂ ଦିନ ତମାମ କଳସ ଶୋଭାଯାତ୍ରା ବିଭିନ୍ନ ଗ୍ରାମ ବୁଲିଥିବା ନଜରକୁ ଆସିଥିଲା । ସର୍ବପ୍ରଥମେ ଶୋଭାଯାତ୍ରାଟି ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ନାରାୟଣନଗର ଗ୍ରାମରୁ ଭବ୍ୟ ସ୍ୱାଗତ ସହ ଅଞ୍ଚଳର ଜହ୍ନାପଙ୍କ, ବଲାସିଙ୍ଗା, ଗମ୍ଭାରୀପଦର, ମୁର୍ଷୁଣ୍ଢି, ଟୁଟୁସିଙ୍ଗା, ବୌଦ୍ଧ ସହର ପରିକ୍ରମା କରି ସମସ୍ତ ଦେବାଳୟ ଓ ଘରକୁ ଘର ବୁଲି ବୀରମାନଙ୍କ ଉଦ୍ଦେଶ୍ୟରେ ମୃତ୍ତିିକା ସଂଗ୍ରହ କରାଯାଇଥିଲା । ଗ୍ରାମରେ ଏହି କାର୍ଯ୍ୟକ୍ରମଟି ସୁଶାନ୍ତ ପ୍ରଧାନଙ୍କ ନେତୃତ୍ୱରେ ହେବା ସହ କାର୍ଯ୍ୟକ୍ରମରେ ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନ, ବୌଦ୍ଧ ବିଧାନସଭା ସଂଯୋଜକ ଯୁଗଳ କିଶୋର ସାମଲ, ବରିଷ୍ଠ ନେତା ତଥା ବୌଦ୍ଧ ବିଧାନସଭା ପ୍ରଭାରୀ ଇଂ ରାକେଶ ତ୍ରିପାଠୀ, ୭ ନମ୍ବର ମଣ୍ଡଳ ସଭାପତି ଶମ୍ଭୁ ପ୍ରସାଦ ପ୍ରଧାନ, ୬ ନମ୍ବର ମଣ୍ଡଳ ସଭାପତି ନବୀନ ହୋତା, ଜିଲ୍ଲା ଉପସଭାପତି ତ୍ରିପୁରାରି ବେହେରା, ପ୍ରଦୋଷ ମିଶ୍ର, ବିଜେପି ଅନୁସୂଚୀତ ଜାତି ମୋର୍ଚ୍ଚା ସଭାପତି ରାଜୀବ ଦେହୁରୀ, ବରିଷ୍ଠ ବିଜେପି ନେତା ତଥା ଲିଗାଲ ସଭାପତି ଚିତ୍ତରଞ୍ଜନ ପାଣିଗ୍ରାହୀ, ପୂର୍ବତନ ସଭାପତି ସୌମିତ୍ରୀ ନାୟକ, ବିଜେପି ଜିଲ୍ଲା ସମବାୟ ଅଧକ୍ଷ ସୁବାସ ପ୍ରଧାନ, ଅଜିତ ବାଘ, ପୂର୍ବତନ ସମିତି ମେମ୍ବର ତରଣୀ ବାରିକ, ରଞ୍ଜନ ପ୍ରଧାନଙ୍କ ସହ ଅଞ୍ଚଳର ଅନେକ ସରପଞ୍ଚ, ସମିତି ସଭ୍ୟ, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ଯୁବକ,ଛାତ୍ର ଏବଂ ସ୍ୱେଚ୍ଛାସେବୀ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।
ଚୋରା ଗଂଜେଇ ମାମଲା, ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ
ବୌଦ୍ଧ,୨୭/୯: ବୌଦ୍ଧଜିଲ୍ଲା ଦୌରାଜଜ ତଥା ସ୍ପେଶାଲ ଜଜ ସୋମବାର ଦିନ ଏକ ଗଂଜେଇ ମାମଲାର ବିଚାର କରି ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ମାମଲାରୁ ପ୍ରକାଶ ଯେ ଗତ ୬.୩.୨୧ ରିଖରେ ତତ୍କାଳିନ ବୌଦ୍ଧ ଥାନା ଏସଆଇ ପୁରୁଷୋତ୍ତମ ସ୍ୱାଇଁ ବିଶେଷ ସୁତ୍ରରୁ ଖବର ପାଇଥିଲେ ଯେ ବୌଦ୍ଧ ଥାନା ଅର୍ନ୍ତଗତ ପାଟିଲପଡା ଗ୍ରାମର ପଙ୍କଜ ବାରିକ ( ୩୭) ନିଜ ଘରେ ବିପୁଳ ପରିମାଣର ଗଂଜେଇ ରଖିଅଛି । ଉକ୍ତ ଦିନ ଅପରାହ୍ନ ୨ଟା ସମୟରେ ଏସଆଇ ଶ୍ରୀ ସ୍ୱାଇଁ ଓ ଅନ୍ୟ ପୁଲିସ କର୍ମଚାରୀମାନେ ଅଭିଯୁକ୍ତ ପଙ୍କଜଙ୍କ ଘରେ ପହ’ôଥିଲେ । ଘରେ ୨ଗୋଟି ଜରି ବସ୍ତାରେ ଗଂଜେଇ ଥିବା ଦେଖିବାକୁ ପାଇଥିଲେ ।
ପୁଲିସ ୨ଟି ବସ୍ତାରୁ ୪୦କେଜି ଗଂଜେଇ ଜବତ କରିଥିଲା । ।ଏନେଇ ବୌଦ୍ଧ ଥାନାରେ ଥାନା କେସନଂ ୬୫/୨୧ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିବା ସହ ମାମଲାକୁ ବିଚାର ପାଇ କୋର୍ଟକୁ ପଠାଇଥିଲା । ପରିବର୍ତି ସମୟରେ ମାମଲାଟି ବୌଦ୍ଧଜିଲ୍ଲା ଦୌରାଜଜଙ୍କ ଅଦାଲତରେ ସ୍ପେଶାଲ କେସ ନଂ ୧୦ /୨୧ହୋଇ ବିଚାର ହୋଇଥିଲା ।
ମାମଲାରେ ସରକାରଙ୍କ ପକ୍ଷରୁ ୧୩ ଜଣ ସାକ୍ଷୀଙ୍କ ବୟାନକୁ ଭିତି କରି ପ୍ରମାଣ ଅଭାବରୁ ଅଦାଲତ ପଙ୍କଜ ବାରିକଙ୍କୁ ନିଦ୍ଦୋର୍ଷରେ ଖଲାସ କରିଛନ୍ତି । ଅଭିଯୁକ୍ତ ପକ୍ଷରୁ ଆଇନଜୀବୀ ରାଜିବ କୁମାର ଦଲାଲ ଏହି ମାମଲା ପରିଚାଳନା କରିଥିଲେ ।
ଯୁବକଙ୍କ ମୃତ୍ୟୁପରେ ଶବ ବ୍ୟବଛେଦ ପାଇଁ ପରିବାର ନାରାଜ, ପୁଲିସ ହେପାଜତରେ ହେଲା ବ୍ୟବଛେଦ
ବୌଦ୍ଧ,୨୭/୯: ବୌଦ୍ଧଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଅଭାବନୀୟ ଦୃଶ୍ୟ ସୋମବାର ଦିନ ଦେଖିବାକୁ ମିଳିଛି । ଜଣେ ଯୁବକଙ୍କ ମୃତ୍ୟୁ ପରେ ଶବ ବ୍ୟବଛେଦ ପାଇଁ ପରିବାରଲୋକ ରାଜି ନହେବାରୁ ଚିକିତ୍ସାଳୟ ପକ୍ଷରୁ ଶବକୁ ପରିବାରକୁ ହସ୍ତାନ୍ତର କରାନଯିବା ଫଳରେ ଦୀର୍ଘ ସମୟ ଧରି ଚିକିତ୍ସାଳୟ ସମ୍ମୁୁଖରେ ଶବ ପଡିରହିଥିବା ଦେଖାଯାଇଥିଲା ।
ସୂଚନା ମୁତାବକ ବୌଦ୍ଧଥାନା ତେତେଲେଙ୍ଗା ଗ୍ରାମର ପୋଲସ୍ତି ବାଘଙ୍କ ଛାତିରେ ଯନ୍ତ୍ରଣା ହେବାପରେ ପରିବାରଲୋକ ସୋମବାର ପ୍ରତ୍ୟୁଷରୁ ବୌଦ୍ଧ ଚିକିତ୍ସାଳୟକୁ ଆଣିଥିଲେ । କିନ୍ତୁ ଡାକ୍ତର ଦେଖିବା ପରେ ପୋଲସ୍ତିଙ୍କୁ ମୃତ ଘୋଷଣା କରିଥିଲେ । ପରିବାରଲୋକ ପୋଲସ୍ତିଙ୍କ ଶବକୁ ସତ୍କାର ପାଇଁ ନେବାକୁ ଚାହୁଁଥିବାବେଳେ ଚିକିତ୍ସାଳୟ କର୍ତ୍ତୃପକ୍ଷ ଶବ ବ୍ୟବଛେଦ ହେଲା ପରେ ଶବ ଦିଆଯିବ ବୋଲି କହିଥିଲେ । ଏନେଇ ମୃତକ ପରିବାର ଓ ମେଡିକାଲ କତ୍ତୃପକ୍ଷଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ମେଡିକାଲ କତ୍ତୃପକ୍ଷ ବୌଦ୍ଧ ଥାନାକୁ ଖବର ଦେଇଥିଲେ । ପୁଲିସ ଆସିବା ପରେ ପୁଲିସ ହେପାଜତରେ ଶବ ବ୍ୟବଛେଦ ହୋଇଥିଲା ।
ଏହା ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ପରିବାର ଲୋକଙ୍କ ମତାମତ ମିଳିନଥିବା ବେଳେ ଏଡିଏମଓ ସଂଘମିତ୍ରା ପଣ୍ଡାଙ୍କୁ ପଚାରିବାରୁ ମୁଁ ବାହାରେ ଅଛି , ଯାହା ଶୁଣିଛି ଯୁବକର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି, କିନ୍ତୁ ନିୟମ ଅନୁଯାୟୀ ଶବ ବ୍ୟବଛେଦ କରାଯିବାକୁ କୁହାଯିବାରୁ ପରିବାର ଲୋକ ରାଜି ହୋଇନଥିଲେ , ଏହାକୁ ନେଇ ପାଟିତୁଣ୍ଡ କରିଥିଲେ , ଏନେଇ ଥାନା ଅଧିକାରୀଙ୍କୁ ଜଣାଇବା ପରେ ପୁଲିସ ହେପାଜତରେ ଶବ ବ୍ୟବଛେଦ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ପ୍ରକାଶ କରିଛନ୍ତି ।
ବୌଦ୍ଧଜିଲ୍ଲା ବିଜେପି ପକ୍ଷରୁ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜୟନ୍ତି ପାଳିତ
ବୌଦ୍ଧ,୨୭/୯: ବୌଦ୍ଧଜିଲ୍ଲା ଭାରତୀୟ ଜନତା ପାର୍ଟିି ପକ୍ଷରୁ ଜିଲ୍ଲାସ୍ତରରେ,ମଣ୍ଡଳ,ପଂଚାୟତ ଓ ବୁଥସ୍ତରରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜୟନ୍ତି ପାଳିତ ହୋଇଯାଇଛି ।
ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ସଭାପତିତ୍ୱରେ ଜିଲ୍ଲା କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି । ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟଙ୍କ ଜୀବନି ଉପରେ ଆଲୋକପାତ କରି ଦେଶରେ ସେ ଜଣେ ବିଶିଷ୍ଠ ଦାର୍ଶନିକ ଭାବରେ ପରିଚିତ ଥିଲେ । ବିଜେପି ତାଙ୍କ ଆଦର୍ଶକୁ ନେଇ ଆଗେଇ ଚାଲିଛି ।
ତାଙ୍କ ନାମରେ କେନ୍ଦ୍ର ସରକାର ବହୁ ନୂତନ ଯୋଜନା ଲାଗୁ କରିଛନ୍ତି । ତାଙ୍କରି ଯୋଗୁଁ ପ୍ରଥମେ ତିନି ଜଣ ଏମପି ଏବେ ୩୦୩ ଜଣ ଏମପି ଲୋକସଭା ଆସନ ଅଳଙ୍କୃତ କରୁଛନ୍ତି ବୋଲି ଅତିଥିମାନେ ପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମରେ କହ୍ନେଁଇ ଚରଣ ଡାଙ୍ଗ,ସୁଶାନ୍ତ ବାଘ, ପ୍ରେମାନନ୍ଦ ମିଶ୍ର, ମନରଂଜନ ଦାଶ ପ୍ରମୁଖ ସାମିଲଥିଲେ ।
୫ଦଫା ଦାବି ନେଇ ଜେଲ କର୍ମଚାରୀଙ୍କ ଆମରଣ ଅନଶନ
ବୌଦ୍ଧ,୨୭/୯: ଜେଲ କର୍ମଚାରୀଙ୍କ ପାଂଚ ଦଫା ଦାବି ପୂରଣ ନେଇ ଆଜି ଜେଲ କର୍ମଚାରୀ ଆମରଣ ଅନଶନରେ ବସିଛନ୍ତି । ଅଲ ଓଡିଶା ଜେଲ କର୍ମଚାରୀ ସଂଘ ପକ୍ଷରୁ ଦିଆଯାଇ ଥିବା ଏହି ଆନ୍ଦୋଳନ ଡାକରେ ବୌଦ୍ଧଜିଲ୍ଲା ଜଲେ କର୍ମଚାରୀ ସଂଘ ସମର୍ଥନ ଜଣାଇ ଆନ୍ଦୋଳନରେ ସାମିଲ ହୋଇଛି । କାରାରକ୍ଷୀ ମାନଙ୍କ ଗ୍ରେଡପେ ୧୯ ଶହରୁ ୨୦ ହଜାର ଓ ମୁଖ୍ୟ କାରାରକ୍ଷୀଙ୍କ ଗ୍ରେଡପେ ୨ ହଜାରରୁ ୨୪ ଶହକୁ ବୃଦ୍ଧି, କାରାରକ୍ଷୀରୁ ମୁଖ୍ୟକାରାରକ୍ଷୀ ପଦବି ପାଇଁ ବରିଷ୍ଠତା ଭିତିକି ପଦୋନ୍ନତି ନିୟମ ୨୦୧୨କୁ ଲାଗୁ କରିବା, ଉପଖଣ୍ଡସ୍ତରକୁ ବଦଳି ନିୟମ କୋହଳ କରିବା, ଖାଦ୍ୟ ଭତ୍ତା ଚାରିଶହରୁ ୧୪ ଶହ ବୃଦ୍ଧି, ତେର ମାସିଆ ଦରମା ବୃଦ୍ଧି ଦାବିରେ ଆମରଣ ଅନଶନରେ ବସିଛନ୍ତି ।
ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି ସୂଚନା ଦିଆଯାଇଥିବା ବେଳେ ଅନଶନ ସମୟରେ ଯଦି କାହାର ଅସୁସ୍ଥ ଓ ମୃତ୍ୟୁ ହେଲେ ସରକାର ଓ ଜେଲ ପ୍ରଶାସନ ଦାୟୀ ରହିବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।
ଏହି ଅନଶନରେ କିଶୋର ଚନ୍ଦ୍ର ପାତ୍ର, ପବିତ୍ର ମଲ୍ଲିକ, ଗୋଲକ ବିହାରୀ ସାହୁ, ସମରେନ୍ଦ୍ର ରାଉତ, ଘନଶ୍ୟାମ ପଣ୍ଡା, ନରେନ୍ଦ୍ର ବେହେରା, ରାମାୟଣ ପ୍ରସାଦ କହଁର, ସିମାଂଚଳ କହଁର, ଆଶାଲତା ପ୍ରଧାନ, ଦୁଲେଶ୍ୱରୀ ନାୟକ, କିଶୋର ଚନ୍ଦ୍ର କହଁର, ମନୋଜ କିଙ୍ଗାଲ,ଶିସୁପି ପ୍ରଧାନ, ଶ୍ରୀଧର ରାଉତ ପ୍ରମୁଖ ସାମିଲଥିଲେ ।
ବୌଦ୍ଧଜିଲ୍ଲାରେ କ୍ୱାକ ସାଜିଛନ୍ତି ଡାକ୍ତର
ବୌଦ୍ଧ,୨୭/୯: ବୌଦ୍ଧଜିଲ୍ଲାରେ ସ୍ୱାସ୍ଥ୍ୟସେବ ବିପର୍ଯ୍ୟସ୍ତ ହୋଇପଡିଛି । ଜିଲ୍ଲାର ସଦର ମହକୁମାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ୫ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ୯ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ୬୭ଟି ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ପଦବି ଖାଲି ପଡିଛି । ଯାହାଫଳରେ ଜିଲ୍ଲାରେ ଜନସାଧାରଣ ଉତ୍ତମ ସ୍ୱାସ୍ଥ୍ୟସେବା ପାଇବାରୁ ବଂଚିତ ହେଉଥିବା ଅଭିଯୋଗ ହେଉଛି ।
ସମସ୍ତଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ସରକାର ମୌଳିକ କର୍ତ୍ତବ୍ୟ ହୋଇଥିବା ବେଳେ ବୌଦ୍ଧଜିଲ୍ଲାରେ ତାହା ବିଫଳ ହୋଇଛନ୍ତି । ଜିଲ୍ଲାରେ ବିପର୍ଯ୍ୟୟ ସ୍ୱାସ୍ଥ୍ୟ ଫାଇଦା ଉଠାଉଛନ୍ତି କ୍ୱାକ । କ୍ୱାକମାନେ ରୋଗୀଙ୍କୁ ଭଲ କରିଦେବାର ପ୍ରତିଶୃତି ଦେଇ ଚିକିତ୍ସା କରୁଛନ୍ତି । ଯଦି ଗୁରୁତର ହେଲେ ବିଭିନ୍ନ ଆଳ ଦେଖାଇ ରୋଗୀକୁ ବାହାରକୁ ଯାଇ ଚିକିତ୍ସା କରାଇବାକୁ ପରାମର୍ଶ ଦେଉଛନ୍ତି । ଗ୍ରାମାଂଚଳରେ ବସବାସ କରୁଥିବା ସରଳ ଗ୍ରାମବାସୀ ସେମାନଙ୍କ କଥାରେ ବିଶ୍ୱାସ କରି ଯେକୌଣସି ରୋଗ ହେଲେ ପ୍ରଥମେ ତାଙ୍କ ପାଖକୁ ଧାଇଁ ଆସୁଛନ୍ତି ।
ଏପରିକି ସୁବିଧା ଅସୁବିଧାରେ ରାତି ଅଧରେ କ୍ୱାକମାନେ ରୋଗୀଙ୍କ ଘରେ ପହଂଚି ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଥିବା ଯୋଗୁଁ ରୋଗୀମାନେ ଡାକ୍ତର ଅପେକ୍ଷା କ୍ୱାକ ଉପରେ ଅଧିକ ଭରସା ରହୁଛି । ବର୍ତ୍ତମାନ ପରିସ୍ଥିତିରେ ଜିଲ୍ଲାର ଗାଁମାନଙ୍କରେ ଥଣ୍ଡା, କାଶ, ସର୍ଦ୍ଦି, ଜ୍ୱର ଆଦି ବିଭିନ୍ନ ରୋଗୀଙ୍କ ସଂଖ୍ୟା ଅଧିକ ରହିଥିବା ବେଳେ ସେଥିମଧ୍ୟରୁ ଅଧିକାଂଶ ରୋଗୀ ଡାକ୍ତରଖାନା ନ ଯାଇ କ୍ୱାକମାନଙ୍କ ଠାରେ ଚିକିତ୍ସା କରାଉଥିବା ଜଣାପଡିଛି । ଡାକ୍ତରଖାନା ଅପେକ୍ଷା କ୍ୱାକମାନଙ୍କ ଠାରେ ରୋଗୀଙ୍କ ଭିଡ ଜମୁଥିବା ଦେଖିବାକୁ ମିଳୁଛି । ଏପରିକି ବିଭିନ୍ନ ସମୟରେ କ୍ୱାକମାନଙ୍କ ଠାରେ ଚିକିତ୍ସିତ ହେଉଥିବା ରୋଗୀ ଭୂଲ ଚିକିତ୍ସା ଯୋଗୁଁ ମୃତ୍ୟୁ ହେଉଛି । ଗାଁ ଗାଁରେ ଏବେ କ୍ୱାକଙ୍କ ସଂଖ୍ୟା ଦିନକୁ ଦିନନ ବଢିବାରେ ଲାଗିଛି । ଗ।।ଁ ଗାଁରେ କ୍ଲିନିକ ଖୋଲି ଖୁଲମ ଖୁଲା ଚିକିତ୍ସା କରୁଛନ୍ତି ।
ସରକାର ରୋଗୀଙ୍କୁ ମାଗଣାରେ ଚିକିତ୍ସା ଓ ଔଷଧ ଦେଉଥିଲେ ମଧ୍ୟ ରୋଗୀ ଡାକ୍ତରଖାନା ଅପେକ୍ଷା କ୍ୱାକ ପାଖକୁ ଯାଉଛନ୍ତି ଓ ଖର୍ଚ୍ଚାନ୍ତ ମଧ୍ୟ ହେଉଛନ୍ତି । ଡାକ୍ତରଖାନାରେ ଚିକିତ୍ସା କରାଇଲେ ସେମାନଙ୍କ ଜୀବନ ସୁରକ୍ଷିତ ଏନେଇ ସଚେତନତାର ଅଭାବ ରହିଛି । ଏବଂ ଗ୍ରାମ ମାନଙ୍କରେ ଡାକ୍ତର ସାଜିଥିବା କ୍ୱାକମାନଙ୍କ ଉପରେ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ଯାହାଫଳରେ କ୍ୱାକମାନେ ନିର୍ଭୟରେ ରୋଗୀସେବା ନାମରେ ସେମାନଙ୍କ ଜୀବନ ସହିତ ଖେଳଖେଳୁଛନ୍ତି ।
ବୌଦ୍ଧଜିଲ୍ଲାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ୫ଟି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ୨୩୭ ଡାକ୍ତର ପଦବି ରହିଥିବା ବେଳେ ସେଥିମଧ୍ୟରୁ ୮୬ ଜଣ ଡାକ୍ତର ଅଛନ୍ତି ଓ ୧୫୨ଟି ଡାକ୍ତର ପଦବି ଖାଲି ପଡିଛି । ସେଥିମଧ୍ୟରୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ୧୧୩ ଡାକ୍ତର ବଦଳରେ ୩୪ ଜଣ ଡାକ୍ତର ଅଛନ୍ତି ଓ ୭୯ଟି ଡାକ୍ତର ପଦବି ଖାଲି ପଡିଛି । ସେହିପରି କଣ୍ଟାମାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୨୫ ଜଣ ଡାକ୍ତର ବଦଳରେ ମାତ୍ର ୧୦ ଜଣ ଡାକ୍ତର ଅଛନ୍ତି ଓ ୧୫ଟି ଡାକ୍ତର ପଦବି ଖାଲି ପଡିଛି ।
ସେହିଭଳି ମନମୁଣ୍ଡା ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୨୫ ବଦଳରେ ଅଛନ୍ତି ୮ ଖାଲିପଡିଛି ୧୮ ଡାକ୍ତର ପଦବି । ବାଉଁଶୁଣୀ ଗୋଷ୍ଠୀ ସ୍ୱାସ୍ତ୍ୟକେନ୍ଦ୍ରରେ ୨୭ ଜଣ ଡାକ୍ତର ବଦଳରେ ଅଛନ୍ତି ୧୫ର ଡାକ୍ତର ଖାଲି ପଡିଛି ୧୨ ଡାକ୍ତର ପଦବି । ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୧ ବଦଳରେ ଅଛଚନ୍ତି ୯ ଓ ଖାଲି ପଡିଛି ୧୨ ଡାକ୍ତର ପଦବି ।
ଆଡଣୀଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୨୬ ଡାକ୍ତର ସ୍ଥାନରେ ଅଛନ୍ତି ୧୦ ଓ ଖାଲି ପଡିଛି ୧୬ ଡାକ୍ତର ପଦବି । ଜିଲ୍ଲାରେ ଡାକ୍ତର ପଦବି ଖାଲି ପଡିଥିବା ଓ ବିଭିନ୍ନ ସମୟରେ ଡାକ୍ତରମାନେ ଡାକ୍ତରଖାନାରେ ଅନୁପସ୍ଥିତ ରହୁଥିବାରୁ ରୋଗୀ ଡାକ୍ତରଖାନା ଯାଇ ଫେରିଆସୁଥିବାର ଅଭିଯୋଗ ହେଉଛି । ଏପରି ସ୍ଥଳେ ପ୍ରଶାସନ କ୍ୱାକ କେନ୍ଦ୍ର ଉପରେ ପ୍ରଶାସନ ପକ୍ଷରୁ ଚଢାଉ କରି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହେଉଛି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031