Indus Valley Times

ବୌଦ୍ଧ ପଂଚାତୟ ମହାବିଦ୍ୟାଳୟରେ ସ୍ୱାଗତ ସମାରୋହ

 Breaking News

ବୌଦ୍ଧ ପଂଚାତୟ ମହାବିଦ୍ୟାଳୟରେ ସ୍ୱାଗତ ସମାରୋହ

ବୌଦ୍ଧ ପଂଚାତୟ ମହାବିଦ୍ୟାଳୟରେ ସ୍ୱାଗତ ସମାରୋହ
March 02
08:17 2021

Welcome ceremony held at Boudh Panchayat Mahavidyalaya

By Kambhudhar Kheti

ବୌଦ୍ଧ,୧/୩-ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଉଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କ ପାଇଁ ମହାବିଦ୍ୟାଳୟ ପରିସରରେ ଏକ ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ବିଭାଗର ମୁଖ୍ୟ ଅଧ୍ୟାପକ ପ୍ରବିର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶଚନ୍ଦ୍ର ବେହେରା ଯୋଗଦେଇ ବୃକ୍ଷ ସଂରକ୍ଷଣ କରିବାକୁ ଆହ୍ୱାନ ଦେଇଥିଲେ ।

ସମ୍ମାନିତ ଅତିଥି ଭାବରେ ରାସାୟନିକ ବିଜ୍ଞାନ ବିଭାଗର ଅଧ୍ୟାପିକ କରିଶ୍ମା ସେଠୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ ହେବାକୁ ଆହ୍ୱାନ ଦେଇଥିଲେ । ଅଧ୍ୟାପିକ ଅମ୍ରିତା ମହାପାତ୍ର ବୃକ୍ଷମାନେ କିପରି ନିଜ ଭିତରେ ଭାବ ଆଦାନ ପ୍ରଦାନ ଏବଂ ପରସ୍ପରକୁ ସହ ଯୋଗକରିନ୍ତି ସେ ବିଷୟରେ ବତାଇଥିଲେ ।

ଅଧ୍ୟାପକ ରୋଶନ ତ୍ରିପାଠୀ ନିଜର ବକ୍ତବ୍ୟ ରଖିଥିଲେ । ଛାତ୍ରଛାତ୍ରୀମାନଙ୍କର ସାଧାରଣ ଜ୍ଞାନ ଓ ବ୍ୟବହାରିକ ଜ୍ଞାନ ଏବଂ ନିଜର ଲୁକାୟିତ ପ୍ରତିଭା ପ୍ରଦର୍ଶନ ସହ ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ପ୍ରତ୍ୟୁଷ ପଟ୍ଟନାୟକ ଓ ପ୍ରିତିଆଂଚଳ ଭୋଇଙ୍କୁ ପୁରସ୍କୃତ କରାଯାଇଥିଲା । ଦ୍ୱିତୀୟ ବର୍ଷ ଛାତ୍ର ରଜତ ପାଲ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମକୁ ଶୁଭଶ୍ରୀ ପଟ୍ଟନାୟକ, କାଜଲ ଅଗ୍ରୱାଲା, ସାଗରିକା ପାତ୍ର, ପ୍ରଦ୍ୟୁମ୍ନ ବଡମାଳୀ, ସୁଶିଲ ବାରିକ ସହଯୋଗ କରିଥିଲେ ।

ପାରିବାରିକ କଳହକୁ ନେଇ ମଲିକପଡା ଗ୍ରାମରେ ହତ୍ୟାକାଣ୍ଡ
କନେଷ୍ଟବଳ ସାନଭାଇକୁ ହତ୍ୟାକଲେ ବଡ ଦୁଇ ଭାଇ
ପୋଲିସ ଦରପୋଡା ଶବକୁ କଲା ଜବତ
ବୌଦ୍ଧ,୦୧ା୩: ବୌଦ୍ଧଜିଲ୍ଲା ବାଉଁଶୁଣୀଥାନା ଅନ୍ତର୍ଗତ ଗୋଚ୍ଛାପଡା ମଲିକପଡା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ହତ୍ୟାକାଣ୍ଡ ଘଟିଯାଇଛି । ପାରିବାରିକ କଳହକୁ କେନ୍ଦ୍ର କରି ପୋଲିସ କନେଷ୍ଠବଳ ଥିବା ସାନ ଭାଇକୁ ଅନ୍ୟ ଦୁଇଭାଇ କାଠ ଫାଳିଆରେ ମାଡ ମାରି ହତ୍ୟା କରିବା ସହ ପୋଡି ଦେଇଥିଲେ । ମୃତକ ପୋଲିସ କନେଷ୍ଟବଲ ହେଲେ ସନ୍ତୋଷ ଜାନୀ(୩୨) ବୋଲି ଜଣାପଡିଛି । ପୋଲିସ ସୁତ୍ରରୁ ପ୍ରକାଶ, ମଲିକପଡା ଗ୍ରାମର ସନ୍ତୋଷ ଜାନୀ ବୌଦ୍ଧ ପୋଲିସ ବିଭାଗରେ ଏସପିଓ ଭାବରେ ଚାକିରୀ ଆରମ୍ଭ କରି ଓଏପିଏଫ କନେଷ୍ଠବଳ ପଦବିକୁ ପଦୋନ୍ନତି ପାଇଥିଲେ । ତାଙ୍କର ବାଉଁଶୁଣୀ ଥାନାକୁ ବଦଳି ହୋଇଥିବାବେଳେ ମାର୍ଚ୍ଚ ୧ ତାରିଖରେ ସେ କାର୍ଯ୍ୟରେ ଯୋଗଦେଇଥାନ୍ତେ । କିନ୍ତୁ ୨୮ ତାରିଖ ରାତିରେ ସେ ଘରକୁ ଫେରିବା ପରେ ବଡ ଦୁଇଭାଇ ସାର୍ତ୍ତିକ ଜାନୀ (୪୦) ଓ ପ୍ରଶାନ୍ତ ଜାନୀ (୩୬)ଙ୍କ ସହ ସନ୍ତାଷଙ୍କ ପାଟିତୁଣ୍ଡ ହୋଇଥିଲା ।
ଏଥିରେ ବଡ ଦୁଇଭାଇ କାଠ ଫାଳିଆରେ ସନ୍ତୋଷଙ୍କୁ ମାଡ ମାରିଥିଲେ । ସନ୍ତୋଷ ଗୁରୁତର ଆହତ ଅବସ୍ଥାରେ ଥିବାବେଳେ ଘର ସମ୍ମୁଖକୁ ଘୋଷାରୀ ନେଇ ରାସ୍ତା କଡରେ ଥିବା ଖଜୁରୀଗଛ ମୂଳରେ ନିଆଁ ଲଗାଇ ପୋଡିଦେଇଥିଲେ ଏବଂ ଗ୍ରାମରୁ ଫେରାର ହୋଇଯାଇଥିଲେ । ଘରେ ଥିବା ଶଯ୍ୟାସାୟୀ ବୃଦ୍ଧ ପିତା ମାତା ଏବଂ ଭାଉଜ ହତ୍ୟାକାରୀ ଦୁଇଭାଇଙ୍କୁ ଅଟକାଇବାରେ ବିଫଳ ହୋଇଥିଲେ । ସୂଚନା ପାଇ ବାଉଁଶୁଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଦରପୋଡା ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ବୁର୍ଲା ଡାକ୍ତରଖାନାକୁ ପଠାଯାଇଥିବା ପୋଲିସ ପ୍ରକାଶ କରିଛି । ତେବେ ବାଉୁଁଶୁଣୀ ଥାନା ଅଧିକାରୀ ସୁବାଶ ଚନ୍ଦ୍ର ରାୟଗୁରୁ ତଦନ୍ତ ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିବ ବୋଲି ପ୍ରକାଶ କରିଛନ୍ତି । ମିଳିଥିବା ସୂଚନା ମୁତାବକ ଦୁଇବର୍ଷ ପୂର୍ବରୁ କନେଷ୍ଠବଳ ସନ୍ତୋଷଙ୍କ ମଝିଆଁ ଭାଇ ପ୍ରଶାନ୍ତ ଏକ ହତ୍ୟାକାଣ୍ଡ ମାମଲାରେ ଜେଲ ଯାଇଥିଲେ । ଅଳ୍ପଦିନ ପୂର୍ବରୁ ସନ୍ତୋଷଙ୍କ ଉଦ୍ୟମକ୍ରମେ ପ୍ରଶାନ୍ତ ହତ୍ୟା ମାମଲାରେ ଜାମିନ ପାଇ ଘରକୁ ଫେରିଥିଲେ । ଦୁଇବର୍ଷ ହେବ ପାରିବାରିକ କଳହରୁ ସନ୍ତୋଷଙ୍କ ପତ୍ନୀ ସଙ୍ଗୀତା ଯାନୀ ୫ବର୍ଷର ପୁଅ ସହିତ ନିଜ ବାପଘର କଣ୍ଟାମାଳ ବ୍ଲକ ଜୁନାନୀ ଗ୍ରାମରେ ରହୁଥିଲେ । ରବିବାର ରାତିରେ ସନ୍ତୋଷ ଘରକୁ ଫେରିବା ପରେ କୌଣସି କାରଣକୁ ନେଇ ଦୁଇଭାଇଙ୍କ ସହିତ ତାଙ୍କର ବଚସା ହୋଇଥିଲା ।
ନିଶାସକ୍ତ ଅବସ୍ଥାରେ ଥିବା ଦୁଇଭାଇ ସନ୍ତୋଷଙ୍କୁ କାଠଫାଳିଆରେ ମାଡ ମାରିବା ସହ ରକ୍ତ ଜୁଡୁବୁଡୁ ଗୁରୁତର ଅବସ୍ଥାରେ ଘର ସମ୍ମୁଖକୁ ଘୋଷାରୀ ନେଇଥିଲେ ଏବଂ ଖଜୁରୀଡାଳ ଓ କାଠ ଦେଇ ନିଆଁ ଲଗାଇବା ପରେ ଗ୍ରାମରୁ ଫେରାର ହୋଇଯାଇଥିଲେ । ଘରେ ଥିବା ବୃଦ୍ଧାମାତା ଓ ବୋହୁ ହତ୍ୟାକାରୀ ଦୁଇଭାଇଙ୍କୁ ଅଟକାଇବାକୁ ଉଦ୍ୟମ କରି ବିଫଳ ହୋଇଥିଲେ । ମଝିଆଁ ବୋହୁ ଜେମା ଜାନୀ ଅଟକାଇକୁ ଉଦ୍ୟମ କରିବାରୁ ତାଙ୍କୁ ମଧ୍ୟ ମାରିବାକୁ ଦୁଇଭାଇ ଗୋଡାଇବାରେ ସେ ଧାଇଁ ଗ୍ରାମ ଭିତରକୁ ପଳେଇଥିଲେ । ହେଲେ ରକ୍ତମୁଖା ସାଜିଥିବା ଦୁଇଭାଇକୁ ପ୍ରତିରୋଧ କରିବାକୁ ଗ୍ରାମରୁ କେହି ମଧ୍ୟ ସହାୟତା ପାଇଁ ଆସିବାକୁ ସାହାସ କରିନଥିଲେ । ଦରପୋଡା ଶବକୁ ପୋଲିସ ଜବତ କରିବା ସହ ଥାନା କେସ ନମ୍ବର ୨୬/୨୧ ରେ ଏକ ହତ୍ୟା ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଥିବା ଜଣାଯାଇଛି । ଏସଡିପିଓ ସାଲେଷ୍ଟିନ ଟିଗା ହତ୍ୟାକାଣ୍ଡ ସ୍ଥଳ ପରିଦର୍ଶନ କରିଛନ୍ତି । ହତ୍ୟାକାରୀ ଦୁଇଭାଇଙ୍କୁ ଖୁବଶିଘ୍ର ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।


ପୁଣି ମାତିଲେ ଗାଡି ଚୋର , ଗୋଟିଏ ଦିନରେ ଦୁଇଟି ବାଇକ ଚୋରି
ବୌଦ୍ଧ,୦୧ା୩ : ବୌଦ୍ଧରେ ପୁଣି ଗାଡି ଚୋର ସକ୍ରିୟ ହୋଇଥିବା ଜଣାପଡିଛି । ସୋମବାର ଦିନ ଚୋର ଦଳ ଦୁଇଟି ବାଇକ ଚୋରି କରିନେଇଥିବା ଜଣାପଡିଛି । ମିଳିଥିବା ସୁଚନା ମୁତାବକ ପୋଲିସ କେଲୋନିର ହାବିଲଦାର ମେଜର ଭୀମସେନ ମହାନନ୍ଦଙ୍କ ପୁଅ ଅଶୋକ କୁମାର ମହାନନ୍ଦଙ୍କ ପଲସର ବାଇକ (ଓଡି-୨୭-୦୦୪୬) ରାତିରେ ଚେୀରୀ ହୋଇଥିବା ବେଳେ ସେହିପରି ବଘିଆପଡାରୁ ଏକ ମଟର ସାଇକେଲ ଚୋରୀ ହୋଇଥିବା ଜଣାପଡିଛି । ବ୍ରାହ୍ମଣପାଲି ଗ୍ରାମର ସନ୍ତୋଷ ସାହୁ ବଘିଆପଡା ଶଶୁର ଘରକୁ ଆସିଥିବା ବେଳେ ନିଜର ହିରୋ ମଟରସାଇକେଲ(ଓଡି-୨୭-ବି- ୬୮୪୬) ଗତ ରାତିରେ ଘରୁ ଚୋରି ହୋଇଯାଇଛି । ଏନେଇ ବୌଦ୍ଧ ଥାନାରେ ପୃଥକ ପୃଥକ ଦୁଇଟି ମାମଲା ହୋଇଥିବା ଜଣାପଡିଛି ।


୨୫ କେଜି ଗଂଜେଇ ଜବତ ୨ ଗିରଫ
ବୌଦ୍ଧ,୧/୩- ବୌଦ୍ଧ ପୋଲିସ ପକ୍ଷରୁ ଏକ କାର(ଜିଜେ ୧୮ବିଡି ୮୩୯୯)ରୁ ୨୫ କିଲୋ ଗଂଜେଇ ଜବତ କରିବା ସହିତ ୨ ଜଣ ଗିରଫ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଗୁଜୁରାଟର ଅହମଦାବାଦ ଜିଲ୍ଲା ଉଦ୍ଧବ ସହରର ଅନିଲ ମେୱାଡା(୨୬) ଓ କଟକ ଜିଲ୍ଲା ନିଆଳି ଥାନା ରଇଚଣ୍ଡୋଲ ଗ୍ରାମର ସତ୍ୟବ୍ରତ ପ୍ରଧାନ(୨୯) ବୋଲି ଜଣାପଡିଛି ।ପୋଲିସ ସୂତ୍ରରୁ ପ୍ରକାଶ, ବୌଦ୍ଧ- ବଘିଆପଡା ରାସ୍ତାରେ ଗଂଜେଇ ଚାଲାଣ କରାଯାଉଥିବା ଖବର ପାଇ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ପୋଲିଟେକନିକ ଠାରେ ଏକ କାରକୁ ଅଟକାଇ ତଲାସି ନେବାରୁ କାରରୁ ୨୫ କିଲୋ ଗଂଜେଇ ଜବତ କରାଯିବା ସହିତ କାରକୁ ମଧ୍ୟ ଜବତ କରାଯାଇଥିଲା । ଗଂଜେଇ ଚାଲାଣ ଅଭିଯୋଗରେ କାରରେ ଥିବା ଅନିଲ ଓ ସତ୍ୟବ୍ରତକୁ ଗିରଫ କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031