Indus Valley Times

ବୌଦ୍ଧ: ରକ ପେବୁଲସର ଗୀତା ମେହେଟ୍ଟା ବିଶେଷାଙ୍କ ଉନ୍ମୋଚନ

 Breaking News

ବୌଦ୍ଧ: ରକ ପେବୁଲସର ଗୀତା ମେହେଟ୍ଟା ବିଶେଷାଙ୍କ ଉନ୍ମୋଚନ

November 06
20:56 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୫/୧୧ : ଓଡ଼ିଶାରୁ ପ୍ରକାଶିତ ଏକମାତ୍ର ଇଂରାଜୀ ସାହିତ୍ୟ ତ୍ରୈମାସିକ ପ୍ରତ୍ରିକା ରକ ପେବୁଲସର ସେପ୍ଟେମ୍ବର ସଂଖ୍ୟା ଗୀତା ମେହେଟାଙ୍କ ବିଶେଷାଙ୍କ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟଠାରେ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ପତ୍ରିକାର ମୁଖ୍ୟ ପୃଷ୍ଠପୋଷକ ତଥା ସମ୍ପାଦକ ଡଃ. ଉଦୟନାଥ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ପୂର୍ବତନ ବାଚସ୍ପତି ତଥା ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ ଯୋଗଦେଇ ଗୀତା ମେହେଟ୍ଟାଙ୍କ ସାହିତ୍ୟ କୃତି ବିଷୟରେ ଆଲୋଚନା କରିଥିଲେ ।
ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର କହିଲେଯେ, ଗୀତା ମେହେଟାଙ୍କ ଉପନ୍ୟାସ ଞଐଋ ଜଓଠଋଜ ଝଟଞଜଇ ବିଶ୍ୱ ସାହିତ୍ୟକୁ ଏକ ଅମୂଲ୍ୟ ଅବଦାନ । ମୁଖ୍ୟବକ୍ତା ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ. କାଲିକିଙ୍କର ପଟ୍ଟନାୟକ ଗୀତା ମେହେଟ୍ଟାଙ୍କ ସମଗ୍ର ସାହିତ୍ୟ ସୃଷ୍ଟି ଉପରେ ବିସ୍ତୃତ ଆଲୋଚନା କରିଥିଲେ । ତାଙ୍କ ଦ୍ୱାରା ରଚିତ ପୁସ୍ତକ ସମୁହ ବଭିନ୍ନ ବିଶ୍ୱବିଦ୍ୟାଳୟର ପାଠ୍ୟକ୍ରମରେ ସାମିଲ କରାଯାଇଥିବାର ସୂଚନା ଦେଇଥିଲେ । ସଭାପତି ଡଃ. ମାଝୀ କହିଥିଲେଯେ, ଗତବର୍ଷ ପତ୍ରିକା ତରଫରୁ ଦୁଇଗୋଟି ଜାତୀୟ ୱେବିନାର ଅନୁଷ୍ଠିତ ହୋଇଥିଲା ।
ସେଥିରେ ଉପସ୍ଥାପନ ହୋଇଥିବା କିଛି ପ୍ରବନ୍ଧକୁ ଏହି ବିଶେଷ ସଂଖ୍ୟାରେ ପ୍ରକାଶିତ କରାଯାଇଛି । ଭାଷା ଓ ସାହିତ୍ୟରେ ଅଧ୍ୟାପନା ଏବଂ ଗବେଷଣା କରୁଥିବା ସମସ୍ତଙ୍କ ପାଇଁ ଏହି ପତ୍ରିକା ଅତ୍ୟନ୍ତ ଉପଯୋଗୀ । ଏହି ଅବସରରେ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ କବି ସୌଭାଗ୍ୟବନ୍ତ ମହାରଣାଙ୍କୁ ରକ ପେବୁଲସ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରାଛାତ୍ରୀ,ଅଧ୍ୟାପକ ଅଧ୍ୟାପିକା,ସ୍ଥାନୀୟ ବୁଦ୍ଧଜିବୀମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ ।
……………………
ମିଛ ସାର୍ଟିଫିକେଟ ଦେଇ ୬ବର୍ଷ ଧରି ଶିକ୍ଷକତା କରୁଥଇବା ନକଲି ଶିକ୍ଷକ ଧରାପଡିଲେ
ବୌଦ୍ଧ,୫/୧୧ : ଗତବର୍ଷ ଜାଲ୍ ଓଟିଇଟି ସାର୍ଟିଫିକେଟ ଦାଖଲ କରି ୪୦ ଜଣ ଗଣଶିକ୍ଷକ ନିଜ ନିଜ ଚାକିରୀରୁ ବହିଷ୍କୃତ ହେବାପରି ଏବେ ପୁଣି ଜାଲ୍ ଓଟିଇଟି ସାର୍ଟିର୍ଫିକେଟ ଦାଖଲ କରିଥିବା କାରଣରୁ ବୌଦ୍ଧର ଜଣେ କନିଷ୍ଠ ଶିକ୍ଷକଙ୍କୁ ଚାକିରୀରୁ ବହିଷ୍କାର କରିଛନ୍ତି ବୌଦ୍ଧ ଜିଲ୍ଲାପାଳ ।
ପ୍ରକାଶ ଥାଉ କି, ଏସ. ତୃପ୍ତିମୟୀ ପ୍ରଧାନ ୨୦୧୨ ମସିହାରେ ବୌଦ୍ଧ ବ୍ଲକର ଗୁନ୍ଦୁଳିଆ ପଂଚାୟତ ଅଧିନସ୍ଥ ଖମାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ସହାୟକ ଭାବେ ନିଯୁକ୍ତି ପାଇଥିଲେ ।
ସରକାରଙ୍କ ନିୟମ ଅନୁସାରେ ୨୦୧୨ ମସିହାରେ ନିୟୋଜିତ ହୋଇଥିବା ଶିକ୍ଷା ସହାୟକମାନଙ୍କ ଚାକିରୀ ନିୟମିତ ପାଇଁ ଅନ୍ୟୁନ ୬ ବର୍ଷ ସଫଳତାର ସହ କାର୍ଯ୍ୟ ସମ୍ପାଦନ ସହ ଓଟିଇଟି ଯୋଗ୍ୟତା ବାଧ୍ୟତାମୂଳକ ହୋଇଥିବାବେଳେ, ଏସ୍‌.ତୃପ୍ତିମୟୀ ୬ବର୍ଷ କାର୍ଯ୍ୟ କରିଥିଲେ ସୁଦ୍ଧା ବର୍ତମାନ ଓଟିଇଟି ପରୀକ୍ଷାରେ ପାସ୍ କରିଛି ବୋଲି ସାର୍ଟିଫିକେଟ ପ୍ରଦାନ କରିଥିଲେ ।
ନିୟମ ଅନୁସାରେ ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସମଗ୍ର ଶିକ୍ଷା ଉକ୍ତ ସାର୍ଟିଫିକେଟଟିକୁ ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ, କଟକକୁ ତନଖି ପାଇଁ ପଠେଇଥିଲେ । ମାତ୍ର ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ, କଟକ ଉପଯୁକ୍ତ ଭାବେ ତନଖି କରି ଉକ୍ତ ସାର୍ଟିଫିକେଟି ନକଲି ହୋଇଥିବା ରିପୋର୍ଟ ପ୍ରଦାନ କରିଛନ୍ତି । ତଦନୁସାରେ ଜିଲ୍ଲାପାଳ, ବୌଦ୍ଧ ଏସ. ତୃପ୍ତିମୟୀଙ୍କୁ ଏ ବିଷୟରେ ଏକମାସ ସମୟ ମଧ୍ୟରେ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ ।
ଅଥଚ ଏ ପ୍ରସଙ୍ଗରେ ସେ ନିଜର ସାର୍ଟିଫିକେଟକୁ ଅସଲି ବୋଲି ପ୍ରମାଣ କରିପାରିଲେ ନାହିଁ ପରୋକ୍ଷରେ ତାଙ୍କୁ ଏହି ସାର୍ଟିଫିକେଟଟି ସହଦେବ ଭିବର, ଶିକ୍ଷକ, ନୂତନ ପ୍ରାଥମିକ ବିଦ୍ୟାଳୟ, ପାଟିଗୁଡା, ଗ୍ରା.ପ.-ବଡବାର୍ବା , ବ୍ଲକ୍ – ରାଇକିଆ, ଜିଲ୍ଲା – କନ୍ଧମାଳ ଯୋଗାଇ ଦେଇଥିବା ସ୍ୱୀକାର କରିଛନ୍ତି । ଉକ୍ତ ଦୁଇଜଣଙ୍କ ନାମରେ ଜିଲ୍ଲାପାଳ ଆଦର୍ଶ ଥାନା, ବୌଦ୍ଧରେ ମାମଲା ରୁଜୁ କରିଛନ୍ତି । ବହୁଦିନ ଧରି ନକଲି ସାର୍ଟିଫିକେଟର ଏକ ବଡ ର‌୍ୟାକେଟ କାମ କରୁଥିବାର ଅନୁମାନ କରାଯାଉଥିଲା । ଅଥଚ ୟାର ଚେର ଜିଲ୍ଲା ତଥା ଜିଲ୍ଲା ବାହାରେ ପରିବ୍ୟାପ୍ତ, ଏହା ଏଥିରୁ ପ୍ରମାଣିତ ହୋଇଗଲା । ଏ ଅବସରରେ ବହୁଦିନ ପରେ ଏକ କିଙ୍ଗ୍ କୋବ୍ରାର ସନ୍ଧାନ ମିଳିଲା । ଦେଖାଯାଉ, ପୋଲିସ ଏ ମାମଲାରେ ସଂଶ୍ଲିଷ୍ଟ ଥିବା ଆଉ କେତେଜଣ ଆସାମୀଙ୍କୁ ଧରିବାରେ ସଫଳ ହେଉଛି ।
……………………
ଜିଲ୍ଲା ବୈଦ୍ୟ ସଂଘ ପକ୍ଷରୁ ଭଗବାନ ଧନନ୍ତ୍ୱରୀ ଜୟନ୍ତୀ ପାଳିତ
ବୌଦ୍ଧ,୫/୧୧ : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ସରସରାଠାରେ ଜିଲ୍ଲା ବୈଦ୍ୟ ସଂଘ ଆନୁକୂଲ୍ୟରେ ଭଗବାନ ଧନନ୍ତ୍ୱରୀଙ୍କ ଜୟନ୍ତୀ ଶନିବାର ଦିନ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଜିଲ୍ଲା ବୈଦ୍ୟ ସଂଘର ସମ୍ପାଦକ ଗାୟତ୍ରୀ ପୀଠର ସଭାପତି ପ୍ୟାରୀମୋହନ ଶତଫଥୀଙ୍କ ଦ୍ୱାରା ବେଦ ପାଠ ତଥା ପୂଜନ କରାଯାଇଥିଲା ।
ଭଗବାନ ଧନନ୍ତ୍ୱରୀଙ୍କ ପୂଜନ ପରେ ଜିଲ୍ଲା ବୈଦ୍ୟ ସଂଘର ସଭାପତି ତଥା ବରିଷ୍ଠ ଆଇନଜିବୀ ସୁଧିର କୁମାର କର୍ଣ୍ଣଙ୍କ ଅଧ୍ୟକ୍ଷତାରେ ଜୟନ୍ତୀ ଉତ୍ସବ ଅବସରରେ ଜିଲ୍ଲା ବୈଦ୍ୟ ସଂଘକୁ ରାଜ୍ୟ ବୈଦ୍ୟ ସଂଘ ସହିତ ଅନୁବନ୍ଧିତ କରିବା ପାଇଁ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ପାରମ୍ପରିକ ଚିକିତ୍ସା ପଦ୍ଧତିକୁ ଲୋକଲୋଚନକୁ ଆଣିବା ପାଇଁ ହରଭଙ୍ଗା ବ୍ଲକର ଚାରିଛକଠାରେ ଏକ ବୈଦ୍ୟ ସମ୍ମିଳନୀ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଜୟନ୍ତୀ ଉତ୍ସବରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ ବୈଦ୍ୟ ଯୋଗଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସୁଶୀଳ କୁମାର ଦେହୁରୀ,ସନ୍ତୋଷ କୁମାର ବାରିକ୍‌, ଜଗବନ୍ଧୁ ଭୁକ୍ତା, ସୁଶାନ୍ତ ନାୟକ, ବିହାରୀ ଦାଶ, ସମ୍ବାରୁ ପ୍ରଧାନ, ବିଛନ୍ଦ ଦେହୁରୀ ପ୍ରଭୃତି ସଦସ୍ୟମାନେ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଶେଷରେ କୋଷାଧ୍ୟକ୍ଷ ଚିରଞ୍ଜିବୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031