Indus Valley Times

ବ୍ରାଉନସୁଗାର କାରବାର ପାଇଁ ଚର୍ଚ୍ଚାରେ ଥିବା ଜଳେଶ୍ଵର ଅଞ୍ଚଳରେ କାୟା ମେଲାଉଛି ଗଞ୍ଜେଇ ବେପାର

 Breaking News

ବ୍ରାଉନସୁଗାର କାରବାର ପାଇଁ ଚର୍ଚ୍ଚାରେ ଥିବା ଜଳେଶ୍ଵର ଅଞ୍ଚଳରେ କାୟା ମେଲାଉଛି ଗଞ୍ଜେଇ ବେପାର

December 05
09:35 2021

ଜଳେଶ୍ଵର, ୫/୧୨: ବ୍ରାଉନସୁଗାର କାରବାର ପାଇଁ ଚର୍ଚ୍ଚାରେ ଥିବା ଜଳେଶ୍ଵର ଅଞ୍ଚଳରେ ଏବେ ଗଞ୍ଜେଇ ବେପାର କାୟା ମେଲାଉଛି। ଦକ୍ଷିଣ ଓଡ଼ିଶାରୁ ଭୁବନେଶ୍ଵର ଏବଂ ସେଠାରୁ ଜଳେଶ୍ଵରକୁ ଗଞ୍ଜେଇ ଅଣାଯିବା ପରେ ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ ସମେତ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଛି।
ଏହା ପଛରେ ଏକ ସ୍ବତନ୍ତ୍ର ରାକେଟ୍ କାମ କରୁଛି। ରାକେଟ୍ର ଦୁଇଜଣ ମାଷ୍ଟରମାଇଣ୍ଡ ଭୁବନେଶ୍ୱରରେ ରହି ପୂରା ଓଡ଼ିଶା ଓ ପଶ୍ଚିମବଙ୍ଗକୁ ସେମାନଙ୍କ ଏଜେଣ୍ଟଙ୍କ ଜରିଆରେ ଗଞ୍ଜେଇ ଚାଲାଣ କରୁଛନ୍ତି। ଏହି ରାକେଟ୍ରେ ଜଳେଶ୍ଵରର ୬ ଜଣ ଚୋରା ଗଞ୍ଜେଇ ବେପାରୀ ସାମିଲ ଥିବା ବେଳେ ସେମାନେ ଜଳେଶ୍ଵରର ଝାଡ଼େଶ୍ବରପୁର, ଶାସନବାଡ଼, ରାଜପୁର ଓ ଲକ୍ଷ୍ମଣନାଥ ଟୋଲଗେଟ୍ ବଜାର ଅଞ୍ଚଳରେ ରହି ଗଞ୍ଜେଇ କାରବାର କରୁଥିବା ଜଣାପଡ଼ିଛି।
ଜଳେଶ୍ବରରେ ପ୍ରତିଦିନ ୧୦ କୁଇଣ୍ଟାଲ ପାଖାପାଖି ଗଞ୍ଜେଇ କାରବାର ହେଉଛି। ଏହିସବୁ ଗଞ୍ଜେଇ ୨୨ଚକିଆ ଟ୍ରକରେ କନ୍ଧମାଳ, ଫୁଲବାଣୀ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ ଆଦି ଜିଲ୍ଲାରୁ ଭୁବନେଶ୍ୱର ଅଣାଯାଉଛି। ଏଠାରେ ଦୁଇଜଣ କାର୍ପଟଦାରଙ୍କ ଦ୍ଵାରା ପରିଚାଳିତ ଦୁଇଟି ପୃଥକ ଡିପୋରେ ଗଞ୍ଜେଇ ରହୁଛି। ଡିପୋରୁ କେତେବେଳେ ବସରେ ତ ଆଉ କେତେବେଳେ ଚାରିଚକିଆ ଯାନରେ, ନହେଲେ ପିକଅପ୍ ଅଥବା ଟ୍ରକରେ ଜଳେଶ୍ଵର ଆଣି ଏକାଧିକ ସ୍ଥାନରେ ଗଚ୍ଛିତ ରଖାଯାଉଛି।
ପରେ ସେସବୁକୁ ବାଲେଶ୍ଵର ସମେତ ମୟୂରଭଞ୍ଜ ଓ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଛି। ବେଶ ସନ୍ତର୍ପଣରେ ଚାଲିଥିବା ଏହି ରାକେଟ୍ରେ ଜଳେଶ୍ଵର ଅଞ୍ଚଳର ୬ ଜଣ ଗଞ୍ଜେଇ ବ୍ୟବସାୟୀ ସଂଶ୍ଲିଷ୍ଟ ରହି ଖୁବ୍ କମ୍ ସମୟରେ କୋଟି କୋଟି ଟଙ୍କା ରୋଜଗାର କରିଥିବା ଜଣାପଡ଼ିଛି।
ଗଞ୍ଜେଇ କେଜି ପିଛା ସାଢ଼େ ୫ ହଜାରରୁ ସାଢେ ୭ ହଜାର ମଧ୍ୟରେ ରହୁଥିବା ବେଳେ ଗଜପତିରୁ ଆସୁଥିବା ଗଞ୍ଜେଇର ମୂଲ୍ୟ ସର୍ବାଧିକ ୧୦ ହଜାର ଟଙ୍କାରେ ବିକ୍ରି ହେଉଛି। ଲକ୍ଷ୍ମଣନାଥ ସୀମା ଦେଇ ଗଞ୍ଜେଇ ଗାଡ଼ିକୁ ଅତିକ୍ରମ କରାଇବା ଲାଗି ଗଞ୍ଜେଇ ବ୍ୟବସାୟୀମାନେ କୋର୍ଡ ଓ୍ବାର୍ଡ ବ୍ୟବହାର କରୁଥିବା ଭଳି ଚାଞ୍ଚଲ୍ୟକର ତଥ୍ୟ ମଧ୍ୟ ହସ୍ତଗତ ହୋଇଛି।
ଆଶ୍ଚର୍ଯ୍ୟର ବିଷୟ ହେଉଛି, ଅନେକ ସମୟରେ ଜଳେଶ୍ଵରରୁ ଯାଉଥିବା ଗଞ୍ଜେଇ ପଶ୍ଚିମବଙ୍ଗର ସୋନାକଣିଆ ଓ ଦାନ୍ତୁନ ଥାନାଠାରୁ ଅଳ୍ପ ଦୂର ରେଳଷ୍ଟେସନ ପାଖ ଏକ ଗୋଦାମ ଘରେ ରଖାଯାଉଥିଲେ ମଧ୍ୟ ଦାନ୍ତୁନ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ।
ଗତ ନଭେମ୍ବର ମାସରେ ଜମାଳପୁରର ଏକ ଭଡ଼ାଘରୁ ଓ ସୁଗୋସ୍ଥିତ ଜଣକ ବାସଭବନରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହେବା ଘଟଣାରେ ଏହି କାରବାରର ଚେର କେତେ ଗଭୀରକୁ ଗଲାଣି, ତାହା ସୂଚାଇ ଦେଉଛି। ତଦନ୍ତ ସମୟରେ ପୁଲିସ ଓ ଅବକାରୀ ଅଧିକାରୀଙ୍କୁ ଏ ସଂକ୍ରାନ୍ତରେ ଯେଉଁ ତଥ୍ୟ ମିଳିଛି, ତାହା ଚକିତ କରିଦେଲା ଭଳି।
ଜଳେଶ୍ଵର ଏବେ ଗଞ୍ଜେଇ ବେପାରର ଆଡ୍ଡାସ୍ଥଳୀ ପାଲଟିଥିବା ବେଳେ ପୁଲିସ ଓ ଅବକାରୀ ବିଭାଗ ଏବେଠୁ ପଦକ୍ଷେପ ନନେଲେ ବ୍ରାଉନସୁଗାରର ହବ୍ ପାଲଟିଥିବା ଜଳେଶ୍ଵର ଖୁବଶୀଘ୍ର ଗଞ୍ଜେଇ କାରବାରର ହବ୍ ପାଲଟିବ ବୋଲି କୁହାଯାଉଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031