ବ୍ଲକ୍ ପ୍ରଶାସନ ପକ୍ଷରୁ ୩୪ ଟି ଅଭିଯୋଗ ଶୁଣାଣି
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୦/୩ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ୍ ପ୍ରଶାସନ ପକ୍ଷରୁ ମହାସିଙ୍ଗି ପଞ୍ଚାୟତ କାର୍ୟ୍ୟାଳୟ ଠାରେ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି।
ଏହି ଅଭିଯୋଗ ଶିବିରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ଶୁଭ୍ରାଞ୍ଜଳି ପ୍ରଧାନ ଯୋଗ ଦେଇ ଉକ୍ତ ପଞ୍ଚାୟତ ଜନ ସାଧାରଣଙ୍କ ପାନୀୟ ଜଳ ପାଇଁ ନୂତନ ନଳକୂପ ଖନନ, କଂକ୍ରିଟ ରାସ୍ତା ନିର୍ମାଣ, ସୁଭଦ୍ରା ଯୋଜନା ସହାୟତା ନ ମିଳିବା ସମ୍ପର୍କେ, ବାଦ୍ଧକ୍ୟ ବିଧବା ବିକଳାଙ୍ଗ ଭତ୍ତା ଓ ରାସନ୍ କାର୍ଡ ଭଳି ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ।
ଏହି ଶିବିରରେ ମୋଟ ୩୪ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା ବେଳେ ୭ ଟି ସାମୁହିକ ଓ ୨୭ ଟି ବ୍ୟକ୍ତିଗତ ଥୂଲା। ଏହି ଜନଅଭିଯୋଗ ଶୁଣାଣି ଶିବିରରେ ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା, ସରପଞ୍ଚ ରଞ୍ଜିତ ମଲ୍ଲିକ, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଇଂ.ଶୋଭମ୍ ମହାପାତ୍ର, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିୟଦର୍ଶିନୀ ମଲ୍ଲିକ,ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧୂକାରୀ ସ୍ମୃତି ସାଗର ପ୍ରଧାନ, ଅତିରିକ୍ତ କାର୍ଯ୍ୟକ୍ରମ ଅଧୂକାରୀ ତ୍ରିନାଥ ନାୟକ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବୁରୁମାଝି ପତ୍ରା, ଯୋଗାଣ ନିରୀକ୍ଷକ ପ୍ରୀତି ରଞ୍ଜନ ବିଶ୍ବାଳଙ୍କ ସମେତ ପଞ୍ଚାୟତ ସ୍ତରୀୟ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଜନସାଧାରଣଙ୍କର ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ।
ବାଲିଗୁଡା ଥାନାରେ ନୂତନ ଯୁବ ଆଇ ପି ଏସ ଥାନା ଅଧିକାରୀଙ୍କ ଯୋଗଦାନ
ବାଲିଗୁଡା, ୧୦/୩ : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନାରେ ନୂତନ ଭାବେ ପ୍ରୋବେସନାଲ ଆଇ ପି ଏସ ଦକ୍ଷ ଯୁବ ଥାନା ଅଧିକାରୀ ଭାବେ ଆନ୍ଧ୍ର ପ୍ରଦେଶ କଡପା ଜିଲ୍ଲାର ଶ୍ରୀନିବାସ ଯୋଗ ଦେଇ ନିଜ ଦାୟିତ୍ଵଭାର ଗ୍ରହଣ କରିଛନ୍ତି ।
ସେ ପ୍ରଥମେ ବାଲିଗୁଡା ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ବଜାୟ ରଖିବା ସହିତ ଜନସାଧାରଣଙ୍କ ସୁରକ୍ଷା, ଏବଂ ପେଟ୍ରୋଲିଙ୍ଗ କଡ଼ାକଡ଼ି କରାଯିବ, ମଦୁଆ ଓ ଜୁଆ ଆଡ୍ଡା ,ଓ ଗଞ୍ଜେଇ ମାଫିଆ ଉପରେ ତୀକ୍ଷ୍ଣଣ ନଜର ରଖାଯିବା ସହ ଜନସାଧାରଣ ଥାନାକୁ ଆସିଲେ କିପରି ଉଚିତ ନ୍ୟାୟ ପାଇ ପାରିବେ ସେଥି ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ନୂତନ ଆଇ ପି ଏସ ଥାନା ଅଧିକାରୀ ଶ୍ରୀନିବାସ କହିଛନ୍ତି ।
ନୂତନ ଥାନା ଅଧିକାରୀ ଙ୍କ ଯୋଗଦାନ ପରେ ଅଞ୍ଚଳ ବାସୀ ତାଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ ଭରସା ରଖିଛନ୍ତି ।
ଛତିଶଗଡ ଓ ମଧ୍ୟପ୍ରଦେଶ କୁ ଗଞ୍ଜେଇ ଚାଲାଣ ବେଳେ ୫୫ ପେକେଟ ଗଞ୍ଜେଇ ସହ ଦୁଇ ଗିରଫ : ୧୦୦ରୁ ଉର୍ଦ୍ଧ ଜଣଙ୍କ ନାମରେ ମାମଲା ରୁଜୁ
ବାଲିଗୁଡା, ୧୦/୩ : କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସ ଏସଆଇ ଅମରେନ୍ଦ୍ର ସୁବୁଦ୍ଧି ଓ କର୍ମଚାରୀ ମାନଙ୍କ ସହିତ ବାରଖମା ଏବଂ ସଲାଗୁଡ଼ା ପଞ୍ଚାୟତ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ କୌଣସି ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଉକ୍ତ ପଞ୍ଚାୟତ ର ପୁଇସାରୁ ଏବଂ କୁଡକେଲିକିଆ ଗ୍ରାମର କିଛି ଗ୍ରାମବାସୀ ପୁଇସାରୁ ଗ୍ରାମର ଏକ ଜଙ୍ଗଲ ଅଞ୍ଚଳରେ ବିପୁଳ ପରିମାଣର ଗଞ୍ଜେଇ ରଖିଥିବା ଏବଂ ସେମାନେ ସେହି ଗଞ୍ଜେଇକୁ ଛତିଶଗଡ ଏବଂ ମଧ୍ୟପ୍ରଦେଶ ଅଞ୍ଚଳ ଭଳି ବିଭିନ୍ନ ରାଜ୍ୟକୁ ଚାଲାଣ କରିବା ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ଘଟଣା ସ୍ଥଳରେ ପୋଲିସ ଦଳ ପହଞ୍ଚି ଅଚାନକ ଚଢ଼ାଉ କରିଥିଲେ।
ଚଢ଼ାଉ ସମୟରେ ପୁଇସାରୁ ଗାଁର ଦକ୍ଷିଣ ପାର୍ଶ୍ୱରେ ଅବସ୍ଥିତ ଏକ ପାହାଡ଼ୀ ସ୍ଥାନରେ କିଛି ବ୍ୟକ୍ତି ପଥୁରିଆ ପାହାଡ଼ ଉପରେ ବସି ଗଞ୍ଜେଇ ବ୍ୟାଗ ସହିତ କିଛି ଆଲୋଚନା କରୁଥିବାର ପୋଲିସ ଦଳ ଦେଖିବା ପରେ ସେମାନଙ୍କ ପାଖକୁ ଯିବା ମାତ୍ରେ ସେମାନେ ମୁଣ୍ଡ ଏବଂ କାନ୍ଧରେ କିଛି ବ୍ୟାଗ ଧରି ପଳାଇବାକୁ ଉଦ୍ୟମ କରିଥିଲେ ।
କିନ୍ତୁ ପୋଲିସ କର୍ମଚାରୀ ମାନେ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ଅନ୍ୟ କିଛି ଗଞ୍ଜେଇ ମାଫିଆ ଘଟଣା ସ୍ଥଳରୁ ଖସି ପଳାଇଥିଲେ । ପୋଲିସ ହାତରେ ଧରାପଡ଼ିଥିବା ଦୁହେଁ ବାଲିଗୁଡା ଥାନା ସଲାଗୁଡା ପଞ୍ଚାୟତ କୁଡକେଲିକିଆ ଗ୍ରାମର କୁନ୍ତଧର ଦିଗାଳ ଓ ଅଶୋକ ମଲ୍ଲିକ ବୋଲି ପୋଲିସ ପ୍ରକାଶ କରିଛି । ସେମାନେ ପୋଲିସ ନିକଟରେ ସ୍ୱୀକାର କରିଛନ୍ତି ଯେ, ସେମାନେ ପୁଇସାରୁ ଏବଂ କୁଡକେଲିକିଆ ଗ୍ରାମରୁ ଅଧିକ ମୂଲ୍ୟରେ ଗଞ୍ଜେଇ ସଂଗ୍ରହ କରି ପରିବହନ ଏବଂ ବିକ୍ରୟ କରୁଥିଲେ ଏବଂ ଅଧିକ ଆର୍ଥିକ ଲାଭ ପାଇଁ ଛତିଶଗଡ଼ ଏବଂ ମଧ୍ୟପ୍ରଦେଶ ଭଳି ବିଭିନ୍ନ ରାଜ୍ୟକୁ ଚୋରା ଗଞ୍ଜେଇ ବିକ୍ରୟ କରିବାକୁ ଯୋଜନା କରୁଥିଲେ।
ଉକ୍ତ ଜଙ୍ଗଲ ଅଞ୍ଚଳକୁ ପୋଲିସ ବ୍ୟାପକ ଖାନ ତଲାସ ପରେ, ୫୫ଟି ବସ୍ତାରେ ୧୦୦୬ କେଜି ଚୋରା ଗଞ୍ଜେଇ ଜବତ କରିବାରେ ସଫଳ ହୋଇଥିଲା। ଏଠାରେ ସୂଚନା ଯୋଗ୍ୟ ଯେ, ଯେତେବେଳେ ପୋଲିସ୍ ଟିମ୍ ଉକ୍ତ ଜଙ୍ଗଲ ଅଞ୍ଚଳରେ ଖାନ ତଲାସି ଆରମ୍ଭ କଲା, ସେତେବେଳେ ହଠାତ୍ ପୁଇସାରୁ ଗାଁ ସମେତ ଆଖ ପାଖ କୁଡେକେଲିକିଆ, ମେଲସିକିଆ, ଡାକା ଏବଂ ଦାମପଙ୍ଗା ଗାଁର କେମ୍ବରୁ ମଲ୍ଲିକ, ଦଣ୍ଡି ମଲ୍ଲିକ, ଅନନ୍ତ ଦିଗାଳ, ପ୍ରଦୀପ ଦିଗାଳ , ହେମନ୍ତ ଦିଗାଳ, ଦିଲୀପ ଦିଗାଳ, ସେମା ଦିଗାଳ , ଯାଦବ ଦିଗାଳ ଙ୍କ ସମେତ ପ୍ରାୟ ୧୦୦ ରୁ ୧୫୦ ଜଣ ଲୋକ ମାନେ ବିଭିନ୍ନ ମାରଣାସ୍ତ୍ରରେ ସଜ୍ଜିତ ହୋଇ ଘଟଣା ସ୍ଥଳରେ ପହଞ୍ଚି ଗଞ୍ଜେଇ ନେବା ପାଇଁ ଚେଷ୍ଟା କରିବା ସହ ପୋଲିସ ଉପରେ ଆକ୍ରମଣ କରିବାକୁ ମଧ୍ୟ ଚେଷ୍ଟା କରିଥିଲେ।
ଖବର ପାଇ ଘଟଣା ସ୍ଥଳରେ ଅଧିକ ସଂଖ୍ୟକ ପୋଲିସ ଟିମ ପହଞ୍ଚିବାରୁ ଗ୍ରାମବାସୀ ମାନେ ଘଟଣା ସ୍ଥଳରୁ ପଳାଇଥିଲେ। ଏ ନେଇ ଉକ୍ତ ଗିରଫ ଦୁଇ ଜଣଙ୍କ ନାମରେ ବାଲିଗୁଡ଼ା ପୋଲିସ କେସ୍ ନଂ.୬୫/୨୬ ପ୍ରକାରେ ୟୁ/ଏସ. ୧୯୧(୨)/୧୯୧(୩)/୧୨୧(୧)/୧୩୨/୧୦୯/୧୯୦ ବି ଏନ ଏସ /୨୫/୨୭ ଅସ୍ତ୍ରଶସ୍ତ୍ର ଆଇନ/୨୦(ଖ)(ସସ)(ଗ) ଏନଡିପିଏସ୍ ଆଇନ ବଳରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ଘଟଣା ରେ ଅନ୍ୟ କେଉଁ ମାନେ ସଂଶ୍ଲିଷ୍ଟ ଅଛନ୍ତି, ସେ ନେଇ ତଦନ୍ତ ଅବ୍ୟାହତ ରଖା ଯାଇଥିବା ବିଷୟ ସ୍ଥାନୀୟ ଏସ ଡି ପି ଓ ଶୁଭମ ଭୋସଲେ ପ୍ରକାଶ କରିଛନ୍ତି ।
ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ରାମଗାର ନିର୍ମାଣ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ
କନ୍ଧମାଳ, ୨୦/୩ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ବହୁ ପୁରାତନ ସ୍ବୟଂ ଶାସିତ ମହାବିଦ୍ୟାଳୟ ଏବଂ ଏସ୍. ଏମ୍. ସରକାରୀ ମହିଳା ମହାବିଦ୍ୟାଳୟ ରାଜରାସ୍ତାକୁ ଲାଗି ରହିଅଛି ।
ଏହି ଦୁଇଟି ମହାବିଦ୍ୟାଳୟ ଜିଲ୍ଲାର ବହୁ ପୁରାତନ ମହାବିଦ୍ୟାଳୟ । ଏହି ଦୁଇ ମହାବିଦ୍ୟାଳୟ ରେ ଶହ ଶହ ଛାତ୍ରଛାତ୍ରୀ ନିଜ ନିଜର ଭବିଷ୍ୟତ ଗଢିବା ନିମନ୍ତେ ଶିକ୍ଷା ଲାଭ କରିବା ପାଇଁ ବହୁ ଦୁରଦୁରାନ୍ତରୁ ଆସୁଛନ୍ତି। ପ୍ରବେଶ ଫାଟକ ନିକଟରେ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଏକ ବିଶ୍ରାମାଗାର କିମ୍ବା ବସକୁ ଅପେକ୍ଷା କରିବା ନିମନ୍ତେ କୋଣସି ପ୍ରକାର ଆଶ୍ରୟସ୍ଥଳୀ ନଥିବାରୁ ଛାତ୍ର ଛାତ୍ରୀ ମାନେ ବାଧ୍ୟ ହୋଇ କେଉଁ ପାନ ଦୋକାନ, ଚା \’ଦୋକାନ, ହୋଟେଲ, ବାରଣ୍ଡାରେ ରହି କଷ୍ଟ ପାଇବା ସହ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି ।
ଯାହାକି, ସେମାନଙ୍କ ଜୀବନ ପ୍ରତି ବିପଦ ମଧ୍ୟ ସୃଷ୍ଟି ହେଉଛି । ଏ ସବୁକୁ ଆଖି ଆଗରେ ରଖି ଦୁଇ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ବିଶ୍ରାମ ନିମନ୍ତେ ମହାବିଦ୍ୟାଳୟ ନିକଟରେ ଯଥାଶୀଘ୍ର ଦୁଇଟି ବିଶ୍ରାମାଗାର ନିର୍ମାଣ ପାଇଁ ବିଜୁ ଜନତାଦଳର ସାଧାରଣ ସମ୍ପାଦକ ତଥା ବରିଷ୍ଠ ଆଇନଜୀବି ସତ୍ୟ ନାରାୟଣ ବେହେରା ଓ ବିଜୁ ଜନତା ଦଳର ବରିଷ୍ଠ ନେତା ଅନ୍ତର୍ଯ୍ୟାମୀ ବେହେରା ଏକ ଲିଖିତ ଆକାରରେ କନ୍ଧମାଳ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।
୩୭ ତମ ବାର୍ଷିକ ତେରଶମ୍ଭୁ ମିଳନ କାର୍ଯ୍ୟ ଅନୁକୂଳ ପାଇଁ ମନ୍ଦିରରେ ପୂଜାର୍ଚ୍ଚନା
ବାଲିଗୁଡ଼ା, ୧୦/୩ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୭ ତମ ବାର୍ଷିକ ତେରଦଣ୍ଡ ମିଳନ ସମାରୋହ ଆୟୋଜନ ନିମନ୍ତେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା \’ପାଟଖଣ୍ଡା ମନ୍ଦିର ଓ ମା \’ ଦକ୍ଷିଣ କାଳୀ ମନ୍ଦିର ପରିସରରେ ସମିତି ର ମୁଖ୍ୟ ପରିଚାଳକ ରାଜ କିଶୋର ଦାସ ଙ୍କ ଆବାହକତ୍ୱରେ ଏକ ଅନୁକୂଳ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏପ୍ରିଲ ୫ ତାରିଖ ରବିବାର ଦିନ ତେର ଶମ୍ଭୁ ମିଳନ ଉତ୍ସବ ଆୟୋଜନ କରିବା ପାଇଁ ସର୍ବ ସମ୍ମତି କ୍ରମେ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା ।
ଏହି ପରିପ୍ରେକ୍ଷୀରେ ମା\’ ପାଟଖଣ୍ଡା ମନ୍ଦିର ରେ ପୂଜାର୍ଚ୍ଚନା କରି ଶ୍ରୀ ଶ୍ରୀ ମା\’ ପାଟଖଣ୍ଡା ଏବଂ ଶ୍ରୀ ଶ୍ରୀ ମା \’ଦକ୍ଷିଣକାଳୀ ଙ୍କ ଆଶୀର୍ବାଦ ଆଜ୍ଞା କାମନା କରି ଶୁଭାରମ୍ଭ କରାଯାଇଥିଲା । ଏଥିରେ ସମିତି ର ସମସ୍ତ ସଦସ୍ୟ ବିଭିନ୍ନ ବିଭାଗ ରେ ମୁଖ୍ୟ ଭାବେ ଥିବା ସମସ୍ତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଶୁଭାରମ୍ଭ କରାଯାଇଥିଲା ।
ବାଲିଗୁଡା ଓକିଲ ସଂଘ ନିର୍ବାଚନ : ଶେଷ ଦିନ ସୁଦ୍ଧା ୯ ଜଣଙ୍କ ନାମାଙ୍କନ ପତ୍ର ଦାଖଲ
ବାଲିଗୁଡା, ୧୦/୩ : ରାଜ୍ୟ ବାର୍ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କନ୍ଧମାଳ ଜିଲ୍ଲା ବାଲିଗୁଡା ଓକିଲ ସଂଘର ୨୦୨୬-୨୭ ବର୍ଷ ପାଇଁ କର୍ମକର୍ତ୍ତା ଓ କାର୍ଯ୍ୟକାରୀ କମିଟି ନିର୍ବାଚନ ଆସନ୍ତା ମାର୍ଚ୍ଚ ୨୮ ତାରିଖ ଦିନ ଧାର୍ଯ୍ୟ କରାଯାଇଛି। କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାର ଠାରୁ ଆଶାୟୀ ପ୍ରାର୍ଥୀମାନେ ନିର୍ବାଚନ ଅଧିକାରୀ ସୁବ୍ରତ ପ୍ରଧାନଙ୍କ ନିକଟରେ ସେମାନଙ୍କ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ କରିଛନ୍ତି।
ପ୍ରାର୍ଥିପତ୍ର ଦାଖଲର ପ୍ରଥମ ଦିବସରେ ସଭାପତି ପଦବୀ ନିମନ୍ତେ ଲମ୍ବୋଦର ପଣ୍ଡା , ଉପସଭାପତି ପଦବୀ ନିମନ୍ତେ ରାମଚନ୍ଦ୍ର ସିଂ ପାତ୍ର , ସମ୍ପାଦକ ପଦବୀ ନିମନ୍ତେ ଅନିଲ କୁମାର ଦାସ, ସହ ସମ୍ପାଦକ ପଦବୀ ନିମନ୍ତେ ନୀଳାଦ୍ରି କେଶରୀ ସାହାଣୀ, ଏବଂ କୋଷାଧକ୍ଷ ପଦବୀ ନିମନ୍ତେ ମାନସ ରଞ୍ଜନ ପଣ୍ଡା ଦାଖଲ କରିଥିବା ବେଳେ ଶେଷ ଦିନ ସୋମବାର ସନ୍ଧ୍ୟା ସୁଦ୍ଧା ସଭାପତି ପଦ ନିମନ୍ତେ ଟି. ହରିଶ୍ଚନ୍ଦ୍ର ରାଓ, ଉପସଭାପତି ପଦ ନିମନ୍ତେ ରାମକୃଷ୍ଣ ଦାସ, ଲାଇବ୍ରେରୀ ସମ୍ପାଦକ ନିବେଦିତା ମଲ୍ଲିକ, ଏବଂ ସହକାରୀ ଲାଇବ୍ରେରୀ ସମ୍ପାଦକ ଭାବେ ତନ୍ମୟୀ ପଟ୍ଟନାୟକ ଏପରି ମୋଟ ୯ ଜଣ ନିଜ ନିଜର ନାମାଙ୍କନ ପତ୍ର ନିର୍ବାଚନ ଅଧିକାରୀ ଶ୍ରୀ ପ୍ରଧାନ ଙ୍କ ନିକଟରେ ଦାଖଲ କରିଛନ୍ତି ।
ଆସନ୍ତା ବୁଧବାର ପ୍ରାର୍ଥିପତ୍ର ଯାଞ୍ଚ ହେବ। ଯୋଗ୍ୟ ପ୍ରାର୍ଥୀ ତାଲିକା ଗୁରୁବାର ପ୍ରକାଶିତ ହେବ। କୌଣସି ପ୍ରାର୍ଥୀ ଚାହିଁଲେ ଶୁକ୍ରବାର ତାଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ। ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଆସନ୍ତା ଶନିବାର ପ୍ରକାଶ ପାଇବ। ଆସନ୍ତା ୨୮ ତାରିଖ ସକାଳ ୭:୩୦ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ହେବ। ୪ଟା ପରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ ବୋଲି ନିର୍ବାଚନ ଅଧିକାରୀ ଶ୍ରୀ ପ୍ରଧାନ ଜଣାଇଛନ୍ତି।






