Indus Valley Times

ଭାରତୀୟ ସ୍ବାଧୀନତା ସଂଗ୍ରାମର ମୁକ୍ତିଯୋଦ୍ଧା – ନେତାଜୀ ସୁଭାଷ ବୋଷ

 Breaking News

ଭାରତୀୟ ସ୍ବାଧୀନତା ସଂଗ୍ରାମର ମୁକ୍ତିଯୋଦ୍ଧା – ନେତାଜୀ ସୁଭାଷ ବୋଷ

ଭାରତୀୟ ସ୍ବାଧୀନତା ସଂଗ୍ରାମର ମୁକ୍ତିଯୋଦ୍ଧା – ନେତାଜୀ ସୁଭାଷ ବୋଷ
January 23
14:30 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଓଡ଼ିଶା, ୨୩/୧ : ମାତୃଭୂମିର ସେବା କରିବା ପାଇଁ ଯେଉଁ କେତେଜଣ ଜାତୀୟ ବୀର ଜୀବନକୁ ଉତ୍ସର୍ଗ କରିଥିଲେ ସେମାନଙ୍କ ମଧ୍ୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଥିଲେ ଅନ୍ୟତମ । ସମଗ୍ର ଭାରତକୁ ଯେତେବେଳେ ପରାଧୀନତାର ରାହୁ ଗ୍ରାସ କରିଥିଲା ।
ସେହି ସମୟରେ ଆଜାଦ ହିନ୍ଦ ଫୌଜ ଗଠନ କରି ବ୍ରିଟିଶ ଶାସକଙ୍କ ବିରୁଦ୍ଧରେ ରଣହୁଙ୍କାର ଦେଇ ଭାରତୀୟ ମାନଙ୍କ ହୃଦୟରେ ଏକ ବୈପ୍ଲବିକ ସଂଗ୍ରାମର ଆହ୍ୱାନ ଦୃଢ଼ୀଭୂତ କରି ଭାରତର ମୁକ୍ତିକାମୀ ଭାରତୀୟ ମାନଙ୍କ ମନରେ ଏକ ଅଭୂତପୂର୍ବ ଉନ୍ମଦନା ଓ ଦେଶ ପ୍ରେମର ରୋମାଞ୍ଚକର ପ୍ରେରଣା ସୃଷ୍ଟି କରିଥିବା ମୁକ୍ତି ଯୁଦ୍ଧର ସେନାପତି ଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ।
ଜଣେ ମେଧାବୀ ଛାତ୍ର ହୋଇ ମଧ୍ୟ ଛାତ୍ର ଅବସ୍ଥାରୁ ସୁଭାଷ ବୋଷ ଇଂରେଜ ମାନଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିଲେ ।
ଏହି ଅବିସ୍ମରଣୀୟ ବ୍ୟକ୍ତିତ୍ୱର ଜନ୍ମ ହୋଇଥିଲା ଓଡ଼ିଶା ମାଟିର ସଂସ୍କୃତି ସଂପନ୍ନ ଓ ଭାଇଚାରାର ସହର କଟକର ଓଡ଼ିଆ ବଜାର ଠାରେ ୧୮୯୭ ମସିହା ଜାନୁଆରୀ ୨୩ ତାରିଖ ଆଜିର ଦିନରେ ।
ଜଣେ ଖ୍ୟାତନାମା ଓକିଲ ଜାନକୀନାଥ ବୋଷଙ୍କର କୃତି ସନ୍ତାନ ଭାବେ ତାଙ୍କ ସ୍ଥାନ ଥିଲା ନବମରେ । ଛାତ୍ର ଜୀବନରୁ ରାଜନୈତିକ ସଂଘର୍ଷ ଓ ସ୍ଵାଧୀନତା ସଂଗ୍ରାମ ସ୍ୱପ୍ନ ଦେଖୁଥିଲେ ସୁଭାଷ ବୋଷ । ରଣହୁଙ୍କାର ଓ ଦେଶବାସୀଙ୍କୁ ନେତାଜୀଙ୍କ ଉଦବୋଧନ ପରାଧିନତାର ବେଢ଼ି ଭିତରେ ରହି ଦୃଢ଼ ଭାବେ ସଂଗ୍ରାମ ନ କଲେ ସ୍ୱାଧୀନତା ହାସଲ କରିହେବ ନାହିଁ, ଏହାକୁ ଜୋର ଜବରଦସ୍ତ ଛଡ଼ାଇ ଆଣିବାକୁ ପଡିବ \”ମୋତେ ରକ୍ତ ଦିଅ ମୁଁ ତମକୁ ସ୍ବାଧୀନତା ଆଣିଦେବି\” ନିଜର ଶକ୍ତି, ସାମର୍ଥ ବିନିମୟରେ ଆମେ ସ୍ୱାଧୀନତା ଲାଭ କରିବା ।
ଏହି ଉଦ୍ଧାମ ଗୁରୁଗମ୍ଭୀର ବାଣୀ ଥିଲା ସ୍ୱାଧୀନତା ସଂଗ୍ରାମର ଏକ ପ୍ରଜ୍ବଳିତ ଅନିର୍ବାଣ ଦୀପଶିଖା ଦେଶମୁକ୍ତି ସଂଗ୍ରାମର ମହାନ ଯୋଦ୍ଧା ସୁଭାଷ ବୋଷଙ୍କ ଉକ୍ତି । ଏହି ବଜ୍ର ଘୋଷଣା ତତ୍କାଳୀନ ବ୍ରିଟିଶ ଶାସକ ମାନଙ୍କ ମଧ୍ୟରେ ଭୟ ଓ ଆଶଙ୍କା ସୃଷ୍ଟି କରିଥିଲା। ସୁଭାଷ ବୋଷ ଦେଶପ୍ରେମ ଓ ଜାତି ପ୍ରେମରେ ବିହ୍ଵଳିତ ହୋଇ ସମ୍ମାନସ୍ପଦ ଉ.ଝ(ଆଇ.ସି.ଏସ) ପଦ ତ୍ୟାଗ କରି ଦେଶ ମାତୃଭୂମିର ସେବା ପାଇଁ ଜୀବନକୁ ସମର୍ପଣ କରିଦେଇଥିଲେ। ସେ ଥିଲେ ଦେଶର ସମ୍ପତ୍ତି ।
ଏକ ବିଶ୍ଵବ୍ୟାପୀ ବ୍ୟକ୍ତିତ୍ୱ । କେନ୍ଦ୍ର ସରକାରଙ୍କ ଦ୍ଵାରା ୨୦୨୧ ମସିହାରୁ ନେତାଜୀଙ୍କ ଜନ୍ମ ଦିବସ ତଥା ଜାନୁଆରୀ ୨୩ କୁ ପରାକ୍ରମ ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମଧ୍ୟ ଖୋର୍ଦ୍ଧା ମାରୱାଡ଼ି ପଟ୍ଟି ସ୍ଥିତ ମଥୁରା ପ୍ରସାଦ ରାମଙ୍କ ଘରେ ନେତାଜୀଙ୍କ ଜନ୍ମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଥିଲା ।
ମଥୁରା ପ୍ରସାଦ ରାମଙ୍କ ବାପା ଗୁଲଜାର ରାମ ସେତେବେଳେ ଖୋରଧାର ଏକ ମାତ୍ର ଆୟକର ଦେଉଥିଲେ। କଟକର ପ୍ରସିଦ୍ଧ ଓକିଲ ଜାନକୀନାଥ ବୋଷ ଗୁଲଜାରଙ୍କ ଅଧିକ କେସ ଲଢ଼ୁଥିବାରୁ ତାଙ୍କର ପୁତ୍ର ସୁଭାଷ ବୋଷଙ୍କ ସହ ଗୁଲଜାରଙ୍କ ପୁତ୍ର ମଥୁରା ପ୍ରସାଦ ରାମଙ୍କ ସଜ ସମ୍ପର୍କ ସ୍ଥାପନ ହେଲା ।
୧୯୩୯ ମସିହାରେ ନେତାଜୀ ଖୋରଧା ଆଗମନ କାଳରେ ମଥୁରା ପ୍ରସାଦ ତାଙ୍କୁ ପ୍ରଦାନ ପୁଷ୍ପ ମାଲ୍ୟ ସର୍ବ ସମ୍ମୁଖରେ ୨୦୦ ଟଙ୍କାରେ ନିଲାମ ନେଇ ନିର୍ଭୟତା ଓ ଦେଶ ପ୍ରେମର ଦୃଷ୍ଟାନ୍ତ ଦେଇଥିଲେ ।ଏହି ଅର୍ଥ ସ୍ୱାଧୀନତା ସଂଗ୍ରାମ ପାଣ୍ଠିକୁ ଯାଇଥିଲା (ସ୍ବପ୍ରଣୀତ ଗ୍ରନ୍ଥିରେ ଉଲ୍ଲେଖ)। ମଥୁରା ପ୍ରସାଦ ନେତାଜୀଙ୍କ ପ୍ରତି ସମ୍ମାନ ଜଣାଇ ପ୍ରତିବର୍ଷ ଜାନୁଆରୀ ୨୩ ତାରିଖରେ ନିଜ ବାସ ଭବନରେ ତାଙ୍କ ଜୟନ୍ତୀ ପାଳନ କରିଆସୁଥିଲେ । ଏବେ ତାଙ୍କ ସୁପୁତ୍ର ବିଜୟ କୁମାର ଦଶରାପୁରିଆ ପାଳନ କରୁ ଆସୁଛନ୍ତି ।
ଏହି ଅବସରରେ ସ୍ଥାନୀୟ ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ (ଗଣେଶ) ଯୋଗଦେଇ ନେତାଜୀଙ୍କ ଫୋଟୋରେ ପୁଷ୍ପ ମାଳ ଅର୍ପଣ କରି ଏହି ମହାନ ଯୋଦ୍ଧାଙ୍କ ସମ୍ପର୍କରେ ନିଜର ବକ୍ତବ୍ୟରେ କହିଥିଲେ ଆଜି ହେଉଛି ଦୁଇ ମହାନ ବିପ୍ଲବୀ ,ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମ ଦିନ ।
ନେତାଜୀ ସୁଭାଷ ବୋଷଙ୍କ ସମ୍ପର୍କରେ କହିଥିଲେ ଆଜି ସୁଭାଷ ବୋଷଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ଦେଶ ପାଳନ କରୁଛି । ନେତାଜୀଙ୍କ ବିରାଟ ବ୍ୟକ୍ତିତ୍ୱ ପ୍ରଗାଢ଼ ଦେଶପ୍ରେମ ଭାରତୀୟ ମାନଙ୍କ ହୃଦୟରେ ଚିର ଦିନ ପାଇଁ ମନେ ରହିବ ।
ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଅଧିବକ୍ତା ତଥା ସମାଜର ଜିଲ୍ଲା ପ୍ରତିନିଧି ସନତ ପଟ୍ଟନାୟକ, ଓଡ଼ିଶା ସାମ୍ବାଦିକ ସଂଘର ରାଜ୍ୟ ସମ୍ପାଦକ ପ୍ରସନ୍ନ ପାଇକରାୟ , ସରକାରୀ ଅଧିବକ୍ତା ରଜନୀ ପଟ୍ଟନାୟକ,ବିଜେପି ନେତା ନିକୁଞ୍ଜ ପଟ୍ଟନାୟକ, ସାମ୍ବାଦିକ ଅନସର ଅଲ୍ଲୀ, ସୂର୍ଯ୍ୟ ମହାନ୍ତି, ଶୁଭଲକ୍ଷ୍ମୀ ସାମନ୍ତରା, ପୂର୍ବତନ କାଉନସିଲର ବିଜୟ ସେଠି, ବିଭୁ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମକୁ ବିଜୟ କୁମାର ଦଶରାପୁରିଆ ,ଆଦର୍ଶ ଦଶରାପୁରିଆ ସଂଯୋଜନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031