Indus Valley Times

ଭାରତ ବର୍ଷର ଗୌରବମୟ ଗଣତାନ୍ତ୍ରିକ ଯାତ୍ରାରେ ଯାଜପୁର ମାଟିର ଅବଦାନ ଅତୁଳନୀୟ: ଜିଲ୍ଲାପାଳ ଅମ୍ବର କର

 Breaking News

ଭାରତ ବର୍ଷର ଗୌରବମୟ ଗଣତାନ୍ତ୍ରିକ ଯାତ୍ରାରେ ଯାଜପୁର ମାଟିର ଅବଦାନ ଅତୁଳନୀୟ: ଜିଲ୍ଲାପାଳ ଅମ୍ବର କର

January 26
19:43 2026

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୨୬/୧ : ସ୍ଥାନୀୟ କୁସୁମା ସମ୍ମୁଖ ପଡ଼ିଆରେ ୭୭ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଜାତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯାଜପୁର ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଜାତୀୟ ପତାକା ଉତ୍ତୋଳନ ଓ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ।
ଜିଲ୍ଲାପାଳଙ୍କ ସହ ଆରକ୍ଷୀ ଅଧିକ୍ଷକ ଶ୍ରୀ ୟଶପ୍ରତାପ ଶ୍ରୀମଲ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ନିଜ ଅଭିଭାଷଣରେ ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଐତିହ୍ୟ ସମୃଦ୍ଧ ଯାଜପୁର ଜିଲ୍ଲାବାସୀଙ୍କୁ ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ଜିଲ୍ଲାପାଳ ଶ୍ରୀ କର କହିଥିଲେ, \”ହଜାର ହଜାର ସଂଗ୍ରାମୀଙ୍କ ସଂଘର୍ଷ, କାରାବରଣ ଏବଂ ବଳିଦାନ ପରେ ୧୯୪୭ ମସିହାରେ ଭାରତ ବ୍ରିଟିଶ କବଳରୁ ସ୍ଵାଧୀନତା ପାଇଥିଲା ଏବଂ ସମ୍ବିଧାନ ପ୍ରଣୟନ ସଭାର ଦୀର୍ଘ ୨ ବର୍ଷ ୧୧ ମାସ ୧୮ ଦିନର ବିତର୍କ ଓ ପରିଶ୍ରମ ପରେ ୧୯୫୦ ମସିହା ଜାନୁଆରୀ ୨୬ରେ ଶ୍ରୀ ବାବା ସାହେବ ଆମ୍ବେଦକରଙ୍କ ଦ୍ଵାରା ଆମ ଦେଶର ଲିଖିତ ସମ୍ବିଧାନ ଓ ଶାସନ ଚଲାଇବା ପାଇଁ ଖସଡ଼ା କାର‌୍ୟ୍ୟକାରୀ ହୋଇଥିଲା।
ଏହି ସମ୍ବିଧାନ ଦ୍ଵାରା ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହୋଇଥିଲା। ସମ୍ବିଧାନ ଆମ ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧିବା ସହ ମୌଳିକ ଅଧିକାରକୁ ସୁରକ୍ଷା ପ୍ରଦାନ କରିଛି।
ଭାରତ ବର୍ଷର ଗୌରବମୟ ଗଣତାନ୍ତ୍ରିକ ଯାତ୍ରାରେ ଯାଜପୁର ମାଟିର ଅନେକ ବୀର ସ୍ଵାଧୀନତା ସଂଗ୍ରାମୀ ଏବଂ ଜନନାୟକଙ୍କ ମଧ୍ୟ ବଳିଷ୍ଠ ଅବଦାନ ରହିଛି।\” ଜନସାଧାରଣଙ୍କ ସୁବିଧା ପାଇଁ ତଥା ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଓଡ଼ିଶା ସରକାର ଏବଂ ଜିଲ୍ଲା ପ୍ରଶାସନ ବିଗତ ଦିନରେ ଅନେକ ଗୁଡ଼ିଏ ପଦକ୍ଷେପ ନେଇଛନ୍ତି।
ଜିଲ୍ଲାପାଳ ଶ୍ରୀ କର ରାଜ୍ୟ ସରକାରଙ୍କ ତଥା ଜିଲ୍ଲା ପ୍ରଶାସନର ଲୋକାଭିମୁଖୀ କାମ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ।
ଏହା ପରେ ମୁଖ୍ୟ ଅତିଥି ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ, ଉଦ୍ୟାନ କୃଷିରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଶ୍ରୀମତୀ ସୁମନ ପ୍ରଧାନଙ୍କୁ ପ୍ରାଣକୃଷ୍ଣ କର ସ୍ମାରକୀ ଟ୍ରଫି ସହ ୧୦୦୦ ଟଙ୍କାର ପ୍ରୋତ୍ସାହନ ରାଶି, ଶ୍ରେଷ୍ଠ ପ୍ରଶାସନିକ ଅଧିକାରୀ ଭାବେ ସହକାରୀ ଜିଲ୍ଲାପାଳ ସ୍ମରଣିକା ଦାଶ ଏବଂ ଉପ ଆରକ୍ଷୀ ଅଧିକ୍ଷକ ଶରତ ଚନ୍ଦ୍ର ପାତ୍ରଙ୍କୁ ପ୍ରିୟମ୍ବଦା ଦେବୀ ସ୍ମାରକୀ ଟ୍ରଫି, ଉତ୍ତରୀୟ ଓ ମାନପତ୍ର ସହ ଗୋଟିଏ ଫଳ ଚାରା ବଣ୍ଟନ କରିଥିଲେ।
ସମ୍ମିଳିତ ପ୍ୟାରେଡରେ ସଶସ୍ତ୍ର ବାହିନୀ, ପୋଲିସ ବ୍ୟାଣ୍ଡ ପାର୍ଟି, ମହାବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଓ ମଧ୍ୟ ଇଂରାଜୀ ବିଦ୍ୟାଳୟ, ଏନ୍.ସି.ସି. ସ୍କାଉଟ୍ ଓ ଗାଇଡ, ସିଭିଲିଆନ ଦଳଙ୍କୁ ନେଇ ମୋଟ ୫୨ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ। ସଂରକ୍ଷିତ ଆରକ୍ଷୀ ନିରୀକ୍ଷକ ଶ୍ରୀ ଦିନେଶ କୁମାର ସାହୁ ଓ ଶ୍ରୀଯୁକ୍ତ ମନୋଜ କୁମାର ସାହୁ ପ୍ୟାରେଡ ପରିଚାଳନା କରିଥିଲେ।
ପ୍ୟାରେଡରେ ବିଭିନ୍ନ ବର୍ଗରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଦଳଗୁଡ଼ିକୁ ଅତିଥିମାନେ ପୁରସ୍କୃତ କରିଥିଲେ।
ଏଥିସହ ପ୍ୟାରେଡ ଇନ୍ କମାଣ୍ଡ ରିଜର୍ଭ ଇନ୍ସପେକ୍ଟର ଅଫ ପୋଲିସ ଶ୍ରୀ ଦିନେଶ କୁମାର ସାହୁ ଏବଂ ସେକେଣ୍ଡ ଇନ୍ କମାଣ୍ଡ ଶ୍ରୀ ମନୋଜ କୁମାର ସାହୁଙ୍କୁ ପୁରସ୍କୃତ କରାଯାଇଥିଲା। ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ବାଳାଶ୍ରମ, କୁଷ୍ଠାଶ୍ରମ ଓ ଜେଲର ଅନ୍ତେବାସୀମାନଙ୍କୁ ମିଷ୍ଟାନ୍ନ, ବସ୍ତ୍ର ଇତ୍ୟାଦି ବଣ୍ଟନ କରିବା ସହ ମୁଖ୍ୟ ଚିକିତ୍ସାଳୟର ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ।
ପୂର୍ବରୁ ମୁଖ୍ୟ ଅତିଥି କିଆନାଳୀ ସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି, ଗାନ୍ଧୀ ଛକ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।
ପ୍ରତ୍ୟୁଷ ଘ.୪.୩୦ ମିନିଟ ସମୟରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ରାମଧୂନ୍ ପରିବେଷଣ କରାଯାଇଥିଲା।
ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀମାନେ ପ୍ରଭାତ ଫେରୀ କରିଥିଲେ। ୭୭ତମ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନଳିନୀ ପ୍ରଭା ଜେନା, ଜିଲ୍ଲା ପରିଷଦ ଉପସଭାପତି ଶ୍ରୀ ଗଣେଶ୍ୱର ବରାଳ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ ଶିବାନନ୍ଦ ସ୍ୱାଇଁ, ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୂରୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଉପଖଣ୍ଡ ପୋଲିସ ଅଧିକାରୀ, ଉପ ଆରକ୍ଷୀ ଅଧିକ୍ଷକ, ବିଭିନ୍ନ ବିଭାଗର ଅଧିକାରୀ, ଜିଲ୍ଲାର ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି, ଲୋକ ପ୍ରତିନିଧି, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ସାଧାରଣ ଜନତା ପ୍ରମୁଖ ଯୋଗ ଦେଇଥିଲେ ।
ଦିବସର ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031