Indus Valley Times

ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଓ ମଞ୍ଚେଶ୍ୱର ଅଞ୍ଚଳରେ ମଶାଙ୍କ ଉତ୍ପାତ: ବିଏମସି ସାଜିଛି ନିଦାବିଷ୍ଣୁ

 Breaking News

ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଓ ମଞ୍ଚେଶ୍ୱର ଅଞ୍ଚଳରେ ମଶାଙ୍କ ଉତ୍ପାତ: ବିଏମସି ସାଜିଛି ନିଦାବିଷ୍ଣୁ

ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଓ ମଞ୍ଚେଶ୍ୱର ଅଞ୍ଚଳରେ ମଶାଙ୍କ ଉତ୍ପାତ: ବିଏମସି ସାଜିଛି ନିଦାବିଷ୍ଣୁ
November 22
10:34 2021

ଚନ୍ଦ୍ରଶେଖରପୁର,୨୨/୧୧: କିଛି ଦିନ ହେଲା ଚନ୍ଦ୍ରଶେଖରପୁର ଓ ମଞ୍ଚେଶ୍ବର ଅଞ୍ଚଳରେ ମଶାଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ବଡ଼ଗଡ଼ ବ୍ରିଟ୍ କଲୋନି ଅଞ୍ଚଳର ଅବସ୍ଥା ବି ଅସମ୍ଭାଳ। କି ସଂଜ, କି ରାତି; ଦିନ ବେଳା ବି ମଶାଙ୍କ ଦାଉରେ ରହି ହେଉନାହିଁ। ଘରେ, ବାହାରେ ସବୁଆଡ଼େ ମଶା ଭଣଭଣ ହେଉଛନ୍ତି ଓ କାମୁଡ଼ି କାମୁଡ଼ି ଅସ୍ତବ୍ୟସ୍ତ କରି ପକାଉଛନ୍ତି।
ଦିନ ବେଳା ବି ଘରେ ସ୍ବାଭାବିକ ଭାବେ ଚଳପ୍ରଚଳ ହେବା ପାଇଁ ମଶା ଧୂପକାଠି ଲଗାଇବାକୁ ପଡ଼ୁଛି। ଏମିତିକି ପିଲାମାନେ ଘରେ ବସି ପଢ଼ିବା ବେଳେ ମଶାରି ଟାଣିବାକୁ ପଡ଼ୁଛି ବୋଲି ଲୋକେ କହୁଛନ୍ତି। କିଛି ବର୍ଷ ହେଲା
ଏହି ଅଞ୍ଚଳ ରାଜଧାନୀର ଡେଙ୍ଗୁପ୍ରବଣ ସ୍ଥାନ ଭାବେ ଜଣାଶୁଣା ହୋଇଥିଲେ ବି ମଶା ମାରିବା ପାଇଁ ବିଏମ୍ସି କର୍ତ୍ତୃପକ୍ଷ କିଛି କରୁନଥିବା ଅଭିଯୋଗ ହେଉଛି।
ଚନ୍ଦ୍ରଶେଖରପୁର ଓ ମଞ୍ଚେଶ୍ବର ଅଞ୍ଚଳର ଲୋକଙ୍କ ଅଭିଯୋଗ, ସମସ୍ୟା ବଢ଼ିଗଲେ ବିଏମ୍ସିର ନିଦ ଭାଙ୍ଗୁଛି। ଅଥଚ ଆରମ୍ଭରୁ ସମାଧାନର ବାଟ ବାହାର କରିବା ପାଇଁ ବିଏମ୍ସି ଉଦ୍ୟମ କରୁନାହିଁ। ଚଳିତ ବର୍ଷ ଉଭୟ ଅଞ୍ଚଳରୁ ଶତାଧିକ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ। ଡେଙ୍ଗୁ ବ୍ୟାପିବା ପରେ ବିଏମ୍ସିର ଚେତା ପଶିଥିଲା।
କଲୋନି ଓ ବସ୍ତି ଅଞ୍ଚଳର ନାଳ ନର୍ଦ୍ଦମାଗୁଡ଼ିକୁ ସଫା କରାଗଲା ଓ ମଶା ଓୗଷଧ ସିଞ୍ଚନ କରାଗଲା। ସେହିଭଳି ଟିଫା ମେସିନ୍ ଦ୍ବାରା ଧୂଆଁ ବୁଲାଇବା ଆରମ୍ଭ ହୋଇଥିଲା। ମାତ୍ର ଏବେ ସବୁ ଠପ୍ ହୋଇଯାଇଛି। କିଛି ଦିନ ପୂର୍ବେ ସଫେଇ କର୍ମଚାରୀମାନେ କାର‌୍ୟ୍ୟବନ୍ଦ ଆନ୍ଦୋଳନ କରିଥିଲେ। ତେଣୁ ରାସ୍ତାଘାଟରେ ଆବର୍ଜନା ଗଦା ହୋଇ ରହିଲା। ଦିନ ଦିନ ଧରି ଅଳିଆ ଗଦା ହୋଇ ରହିବାରୁ ତାହା ପଚିସଢ଼ି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କଲା।
ଫଳରେ ଚାରିଆଡ଼େ ମଶା ବଂଶ ବୃଦ୍ଧି ପାଇଲା। ସେହିଭଳି ନିକଟରେ ଲଘୁଚାପ ବର୍ଷା କାରଣରୁ ବିଭିନ୍ନ ଖାଲଖମାରେ ପାଣି ଭର୍ତ୍ତି ହୋଇଯାଇଛି ଓ ସେଗୁଡ଼ିକ ମଶାବଂଶ ବଢ଼ାଇବାରେ ସହାୟକ ହୋଇଛି।
ଏବେ ଡ଼େଙ୍ଗୁ କିଛି ମାତ୍ରା ଥମିଥିଲେ ହେଁ ମଶା କାମୁଡ଼ାରେ ଲୋକେ ମ୍ୟାଲେରିଆ, ଫାଇଲେରିଆ ଓ ଜାପାନିଜ୍ ଏନ୍ସେଫାଲାଇଟିସ୍ ଭଳି ରୋଗରେ ଆକ୍ରାନ୍ତ ହେବା ଆଶଙ୍କା ବଢ଼ିଛି ବୋଲି ସ୍ଥାନୀୟ ଅଞ୍ଚଳର ଏକ ଘରୋଇ ହସ୍ପିଟାଲର ଡାକ୍ତର ପ୍ରଶାନ୍ତ ପାତ୍ର କହିଛନ୍ତି।
ତେଣୁ ତୁରନ୍ତ ମଶା ମାରିବା ପାଇଁ ବିଏମ୍ସି କର୍ତ୍ତୃପକ୍ଷ ତତ୍ପରତା ପ୍ରଦର୍ଶନ କରିବା ଜରୁରୀ ହୋଇପଡ଼ିଛି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଶିଖରଚଣ୍ଡୀ, ଚୁନକୋଳି, ଜଳିମୁଣ୍ଡା ବସ୍ତି, ଚିରଗାଲଟୋଲା, ଶିଶୁବିହାର, ପଟିଆଖଣି, ମଙ୍ଗଳା ସାହି, ତାରିଣୀସାହି, ଶୈଳଶ୍ରୀବିହାର, ଡମଣା, ଗାଡ଼କଣ, ରଙ୍ଗମାଟିଆ, ଲାଇନ୍ସାହି, ପାତ୍ରସାହି, ଧରିକୁଟି ବସ୍ତି, ବିଡିଏ କଲୋନି ଓ ଭିଏସ୍ଏସ୍ନଗର ଅଞ୍ଚଳରେ ମଶାଙ୍କ ଉତ୍ପାତ ଅସହ୍ୟ ହୋଇପଡ଼ିଲାଣି ବୋଲି ଅଭିଯୋଗ ହେଉଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031