ମହଣ ମହଣ ସୁନାରେ ଝଟକୁଛନ୍ତି ଚତୁର୍ଦ୍ଧାମୂରତି, ସୁନାବେଶରେ ଭକ୍ତଙ୍କୁ ଦେଉଛନ୍ତି ଦର୍ଶନ
July 06
19:33
2025
ପୁରୀ, ୬/୭ : ଧାର୍ଯ୍ୟ ନୀତି ନିର୍ଘଣ୍ଟ ପୂର୍ବରୁ ଅପରାହ୍ନ ୪.୪୫ ଠାରୁ ମହାପ୍ରଭୁଙ୍କ ଦିବ୍ୟ ଓ ଭବ୍ୟ ସୁନାବେଶ ଆରମ୍ଭ ହୋଇଛି। ଦୁର୍ଲଭ ବଡ଼ ତଢ଼ାଉ ବେଶ ବା ସୁନାବେଶରେ ଚତୁର୍ଦ୍ଧାମୂର୍ତ୍ତି ରଥ ଉପରେ ଦର୍ଶନ ଦେଉଛନ୍ତି। ଶ୍ରୀଜିଉମାନେ ରବିବାର ରାତି ୧୧ଟା ଯାଏଁ ସୁନାବେଶରେ ଦର୍ଶନ ଦେବେ। ଶ୍ରୀକ୍ଷେତ୍ରରେ ପ୍ରବଳ ଜନସମାଗମ ହୋଇଛି।
ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ପ୍ରତିଟି ଗଳିକୁ ସିଲ୍ କରିଦିଆଯାଇଛି। ପାସ୍ଧାରୀଙ୍କ ଗାଡ଼ି ବି ଛଡ଼ା ଯାଉନି। ଏକାଧିକ ଜାଗାରେ ବିବାଦ ହେବାରୁ ସହରବାସୀଙ୍କୁ ଗାଡ଼ି ନ କାଢ଼ିବାକୁ ନିବେଦନ କରିଛି ପୁଲିସ।
ରଥ ନିକଟରେ ପ୍ରବଳ ଭିଡ଼ ହୋଇଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏଣେ ଚନ୍ଦନପୁରରୁ ପୁରୀ ପର୍ଯ୍ୟନ୍ତ ଭୟଙ୍କର ଭିଡ଼ ହୋଇଛି। ଚନ୍ଦନପୁରରୁ ସାକ୍ଷୀଗୋପାଳ ପହଞ୍ଚିବାକୁ ଦେଢ଼ଘଣ୍ଟା ଲାଗୁଛି। ପ୍ରଶାସନ ପ୍ରସ୍ତୁତ କରିଥିବା ସବୁ ପାର୍କଂ ଭର୍ତ୍ତି ହୋଇଯାଇଛି। କୌଣସି ଗାଡ଼ି ମାଳତିପାଟପୁରରୁ ସିଧା ସହର ଭିତରକୁ ଛଡ଼ା ଯାଉ ନାହିଁ।






