Indus Valley Times

ମେଡିକାଲ କଲେଜ ସିଟ୍ ଦେବା ନାଁରେ ଠକେଇ, ବନ୍ଧାହେଲେ ଦୁଇ ଠକ

 Breaking News

ମେଡିକାଲ କଲେଜ ସିଟ୍ ଦେବା ନାଁରେ ଠକେଇ, ବନ୍ଧାହେଲେ ଦୁଇ ଠକ

ମେଡିକାଲ କଲେଜ ସିଟ୍ ଦେବା ନାଁରେ ଠକେଇ, ବନ୍ଧାହେଲେ ଦୁଇ ଠକ
May 21
15:51 2022

ଭୁବନେଶ୍ୱର, ୨୧/୫: ଏଣ୍ଟ୍ରାନ୍ସରେ ଭଲ ରାଙ୍କ ନ ରଖି ମଧ୍ୟ ମିଳିବ ମେଡିକାଲ କଲେଜରେ ଏଣ୍ଟ୍ରି। ତାହା ସହ ନିଜ ମନ ମୁତାବକ ବ୍ରାଞ୍ଚରେ ପଢ଼ିବାର ସୁଯୋଗ ବି ମିଳିବ। ଏହା ସବୁ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ଥିବା ବେଳେ ଏପରି ସୁଯୋଗ ମିଳିଲେ କେଉଁ ଛାତ୍ରଛାତ୍ରୀ ବା ହାତଛଡ଼ା କରିବ! ଛାତ୍ରଛାତ୍ରୀଙ୍କ ଏହି ଦୁର୍ବଳତାର ସୁଯୋଗ ନେଇ ପ୍ରାୟ ୧୦ ବର୍ଷ ହେଲା ମାଲେମାଲ ହୋଇଥିବା ୨ ଆନ୍ତଃରାଜ୍ୟ ଠକଙ୍କୁ ଶେଷରେ ବାନ୍ଧିଛି କମିଶନରେଟ ପୁଲିସ୍।
ମେଡିକାଲ କଲେଜରେ ନାମ ଲେଖାଇବାର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କଠାରୁ ୩୦ ଲକ୍ଷ ଟଙ୍କା ଠକି ନେଇଥିଲେ ଏଇ ଦୁଇ ଠକ। ସେମାନଙ୍କ ନିକଟରୁ ୧୧ ଲକ୍ଷ କ୍ୟାସ୍ ଉଦ୍ଧାର ହୋଇଛି। ଗିରଫ ୨ ଯୁବକ ହେଲେ ବିହାରର ଅଭିମନ୍ୟୁ କୁମାର ସିଂହ ଓ କୋଲକାତାର ସୁବୋଧ ଚୌଧୁରୀ।
ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ଗତ ୫ ତାରିଖରେ ଇନଫୋସିଟି ଥାନାରେ ଏନେଇ ଜଣେ ଯୁବତୀ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍ ଏହି ଘଟଣାର ଖୋଳତାଡ଼ ଆରମ୍ଭ କରି ଅଭିମନ୍ୟୁଙ୍କୁ ପାଟଣାରୁ ଓ ସୁବୋଧଙ୍କୁ କୋଲକତାରୁ ଗିରଫ କରିଛି। ସେମାନେ ସବୁବେଳେ ଛଦ୍ମ ନାମ ଅମିତ ବାନାର୍ଜୀ ଓ ବିକାଶ ରଞ୍ଜନ ନାଁରେ କାରବାର କରୁଥିଲେ।
ଗିରଫ ୨ ଯୁବକ ସମ୍ପୃକ୍ତ ଯୁବତୀଙ୍କୁ ଇନଫୋସିଟି ଥାନା ଅଞ୍ଚଳରେ ଥିବା ଘରୋଇ ମେଡିକାଲ୍ କଲେଜରେ ନିଜ ଇଚ୍ଛା ମୁତାବକ ବ୍ରାଞ୍ଚରେ ଆଡମିଶନ କରାଇ ଦେବାର ପ୍ରଲୋଭନ ଦେଖାଇଥିଲେ। ଯୁବତୀ ଜଣକ ତାଙ୍କୁ ଭରସା କରି ୩୦ ଲକ୍ଷ ଟଙ୍କା ଦେଇଥିବା ସତ୍ତ୍ୱେ କାମ ନ ହେବାରୁ ଏ ନେଇ ସେ ଥାନାର ଦ୍ୱାରସ୍ଥ ହୋଇଥିଲେ।
ଅଭିମନ୍ୟୁ ଓ ସୁବୋଧ ଦୁହେଁ ଇଞ୍ଜିନିୟରିଂ ଗ୍ରାଜୁଏଟ ହୋଇଥିବା ବେଳେ ବର୍ଷ ବର୍ଷ ଧରି ମେଡିକାଲ କଲେଜରେ ନାଁ ଲେଖାଇଦେବାକୁ କହି ଲୁଟୁଥିଲେ ଲକ୍ଷଲକ୍ଷ ଟଙ୍କା। ସେମାନେ କର୍ଣ୍ଣାଟକ, ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ବିହାରରେ ଥିବା ମେଡିକାଲ କଲେଜ ସମ୍ପର୍କରେ ଟିକନିଖି ତଥ୍ୟ ରଖୁଥିଲେ। କେତେ ସିଟ୍ ଫିଲଅପ୍ ହେଲା, ଆଉ କେତେ ବାକି ରହିଲା, ତାହାର ହିସାବ କିତାବ ବି ରଖୁଥିଲେ ଏହି ୨ ଠକ। ଏହି ତଥ୍ୟ ଜରିଆରେ ଆଶାୟୀ ଛାତ୍ରଛାତ୍ରୀଙ୍କୁ ଠକିବାକୁ ସେମାନଙ୍କୁ ସୁବିଧା ହେଉଥିଲା।
ଏଥିନିମନ୍ତେ ସେମାନେ ଏଣ୍ଟ୍ରାନ୍ସ ରେଜଲ୍ଟ ବାହାରିବାକୁ ଅପେକ୍ଷା କରୁଥିଲେ। ଏହାପରେ ନେଟରୁ ଛାତ୍ରଛାତ୍ରଙ୍କ ଡାଟା ସଂଗ୍ରହ କରି ସେମାନଙ୍କ ନିକଟକୁ ମେସେଜ ପଠାଉଥିଲେ। ଏଥିନିମନ୍ତେ ସେମାନେ ବିଭିନ୍ନ ଆପ୍ ବ୍ୟବହାର କରୁଥିଲେ। ଯେଉଁମାନେ ସେମାନଙ୍କ ମେସେଜର ରିପ୍ଲାଏ କରୁଥିଲେ, ସେମାନଙ୍କ ସହ ଯୋଗାଯୋଗ କରୁଥିଲେ। ଯୋଗାଯୋଗ ନିମନ୍ତେ ସେମାନେ ଏପରି ଆପ୍ ବ୍ୟବହାର କରୁଥିଲେ, ଯାହାଦ୍ୱାରା ଟ୍ରୁ କଲରରେ ମଧ୍ୟ ପ୍ରକୃତ ନାମ ଆସିବ ନାହିଁ। ଫଳରେ ସେମାନେ ଛଦ୍ମନାମରେ ବିଛାଉଥିଲେ ଜାଲ ।
ସେମାନେ ନିଜକୁ କଲେଜ ଅଧିକାରୀ ଭାବେ ପରିଚୟ ଦେଇ ଛାତ୍ରଛାତ୍ରୀ ତଥା ସେମାନଙ୍କ ଅଭିଭାବକଙ୍କ ମନରେ ବିଶ୍ୱାସ ଜନ୍ମାଉଥିଲେ। ବିଭିନ୍ନ ଜାଗାରେ ଭେଟି ମେଡିକାଲ କଲେଜରେ ଆଡମିଶନ କରାଇ ଦେବାର ପ୍ରଲୋଭନ ଦେଖାଇ ସେମାନଙ୍କୁ ନିଜ ଟ୍ରାପ୍ରେ ଫସାଉଥିଲେ। ଏହାପରେ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରି ଛୁ ମାରୁଥିଲେ। ସେମାନେ କିଛି ପିଲାଙ୍କୁ ମେଡିକାଲ କଲେଜରେ ଆଡମିଶନ କରାଇ ଦେଇଥିବା ତଦନ୍ତରୁ ଜଣାପଡ଼ିଥିବା କହିଛନ୍ତି ଡିସିପି।
ଫେକ୍ ଆଧାର କାର୍ଡରେ ଚଳାଇଥିଲେ କାରବାର
ବିଭିନ୍ନ ରାଜ୍ୟର ମେଡିକାଲ କଲେଜରେ ଆଡମିଶନ କରାଇ ଦେବା ନିମନ୍ତେ ଉଭୟ ଅଭିମନ୍ୟୁ ଓ ସୁବୋଧ ବିଭିନ୍ନ ରାଜ୍ୟକୁ ଯାଉଥିଲେ। ଛାତ୍ରଛାତ୍ରୀ ତଥା ସେମାନଙ୍କ ଅଭିଭାବକଙ୍କୁ ଦେଖା କରୁଥିଲେ। ଏଥିନିମନ୍ତେ ସେମାନେ ଫ୍ଲାଇଟ୍ରେ ଯାଉଥିବା ବେଳେ ବଡ଼ ବଡ଼ ହୋଟେଲରେ ରହୁଥିଲେ। ହେଲେ ଏଥିନିମନ୍ତେ ସେମାନେ ଫେକ୍ ଆଧାର କାର୍ଡ ବ୍ୟବହାର କରୁଥିବା ବେଳେ କେହି ଜାଣିପାରୁ ନ ଥିଲେ।
ଏହି ରାକେଟରେ ଏହି ୨ ଜଣ ସମ୍ପୃକ୍ତ ଥିବା ଜଣାପଡ଼ିଥିବା ବେଳେ ଆବଶ୍ୟକତା ହିସାବରେ ଅନ୍ୟମାନଙ୍କ ସାହାଯ୍ୟ ନିଅନ୍ତି। ହେଲେ ଏହି ରାକେଟ ଅଭିମନ୍ୟୁ ଓ ସୁବୋଧ ହିଁ ଚଳାଉଥିଲେ ବୋଲି ଡିସିପି ପ୍ରତୀକ ସିଂହ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031