Indus Valley Times

ଯନ୍ତାରେ ପଡ଼ିଲା ନୂଆପଡ଼ାର ମଣିଷଖିଆ ବାଘ

 Breaking News

ଯନ୍ତାରେ ପଡ଼ିଲା ନୂଆପଡ଼ାର ମଣିଷଖିଆ ବାଘ

November 05
08:49 2023

ନୂଆପଡ଼ା,୫/୧୧: ଶେଷରେ ଯନ୍ତାରେ ପଡ଼ିଲା ମଣିଷଖିଆ ବାଘ (କଲରାପତିରିଆ)। ଗତ ୫ ଦିନ ଧରି ନୂଆପଡ଼ା ଜିଲ୍ଲାରେ ଉତ୍ପାତ ଚଳାଇଥିବା ଏହି ବାଘ ଆଜି ସନ୍ଧ୍ୟା ବେଳେ କୋଦୋପାଲି ଗାଁକୁ ଆସିଥିଲା ବେଳେ ଧରାପଡ଼ିଛି। ଗାଁରେ ବୁଲୁଥିବା ବେଳେ ଗ୍ରାମବାସୀ ପାଟି କରିବାରୁ ବାଘ ଗାଁର ଜିରାଖଣ୍ଡ ସାହୁଙ୍କ ଘର ଭିତରେ ପଶି ଯାଇଥିଲା। ଉକ୍ତ ଘରେ କେହି ରହୁନଥିଲେ ଓ ତାହା ଖାଲି ପଡ଼ିଥିଲା। ଗ୍ରାମବାସୀ ସଙ୍ଗେସଙ୍ଗେ ଘର କବାଟ ବନ୍ଦ କରି ଦେଇଥିଲେ। ବନ ବିଭାଗ କର୍ମଚାରୀ ପହଞ୍ଚି ବାଘକୁ ଗ୍ୟାସ୍ ପ୍ରୟୋଗ କରି ଚେତାଶୂନ୍ୟ କରିଥିଲେ।
ଏହାପରେ ଏହାକୁ ଯନ୍ତାରେ ନେଇଯାଇଛନ୍ତି। ୪ ଦିନ ତଳେ ଜଣେ ବାଳକକୁ ମାରିଥିବା ଏହି ବାଘ ଗତକାଲି ସନ୍ଧ୍ୟାରେ ଧରମବନ୍ଧା ଥାନା ସିଲିଆରିବାହାର ଗାଁର ଜଣେ ମହିଳାଙ୍କୁ ଝାମ୍ପି ନେଇ ମୁଣ୍ଡଗଣ୍ଡି ଅଲଗା କରିଦେଇଛି। ସେହିପରି ଶନିବାର ଧରମବନ୍ଧା ଥାନା କୋଦୋପାଲି ଗାଁର ଜଣେ ୮ବର୍ଷ ବୟସର ବାଳକକୁ ଆକ୍ରମଣ କରି ଖଣ୍ଡିଆଖାବରା କରିଛି। ଶନିବାର ଜଙ୍ଗଲରୁ ମୃତ ମହିଳାଙ୍କ ମୁଣ୍ଡ ଓ ଗଣ୍ଡି ଅଲଗା ଅଲଗା ସ୍ଥାନରୁ ଉଦ୍ଧାର କରାଯାଇଛି। ମାତ୍ର ୫ ଦିନ ବ୍ୟବଧାନରେ ଦୁଇଜଣଙ୍କୁ ବାଘ ମାରିବା ଏବଂ ଜଣଙ୍କୁ ଆକ୍ରମଣ କରିବା ଘଟଣା ଅଞ୍ଚଳରେ ଆତଙ୍କ ଖେଳାଇଥିଲା।
ଆଜି ବନ ବିଭାଗ ଓ ପୁଲିସ କର୍ମଚାରୀ ମହିଳାଙ୍କ ଶବ ଆଣିବାକୁ ଯାଇଥିବା ବେଳେ ଉତ୍ତ୍ୟକ୍ତ ଗ୍ରାମବାସୀ ସେମାନଙ୍କୁ ଘେରାଉ କରିଥିଲେ। ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଓ ଗ୍ରାମବାସୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଥିଲେ। ପ୍ରତିଶ୍ରୁତି ମିଳିବା ପରେ ସେମାନେ ଶବକୁ ବ୍ୟବଚ୍ଛେଦ ପାଇଁ ଛାଡ଼ିଥିଲେ।
ସୂଚନା ଅନୁସାରେ, ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ସିଲିଆରିବାହାର ଗାଁର ପୂର୍ବତନ ୱାର୍ଡସଭ୍ୟା ରାମେଶ୍ରୀ ମାଝୀ (୪୫ବର୍ଷ) ଶୁକ୍ରବାର ଅପରାହ୍ଣ ପ୍ରାୟ ସାଢ଼େ ୪ଟାରେ ନିକଟସ୍ଥ ଜଙ୍ଗଲକୁ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ କଲରାପତରିଆ ବାଘଟି ତାଙ୍କୁ ଆକ୍ରମଣ କରି ୧୫ରୁ ୨୦ ମିଟର ଘୋଷାଡ଼ି ନେଇଥିଲା। ରାତିରେ ରାମେଶ୍ରୀ ଘରକୁ ନଫେରିବାରୁ ପରିବାର ଲୋକ ଓ ଗ୍ରାମବାସୀ ତାଙ୍କୁ ଖୋଜାଖୋଜି କରି ପାଇ ନଥିଲେ। ଶନିବାର ଦିନ ପ୍ରାୟ ୧୧ଟା ସମୟରେ ଗାଁର କିଛି ଲୋକ ଜଙ୍ଗଲ ଭିତରେ ରାମେଶ୍ରୀଙ୍କ ମୁଣ୍ଡ ଓ ଗଣ୍ଡି ଅଲଗା ଅଲଗା ସ୍ଥାନରେ ପଡ଼ିଥିବା ଦେଖିଥିଲେ।
ମୃତ ମହିଳାଙ୍କ ସ୍ବାମୀ ତୁଳାରାମ ମାଝୀଙ୍କ ସହ ଅନ୍ୟମାନେ ଠେଙ୍ଗାବାଡ଼ି ଧରି ଘଟଣାସ୍ଥଳକୁ ଯାଇଥିଲେ। ମହିଳାଙ୍କ ମୃତଦେହ ପଡ଼ିଥିବା ସ୍ଥାନ ପାଖରେ ବାଘ ଲୁଚି ରହିଥିଲା। ଏମାନଙ୍କୁ ଦେଖି ବାଘଟି ଆକ୍ରମଣ ଉଦ୍ୟମ କରିଥିଲା। ଫଳରେ ସେମାନେ ଭୟଭୀତ ହୋଇ ମୃତଦେହ ଛାଡ଼ି ଜୀବନ ବିକଳରେ ପଳାଇ ଆସିଥିଲେ। ପରେ ଫଟକା ଫୁଟାଇବାରୁ ବାଘଟି ଭୟରେ ଜଙ୍ଗଲ ଭିତରକୁ ପଳାଇ ଯାଇଥିଲା।
ସେହିପରି ଶନିବାର ସନ୍ଧ୍ୟା ପ୍ରାୟ ୬ଟାରେ ଧରମବନ୍ଧା ଥାନା କୋଦୋପାଲି ଗାଁର ବାଳକରାମ ବରିହାଙ୍କ ପୁଅ ନୀଳକଣ୍ଠ ବରିହା (୮ବର୍ଷ) ଘର ସାମ୍ନାରେ ଖେଳୁଥିଲା। ଏହି ସମୟରେ ମଣିଷଖିଆ ବାଘଟି ହଠାତ୍ ଗାଁରେ ପହଞ୍ଚି ନୀଳକଣ୍ଠକୁ ଅତର୍କିତ ଆକ୍ରମଣ କରିଥିଲା। ନୀଳକଣ୍ଠର ବିକଳ ଚିତ୍କାର ଶୁଣି ଗ୍ରାମବାସୀ ପହଂଚି ପାଟିତୁଣ୍ଡ କରିବା ସହ ଠେଙ୍ଗାବାଡ଼ି ଧରି ଗୋଡ଼ାଇବାରୁ ବାଘଟି ବାଳକକୁ ଛାଡ଼ି ପଳାଇଥିଲା।
ନୀଳକଣ୍ଠକୁ ସଂଗେ ସଂଗେ ଚିକିତ୍ସା ପାଇଁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଅଣାଯାଇଥିଲା। ଅନ୍ୟପକ୍ଷରେ ରାତି ୮ଟାରେ ବାଘଟି ପୁଣି କୋଦୋପାଲି ଗାଁକୁ ଆସିଥିଲା। ତାକୁ ଧରିବା ଲାଗି ବନ ବିଭାଗ କର୍ମଚାରୀ ଆସିଥିଲେ। ନୂଆପଡ଼ା ଉପଜିଲ୍ଲାପାଳ ସୁବାସ ଚନ୍ଦ୍ର ରାଇତା, ବିଡିଓ ବିପିନ ବିହାରୀ ଦୀପ ମଧ୍ୟ ଗାଁରେ ପହଞ୍ଚିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031